ସେନା ଉଦ୍ଭାବନ ବିଷୟ କହିଲେ ମନକୁ ଆସେ ଯୁଦ୍ଧ କମାଣ, ଅତିକାୟ ଯୁଦ୍ଧପୋତ, ସୁପର୍ସୋନିକ୍ ଲଢୁଆ ବିମାନ ଓ ପୃଥ୍ବୀ ଟଳମଳ କରିଦେବା ଭଳି ବିସ୍ଫୋରକ ସାମଗ୍ରୀ। କିନ୍ତୁ, ମୂଳତଃ ସେନା ବ୍ୟବହାର ପାଇଁ ଉଦ୍ଭାବିତ ଏମିତି କେତେକ ସାମଗ୍ରୀ ରହିଛି ଯାହା ସାମ୍ପ୍ରତିକ ସଭ୍ୟ ଜଗତରେ ଦୈନନ୍ଦିନ ବ୍ୟବହାର ନିମନ୍ତେ ଅପରିହାର୍ଯ୍ୟ ହୋଇପଡ଼ିଛି। ସେଥିରୁ କେତେକ ଫେସନ୍ ଧାରାକୁ ମଧ୍ୟ ପ୍ରଭାବିତ କରିଛି।
ଇଣ୍ଟର୍ନେଟ୍
ଆଜି ଯେଉଁ ଇଣ୍ଟର୍ନେଟ୍ ବ୍ୟବହାର କରାଯାଉଛି ତାହା ‘ଆଡ୍ଭାନ୍ସ୍ଡ୍ ରିସର୍ଚ ପ୍ରୋଜେକ୍ଟ୍ସ୍ ଏଜେନ୍ସି ନେଟ୍ୱର୍କ’ ବା ‘ଆର୍ପାନେଟ୍’ ଭାବେ ୧୯୬୯ରେ ଜୀବନ୍ୟାସ ପାଇଥିଲା। ଆମେରିକୀୟ ପ୍ରତିରକ୍ଷା ବିଭାଗରେ କାର୍ଯ୍ୟରତ ବୈଜ୍ଞାନିକମାନଙ୍କ ଦ୍ବାରା ସୃଷ୍ଟ ‘ଆର୍ପାନେଟ୍’ର ମୂଳ ଉଦ୍ଦେଶ୍ୟ ଥିଲା ସମଗ୍ର ଦେଶରେ ଥିବା ବିଶ୍ବବିଦ୍ୟାଳୟ, ସରକାରୀ ଏଜେନ୍ସି ଓ ପ୍ରତିରକ୍ଷା କଣ୍ଟ୍ରାକ୍ଟର୍ମାନଙ୍କୁ ସଂଯୋଗ କରି ସୂଚନା ବିନିମୟ କରାଇବାରେ ସମର୍ଥ ହେବା। ୧୯୭୩ରେ ଏହାକୁ ‘ଇଣ୍ଟର୍ନେଟ୍’ କୁହାଗଲା। ୧୯୭୦ ଓ ୧୯୮୦ ଦଶକରେ ଆସିଲା ‘ଟିସିପି/ଆଇପି, ୧୯୯୧ରେ ‘ୱାର୍ଲଡ୍ ୱାଇଡ୍ ୱେବ୍’। ୧୯୯୦ ଦଶକ ଓ ୨୦୦୦ ବେଳକୁ ଇଣ୍ଟର୍ନେଟ୍ ଆଉ ସେନା ବ୍ୟବହାରରେ ସୀମିତ ରହିଲା ନାହିଁ। ୨୦୨୦ ସୁଦ୍ଧା ବିଶ୍ବର ଅର୍ଦ୍ଧାଧିକ ଜନତା ଇଣ୍ଟର୍ନେଟ୍ରେ ଯୋଡ଼ି ହୋଇଛନ୍ତି।
ଜିପିଏସ୍ ସାଟେଲାଇଟ୍ ନେଭିଗେସନ୍
ସାଟେଲାଇଟ୍ ବା କୃତ୍ରିମ ଉପଗ୍ରହପୁଞ୍ଜ ବ୍ୟବହାର କରି ଆମକୁ ଅମୁକ ଜାଗାରୁ ସମୁକ ଜାଗାକୁ ବାଟ କଢ଼ାଇ ନେଉଥିବା ‘ଗ୍ଲୋବାଲ୍ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍’ (ଜିଏନ୍ଏସ୍ଏସ୍) ୧୯୭୦ ଦଶକରେ ପ୍ରଥମେ ଆମେରିକା ପ୍ରତିରକ୍ଷା ବିଭାଗ ଆରମ୍ଭ କରିଥିଲା। ୧୯୭୮ରେ ଆମେରିକା ପ୍ରତିରକ୍ଷା ବିଭାଗ ‘ଟାଇମିଙ୍ଗ୍’ ଓ ‘ରେଜିଙ୍ଗ୍’ ସହିତ ତା’ର ‘ନେଭିଗେସନ୍ ସିଷ୍ଟମ୍’ ବା ‘ନେଭ୍ଷ୍ଟାର୍’ରେ ପ୍ରଥମ ସାଟେଲାଇଟ୍ ଚାଲୁକଲା। ଏହି ‘ଗ୍ଲୋବାଲ୍ ପୋଜିସନିଙ୍ଗ୍ ସିଷ୍ଟମ୍’ ବା ‘ଜିପିଏସ୍’ ଟେକ୍ନୋଲୋଜି ଆମେରିକୀୟ ସେନା ଓ ତା’ର ମିତ୍ର ରାଷ୍ଟ୍ରମାନଙ୍କ ମଧ୍ୟରେ ସୀମିତ ଥିଲା। କିନ୍ତୁ, ନ୍ୟୁୟର୍କରୁ ସିଓଲ୍ ଯାଉଥିବା କୋରିଆର ଗୋଟାଏ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ୧୯୮୩ରେ ଆମେରିକା ସରକାର ସାରା ବିଶ୍ବରେ ସମସ୍ତଙ୍କ ମାଗଣା ବ୍ୟବହାର ପାଇଁ ‘ଜିପିଏସ୍’ ଉନ୍ମୁକ୍ତ କରିଦେଲେ। କ୍ରମେ ଏକବିଂଶ ଶତାବ୍ଦୀ ବେଳକୁ ତାହା ସାର୍ବଜନୀନ ହୋଇଗଲା।
ମାଇକ୍ରୋୱେଭ୍ ଓଭେନ୍
ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଆକସ୍ମିକ ଭାବେ ମାଇକ୍ରୋୱେଭ୍ ରନ୍ଧନ ବ୍ୟବସ୍ଥା ଆବିଷ୍କୃତ ହୋଇଥିଲା। ରାଡାର୍ ଟେକ୍ନୋଲୋଜିକୁ ଉନ୍ନତ କରିବା ନିମନ୍ତେ ୧୯୪୬ରେ ପର୍ସି ସ୍ପେନ୍ସର୍ ନାମରେ ଜଣେ ବୈଜ୍ଞାନିକ ଗୋଟାଏ ମ୍ୟାଗ୍ନେଟ୍ରୋନ୍ ଉପରେ ଗବେଷଣା କରୁଥିଲେ। ଦିନେ ପରୀକ୍ଷାନିରୀକ୍ଷା ବେଳେ ପକେଟ୍ରେ ହାତ ପୂରାଇ ଦେଖିଲେ ଯେ, ମଧ୍ୟାହ୍ନ ଭୋଜନ ପାଇଁ ସେ ରଖିଥିବା ଖଣ୍ଡେ ଚିନାବାଦାମ ଚିକି ତରଳି ଯାଇଛି। ଚମତ୍କୃତ ସ୍ପେନ୍ସର୍ ମ୍ୟାଗ୍ନେଟ୍ରୋନ୍ର ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ତରଙ୍ଗରେ ଅଣ୍ଡା, ମକା ଓ ଅନ୍ୟାନ୍ୟ ଜିନିଷ ସିଝାଇ ସଫଳ ହେଲେ। ୧୯୪୭ରେ ସେ ଓ ତାଙ୍କ କମ୍ପାନି ‘ରୢାଣ୍ଡାରେଞ୍ଜ୍’ ନାମରେ ସର୍ବପ୍ରଥମ ମାଇକ୍ରୋୱେଭ୍ ଓଭେନ୍ ବଜାରକୁ ଛାଡ଼ିଲେ।
ସୁପର୍ ଗ୍ଲୁ
୧୯୪୨ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ହ୍ୟାରି କୁଭର୍ ନାମରେ ଜଣେ ବୈଜ୍ଞାନିକ ବିଭିନ୍ନ ସମ୍ମିଶ୍ରିତ ଉପାଦାନ ପରୀକ୍ଷା କରୁଥିବା ବେଳେ ସେ ଗୋଟାଏ ନୂଆ ଧରଣର ଅଠାଳିଆ ଉପାଦାନ ପ୍ରସ୍ତୁତ କଲେ। ଆବଶ୍ୟକ ନ ଥିବାରୁ ସେ ଅଠା ସେମିତି ତାଙ୍କ ରିଫ୍ରାକ୍ଟୋରିମିଟର୍ରେ ପଡ଼ି ରହିଲା। ପୁନଶ୍ଚ ୧୯୫୧ରେ କୁଭର୍ ‘ଉତ୍ତାପ ପ୍ରତିରୋଧୀ ରାସାୟନିକ ପ୍ରଲେପ’ ପ୍ରସ୍ତୁତି ନିମନ୍ତେ ଗୋଟାଏ ଗବେଷଣା ପ୍ରକଳ୍ପର ତତ୍ତ୍ବାବଧାନ କରୁଥିଲେ। ତାଙ୍କ ସହକାରୀ ଗବେଷକ ଫ୍ରେଡ୍ ଜୟନର୍ ଏଥିନିମନ୍ତେ ସମ୍ଭାବ୍ୟ ଉପାଦାନ ଉପରେ ପରୀକ୍ଷା କଲାବେଳେ ଦୈବାତ୍ କୁଭର୍ଙ୍କ ସେ ବିସ୍ମୃତ ଅଠାରେ ସେ ରିଫ୍ରାକ୍ଟୋମିଟର୍ ଦୁଇଟି ଲେନ୍ସ୍ ଯୋଡ଼ି ହୋଇଗଲା। ଜୟନର୍ ଲଜ୍ଜିତ ହେଲେ, କିନ୍ତୁ କୁଭର୍ ସେ ଅଠାର ବ୍ୟବସାୟିକ ଦିଗ ପ୍ରତି ଦୃଷ୍ଟି ଦେଲେ। ଆଜି ସେ ଅଠା ସାଧାରଣ ଜନତାଙ୍କର ଅତ୍ୟାବଶ୍ୟକ ହୋଇପଡ଼ିଛି। କେବଳ ଏତିକି ନୁହେଁ, ଡବା ଖାଦ୍ୟ, ଟି ବ୍ୟାଗ୍, ଡିଜିଟାଲ୍ କ୍ୟାମେରା, ଆମ୍ବୁଲାନ୍ସ୍, ଡ୍ରୋନ୍, ବ୍ଲଡ୍ ବ୍ୟାଙ୍କ୍, ପେନିସିଲିନ୍, ଜିପ୍, ୱାକି-ଟକି, ଟି-ସାର୍ଟ, ସେଫ୍ଟି ରେଜର୍, ସାନିଟାରି ପ୍ୟାଡ୍ ଓ ହାତଘଣ୍ଟା ଭଳି ଆହୁରି ଅନେକ ସାମଗ୍ରୀ ମଧ୍ୟ ସେନା ବ୍ୟବହାର ପାଇଁ ସୃଷ୍ଟି କରାଯାଇଥିଲା।
କାର୍ଗୋ ପ୍ୟାଣ୍ଟ୍ସ୍
ସମ୍ପ୍ରତି ଫ୍ୟାସନ୍ରେ ଥିବା କାର୍ଗୋ ପ୍ୟାଣ୍ଟ୍ସ୍ ପ୍ରଥମେ ‘ବ୍ରିଟିସ୍ ବ୍ୟାଟଲ୍ ଡ୍ରେସ୍ ୟୁନିଫର୍ମ’ ଭାବେ ୧୯୩୮ରେ ପ୍ରଚଳନ କରାଯାଇଥିଲା। ଏଥିରେ ଲାଗିଥିବା ପକେଟ୍ ସବୁ ମେଡିକାଲ୍ କିଟ୍ଠାରୁ ଅସ୍ତ୍ର ପର୍ଯ୍ୟନ୍ତ ଗଚ୍ଛିତ ରଖିବା ପାଇଁ ସୁବିଧା ହେଉଥିଲା। ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ଏହି କାର୍ଗୋ ପ୍ୟାଣ୍ଟ୍ ମିତ୍ରଶକ୍ତି ଦେଶସମୂହକୁ ବ୍ୟାପିଗଲା। ବିଶେଷକରି ଆମେରିକୀୟ ପାରାଟ୍ରୁପର୍ଙ୍କର ଏହା ହେଲା ପ୍ରଧାନ ପରିଧାନ। ସେମାନେ ଏହାକୁ କହିଲେ ‘ପାରାଟ୍ରୁପର୍ ପ୍ୟାଣ୍ଟ୍ସ୍’, ଜର୍ମାନରେ କହିଲେ ‘ଡେଭିଲ୍ସ୍ ଇନ୍ ବ୍ୟାଗି ପ୍ୟାଣ୍ଟ୍ସ୍’। ଯୁଦ୍ଧ ପରେ କାର୍ଗୋ ପ୍ୟାଣ୍ଟ୍ସ୍ ସାଧାରଣ ଜନତାଙ୍କ ଦୁନିଆକୁ ଆସିଲା। ପ୍ରଥମେ ପିନ୍ଧିଲେ ଶ୍ରମିକମାନେ। ୧୯୯୦ ଦଶକରେ ଏହା ଗଲା ଫେସନ୍ ଦୁନିଆକୁ।
Follow Us