ମ୍ୟାମାର ମୁହଁରେ ଫୁଟୁଛି ହସ, ଅପରେସନ ବ୍ରହ୍ମା ସାଜିଛି ସାହସ

BRAHMA

Photograph: (Sambad.in)

ନେପିଦା: ଅସହାୟ ମ୍ୟାମାର ପାଇଁ ଆଶା ସାଜିଛି ଅପରେସନ ବ୍ରହ୍ମା । ଭାରତ ପକ୍ଷରୁ ମ୍ୟାମାର ପାଇଁ ହାତଖୋଲା ସହଯୋଗ ଦିଆଯାଉଥିବା ବେଳେ ଘଟଣାସ୍ଥଳରେ ଅପରେସନ ବ୍ରହ୍ମା ଜରିଆରେ ଲୋକଙ୍କ ସେବା ସହ ଉଦ୍ଧାର କାମରେ ଲାଗିଛନ୍ତି ଯବାନ । ନିଜ ଜୀବନକୁ ବାଜିରେ ଲଗାଇ ଲୋକଙ୍କ ଜୀବନ ଉଦ୍ଧାର କରିବା ସହ ଅହରହ ସେବା ଯୋଗାଇ ଆସୁଛନ୍ତି । ଏନଡିଆର ଟିମ୍ କୁହନ୍ତୁ କି ମେଡିକାଲ ଟିମ୍ ଅବା ରିଲିଫ ସାମଗ୍ରୀ ବାଣ୍ଟୁଥିବା ଟିମ୍ । ସମସ୍ତଙ୍କ ସହଯୋଗ ଓ ନିରବିଚ୍ଛିନ୍ନ ସେବା ପାଇଁ ଆଜି ଅଣ୍ଟା ସଳଖୁଛି ମ୍ୟାମାର, ଆଉ ଧିରେଧିରେ ମ୍ୟାମାର ମୁହଁରେ ଫୁଟୁଛି ହସ ।

ସବୁ ବିପତ୍ତି ପରେ ପୁଣିଥରେ ବଞ୍ଚିବାର ଆଶା ମଣିଷ ମନରେ ଥାଏ, ହେଲେ କାହାର ସହଯୋଗ ବିନା ସେ ଆଶା ଆଗେଇ ପାରେନି । ଭୟଙ୍କର ଭୂକମ୍ପ ପରେ ଯେତେବେଳେ ଦୋହଲି ଯାଇଛି ମ୍ୟାମାର ସେତେୂବେଳେ ଭାରତର ସହାୟତା ସେମାନଙ୍କ ପାଇଁ ବଞ୍ଚିବାର ନୂଆ ଆଶା ପାଲଟିଛି । ଜୀବନ ଜିଇଁବାକୁ ନୂଆ ବାଟ ଦେଖାଇଛି । କିଏ ପରିବାର ହରାଇଛି ପୁଣି କିଏ ବାପାମାଆ । କିଏ ଦରମରା ହୋଇ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରା କରୁଛି । ଏହାରି ଭିତରେ ଯମ ମୁହଁରୁ ଜୀବନ ଫେରି ପାଇଥିବା ଲୋକଙ୍କ ସେବା କରି, କୁନି କୁନି ପିଲାଙ୍କ ଚିକିତ୍ସା କରି ସେମାନଙ୍କ ମୁହଁରେ ପୁଣି ଥରେ ଲିଭିଯାଇଥିବା ହସକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି ଭାରତୀୟ ସେନାର ଡାକ୍ତରୀ ଟିମ୍ ଆଉ ସେମାନଙ୍କୁ ନୂଆ ଜୀବନ ଆରମ୍ଭ ପାଇଁ ପ୍ରେରଣା ଦେଉଛନ୍ତି ।

ଅନ୍ୟପଟେ ଭଗ୍ନାବଶେଷ ତଳୁ ମୃତଦେହ ଉଦ୍ଧାର ସହ ପୁଣିଥରେ ମ୍ୟାମାରକୁ ସଜାଡିବାରେ ଲାଗିଛନ୍ତି ଏନଡିଆରଏଫ ଟିମ୍ । ବ୍ରହ୍ମା ସୃଷ୍ଟିର ଦେବତା, ତେଣୁ ତାଙ୍କରି ନାଁରେ ଅପରେସନ ବ୍ରହ୍ମା ଗଢି ମ୍ୟାମାରର ପୁନରୁଦ୍ଧାରରେ ଲାଗିଛନ୍ତି ଯବାନ ।

ସେପଟେ ଭୂକମ୍ପ ପରେ ସହାୟତା କରିଥିବାରୁ ଭାରତକୁ ଭୁରି ଭୁରି ପ୍ରଶଂସା କଲା ମ୍ୟାମାର । ବିପଦ ବେଳେ , ସଙ୍କଟ ସମୟରେ ସାହସ ଦେଇ ବନ୍ଧୁ ପରି ଛିଡା ହୋଇଥିବାରୁ ଆଉ ଖୋଲା ହୃଦୟରେ ସହଯୋଗ କରିଥିବାରୁ ଭାରତ ସରକାରଙ୍କ ଏହି ମହାନତାକୁ ସ୍ବାଗତ କରିବା ସହ ପ୍ରଶଂସା କରିଛନ୍ତି ମ୍ୟାମାର ସରକାର  । ଏଥିସହ ବିପଦ ବେଳର ବନ୍ଧୁ ସାଜିଥିବାରୁ ଧନ୍ୟବାଦ ବି ଜଣାଇଛନ୍ତି ମ୍ୟାମାର ପ୍ରଧାନମନ୍ତ୍ରୀ ।

ମାର୍ଚ୍ଚ ୨୮ରେ ଭୟଙ୍କର ଭୂକମ୍ପରେ ଦୋହଲଯାଇଥିଲା ମ୍ୟାମାର । ପ୍ରଳଙ୍କାରୀ ଭୂକମ୍ପ ଏବଂ ପ୍ରକୃତିର ତାଣ୍ଡବଲୀଳା ପରେ ମ୍ୟାମାରରେ ମୃତ୍ୟୁର ତାଣ୍ଡବ ଦେଖିବାକୁ ମିଳିଥିଲା । ହଜାର ହଜାର ଲୋକଙ୍କ ମୃତ୍ୟୁ ଏବଂ ବିରାଟ ବିରାଟ ଅଟ୍ଟାଳିକା, ମଲ, ବ୍ରିଜ୍, ହସ୍ପିଟାଲ, ମନ୍ଦିର, ମସଜିଦ୍ ଭାଙ୍ଗିଯିବା କାରଣରୁ ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିଲେ । ଯାହାଙ୍କୁ ଉଦ୍ଧାର କରିବା ମ୍ୟାମାର ସରକାର ପାଇଁ କାଠିକର ଥିଲା । 

ଆଉ ଏହି ସମୟରେ ମ୍ୟାମାରରେ ମୃତ୍ୟୁ ମୁହଁରୁ ଜୀବନ ବଞ୍ଚାଇବାକୁ ଏବଂ ମ୍ୟାମାରକୁ ସଜାଡିବାକୁ ଭାରତ ଅଣ୍ଚା ଭିଡିଥିଲା । ଆଉ ଆରମ୍ଭ କରିଥିଲା ଅପରେସନ ବ୍ରହ୍ମା । ଏହି ଅଭିଯାନରେ ଭାରତ ମ୍ୟାମାରକୁ ଉଦ୍ଧାରକାରୀ ଦଳ, ରିଲିଫ, ଡାକ୍ତରୀ ଟିମ୍ ପଠାଇଥିଲା । ଯେଉଁମାନେ ଆଜି ବି ମ୍ୟାମାରରେ ଦେବଦୂତ ପରି କାମ କରୁଛନ୍ତି । ଯାହାକୁ ମ୍ୟାମାର ସରକାର ପ୍ରଶଂସା କରିବା ସହ ମ୍ୟାମାରର ବିଭିନ୍ନ ଗଣମାଧ୍ୟମ ମଧ୍ୟ ଭାରତର ଏହି ବଡପଣକୁ ପ୍ରଶଂସା କରୁଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe