ଯଦି ପଛରୁ ଛୁରି ମାରିବା ଶିଖିବାର ଅଛି, ତେବେ ନବୀନଙ୍କ ଠାରୁ ଶିଖନ୍ତୁ: ପ୍ରକାଶ ମିଶ୍ର

ଶୀର୍ଷ ପ୍ରଶାସନିକ ଅଧିକାରୀରୁ ନେତା  ହୋଇଥିବା ପୂର୍ବତନ ସିଆର୍‌ପିଏଫ୍‌ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ରଙ୍କ ଇଂରାଜୀ ପୁସ୍ତକ ‘କମେଡି ଇନ୍‌ ଖାକି’ ଲୋକାର୍ପିତ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଏବଂ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି।

sfssfsf

ଶୀର୍ଷ ପ୍ରଶାସନିକ ଅଧିକାରୀରୁ ନେତା  ହୋଇଥିବା ପୂର୍ବତନ ସିଆର୍‌ପିଏଫ୍‌ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ରଙ୍କ ଇଂରାଜୀ ପୁସ୍ତକ ‘କମେଡି ଇନ୍‌ ଖାକି’ ଲୋକାର୍ପିତ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଏବଂ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ଏଥିରେ ସେ ପିଲାଦିନରୁ ଅବସର ପର୍ଯ୍ୟନ୍ତ ସମୟ ଭିତରେ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ସାମ୍ନା କରିଥିବା କୌତୂହଳପ୍ରଦ ଘଟଣାବଳି ମଜାଦାର ଶୈଳୀରେ ଉପସ୍ଥାପନ କରିଛନ୍ତି। ଏକଦା ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଥିବା ଶ୍ରୀ ମିଶ୍ର ଏହାର ଗୋଟିଏ ଅଧ୍ୟାୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ନ ନେଇ ତାଙ୍କ ମୁଖା ଖୋଲିବାର ପ୍ରୟାସ କରିଥିବା କଥା ଚର୍ଚ୍ଚା ହେଉଛି। ଏହି ପରିପ୍ରେକ୍ଷୀରେ ତାଙ୍କ ସହ ସାକ୍ଷାତ୍‌-ଆଲୋଚନା କରିଛନ୍ତି ଆମର 
ବରିଷ୍ଠ ପ୍ରତିନିଧି ବିଭୂତି ପତି

‘କମଡେି ଇନ୍‌ ଖାକି’ ଭଳି ଏକ ଭିନ୍ନସ୍ବାଦର ପୁସ୍ତକ ରଚନା କରିବାର ପରିକଳ୍ପନା କିପରି ଆସିଲା?
ଏମିତି ଏକ ବହି ଲେଖିବା ଲାଗି ମୋର କୌଣସି ଅଭିପ୍ରାୟ ନ ଥିଲା କି ଯୋଜନା ନଥିଲା। ଅବସର ପରେ ମୁଁ ଗୋଟିଏ ଦୁଇଟି ଛୋଟ ଗପ ଲେଖିଲି। ଏସବୁ ମୋ ପ୍ରିୟପରିଜନଙ୍କ ଦ୍ବାରା ବେଶ୍‌ ଆଦୃତ ହେଲା। ସେମାନେ ମୋତେ ଅଧିକ ଲେଖିବାକୁ ଉତ୍ସାହିତ କଲେ। ମୁଁ ଆଉ କିଛି କିଛି ଲେଖିଲି। ପ୍ରଥମରୁ ମୁଁ ମୋର ସ୍ମୃତି ଅନୁଭୂତିକୁ ନେଇ ଲେଖୁଥିଲି। ତା’ପରେ ଅନ୍ୟ ବିଷୟ ଲେଖିଲି। ଯେତେବେଳେ ଅଧିକ ଲେଖା ହେଲା ଏସବୁ ମିଶାଇ ଗୋଟିଏ ବହି କରିବାକୁ ସମସ୍ତେ ମୋତେ କହିଲେ। ମୁଁ ମଧ୍ୟ ଭାବିଲି ଏହା ଗୋଟିଏ ସୁନ୍ଦର ପରିକଳ୍ପନା। ସେଥିପାଇଁ ପ୍ରୟାସ ଚାଲିଲା ଏବଂ ପୁସ୍ତକ ପ୍ରକାଶ ପାଇଲା।

ଏ ବହି ମାଧ୍ୟମରେ ଆପଣ ପାଠକଙ୍କୁ କୌଣସି ନିର୍ଦ୍ଦିଷ୍ଟ ବାର୍ତ୍ତା ଦେବାକୁ ଚାହିଛନ୍ତି କି?
ବହିରେ ମୋ ଜୀବନର, ମୁଖ୍ୟତଃ ପିଲାଦିନର ଘଟଣା ସବୁ ଲେଖିଛି। ପ୍ରତ୍ୟେକ ପିଲା ବିଦ୍ୟାଳୟ ଜୀବନରୁ ଗୋଟିଏ ନିର୍ଦ୍ଦିଷ୍ଟ ଘଟଣାକୁ ନେଇ ଜୀବନ ଆରମ୍ଭ କରିଥାନ୍ତି। ମୋର ମଧ୍ୟ ସେପରି ହୋଇଛି। କେହି କେହି ହୁଏ ତ ଏହାକୁ ପରିପ୍ରକାଶ କରନ୍ତି, ଆଉ କେହି ହୁଏ ତ କରି ନଥାନ୍ତି। କିନ୍ତୁ ପିଲାଦିନର ଘଟଣାବହୁଳ ଜୀବନର ଆରମ୍ଭ ଭିତରେ ମୁଁ ସମସ୍ତଙ୍କୁ ଗୋଟିଏ ବାର୍ତ୍ତା ଦେଇଛି, ଜୀବନର ଉଠାଣିଗଡ଼ାଣି ମଧ୍ୟରେ ଆମେ ସବୁବେଳେ ଚାର୍ଲି ଚାପଲିନ୍‌ଙ୍କ ଏକ ଉକ୍ତି ମନେ ରଖିବା ଉଚିତ। ଏକଦା ଚାର୍ଲି ଚାପଲିନ୍ କହିଥିଲେ, ‘ଏ ଡେ’ ଉଇଦାଉଟ୍ ଲାଫଟର୍ ଇଜ୍ ଏ ଡେ ୱେଷ୍ଟେଡ୍’ ଅର୍ଥାତ୍ ଯଦି ହସ ବିନା ଦିନଟିଏ ସରିଯାଏ, ତେବେ ସେ ଦିନଟି ନଷ୍ଟ ହୋଇଯାଏ। ଏହି ବାର୍ତ୍ତାରୁ ମୁଁ ବହି ଆରମ୍ଭ କରିଛି। ସେହିପରି ମୁଁ ଡିଆଇଜି ଥିବା ସମୟରେ ସରକାରୀ କାର୍ଯ୍ୟରେ ଆମେରିକା ଗସ୍ତରେ ଯାଇଥିଲି ଏବଂ ସେଠାରେ ଜଣେ ଆମେରିକୀୟ ପୁଲିସ ବନ୍ଧୁଙ୍କ ସହିତ ହୋଇଥିବା ହସଖୁସିର ଉପସ୍ଥାପନାରେ ବହିଟି ଶେଷ କରିଛି।

ହିଞ୍ଜିଳିକାଟୁର ଜଣେ ବିଜେଡି ନେତା ଅଭିଯୋଗ କରିଛନ୍ତି ଯେ ଆପଣ ବହି ବିକିବାକୁ ନବୀନଙ୍କ ସଂପର୍କରେ ମିଛ ଲେଖିଛନ୍ତି। ସେ ଆପଣଙ୍କ ବର୍ଣ୍ଣିତ ଘଟଣାବଳିର ସତ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି। ପ୍ରତିକ୍ରିୟାରେ କ’ଣ କହିବେ?
ଦେଉଳ ଭିତରେ କିଏ ନା ମୁଁ କଦଳୀ ଖାଇନି! ସେ ଆଗେ କହନ୍ତୁ, ମୁଁ କେଉଁଠି ନବୀନବାବୁଙ୍କ ନାଁ ନେଇଛି? ମୁଁ ହିଞ୍ଜିଳି ସ୍ଥାନ ବିଷୟରେ ମଧ୍ୟ ଉଲ୍ଲେଖ କରିନି। ସେ କେମିତି ଜାଣିଲେ ଘଟଣାଟି ନବୀନଙ୍କ ହିଞ୍ଜିଳି ଗସ୍ତକୁ ନେଇ ଲେଖା ଯାଇଛି?

ନବୀନବାବୁଙ୍କ ମୁଖ୍ୟମନ୍ତ୍ରୀତ୍ବ କାଳରେ ଆପଣ ପୁଲିସ ଡିଜି ଥିଲେ ଓ ଭିକେ ପାଣ୍ଡିଆନ୍‌ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ। ଦୁହିଁଙ୍କୁ ନେଇ ଆପଣଙ୍କର ଅନୁଭୂତି କେମିତି?
୨୦୧୪ରେ ମୁଁ ଓଡ଼ିଶା ଛାଡ଼ିଲି। ସେତେବେଳେ ପାଣ୍ଡିଆନ୍, ନବୀନଙ୍କ ବ୍ୟକ୍ତିଗତ ସଚିବ ଥିଲେ। ତାଙ୍କର ଯାହା କାମ କରାଇବା କଥା ସେ କରାଇ ନେଉଥିଲେ। ମୋର ବ୍ୟକ୍ତିଗତ ଭାବେ ପାଣ୍ଡିଆନ୍‌ଙ୍କ ସହିତ କୌଣସି ଖରାପ ଅନୁଭୂତି ନାହିଁ। ୨୦୧୪ ପରେ ଧୀରେ ଧୀରେ ପାଣ୍ଡିଆନ୍‌ଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଲା ଏବଂ ୨୦୧୯ ପରେ ଏହା ଚରମସୀମାରେ ପହଞ୍ଚିଲା। ନବୀନ ପ୍ରଶାସନରୁ ଦୂରେଇ ଗଲେ, କିନ୍ତୁ କାହିଁକି ଦୂରେଇ ଗଲେ ମୁଁ କହିପାରିବି ନାହିଁ। ନବୀନବାବୁ ଅନେକ ସମୟରେ ଅଫିସ୍‌ ଆସିଲେନି। ତା’ପରେ ଏକଚ୍ଛତ୍ରବାଦ ଆରମ୍ଭ ହେଲା। ଏହାଦ୍ବାରା ଓଡ଼ିଶାର ବହୁତ ଅନିଷ୍ଟ ହେଲା।

ଯଦି ଓଡ଼ିଶାର ବହୁତ ଅନିଷ୍ଟ ହେଲା ତେବେ ଏଥିପାଇଁ ଆପଣ କାହାକୁ ଦାୟୀ କରିବେ?
ଏଥିପାଇଁ ନବୀନ ପଟ୍ଟନାୟକ ସଂପୂର୍ଣ୍ଣ ଦାୟୀ। ଓଡ଼ିଶାବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ବିଶ୍ବାସକୁ ନବୀନବାବୁ ପ୍ରତାରିତ କରିଛନ୍ତି। ଓଡ଼ିଶାର ଜନସାଧାରଣଙ୍କ ଆସ୍ଥା ଓ ଭଲପାଇବାକୁ ସେ ଅନ୍ୟଜଣଙ୍କୁ ହସ୍ତାନ୍ତର କରି ନିଜ ଅନୈତିକତାର ପରିଚୟ ଦେଇଛନ୍ତି। ଜଣେ ବ୍ୟକ୍ତି ଯେପରି ମନମୁଖୀ ଶାସନ ଚଳାଇଲେ ସେଥିପାଇଁ ଏକମାତ୍ର ନବୀନବାବୁ ଦାୟୀ।

ଆପଣଙ୍କ ଉପରେ ଦୁର୍ନୀତିର ମିଛ ମାମଲା କରିଥିଲେ ନବୀନ ସରକାର। ନି‌ର୍ଦୋଷ ସାବ୍ୟସ୍ତ ହେବା ପରେ କ’ଣ କହିବେ?
ମୁଁ କ’ଣ କହିବି? ଜଣେ ବ୍ୟକ୍ତି ଏତେ ନୀଚସ୍ତରକୁ ଯାଇପାରେ ଏହା ମୋର କଳ୍ପନାର ବାହାରେ ଥିଲା। ମାମଲା ଦାଏର ହେବା ଏବଂ ଦୁର୍ନୀତି ଆରୋପ ଲାଗିବା ଘଟଣାରେ ନବୀନବାବୁ ଥରେ ବି ମୋତେ କୈଫିୟତ୍‌ ତଲବ କରିଛନ୍ତି? ରାଜ୍ୟର ମୁଖ୍ୟ ଭାବରେ ତାଙ୍କର ମୋତେ ଡାକି ଏ ବିଷୟରେ ପଚାରିବାକୁ ସତ୍‌ସାହସ ମଧ୍ୟ ନ ଥିଲା। ଯଦି ମୁଁ ଦୁର୍ନୀତି କରିଥିଲି ତେବେ ସଞ୍ଜୀବ ମାରିକ୍ ଓ କେ. ବି. ସିଂହ ଡିଜି ଥିଲାବେଳେ ଉଭୟଙ୍କ ସମୟକାଳ ସରିବା ପୂର୍ବରୁ କାହିଁକି ସେମାନଙ୍କୁ ପରିବର୍ତ୍ତନ କଲେ? ଯଦି ସେ ଦୁର୍ନୀତି ସହିପାରନ୍ତି ନାହିଁ ତେବେ ତାଙ୍କୁ କେଉଁ ଦୁର୍ନୀତିରେ ଡିଜି ପଦବିରୁ ହଟାଇଲେ ଏବଂ କାହିଁକି ମାମଲା କଲେନାହିଁ? ବିଜେଡି ସରକାର କଳ-ବଳ-କୌଶଳ ଲଗାଇ ମୋତେ କେନ୍ଦ୍ରରେ ଉଚ୍ଚପଦବିରୁ ଦୂରେଇ ରଖିବାକୁ ଚାହିଁଥିଲେ। ମାତ୍ର ସମସ୍ତ ଷଡ୍‌ଯନ୍ତ୍ର ବିଫଳ ହେଲା। ଅଦାଲତ ମୋତେ ନିର୍ଦୋଷ ସାବ୍ୟସ୍ତ କଲେ। ନବୀନଙ୍କ ସରକାର ଓ ତତ୍କାଳୀନ ପୁଲିସ ପଦାଧିକାରୀଙ୍କୁ ଭର୍ତ୍ସନା କଲେ।

ଏବେ ବି ନବୀନଙ୍କ ପ୍ରତି ଆପଣଙ୍କର ମନରେ କ୍ରୋଧ ରହିଛି? କେବେ ତାଙ୍କୁ ଆପଣ ସାମ୍ନାସାମ୍ନି ପଚାରିଛନ୍ତି?
ହଁ, ଥରେ ମୁଁ ମୋ ଦୁର୍ନୀତି ପ୍ରସଙ୍ଗରେ ତାଙ୍କୁ ପଚାରିଥିଲି। ସେ କହିଲେ, ମୁଁ ଫାଇଲ୍ ମଗାଇଛି, ଦେଖିବି। କିନ୍ତୁ ପରେ ମାମଲା କରିବାକୁ ନିର୍ଦ୍ଦେଶ ଦେବା କିଭଳି ମଣିଷପଣିଆ? ପଛରୁ ଛୁରି ମାରିବାର କଳା ଓ କୌଶଳରେ ନବୀନ ସିଦ୍ଧହସ୍ତ। ଯଦି ପଛରୁ ଛୁରି ମାରିବା ଶିଖିବାର ଅଛି, ତେବେ ନବୀନଙ୍କଠାରୁ ଶିଖନ୍ତୁ। ସେ ସେହିଭଳି ବ୍ୟକ୍ତିତ୍ବ। ମୋର ଆଉ କ୍ରୋଧ ପ୍ରକାଶ କରିବାର ଆବଶ୍ୟକତା ନାହିଁ। କେବଳ ଏତିକି କହିବି, ଜଣେ ମଣିଷପଣିଆ ନଥିବା ଲୋକ ପ୍ରତି କ୍ରୋଧ କିମ୍ବା କ୍ଷମା କରିବା କୌଣସି ମହତ୍ତ୍ବ ରଖେନାହିଁ।

ନବୀନ ସରକାର ଅଧୀନରୁ ଯାଇ ଆପଣ ମୋଦୀ ସରକାରରେ କାର୍ଯ୍ୟ କଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତତ୍କାଳୀନ ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ କାର୍ଯ୍ୟଧାରା କିଭଳି ଭିନ୍ନ ଥିଲା?
ସିଆର୍‌ପିଏଫ୍‌ ଡିଜି ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ପ୍ରାୟ ୪ ଥର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛି। ସୌଜନ୍ୟମୂଳକ ସାକ୍ଷାତ୍‌ ସମୟରେ ତାଙ୍କ ବ୍ୟକ୍ତିତ୍ବ ଓ ବାର୍ତ୍ତାଳାପ ମୋତେ ପ୍ରଭାବିତ କରିଥିଲା। କୌଣସି ପ୍ରସଙ୍ଗ ଆଲୋଚନା ସମୟରେ ସେ ଅତ୍ୟନ୍ତ ଧୀରସ୍ଥିର ଏବଂ ଏକାଗ୍ରଚିତ୍ତରେ ସମସ୍ତ ବିଷୟ ଶୁଣନ୍ତି ଓ ପ୍ରାଞ୍ଜଳ ଭାବରେ ପ୍ରସଙ୍ଗଟିକୁ ବୁଝିବା ଉପରେ ଗୁରୁତ୍ବ ଦିଅନ୍ତି। ଯେଉଁ ପ୍ରସଙ୍ଗ ଉପରେ ଆଲୋଚନା ହୁଏ ସେହି ପ୍ରସଙ୍ଗର ବିଷୟବସ୍ତୁ ସଂପର୍କରେ ସମସ୍ତ ତଥ୍ୟ ଓ ଜ୍ଞାନ ମଧ୍ୟ ସେ ଜାଣିବାକୁ ଚାହିଁଥାନ୍ତି। ସେ ଜବରଦସ୍ତି ନିଜ ଇଚ୍ଛାକୁ କାହା ଉପରେ ଲଦିବାକୁ ଚେଷ୍ଟା କରନ୍ତିନାହିଁ। ତତ୍କାଳୀନ ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କର ମୁଁ ସ୍ବତନ୍ତ୍ର ସଚିବ ଭାବେ ତାଙ୍କ ମନ୍ତ୍ରାଳୟରେ କାର୍ଯ୍ୟ କରିଥିଲି। ପରେ ସିଆରପିଏଫ୍ ଡିଜି ହେଲି। ସେ ବହୁତ ମେଳାପୀ ଓ ସାଧାସିଧା।

କେନ୍ଦ୍ର ସରକାରଙ୍କ ଶୁଭଦୃଷ୍ଟି ହେତୁ ଆପଣ ବୋଧେ ବିଜେପିରେ ଯୋଗଦେଇ ନିର୍ବାଚନରେ ଛିଡ଼ା ହେଲେ?
ମୁଁ ସ୍ପଷ୍ଟ ଭାବେ କହିବାକୁ ଚାହେଁ, ମୋ ବିରୋଧରେ ନବୀନ ସରକାର ଯେପରି ଷଡ୍‌ଯନ୍ତ୍ର କରି ଦୁର୍ନୀତିର ଜାଲରେ ପକାଇଲେ; ସେଭଳି ପରିସ୍ଥିତିରେ ମୋର ସାଧୁତା ଓ କର୍ତ୍ତବ୍ୟନିଷ୍ଠା ଉପରେ ରାଜନାଥ ସିଂହ ଓ ଅମିତ ଶାହାଙ୍କର ବିଶ୍ବାସ ନ ଥିଲେ ମୁଁ  ସିଆର୍‌ପିଏଫ୍ ଡିଜି ଭାବେ ନିଯୁକ୍ତ ହୋଇନଥାନ୍ତି। ତେଣୁ ମୁଁ ବିଜେପି ପ୍ରତି ଅନୁରକ୍ତ ହେଲି। ବିଜେପି ନେତୃତ୍ବଙ୍କ ସ୍ପଷ୍ଟ ନୀତି ଓ ଆଦର୍ଶ ମଧ୍ୟ ମୋତେ ପ୍ରଭାବିତ କରିଥିଲା। ଏଭଳି ଅନେକ କାରଣ ପାଇଁ ମୁଁ  ଅବସର ପରେ ବିଜେପିରେ ଯୋଗଦେଲି।

ନିର୍ବାଚନରେ ବିଫଳ ହେଲା ପରେ ଆପଣ ରାଜନୀତିରୁ ଦୂରେଇ ଗଲେ?
ମଣିଷ ଜୀବନରେ ସବୁବେଳେ ସଫଳତା ଓ ବିଫଳତା ଲାଗିରହିଥାଏ। ମୁଁ ସକ୍ରିୟ ବା ପ୍ରତ୍ୟକ୍ଷ ରାଜନୀତିରୁ ଦୂରେଇ ଗଲେ ମଧ୍ୟ ବିଜେପିରେ ରହିଛି ଏବଂ ମୋର ସାଧ୍ୟମତେ ଜନସାଧାରଣଙ୍କ ସହ ରହି ସେମାନଙ୍କର ସୁଖଦୁଃଖରେ ଛିଡ଼ା ହେଉଛି। ରାଜନୀତିରେ ନିର୍ବାଚନ ଲଢ଼ିବା ଏକମାତ୍ର କାମ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe