467
ରାଜେଶ ଅଗ୍ରୱାଲ
ଝାରସୁଗୁଡ଼ା ଜିଲ୍ଲା ଲଜ୍କୁରାରେ ଦେଖିବାକୁ ମିଳେ ବୀର ପୂଜନର ଏକ ନିଆରା ଉଦାହରଣ। ଏଠି ବୀର ସୁରେନ୍ଦ୍ର ସାଏଙ୍କ ସହଯୋଗୀ ମିଟୁ କୁଅଁରଙ୍କୁ ଲୋକେ ମନ୍ଦିରରେ ସ୍ଥାପନା କରି ଦେବତା ଭାବେ ପୂଜାର୍ଚ୍ଚନା କରୁଛନ୍ତି। ପ୍ରଜାମାନଙ୍କୁ ସଂଗଠିତ କରି ଇଂରେଜ ସରକାର ବିରୋଧରେ ଗରିଲା ଯୁଦ୍ଧ କରି କରି ବ୍ରିଟିସ୍ ଗୁଳିରେ ସହିଦ ହୋଇଥିବା ମିଟୁ କୁଅଁରଙ୍କ ପଥର ମୂର୍ତ୍ତି ପୂଜା ପାଉଛି। ଏହି ମନ୍ଦିରରେ ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣମୀ ଓ ପୌଷ ପୂର୍ଣ୍ଣମୀ ଦିନ ମହାଆଡ଼ମ୍ବରରେ ମେଳା ହୋଇଥାଏ। ସମସ୍ତ ଶୁଭକାର୍ଯ୍ୟ ପୂର୍ବରୁ ଗ୍ରାମବାସୀ ସେଠାରେ ପୂଜାର୍ଚ୍ଚନା କରନ୍ତି। ବିବାହ ବେଳେ ବରକନ୍ୟାଙ୍କ ଗାଧୋଇବା ହଳଦି ମୂର୍ତ୍ତି ଶରୀରରୁ ନିଆଯାଇଥାଏ। ପୁଣି ବିବାହ ପରେ ବରକନ୍ୟା ସେ ମନ୍ଦିରକୁ ଯାଇ ଦର୍ଶନ କରନ୍ତି। ମନସ୍କାମନା ପୂରଣ ପାଇଁ ବାବା ମିଟୁ କୁଅଁରଙ୍କ ପୂଜା ହୁଏ। ଅଭିଷ୍ଟ ପୂରଣ ପରେ କେହି କେହି ଏଠି ବୋଦା ଓ କୁକୁଡ଼ା ବଳି ମଧ୍ୟ ଦିଅନ୍ତି। ଗ୍ରାମଦେବତା ପ୍ରତ୍ୟକ୍ଷ ବୋଲି ସ୍ଥାନୀୟ ଅଧିବାସୀଙ୍କ ବିଶ୍ବାସ।
ଇବ୍ ନଦୀକୂଳରେ ଅବସ୍ଥିତ ଲଜ୍କୁରା ଝାରସୁଗୁଡ଼ା ଜିଲ୍ଲାର ଏକ ରାଜସ୍ବ ଗ୍ରାମ। ବ୍ରଜରାଜନଗର ରେଳଷ୍ଟେସନ ଠାରୁ ପ୍ରାୟ ୨ କି.ମି. ଦୂରରେ ଅବସ୍ଥିତ ଏହି ସ୍ଥାନ ସ୍ବାଧୀନତା ସଂଗ୍ରାମର ପବିତ୍ର ସ୍ମୃତି ବହନ କରେ। ସୁରେନ୍ଦ୍ର ସାଏଙ୍କ ପ୍ରଥମ ଆନ୍ଦୋଳନ ସମୟର କଥା। ଇଂରେଜ ସରକାରଙ୍କ ଅନୁଗତ ଓ ଗୁପ୍ତଚର ଥିବା ରାମପୁର ଜମିଦାର ଦୁର୍ଲଭ ସିଂଙ୍କ ବାପା ଦୁର୍ଯ୍ୟୋଧନ ସିଂ ଓ ତାଙ୍କ ପୁତ୍ରଙ୍କ ହତ୍ୟା ଓ ଘରଦ୍ବାର ପୋଡ଼ିଦେବା ଅଭିଯୋଗରେ ସୁରେନ୍ଦ୍ର ସାଏ, ତାଙ୍କ ଭାଇ ଉଦନ୍ତ ଓ କାକା ବଳରାମ ଗିରଫ ହୋଇ ଆଜୀବନ ଜେଲ୍ ଦଣ୍ଡରେ ଦଣ୍ଡିତ ହେଲେ। ସେମାନେ ହଜାରିବାଗ୍ ଜେଲ୍ରେ ବନ୍ଦୀ ଜୀବନ ବିତାଉଥିବା ବେଳେ ସେ ଅଞ୍ଚଳରେ ରାମପୁର ଜମିଦାର ବ୍ରିଟିସ୍ ପୁଲିସ ଜରିଆରେ ଆତଙ୍କରାଜ ଚଳାଇଲେ। ସୁରେନ୍ଦ୍ର ସାଏଙ୍କୁ ବିଶେଷ ଭାବରେ ଗଣ୍ଡ ଜାତିର ଜମିଦାର ଓ ଗୌନ୍ତିଆ ସମର୍ଥନ କରୁଥିଲେ। ସେ ମଧ୍ୟରେ ଥିଲେ ଲଜ୍କୁରାର ଗଣ୍ଡ ମୁଖିଆ ମିଟୁ କୁଅଁର।
ଇବ୍ ନଦୀକୂଳରେ ଅବସ୍ଥିତ ଲଜ୍କୁରା ଝାରସୁଗୁଡ଼ା ଜିଲ୍ଲାର ଏକ ରାଜସ୍ବ ଗ୍ରାମ। ବ୍ରଜରାଜ ନଗର ରେଳଷ୍ଟେସନ ଠାରୁ ପ୍ରାୟ ୨ କି. ମି. ଦୂରରେ ଅବସ୍ଥିତ ଏହି ସ୍ଥାନ ସ୍ବାଧୀନତା ସଂଗ୍ରାମର ପବିତ୍ର ସ୍ମୃତି ବହନ କରେ।
ମିଟୁ କୁଅଁର ଧନୁ-ତୀର, ଖଣ୍ଡା ଆଦି ଧରାଇ ପ୍ରଜାମାନଙ୍କୁ ସଂଗଠିତ କରି ଇଂରେଜ ବିରୁଦ୍ଧରେ ମେଳି କରି ରାମପୁର, କନକତୁରା, ଲଖନପୁର, ରାଜପୁର, ତେଲେନପାଲି ଆଦି ଆଖପାଖ ଅଞ୍ଚଳରେ ଗରିଲା ଯୁଦ୍ଧ ଆରମ୍ଭ କଲେ। କମାର ବହୁଳ ଥିବା ସେ ଅଞ୍ଚଳରେ କମାର (ଲୁହୁରା)ମାନେ ଖଣ୍ଡା, ବର୍ଚ୍ଛା, ବିଷଲେପନ ହୋଇଥିବା ତୀର ଯୋଗାଉଥିଲେ। ୧୮୪୨ରୁ ୧୮୪୪ ମଧ୍ୟରେ ଗରିଲା ଯୁଦ୍ଧ ତୀବ୍ରତର ହେଲା ଏବଂ ୧୮୪୪ରେ ବ୍ରିଟିସ୍ ଗୁଳିରେ ମିଟୁ କୁଅଁର ଏକ ପୋଖରୀ ହୁଡ଼ାରେ ଟଳି ପଡ଼ି ସହିଦ ହୋଇଗଲେ। ପରବର୍ତ୍ତୀ କାଳରେ ମିଟୁ କୁଅଁରଙ୍କ ଏକ ପଥର ମୂର୍ତ୍ତି ଏକ ବରଗଛ ତଳେ ସ୍ଥାପିତ ହୋଇ ପୂଜା ପାଇଲା ଓ ଗ୍ରାମଦେବତା ରୂପେ ବାବା ମିଟୁ କୁଅଁର ନାମରେ ନାମିତ ହେଲା। ଏହି ମୂର୍ତ୍ତିରେ ସେ ଗୋଟିଏ ହାତରେ ଧନୁ ଓ ଅନ୍ୟ ହାତରେ ଖଣ୍ଡା, କାନ୍ଧରେ ତୁଣୀର ଧାରଣ କରିଛନ୍ତି। ପ୍ରଥମେ ତାଙ୍କ ମୂର୍ତ୍ତି ପୋଖରୀ ହୁଡ଼ାରେ ରହିବା ପରେ ‘ମାମୁ-ମଉଲା’ ନାମିତ ହିଡ଼ରେ ମନ୍ଦିର ନିର୍ମିତ ହେଲା।
ଅଞ୍ଚଳବାସୀଙ୍କ ଠାରୁ ଶୁଣିବାକୁ ମିଳେ, ବିର୍ଲା କାଗଜକଳ ପ୍ରତିଷ୍ଠା ସମୟରେ ଯେଉଁ କେତେକ ସ୍ଥାନରୁ ମାଟି ନେଇ ପ୍ରତିଷ୍ଠା ପୂଜା ହୋଇଥିଲା ସେ ମଧ୍ୟରେ ଏହି ସ୍ଥାନ ଥିଲା। ପରେ ବିର୍ଲା କଂପାନି ମନ୍ଦିର ନିର୍ମାଣ କରିଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସ୍ବର୍ଗତ ଉପେନ୍ଦ୍ର ଦୀକ୍ଷିତ ରାଜସ୍ବ ମନ୍ତ୍ରୀ ଥିବା ସମୟରେ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ପୂଝାରୀ (ଦେହେରୀ)ଙ୍କୁ କେତେ ପରିମାଣ ଚାଷଜମି ବ୍ୟବସ୍ଥା କରାଇଥିଲେ। କେତେକ ଅନୁଷ୍ଠାନ ମିଟୁ କୁଅଁର ସ୍ମୃତି ପୁରସ୍କାର ଦେଇ କେତେକ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରୁଛନ୍ତି। ସଂପ୍ରତି ଲଜ୍କୁରା ବ୍ରଜରାଜ ନଗର ପୌରସଭା ଅଧୀନରେ ଥିବା ୱାର୍ଡ ନମ୍ବର-୫ ଅନ୍ତର୍ଗତ ଏବଂ ଏବେ ଏଠାରେ ପ୍ରାୟ ୬୦ ଘର ବସବାସ କରୁଛନ୍ତି।
Follow Us