ଓଡ଼ିଶାରେ ଗାନ୍ଧୀଜୀଙ୍କୁ କଳାପତାକା ପ୍ରଦର୍ଶନକାରୀଙ୍କୁ ମଞ୍ଚ ଦେଇଥିଲେ ମହାତ୍ମା

Advertisment

ସ୍ବାଧୀନତା ଆନ୍ଦୋଳନ କାଳରେ ଗାନ୍ଧୀଜୀ ଅସ୍ପୃଶ୍ୟତା ନିବାରଣର ଲକ୍ଷ୍ୟ ନେଇ ପଦଯାତ୍ରାର ପ୍ରଥମ ପ୍ରୟୋଗ କରିଥିଲେ ଓଡ଼ିଶାରେ। ୧୯୩୪ ମସିହା ମେ ମାସର ପ୍ରଚଣ୍ଡ ଖରାରେ ଶ୍ରୀଜଗନ୍ନାଥ ଧାମ ପୁରୀରୁ ସେ ଆରମ୍ଭ କରିଥିଲେ ହରିଜନ ପଦଯାତ୍ରା।

ସ୍ବାଧୀନତା ଆନ୍ଦୋଳନ କାଳରେ ଗାନ୍ଧୀଜୀ ଅସ୍ପୃଶ୍ୟତା ନିବାରଣର ଲକ୍ଷ୍ୟ ନେଇ ପଦଯାତ୍ରାର ପ୍ରଥମ ପ୍ରୟୋଗ କରିଥିଲେ ଓଡ଼ିଶାରେ। ୧୯୩୪ ମସିହା ମେ ମାସର ପ୍ରଚଣ୍ଡ ଖରାରେ ଶ୍ରୀଜଗନ୍ନାଥ ଧାମ ପୁରୀରୁ ସେ ଆରମ୍ଭ କରିଥିଲେ ହରିଜନ ପଦଯାତ୍ରା।

wqreqwr

ସ୍ବରାଜ ମିଶ୍ର

ସ୍ବାଧୀନତା ଆନ୍ଦୋଳନ କାଳରେ ଗାନ୍ଧୀଜୀ ଅସ୍ପୃଶ୍ୟତା ନିବାରଣର ଲକ୍ଷ୍ୟ ନେଇ ପଦଯାତ୍ରାର ପ୍ରଥମ ପ୍ରୟୋଗ କରିଥିଲେ ଓଡ଼ିଶାରେ। ୧୯୩୪ ମସିହା ମେ ମାସର ପ୍ରଚଣ୍ଡ ଖରାରେ ଶ୍ରୀଜଗନ୍ନାଥ ଧାମ ପୁରୀରୁ ସେ ଆରମ୍ଭ କରିଥିଲେ ହରିଜନ ପଦଯାତ୍ରା। ମୂଳରୁ ମାତ୍ର ୧୨ ଦିନର ଗସ୍ତ କାର୍ଯ୍ୟକ୍ରମ ଥିଲେ ହେଁ, ଦୁଇଟି ପର୍ଯ୍ୟାୟରେ ସେ ପ୍ରାୟ ମାସେ କାଳ କଟାଇଥିଲେ ଓଡ଼ିଶାରେ। ଗାଁକୁ ଗାଁ ବୁଲି ୫୦ଟି ସ୍ଥାନରେ ସଭା କରିଥିଲେ ଏବଂ ପ୍ରାୟ ତିନି ଲକ୍ଷ ଲୋକଙ୍କୁ ଭେଟିଥିଲେ, ଯାହାକି ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥିଲା। ମାତ୍ର ଅନେକେ ଜାଣନ୍ତି ନାହିଁ ଯେ ଏହି ଯାତ୍ରା କାଳରେ ତାଙ୍କ କାର୍ଯ୍ୟକ୍ରମକୁ ବିରୋଧ କରି କିଛି ଲୋକ କଳାପତାକା ପ୍ରଦର୍ଶନ କରିଥିଲେ। ଆଉ ସବୁଠାରୁ ଅଧିକ କୌତୂହଳର କଥା ହେଲା, ଗାନ୍ଧୀଜୀ କଟକଠାରେ ଏହି ପ୍ରଦର୍ଶନକାରୀଙ୍କୁ ସମ୍ମାନର ସହ ସଭାମଞ୍ଚକୁ ଡାକି ଭାଷଣ ଦେବାର ସୁଯୋଗ ଦେଇଥିଲେ।

୧୯୩୪ ମସିହାର ଏଇ ଓଡ଼ିଶା ଗସ୍ତରେ ସେ ପ୍ରଥମେ ରେଳ ଯୋଗେ ପହଞ୍ଚିଥିଲେ ଝାରସୁଗୁଡ଼ାରେ। ତା’ପରେ ସଡ଼କ ପଥରେ ସମ୍ବଲପୁର, ବାମୁର, ଅନୁଗୁଳ ଦେଇ ମେରାମୁଣ୍ଡଳୀ ଆସି ସେଠାରୁ ରେଳ ଧରି ପହଞ୍ଚିଥିଲେ ପୁରୀରେ। ସେତେବେଳକୁ ପୁରୀରେ ପ୍ରଚାର ହୋଇଥାଏ ଯେ ଗାନ୍ଧୀଜୀ ଜଗନ୍ନାଥ ମନ୍ଦିରରେ ଜୋର ଜବରଦସ୍ତ ଅସ୍ପୃଶ୍ୟମାନଙ୍କୁ ପୂରାଇବାର ଯୋଜନା କରିଛନ୍ତି। ଏଣୁ କିଛି କିଛି ମହଲରୁ ଏହାର ବିରୋଧ ହେଉଥାଏ। ବିଶେଷକରି ବନାରସରୁ ଆସିଥିବା ପଣ୍ଡିତମାନଙ୍କର ଏକ ଦଳ ବିରୋଧ ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହେଉଥାନ୍ତି। ସହରରେ କେତେକ ସ୍ଥାନରେ ପୋଷ୍ଟର ଲାଗିଥାଏ- ‘ଗାନ୍ଧୀ ଫେରିଯାଅ’। ପୁଣି କେତୋଟି ମଠ ଉପରେ ଉଡୁଥାଏ କଳା ପତାକା।
ତେବେ ଗାନ୍ଧୀଜୀଙ୍କୁ ସ୍ବାଗତ କରିବା ପାଇଁ ଜନସାଧାରଣଙ୍କ ମଧ୍ୟରେ ଥିଲା ପ୍ରବଳ ଉତ୍ସାହ। ମେ ୮ ତାରିଖ ଦିନ ସିଂହଦ୍ବାର ସାଧାରଣ ସଭାରେ ଗାନ୍ଧୀ ମହାତ୍ମାଙ୍କୁ ଶୁଣିବା ପାଇଁ ବିପୁଳ ଭିଡ଼ ହୋଇଥିଲା। ଗଣ୍ଡଗୋଳ ଆଶଙ୍କା କରି ସିଂହଦ୍ବାର ବନ୍ଦ ରଖା ଯାଇଥାଏ। ଗାନ୍ଧୀଜୀ କିନ୍ତୁ ମନ୍ଦିର ଭିତରେ କାହାକୁ ପୂରାଇବା ତ ଦୂରେ ଥାଉ, ଲୋକେ ସ୍ବଇଚ୍ଛାରେ ଅସବର୍ଣ୍ଣମାନଙ୍କୁ ମନ୍ଦିର ପ୍ରବେଶର ଅନୁମତି ନଦେବା ପର୍ଯ୍ୟନ୍ତ ନିଜେ ମଧ୍ୟ ମନ୍ଦିରକୁ ଯିବେ ନାହିଁ ବୋଲି ଘୋଷଣା କରିଥିଲେ। ସେଦିନ ସିଂହଦ୍ବାର ପାଖରେ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଅନାବରଣ କଲାବେଳେ ଭାବପ୍ରବଣ ହୋଇ ପଡ଼ିଥିଲେ ସେ। କହିଥିଲେ - ‘ଆଜି ଏ ପୂଣ୍ୟଭୂମିରେ ମୁଁ ତାଙ୍କର ଅଭାବ ସବୁଠୁ ବେଶୀ ଅନୁଭବ କରୁଛି।’ ପରବର୍ତ୍ତୀ ଦିନ ମେ ୯ ତାରିଖରେ ଆରମ୍ଭ ହେବାକୁ ଥିବା ପଦଯାତ୍ରା କାର୍ଯ୍ୟକ୍ରମ ସମ୍ପର୍କରେ ସେଇଠି ଘୋଷଣା କରିଥିଲେ ସେ। ପୁରୀ ଭଳି ଧର୍ମକ୍ଷେତ୍ରରୁ ଆରମ୍ଭ ହେଉଥିବା ଏହି ମହାନ୍ ଧର୍ମଯାତ୍ରା ପାଇଁ ସେ ସମସ୍ତଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।

ଗାନ୍ଧୀ ବିରୋଧୀ କଳାପତାକାଧାରୀମାନେ ପୁରୀରେ ବିଶେଷ କିଛି କରି ପାରି ନଥିଲେ। ସେମାନେ ପ୍ରସ୍ତୁତ ହେଉଥିଲେ ୧୬ ମଇରେ କଟକଠାରେ ହେବାକୁ ଥିବା ସଭାରେ ବିରୋଧ ପ୍ରଦର୍ଶନ କରିବାପାଇଁ। ମନରେ କିନ୍ତୁ ପ୍ରବଳ ଭୟ। ଏତେସଂଖ୍ୟକ ସମର୍ଥକଙ୍କ ଭିତରେ ସେମାନେ ନିଜକୁ ଅସୁରକ୍ଷିତ ମଣୁଥିଲେ। ତେଣୁ ୧୬ ତାରିଖ ପୂର୍ବାହ୍ନରେ ଗାନ୍ଧୀଜୀଙ୍କ ପଦଯାତ୍ରା କାଜିପାଟଣାରେ ପହଞ୍ଚିବା ପରେ ବିରୋଧ ପ୍ରଦର୍ଶନକାରୀଙ୍କ ନେତା ବନାରସର ପଣ୍ଡିତ ଲାଲନାଥ ଗାନ୍ଧୀଜୀଙ୍କୁ ଭେଟି ତାଙ୍କଠାରୁ ସାହାଯ୍ୟ ଓ ସୁରକ୍ଷା ଲୋଡ଼ିଥିଲେ। ସେ ଏକ ଅଦ୍ଭୁତ ଅନୁରୋଧ! ମହାତ୍ମାଜୀ କିନ୍ତୁ ବିନା ଦ୍ବିଧାରେ ତାଙ୍କୁ ଅନୁମତି ଓ ଆଶ୍ବାସନା ଦେବା ସହିତ କଟକ ସଭାରେ ତାଙ୍କୁ କହିବାକୁ ସୁଯୋଗ ଦେବେ ବୋଲି ଭରସା ମଧ୍ୟ ଦେଇଥିଲେ।

ସେଦିନ ଅପରାହ୍ଣ ସଭାପାଇଁ ଯେମିତି ସାରା କଟକ ସହର ଉଠି ଆସିଥିଲା କାଠଯୋଡ଼ି ବାଲିକୁ। ଏହି ପଦଯାତ୍ରାର ସମ୍ପୂର୍ଣ୍ଣ ବିବରଣୀ ଲିପିବଦ୍ଧ କରିଥିବା ପଦ୍ମଶ୍ରୀ ବିନୋଦ କାନୁନ୍‌ଗୋ ଲେଖିଛନ୍ତି- ‘‘ଗାନ୍ଧୀଜୀ କିଛି କହିବା ପୂର୍ବରୁ କାହାକୁ ଖୋଜିବା ପରି ମନେ ହେଉଥିଲା। ଦୂରରୁ ଦେଖାଗଲା କୋଡ଼ିଏ ପଚିଶଟି ଲୋକ କଳାପତାକା ଧରି କାଠଯୋଡ଼ି ବନ୍ଧରୁ ଗଡୁଛନ୍ତି। ଗାନ୍ଧୀଜୀ କହି ଉଠିଲେ- କଟକକୁ ପଣ୍ଡିତ ଲାଲନାଥ ଓ ତାଙ୍କ ସାଥୀମାନେ କାଶୀରୁ ଆସିଛନ୍ତି। ହୁଏତ ସେମାନେ କଳାପତାକା ଦେଖାଇବାକୁ ଚେଷ୍ଟା କରିବେ। ସେମାନେ ତାହା କରନ୍ତି ତ ତାଙ୍କୁ ଆଦୌ ନିନ୍ଦା କରନ୍ତୁ ନାହିଁ। ସେମାନେ ଯେଉଁଠି ବସିବାକୁ ଚାହିବେ ସେଠି ସ୍ଥାନ ଦିଅନ୍ତୁ। ଏଠିକି ଆସିବେ ତ ବାଟ ଛାଡି ଦିଅନ୍ତୁ।’’ ଭିଡ଼କାଟି ଆସି ପାରୁ ନଥିବାରୁ ଗାନ୍ଧୀଜୀ ସଭାମଞ୍ଚରୁ ସତ୍ୟନାରାୟଣ ବାବୁଙ୍କୁ ପଠାଇଲେ ତାଙ୍କୁ ନେଇ ଆସିବା ପାଇଁ। ସେ ଝାଳରେ ଜୁଡୁବୁଡୁ ହୋଇ ମଞ୍ଚରେ ପହଞ୍ଚିଲା ମାତ୍ରେ ଗାନ୍ଧୀଜୀ ତାଙ୍କୁ ପ୍ରଣାମ କରି ଲୋକଙ୍କ ଉଦ୍ଦେଶ୍ୟରେ କହିଲେ- ‘‘ମୁଁ ଯେଉଁ ପଣ୍ଡିତ ଲାଲନାଥଙ୍କ କଥା କହୁଥିଲି ସେ ଆସିଲେଣି। ସେ ପ୍ରଥମେ କହନ୍ତୁ। ତାଙ୍କ ପରେ ମୁଁ କହିବି।  ଆପଣମାନେ ଯେପରି ଶାନ୍ତିରେ ମୋ କଥା ଶୁଣୁଥିଲେ, ସେହିପରି ତାଙ୍କ କଥା ଶୁଣନ୍ତୁ।’’

ସଭାରେ ଥିବା ଅନ୍ନପୂର୍ଣ୍ଣା ମହାରଣା ନିଜ ଆତ୍ମଜୀବନୀ ‘ଅମୃତ ଅନୁଭବ’ରେ ଲେଖିଛନ୍ତି- ‘‘ଗୈରିକବସନଧାରୀ ମୁଣ୍ଡିତମସ୍ତକ ତପ୍ତକାଞ୍ଚନବତ୍ ତେଜସ୍ବୀ ସେହି ସନ୍ୟାସୀ ଅତ୍ୟନ୍ତ ଓଜସ୍ବୀ ଭାଷାରେ ଶାସ୍ତ୍ରପୁରାଣ ଉଦ୍ଧୃତ କରି ଅସ୍ପୃଶ୍ୟତା ଧର୍ମସମ୍ମତ ବୋଲି ପ୍ରତିପାଦିତ କଲେ।’’ କିନ୍ତୁ ତାଙ୍କ ବକ୍ତୃତା ପରେ ଗାନ୍ଧୀଜୀ ଅତ୍ୟନ୍ତ ଧୀର ଅଥଚ ଦୃଢ ସ୍ବରରେ ସଂକ୍ଷେପରେ ବୁଝାଇଦେଲେ କିପରି ଅସ୍ପୃଶ୍ୟତା ମାନବର ଧର୍ମ କେବେ ବି ହୋଇ ନପାରେ। ‘‘ସେ କଣ୍ଠସ୍ବର, ସେ ଠାଣି, ସେ ଭାଷାରେ କି କୁହୁକ କିଏ ଭରି ଦେଇଥିଲା କେଜାଣି ତାଙ୍କ ଭାଷଣ ପରେ ‘ମହାତ୍ମା ଗାନ୍ଧୀଙ୍କ ଜୟ’ ନାଦରେ ହିଁ ସେ ସ୍ଥାନ ପ୍ରକମ୍ପିତ ହେଲା।’’

ଲାଲନାଥ ଥିଲେ ବାବା କାଳଭୈରବଙ୍କର ଶିଷ୍ୟ। କୁହାଯାଏ ଯେ କାଳଭୈରବ ଗାନ୍ଧୀଙ୍କୁ ସର୍ବତ୍ର ଦୃଢ଼ ବିରୋଧ ପାଇଁ ନିର୍ଦ୍ଦେଶ ଜାରି କରିଥିଲେ। ଏଣୁ ଗାନ୍ଧୀ ଯେଉଁ ସ୍ଥାନକୁ ଯାଉଥିଲେ, ଲାଲନାଥ ସେ ସବୁ ସ୍ଥାନରେ ପହଞ୍ଚି ତାଙ୍କର ବିରୋଧ କରୁଥିଲେ। ଓଡ଼ିଶାରେ ପଦଯାତ୍ରା ସରିବାର ମାସକ ପରେ ଗାନ୍ଧୀଜୀ ଅଜମେର ଯାଇଥିବା ସମୟରେ ସେଠାରେ ତାଙ୍କ ବିରୁଦ୍ଧରେ ପ୍ରଚାର କରି ଲାଲନାଥ ଜୁଲାଇ ୫ ତାରିଖରେ ସମର୍ଥକଙ୍କ ଆକ୍ରମଣରେ ଆହତ ହୋଇଥିଲେ। ଏହି ଘଟଣାରେ ବ୍ୟଥିତ ହୋଇ ଗାନ୍ଧୀଜୀ କ୍ଷମାପ୍ରାର୍ଥନା କରିବା ସହିତ ୧୯୩୪ ଅଗଷ୍ଟ ୭ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ୱାର୍ଦ୍ଧାଠାରେ ଏକ ସପ୍ତାହ ଅନଶନ କରିଥିଲେ। ତାହା ଏକ ଅଶ୍ରୁତପୂର୍ବ ଘଟଣା ଥିଲା।
ନିଜକୁ କଳାପତାକା ଦେଖାଇବା ପାଇଁ ନିଜେ ସାହାଯ୍ୟ କରିବା, ବିରୋଧୀଙ୍କ ପ୍ରତି ଦୁର୍ବ୍ୟବହାରରେ ବ୍ୟଥିତ ହୋଇ ପ୍ରାୟଶ୍ଚିିତ୍ତ ପାଇଁ ଅନଶନ କରିବା କେବଳ ଗାନ୍ଧୀଜୀଙ୍କ ପରି ଜଣେ ସତ୍ୟର ଉପାସକଙ୍କ ପକ୍ଷରେ ହିଁ ସମ୍ଭବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe