ଭାରତର ଯୁବ ୟୁଟ୍ୟୁବର୍‌: ପ୍ରସିଦ୍ଧି ଯେତିକି, ସମ୍ପତ୍ତି ସେତିକି

Advertisment
ଭାରତର ଯୁବ ୟୁଟ୍ୟୁବର୍‌: ପ୍ରସିଦ୍ଧି ଯେତିକି, ସମ୍ପତ୍ତି ସେତିକି

୨୦୦୫ ମସିହାରେ ସାମାଜିକ ଗଣମାଧ୍ୟମ ‘ୟୁଟ୍ୟୁବ୍‌’ର ପ୍ରତିଷ୍ଠା ସହ ଆରମ୍ଭ ହୋଇଥିଲା ଏକ ନୂଆ ଆକର୍ଷଣୀୟ ପେସା- ‘ୟୁଟ୍ୟୁବର୍‌’। ପ୍ରାୟ ଦୁଇ ଦଶନ୍ଧି ଭିତରେ କୋଟି କୋଟି ଦର୍ଶକ ୟୁଟ୍ୟୁବ୍‌ ଭିଡିଓ ଦେଖିବାରେ ଅସୀମିତ ସମୟ ବ୍ୟୟ କରୁଛନ୍ତି। ବିଳମ୍ବରେ ହେଉ ପଛକେ, ଭାରତୀୟ ୟୁଟ୍ୟୁବର୍‌ମାନେ ବିଭିନ୍ନ ପ୍ରକାର ବିଷୟବସ୍ତୁ ସୃଷ୍ଟି କରି ଦର୍ଶକଙ୍କ ମନ ମୋହିବା ସହ ଭଲ ରୋଜଗାର କରିପାରୁଛନ୍ତି। ଏ ପରିପ୍ରେକ୍ଷୀରେ ୨୦୨୪ର ସବୁଠୁ ଧନୀ ୟୁଟ୍ୟୁବର୍‌ମାନଙ୍କ ବିଷୟରେ ଜାଣିବା।

ଅନୁଗାମୀଙ୍କ ସଂଖ୍ୟା ଦୃଷ୍ଟିରୁ ପ୍ରଥମ ସ୍ଥାନରେ ଅଛନ୍ତି ‘କ୍ୟାରିମିନଟି’ ଓରଫ ଅଜୟ ନାଗର। ‘ରୋଷ୍ଟ୍‌’ ଭିଡିଓ ପାଇଁ ପ୍ରସିଦ୍ଧ ଅଜୟଙ୍କର ୪.୧ କୋଟି ସବ୍‌ସ୍କ୍ରାଇବର ଅଛନ୍ତି। ସେ ପ୍ରାୟ ୫୦ କୋଟି ଟଙ୍କାର ସମ୍ପତ୍ତିର ଅଧିକାରୀ। ଫୋନ୍‌ କ୍ୟାମେରା ବ୍ୟବହାର କରି ଏକାକୀ ନାନା ଚରିତ୍ରରେ ଅବତୀର୍ଣ୍ଣ ହୋଇଆସୁଥିବା ଭୁବନ ବାମ୍‌ ହେଉଛନ୍ତି ଏକ ସର୍ବାଦୃତ ନାମ। ସେ ‘ତାଜା ଖବର’ ନାମରେ ଏକ ଲୋକପ୍ରିୟ ୱେବ୍‌ ଧାରାବାହିକ ମଧ୍ୟ ଚଳାଇଛନ୍ତି। ତାଙ୍କର ସମ୍ପତ୍ତିର ପରିମାଣ ପ୍ରାୟ ୧୨୨ କୋଟି ଟଙ୍କା।

‘ୟୁଟ୍ୟୁବ୍‌’ର ପ୍ରତିଷ୍ଠା ପରେ ଏକ ସଂପୂର୍ଣ୍ଣ ନୂଆ ପେସା ଆରମ୍ଭ ହୋଇଥିଲା। ସେହି ପେସାଧାରୀମାନେ ‘ୟୁଟ୍ୟୁବର୍‌’ ଭାବରେ ଜଣାଶୁଣା। ଏବେ ୟୁଟ୍ୟୁବର୍‌ମାନେ ଚଳଚ୍ଚିତ୍ର ତାରକାଙ୍କ ଭଳି ଈର୍ଷଣୀୟ ପ୍ରସିଦ୍ଧି ଓ ସମ୍ପତ୍ତି ହାସଲ କରୁଛନ୍ତି

ଆଉ ଜଣେ ପ୍ରଖ୍ୟାତ ୟୁଟ୍ୟୁବର ହେଉଛନ୍ତି ‘ଟେକ୍‌ନିକାଲ୍‌ ଗୁରୁଜୀ’ ଓରଫ୍‌ ଗୌରବ ଚୌଧୁରି, ଯାହାଙ୍କର ୨.୩ କୋଟି ସବ୍‌ସ୍କ୍ରାଇବର; ସେ ୩୫୬ କୋଟି ଟଙ୍କାର ଅଧିକାରୀ। ଯୁବପିଢ଼ିକୁ ଦିଗ୍‌ଦର୍ଶନ ଦେଇ ପ୍ରସିଦ୍ଧ ହୋଇଥିବା ମୋଟିଭେସନାଲ୍‌ ସ୍ପିକର୍‌ ସନ୍ଦୀପ ମାହେଶ୍ବରୀ ୨.୮୫ କୋଟି ଦର୍ଶକଙ୍କୁ ବାନ୍ଧି ରଖିବା ସହ ଏ ଭିତରେ ୪୧ କୋଟି ଟଙ୍କାର ମାଲିକ ହୋଇସାରିଲେଣି। ହାସ୍ୟକାର ଅମିତ ଭଡ଼ାନାଙ୍କର ବ୍ୟଙ୍ଗ ତାଙ୍କୁ ପ୍ରଶଂସକମାନଙ୍କ ପାଖରେ ଅନନ୍ୟ କରି ରଖିଛି। ଏବେ ତାଙ୍କର ୨.୪ କୋଟି ସଂଖ୍ୟକ ସବ୍‌ସ୍କ୍ରାଇବର ଅଛନ୍ତି ଏବଂ ତାଙ୍କର ସମ୍ପତ୍ତିର ଆକାର ହେଉଛି ପ୍ରାୟ ୫୮ କୋଟି ଟଙ୍କା। ୟୁଟ୍ୟୁବ୍‌ ଚାନେଲ୍‌ ‘ବିଅରବାଇସେପ୍‌’ ଓ ପଡ୍‌କାଷ୍ଟ ‘ଦି ରଣବୀର ସୋ’ ମାଧ୍ୟମରେ ଫିଟ୍‌ନେସ୍‌, ଉଦ୍ୟମିତା ଓ ଡିଜିଟାଲ୍‌ କଣ୍ଟେଣ୍ଟ ସୃଷ୍ଟି ପାଇଁ ଖ୍ୟାତ ରଣବୀର ଆଲ୍ଲାହବାଦିଆଙ୍କ ସମ୍ପତ୍ତି ମଧ୍ୟ ୫୮ କୋଟି ଟଙ୍କାରେ ପହଞ୍ଚିଛି।

ବିଗ୍‌ ବସ୍‌ ଓଟିଟି-୨ର ବିଜେତା ଏଲଭିସ ଯାଦବ ‘ଦି ସୋସିଆଲ୍‌ ଷ୍ଟୋରି’ ନାମରେ ଏକ ଚାନେଲ୍‌ ଆରମ୍ଭ କରି କଳ୍ପନାତୀତ ପ୍ରଶଂସା ସାଉଁଟି ପାରିଛନ୍ତି। ସେ ପ୍ରାୟ ୫୦ କୋଟି ଟଙ୍କାର ମାଲିକ। ‘ୟୁକେ୦୭ ରାଇଡର’ ଚ୍ୟାନେଲ ଚଳାଉଥିବା ଅନୁରାଗ ଡୋଭାଲ ବିଳାସମୟ କାର ଓ ବାଇକ୍‌କୁ ନେଇ ଭିଡିଓ ବ୍ଲଗିଂ କରନ୍ତି। ୟୁଟ୍ୟୁବରେ ତାଙ୍କର ୭୬ ଲକ୍ଷ ସବ୍‌ସ୍କ୍ରାଇବର ଅଛନ୍ତି; ସେ ୨୫ କୋଟି ଟଙ୍କାର ମାଲିକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe