୫ବର୍ଷ ବୟସରେ ଦୁଇହାତ ହରାଇଥିବା ନାତୁଣୀର ସଂଘର୍ଷ କାହାଣୀ କହିଲେ ଜେଜେମା’

ଘର ବାହାରେ ଭଉଣୀ ସହିତ ଖେଳୁଥିବା ବେଳେ ୫ବର୍ଷ ବୟସରେ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ ପାୟଲ। ହରାଇ ଦେଇଥିଲେ ଦୁଇଟି ହାତ। ଗୋଡ଼ ସାହାଯ୍ୟରେ ଲେଖିବା ଶିଖି ଆଇଏଏସ ହେବା ପାଇଁ ଦେଖିଛନ୍ତି ସ୍ବପ୍ନ।

Untitled-25

ବହରୋଡ: ମନରେ ଆତ୍ମବିଶ୍ବାସ ଥିଲେ ଜୀବନରେ ଯେତେ ବାଧାବିଘ୍ନ ଆସିଲେ ବି କିଛି ପ୍ରଭାବ ପକାଇ ନଥାଏ।  ରାଜସ୍ଥାନର ବହରୋଡର ମୁଣ୍ଡାୱାରର ପାୟଲ ଏହି କଥାକୁ ପ୍ରମାଣିତ କରିଛନ୍ତି। 

ପାୟଲ ୫ ବର୍ଷ ବୟସରେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଭାଗ୍ୟବଶତଃ ଏହି ଦୁର୍ଘଟଣାରେ ସେ ତାଙ୍କର ଉଭୟ ହାତକୁ ହରାଇ ଦେଇଥିଲେ। ଖୁବ କମ୍ ବୟସରୁ ଏତେ ବଡ଼ ଦୁଃଖଦ ପରିସ୍ଥିତିର ସମ୍ମୁଖୀନ ହେବା ସତ୍ତ୍ୱେ  ପାୟଲ କେବେ ହାର ମାନି ନାହାନ୍ତି। 
ଧୀରେଧୀରେ ସେ ତାଙ୍କ ପାଦ ସାହାଯ୍ୟରେ ସମସ୍ତ କାମ କରିବା ଶିଖିଥିଲେ। ପାଦରେ ସେ ଖାଇବା ଠାରୁ ଆରମ୍ଭ କରି ପାଠ ବି ପଢ଼ି ଥାଆନ୍ତି। ପାୟଲ ଜଣେ ଆଇଏଏସ ଅଧିକାରୀ ହେବାର ସ୍ୱପ୍ନ ଦେଖିଛନ୍ତି।

ପାୟଲଙ୍କ ଜେଜେମା ନାତୁଣୀର ଏ ଅବସ୍ଥାକୁ ନେଇ କହିଛନ୍ତି, ‘୫ ବର୍ଷ ବୟସରେ ପାୟଲ ଘର ବାହାରେ ତାର ଭଉଣୀ ସହିତ ଖେଳୁଥିଲ‌ା। ଏହି ସମୟରେ ସେ ଅଜଣାତରେ ଖସି ପଡ଼ିଥିବା ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲା। ବିଦ୍ୟୁତ ଆଘାତରେ ପାୟଲ ଗୁରୁତର ଆହତ ହୋଇଥିଲା। ସଙ୍ଗେସଙ୍ଗେ ପାୟଲଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଜୟପୁର ନିଆଯାଇଥିଲା। ସେଠାରେ ଡାକ୍ତରମାନେ ପାୟଲର ଅସ୍ତ୍ରୋପଚାର କରି ହାତ ଦୁଇଟିକୁ କାଟି ଦେଇଥିଲେ। କାରଣ ହାତ ଦୁଇଟିର ଯେଭଳି ଅବସ୍ଥା ହୋଇଥିଲା ତାହା ଭବିଷ୍ୟତରେ ସଂକ୍ରମଣ ହୋଇ ଶରୀରର ଅନ୍ୟ ଅଙ୍ଗକୁ ବ୍ୟାପିବାର ସମ୍ଭାବନା ରହିଥିଲା।

ଅସ୍ତ୍ରୋପଚାରର ଦେଢ଼ ମାସ ପରେ ପାୟଲ ଘରକୁ ଆସିବା ପରେ ମୋତେ ଏକ ନୋଟବୁକ୍ ଏବଂ କଲମ ମାଗି କହିଥିଲା ଯେ ସେ ତାର ସ୍କୁଲ ପାଠ ଶେଷ କରିବ। ପାୟଲ ଠାରୁ ମୁଁ ଏକଥା ଶୁଣି ମୋ କୋହକୁ ଅଟକାଇ ପାରି ନଥିଲି।  ପାୟଲର ଜିଦକୁ ଦେଖି ମୁଁ ତାକୁ ଏକ ନୋଟବୁକ୍ ଏବଂ କଲମ ଆଣି ଦେଇଥିଲି। ଏହାପରେ ପାୟଲ ତାର ପାଦ ସାହାଯ୍ୟରେ ଲେଖିବା ଆରମ୍ଭ କରିଥିଲା। କିଛି ବର୍ଷ ଏଥିପାଇଁ ପାୟଲକୁ  ସଂଘର୍ଷ କରିବାକୁ ପଡ଼ିଥିଲା। ଧୀରେ ସେ ପାଦରେ ତାର ସବୁ କାମ କରିବା ଶିଖିଗଲା। ଆଜି ସେ ଦଶମ ଶ୍ରେଣୀରେ ପଢ଼ୁଛି। ଘରେ ଏବଂ ସ୍କୁଲରେ ସମସ୍ତେ ତାକୁ ସମର୍ଥନ କରନ୍ତି। ପାୟଲ ଜଣେ ଆଇଏଏସ ହେବା ପାଇଁ ସ୍ବପ୍ନ ଦେଖିଛି। ମୋର ଭଗବାନଙ୍କ ନିକଟରେ ଏତିକି ପ୍ରାର୍ଥନା ପାୟଲର ଏସ୍ବପ୍ନକୁ ପୂରା କରନ୍ତୁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe