ଆନ୍ତର୍ଜାତିକ କିନ୍ନର ଦୃଶ୍ୟମାନତା ଦିବସ

ଆନ୍ତର୍ଜାତିକ କିନ୍ନର ଦୃଶ୍ୟମାନତା ଦିବସ

ସମାଜରେ ତୃତୀୟଲିଙ୍ଗୀ ବା କିନ୍ନରମାନଙ୍କ ଉପସ୍ଥିତି ଓ ସେମାନଙ୍କ ସଫଳତାକୁ ସ୍ବୀକୃତି ଦେବା ଲାଗି ଆଜି ସମଗ୍ର ବିଶ୍ବରେ ‘ଆନ୍ତର୍ଜାତିକ କିନ୍ନର ଦୃଶ୍ୟମାନତା ଦିବସ’ ପାଳନ କରାଯାଉଛି। ଆମେରିକାର ପ୍ରମୁଖ କିନ୍ନର କର୍ମୀ ରାଚେଲ କ୍ରାଣ୍ଡାଲଙ୍କ ଉଦ୍ୟମ କ୍ରମେ ୨୦୦୯ ମସିହାରୁ ଆଜିର ଦିନକୁ କିନ୍ନରଙ୍କ ଉଦ୍ଦେଶ୍ୟରେ ସମର୍ପି ଦିଆଯାଇଛି। ଏପରି ଦିବସ ପାଳନ ଦ୍ବାରା ସମାଜର ସବୁବର୍ଗର ଲୋକ ଆମ ଭିତରେ ରହିଥିବା କିନ୍ନରମାନଙ୍କୁ ସମ୍ମାନ ପ୍ରଦାନ ପୂର୍ବକ ସେମାନେ ସାମନା କରୁଥିବା ସାମାଜିକ ସଂଘର୍ଷ ସମ୍ପର୍କରେ ସଚେତନ ହୋଇପାରିବେ। ସମାଜରେ ସଂସ୍କାର ଆଣି କିନ୍ନର ସମ୍ପ୍ରଦାୟକୁ କିପରି ସଶକ୍ତ କରାଯାଇପାରିବ ସେ ବାବଦରେ ମଧ୍ୟ ସମସ୍ତେ ବିଚାର କରିବା ପାଇଁ ଏହା ଉତ୍‌ପ୍ରେରିତ କରୁଛି।

ସୂଚନାଯୋଗ୍ୟ, ସମଗ୍ର ପୃଥିବୀରେ କିନ୍ନରମାନେ ନାନା ସାମାଜିକ ଭେଦଭାବର ଶିକାର ହୋଇ ଆସୁଛନ୍ତି। କାର୍ଯ୍ୟସ୍ଥଳ ହେଉ, ଶିକ୍ଷାନୁଷ୍ଠାନ ବା ନିଜ ପରିବାର ହେଉ, ସେମାନଙ୍କୁ ଅନ୍ୟମାନେ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। ସମାଜରେ ଭିନ୍ନ ହୋଇ ଜନ୍ମହେବାର ଅଭିଶାପ ଭାବେ ସେମାନଙ୍କୁ ଭୀଷଣ ଅସମାନତା ଓ ନିର୍ଯାତନା ଭୋଗିବାକୁ ପଡୁଛି। ତେଣୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ କିନ୍ନରମାନେ ଏପରି ଭେଦଭାବର ଅବିଶ୍ବସନୀୟ ବୋଝ ବୋହି ଚାଲିଥିବା ବେଳେ ସେ ସଂପର୍କରେ ଜନସତେତନା ସୃଷ୍ଟି କରି ସେମାନଙ୍କ ମନରେ ଆଶାର କିରଣ ଆଣିବା ହିଁ ହେଉଛି ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ସେମାନଙ୍କୁ ନ୍ୟାଯ୍ୟ ଅଧିକାର ପ୍ରଦାନ ନିମନ୍ତେ ଅଧିକ ଆଇନଗତ ପ୍ରାବଧାନ ଆଣିପାରିଲେ ସେମାନେ ସମାଜରେ ସ୍ବାଭିମାନର ସହିତ ବଞ୍ଚିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe