ଆଞ୍ଚଳିକ ସାହିତ୍ୟର ପଣତରେ ଆନ୍ତର୍ଜାତିକ ପୁରସ୍କାର

କନ୍ନଡ଼ ଭାଷାର ଲେଖିକା ବାନୁ ମୁଶତାକ ଏଥରର ମର୍ଯ୍ୟାଦାଜନକ ବୁକର୍ ପୁରସ୍କାର (୨୦୨୫) ପାଇଛନ୍ତି। ବାନୁ ମୁଶତାକଙ୍କ ଦ୍ବାରା କନ୍ନଡ଼ ଭାଷାରେ ରଚିତ ଓ ଦୀପା ଭାନ୍ତିଙ୍କ ଦ୍ବାରା ଇଂରେଜୀରେ ଅନୂଦିତ ‘ହାର୍ଟ ଲ୍ୟାମ୍ପ’ କ୍ଷୁଦ୍ରଗଳ୍ପ ସଙ୍କଳନ ପାଇଁ ଏହି ମର୍ଯ୍ୟାଦାଜନକ ପୁରସ୍କାର ପ୍ରଦାନ କରାଯାଇଛି।

dssdxcxcc

କନ୍ନଡ଼ ଭାଷାର ଲେଖିକା ବାନୁ ମୁଶତାକ ଏଥରର ମର୍ଯ୍ୟାଦାଜନକ ବୁକର୍ ପୁରସ୍କାର (୨୦୨୫) ପାଇଛନ୍ତି। ବାନୁ ମୁଶତାକଙ୍କ ଦ୍ବାରା କନ୍ନଡ଼ ଭାଷାରେ ରଚିତ ଓ ଦୀପା ଭାନ୍ତିଙ୍କ ଦ୍ବାରା ଇଂରେଜୀରେ ଅନୂଦିତ ‘ହାର୍ଟ ଲ୍ୟାମ୍ପ’ କ୍ଷୁଦ୍ରଗଳ୍ପ ସଙ୍କଳନ ପାଇଁ ଏହି ମର୍ଯ୍ୟାଦାଜନକ ପୁରସ୍କାର ପ୍ରଦାନ କରାଯାଇଛି। ଏହା ହେଉଛି ପ୍ରଥମ କ୍ଷୁଦ୍ରଗଳ୍ପ ସଙ୍କଳନ ଯାହା ବୁକର୍‌ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛି। ପୁନଶ୍ଚ ପ୍ରଥମଥର ପାଇଁ ଏହି ପୁରସ୍କାରର ଅଂଶୀଦାର ହୋଇଛନ୍ତି ଜଣେ ଭାରତୀୟ ଅନୁବାଦିକା ଦୀପା ଭାନ୍ତି। ଚଳିତବର୍ଷ ମୋଟ୍‌ ୬ଟି ପୁସ୍ତକ ଚୂଡ଼ାନ୍ତ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା। ପୁରସ୍କାର ଘୋଷଣା ହେବା ପୂର୍ବରୁ ଗତ ରବିବାର ଦିନ ଇଂଲଣ୍ଡଠାରେ ସେହି ୬ଗୋଟି ପୁସ୍ତକର ଲେଖକ ଲେଖିକାମାନଙ୍କ ପାଇଁ ଅନୁଷ୍ଠିତ ହୋଇଥିବା ‘ସର୍ଟ ଲିଷ୍ଟ ରିଡିଂ ଇଭେଣ୍ଟ’ରେ ଯୋଗଦେଇ ବାନୁ ମୁଶତାକ କହିଥିଲେ, “ଧର୍ମ, ସମାଜ ଓ ରାଜନୀତି ମହିଳାମାନଙ୍କଠାରୁ ପ୍ରଶ୍ନବିହୀନ ଆନୁଗତ୍ୟ ଚାହାନ୍ତି ଏବଂ ଏଭଳି ଭାବରେ ମହିଳାଙ୍କ ସହିତ ଅମାନବିକ ନିଷ୍ଠୁର ଆଚରଣ କରି ନିଚ୍ଛକ ଅଧସ୍ତନ ଭାବରେ ରଖିବାର ପ୍ରୟାସ କରାଯାଇଥାଏ।”

ବୁକର୍ ଇଣ୍ଟରନ୍ୟାସ୍‌ନାଲ୍‌ ପ୍ରାଇଜ୍‌ ଫର୍‌ ଲିଟରେଚର୍‌ ପାଇଁ ନଗଦ ୫୦,୦୦୦ ଇଉରୋ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୫୭ ଲକ୍ଷ ୪୭ ହଜାର ଟଙ୍କା ପ୍ରଦାନ କରାଯିବ। ଏହି ଅର୍ଥରାଶି ‘ହାର୍ଟ ଲ୍ୟାମ୍ପ’ର ଲେଖିକା ଓ ଅନୁବାଦିକାଙ୍କୁ ସମାନ ଦୁଇଭାଗ କରି ପ୍ରଦାନ କରାଯିବ। କର୍ଣ୍ଣାଟକର ହାସାନଠାରେ ୧୯୪୮ ମସିହାରେ ଏକ ମୁସଲିମ୍‌ ପରିବାରରେ ଜନ୍ମଗ୍ରହଣ କରନ୍ତି ବାନୁ ମୁଶତାକ। ଆଠବର୍ଷ ବୟସରେ କନ୍ନଡ଼ ଭାଷାର ଏକ ମିଶନାରୀ ସ୍କୁଲରେ ତାଙ୍କର ନାମ ଲେଖା ହୁଏ। ନାମ ଲେଖାଇବା ସମୟରେ ସର୍ତ୍ତ ମୁତାବକ ୬ ମାସ ଭିତରେ ସେ କନ୍ନଡ଼ ଭାଷାରେ ଲେଖିବା ପଢ଼ିବା ଆୟତ୍ତ କରିପାରିଲେ ତାଙ୍କର ଛାତ୍ରୀତ୍ବ କାଏମ୍‌ ରହିବ ବୋଲି କୁହାଯାଇଥାଏ। ବାନୁ ସେଥିରେ ସଫଳ ହୁଅନ୍ତି। ପରେ ଉଚ୍ଚଶିକ୍ଷା ଲାଭକରି ୨୬ ବର୍ଷ ବୟସରେ ପ୍ରେମ ବିବାହ କରନ୍ତି। ପିଲାଦିନରୁ ଯଦିଓ ବାନୁ ମୁଶତାକଙ୍କର ଲେଖାଲେଖି ପ୍ରତି ଆଗ୍ରହ ଥିଲା କିନ୍ତୁ ୨୯ ବର୍ଷ ପର୍ଯ୍ୟନ୍ତ ସେ ଲେଖିକା ଭାବରେ ଆତ୍ମପ୍ରକାଶ କରିନଥିଲେ। ସେ ଜଣେ ଆଇନଜୀବୀ ଓ ସାମାଜିକ କର୍ମୀ ଭାବେ ପରିଚିତ ଥିଲେ। ୧୯୭୦-୮୦ ଦଶକରେ ସେ ପ୍ରଗତିଶୀଳ ପ୍ରତିବାଦୀ ସାହିତ୍ୟ ରଚନା ଆରମ୍ଭ କରନ୍ତି। ତାଙ୍କ ରଚନାରେ ବର୍ଣ୍ଣ ଓ ଶ୍ରେଣୀ ବ୍ୟବସ୍ଥାର ସମାଲୋଚନା ପ୍ରକାଶ ପାଏ। ଏଯାବତ୍‌ ତାଙ୍କର ୬ଟି କ୍ଷୁଦ୍ରଗଳ୍ପ ସଂକଳନ, ଗୋଟିଏ ଉପନ୍ୟାସ, ଗୋଟିଏ ପ୍ରବନ୍ଧ ସଙ୍କଳନ ଓ ଗୋଟିଏ କବିତା ସଙ୍କଳନ ପ୍ରକାଶ ପାଇଛି।

ମୁଁ ଯେତେବେଳେ ଗଭୀର ଅବସାଦ ଭୋଗୁଥିଲି ସେତେବେଳେ ଥରେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲି। ସେଦିନ ମୁଁ ଦେହରେ ପେଟ୍ରୋଲ ଢାଳି ଦେଇଥିଲି କିନ୍ତୁ ନିଆଁ ଲଗାଇବା ପୂର୍ବରୁ କେମିତି କେଜାଣି ମୋ ସ୍ବାମୀ ମୋର ଉଦ୍ଦେଶ୍ୟ ଜାଣି ପାରିଥିଲେ। ସେ ଧାଇଁ ଆସି ମୋ ହାତରୁ ମ୍ୟାଚ୍‌ବକ୍ସଟା ଛଡ଼ାଇ ନେଇଥିଲେ ଏବଂ ଆମ ସନ୍ତାନମାନଙ୍କୁ ସାମ୍ନାକୁ ଆଣି କହିଥିଲେ, “ଆମକୁ ଛାଡ଼ି ଚାଲିଯାଅ ନାହିଁ!”
(ଦ ଉଇକ୍‌ ମ୍ୟାଗାଜିନ୍‌କୁ ଦେଇଥିବା ସାକ୍ଷାତ୍‌କାରରୁ ଉଦ୍ଧୃତ)

କନ୍ନଡ଼ ସାହିତ୍ୟ ଜଗତରେ ସୁପରିଚିତା ବାନୁ ମୁଶତାକ ଏହାପୂର୍ବରୁ କର୍ଣ୍ଣାଟକ ସାହିତ୍ୟ ଏକାଡେମୀ ପୁରସ୍କାର, ଦାନା ଚିନ୍ତାମଣି ଆଭିମାରେ ପୁରସ୍କାର ପାଇଛନ୍ତି। ତାଙ୍କର ଗଳ୍ପ ଉର୍ଦ୍ଦୁ, ହିନ୍ଦୀ, ତାମିଲ, ମାଲାୟାଲାମ, ବାଂଲା ଓ ଇଂରାଜୀରେ ଅନୂଦିତ ହୋଇ ପ୍ରକାଶ ପାଇଛି। ତାଙ୍କ ରଚିତ ‘କରି ନାଗାରାଲ୍ଲା’ ଚଳଚ୍ଚିତ୍ର ନିର୍ଦ୍ଦେଶକ ଗିରିଶ କାସାରାଭାଲ୍ଲିଙ୍କୁ ଅନୁପ୍ରାଣିତ କରିଥିଲା। ସେହି ଗଳ୍ପ ଅବଲମ୍ବନରେ ସେ ୨୦୦୪ ମସିହାରେ ‘ହାସିନା’ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ଏବଂ ଏହି ଚଳଚ୍ଚିତ୍ରଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା। ‘ହାର୍ଟ ଲ୍ୟାମ୍ପ’ ୧୨ ଗୋଟି କ୍ଷୁଦ୍ରଗଳ୍ପର ଏକ ମନୋଜ୍ଞ ସଙ୍କଳନ। ଏହି ସଙ୍କଳନରେ ସ୍ଥାନିତ ଗଳ୍ପଗୁଡ଼ିକ କର୍ଣ୍ଣାଟକର ମୁସଲିମ୍‌ ମହିଳାମାନଙ୍କର ଜୀବନ ସଂଗ୍ରାମର କାହାଣୀ। ଅବସାଦରୁ ମୁକ୍ତି ପାଇଁ ସେ କଲମ ଧରିଥିଲେ। ଏହି ସଙ୍କଳନରେ ୧୯୯୦ ମସିହାରୁ ୨୦୨୩ ମସିହା ମଧ୍ୟରେ ରଚିତ ଗଳ୍ପଗୁଡ଼ିକ ରହିଛି। ବାନୁଙ୍କର ଜୀବନାଭୂତି ଆଧାରିତ ଏହି ଗଳ୍ପଗୁଡ଼ିକରେ ସମାଜରେ ନାରୀମାନଙ୍କ ଉପରେ ହେଉଥିବା ନିର୍ଯାତନା, ଅତ୍ୟାଚାର ଓ ଉପେକ୍ଷିତ ନାରୀ ଜୀବନକୁ ତୋଳି ଧରିଛନ୍ତି।

 ବୁକର୍ ପୁରସ୍କାର ଘୋଷଣା ପରେ ବିବିସି ଲେଖିଛି- ବାନୁ ମୁଶତାକଙ୍କ ଗଳ୍ପ ଗୁଡ଼ିକରେ ଧର୍ମୀୟ ରକ୍ଷଣଶୀଳତା ଓ ପୁରୁଷତାନ୍ତ୍ରିକ ସମାଜ ବିରୋଧରେ ସଂଘର୍ଷଶୀଳ ନାରୀମାନଙ୍କ ଜୀବନର ପ୍ରତିଛବି ପ୍ରତିଫଳିତ ହୋଇଛି। 

 ଇଣ୍ଡିଆନ ଏକ୍ସପ୍ରେସ ଲେଖିଛି- ଯେଉଁ ସମାଜରେ ସାହିତ୍ୟରେ ଚମକପ୍ରଦ ଜୀବନର ଉପସ୍ଥାପନ ବେଶୀ ବାହାବା ପାଇଥାଏ, ସେଠାରେ ହାର୍ଟ ଲ୍ୟାମ୍ପ ଆଞ୍ଚଳିକ ଓ ଅତ୍ୟନ୍ତ ଅନାଲୋଚିତ ଜୀବନ ଆଡ଼କୁ ମନୋଯୋଗୀ ହେବାପାଇଁ ଇଙ୍ଗିତ ପ୍ରଦାନ କରିଥାଏ ଏବଂ ଏହାହିଁ ବାନୁ ମୁଶତାକଙ୍କର ନିଃଶବ୍ଦ ଶକ୍ତି।
ଉପସ୍ଥାପନା: ପ୍ରଦୀପ କୁମାର ରାୟ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe