ମାଛ ଚାଷକରି ଆତ୍ମନିର୍ଭରଶୀଳ ହୋଇଥିବା କାଞ୍ଚନ ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ

Advertisment
ମାଛ ଚାଷକରି ଆତ୍ମନିର୍ଭରଶୀଳ ହୋଇଥିବା କାଞ୍ଚନ ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ

ଭଦ୍ରକ: ମହିଳାମାନେ ଅବଳା କି ଦୁର୍ବଳା ନୁହନ୍ତି। ମହିଳା ବି ପୁରୁଷ ପରି ନିଜ ଉଦ୍ୟମରେ ଓ ନିଜ ପରିଶ୍ରମରେ ରୋଜଗାରକ୍ଷମ ହୋଇ ନିଜେ ଆତ୍ମନିର୍ଭରଶୀଳ ହୋଇପାରିବେ। ନିଜ ରୋଜଗାରରେ ପରିବାର ପ୍ରତିପୋଷଣ କରିପାରିବେ। ଏଭଳି ଆତ୍ମବିଶ୍ବାସ ରଖି ଯେଉଁ ମହିଳା ଆଗକୁ ଯାଇଛନ୍ତି, ସେମାନେ ଅନ୍ୟପାଇଁ ଉଦାହରଣ ପାଲଟିଛନ୍ତି। ବିଶେଷ ଶିକ୍ଷାଗତ ଯୋଗ୍ୟତା ନାହିଁ। ସହରରେ ବି ତାଙ୍କର ଘର ନୁହେଁ । ଭଦ୍ରକ ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ରମ୍ଭିଳା ଗାଁର କାଞ୍ଚନଲତା ଶୁକ୍ଳା । ମାଛ ଚାଷ କରି ନିଜେ ରୋଜଗାରକ୍ଷମ ହୋଇଛନ୍ତି। ଏଇ ରୋଜଗାର ଅର୍ଥରେ ନିଜର ପରିବାର ପ୍ରତିପୋଷଣ କରୁଛନ୍ତି।

ରମ୍ଭିଳା ଗାଁର ରବିନ୍ଦ୍ର କୁମାର ଶୁକ୍ଳାଙ୍କ ପତ୍ନୀ କାଞ୍ଚନଲତାଙ୍କୁ ମାତ୍ର ୪୫ ବର୍ଷ । ସ୍ବାମୀଙ୍କର ଦୁଇ ଏକର ଚାଷ ଜମି ଉପରେ ପୋଖରୀ ଖୋଳି ୫ ବର୍ଷ ତଳେ ସେଠାରେ ଆରମ୍ଭ କରିଥିଲେ ମାଛ ଚାଷ । ନିଜସ୍ବ ଦୁଇ ଏକର ଜମି ଉପରେ ୩ ଟି ପୋଖରୀରେ ସେ ମାଛଚାଷ ଆରମ୍ଭ କରିଥିଲେ। ପ୍ରଥମେ ପ୍ରଥମେ ଏହି କାର୍ଯ୍ୟ କରିବାକୁ ତାଙ୍କୁ ଅଡୁଆ ଲାଗୁଥିଲା। ମାତ୍ର ମନୋବଳ ଦୃଢ କରି ସେ ମାଛଚାଷ କାମ କରି ଚାଲିଲେ । କିଛି ଦିନ ପରେ ମାଛ ଚାଷ କରି ତାଙ୍କୁ ସଫଳତା ମିଳିଲା। ପରେ ଏଇ କାର୍ଯ୍ୟରେ ତାଙ୍କର ଅଧିକ ଆଗ୍ରହ ଦେଖି ତାଙ୍କ ସ୍ବାମୀ ମଧ୍ୟ ଏଥିରେ ତାଙ୍କୁ ସହଯୋଗ କଲେ। ନିଜର ୩ଟି ପୋଖରୀ ପରେ ସେ ଅନ୍ୟ ଲୋକଙ୍କର ମାଛ ପୋଖରୀକୁ ଲିଜ୍ ରେ ଆଣି ମାଛ ଚାଷ ଆରମ୍ଭ କଲେ । ଆଜକୁ ୫ ବର୍ଷ ତଳେ ୩ ଟି ପୋଖରୀରେ ଆରମ୍ଭ କରିଥିବା ମାଛ ଚାଷ ଏବେ ୧୬ ଟି ପୋଖରୀରେ ପହଞ୍ଚିଛି। ମାଛ ଚାଷ କରି ସେ ମାସିକ ପ୍ରାୟ ୨୦ରୁ ୩୦ ହଜାର ଟଙ୍କା ରୋଜଗାର କରୁଥିବା ବେଳେ ଏଥିରେ ତାଙ୍କର ପରିବ‌ାର ପ୍ରତିପୋଷଣ କରୁଛନ୍ତି।

publive-image

ବିଶେଷକରି ସେ ଦେଶୀ ଭାକୁର ଓ ରୋହି ମାଛ ଚାଷ କରୁଛନ୍ତି। ମାଛ ଯାଆଁଳ ମଧ୍ୟ ଉତ୍ପାଦନ କରି ଅନ୍ୟ ମାଛ ଚାଷୀଙ୍କୁ ଯାଆଁଳ ବିକ୍ରି କରୁଛନ୍ତି। ସପ୍ତାହରେ ପୋଖରୀରୁ ୩ ଦିନ ମାଛ ଧରନ୍ତି କାଞ୍ଚନଲତା। ମାସକୁ ୧୦ରୁ ୧୨ଦିନ ମାଛ ଧରୁଥିବା ବେଳେ ମାସିକ ପ୍ରାୟ ୭୦ କୁଇଣ୍ଟାଲରୁ ଉର୍ଧ୍ଵ ମାଛ ଧରି ଭଦ୍ରକ ସହରକୁ ବିକ୍ରି କରିବାକୁ ପଠାଇଥାନ୍ତି। ଭଦ୍ରକର ମାଛ ମାର୍କେଟରେ ରମ୍ଭିଳା ଗ୍ରାମର ଏଇ ଦେଶୀ ପୋଖରୀ ମାଛର ଚାହିଦା ରହିଥିବା ବେଳେ ସେମାନେ କିଲୋ ପ୍ରତି ୧୫୦ ଟଙ୍କା ମୂଲ୍ୟରେ ବେପାରୀଙ୍କୁ ବିକ୍ରି କରିଥାନ୍ତି। ଗୋଟିଏ କୁଇଣ୍ଟାଲ ମାଛରେ ସେ ୧୫ ହଜାର ଟଙ୍କା ପାଇଥାନ୍ତି। ଯାଆଁଳ କିଣାଠାରୁ ଆରମ୍ଭ କରି ମାଛଙ୍କର ଖାଦ୍ୟ ଓ ମାଛ ପୋଖରୀ ଜଗି ରହିଥିବା ଲୋକଙ୍କର ମଜୁରୀ ଏପରିକି ମାଛ ଧରୁଥିବା ଜାଲୁଆଙ୍କର ପ୍ରାପ୍ୟ ପ୍ରଦାନ ପରେ ମାସିକ ପ୍ରାୟ ୨୦ରୁ ୩୦ ହଜାର ଟଙ୍କା ଆୟ କରୁଛନ୍ତି କାଞ୍ଚନଲତା।

ମାଛ ପୋଖରୀର ଚାରି ପାଖ ହୁଡାରେ ଅମୃତ ଭଣ୍ଡା, ଖମ୍ବ ଆଳୁ, ଓଲ ଆଦି ଚାଷ କରାଯାଇଛି। କେବଳ ସେତିକି ନୁହେଁ, ପୋଖରୀ ହୁଡା ଉପରେ ତାଙ୍କ ସ୍ବାମୀ ରବିନ୍ଦ୍ରଙ୍କ ଉଦ୍ୟମରେ ମଧ୍ୟ ଏକ ଡାଏରୀ ଫାର୍ମ କରାଯାଇଛି। ୪ଟି ଜର୍ସି ଗାଈ ରଖି ଉତ୍ପାଦିତ କ୍ଷୀରକୁ ବଜାରରେ ବିକ୍ରି କରାଯାଉଛି। ମାଛଚାଷ କରି ସେ ନିଜେ ଆତ୍ମନିର୍ଭରଶୀଳ ହୋଇଥିବା ବେଳେ ଆଗକୁ ସରକାରୀ ସହଯୋଗ ଓ ପ୍ରୋତ୍ସାହନ ମିଳିଲେ କାଞ୍ଚନ ଏକ ମତ୍ସ୍ୟ ଯାଆଁଳ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି | ଏଭଳି କରି ନିଜ ଅଞ୍ଚଳରେ ଅଧିକ ଲୋକଙ୍କୁ ବିଶେଷ କରି ଘରେ ରହୁଥିବା ମହିଳାମାନଙ୍କୁ ନିଜସ୍ବ ଉଦ୍ୟମରେ ଅର୍ଥଉପାର୍ଜନ କରି ଆତ୍ମନିର୍ଭରଶୀଳ ହେବାକୁ ପରାମର୍ଶ ଦେବେ। ପାଠ ପଢି ଚାକିରି ପଛରେ ଗୋଡାଇ ଗୋଡାଇ ସମୟ ନଷ୍ଟ କରୁଥିବା ଶିକ୍ଷିତ ବର୍ଗର ମହିଳାମାନଙ୍କୁ ତାଙ୍କର ପରାମର୍ଶ ହେଉଛି, ସମସ୍ତେ ଚାକିରି ପଛରେ ନଗୋଡାଇ ନିଜ ଗୋଡରେ ନିଜେ ଠିଆ ହେବାକୁ ଉଦ୍ୟମ କରିବା ଉଚିତ। ନିଜେ ଆତ୍ମନିର୍ଭରଶୀଳ ହେଲେ ଅନ୍ୟକୁ ମଧ୍ୟ ଆତ୍ମନିର୍ଭରଶୀଳ କରିପାରି‌ବା। ନିଜ ପରିବାରର ଆର୍ଥିକ ସମସ୍ୟାକୁ ଦୂର କରିପାରିବା। ଅର୍ଥ ରୋଜଗାର ପାଇଁ ନିହାତି ସହରକୁ ଯିବାର ଆବଶ୍ୟକତା ନାହିଁ। ନିଜ ଭିଟା ମାଟିରେ ରହି ନିଜ ପାଇଁ ଓ ଅନ୍ୟମାନଙ୍କ ପାଇଁ ଅନେକ କିଛି କରି ହେବ ବୋଲି କାଞ୍ଚନ ସ୍ବପ୍ନ ଦେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe