ଆଇପିଏଲ୍‌ର ଗୋ ଗ୍ରିନ୍ ପ୍ରୟାସ

ପ୍ରାୟ ଦୁଇ ଦଶନ୍ଧି ହେବ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ଭାରତୀୟ କ୍ରିକେଟ୍‌ ପାଇଁ ଆକର୍ଷଣ, ଆୟ ଓ ଅଶେଷ ସଫଳତାର ମୂଳ ଉତ୍ସ ହୋଇଛି। କୋଟି କୋଟି ପ୍ରଶଂସକଙ୍କ ଭଲ ପାଇବାଠାରୁ ଆରମ୍ଭ କରି ସେମାନଙ୍କ ହୃଦୟରେ ବି ସ୍ବତନ୍ତ୍ର ସ୍ଥାନ ଦଖଲ କରି ନେଇଛି।

ଅଦ୍ୟତନ ହୋଇଛି
Virat Kohli

Virat Kohli Photograph: (sambad.in )

ପ୍ରାୟ ଦୁଇ ଦଶନ୍ଧି ହେବ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ଭାରତୀୟ କ୍ରିକେଟ୍‌ ପାଇଁ ଆକର୍ଷଣ, ଆୟ ଓ ଅଶେଷ ସଫଳତାର ମୂଳ ଉତ୍ସ ହୋଇଛି। କୋଟି କୋଟି ପ୍ରଶଂସକଙ୍କ ଭଲ ପାଇବାଠାରୁ ଆରମ୍ଭ କରି ସେମାନଙ୍କ ହୃଦୟରେ ବି ସ୍ବତନ୍ତ୍ର ସ୍ଥାନ ଦଖଲ କରି ନେଇଛି। ଅନ୍ୟପକ୍ଷରେ ଭାରତୀୟ ଅର୍ଥନୀତିକୁ ବଡ଼ ଯୋଗଦାନ ଦେବା ମଧ୍ୟ ଏହି ଲୋଭନୀୟ ଲିଗ୍‌ର ଅଗ୍ରଗତିକୁ ସହଜ କରି ଦେଇଛି। ଏହି କାରଣରୁ ଆଇପିଏଲ୍‌ର ପାରିବେଶିକ କୁପ୍ରଭାବ ବିଶେଷ ଆଲୋଚନା ହୁଏନାହିଁ। ପ୍ରତି ମ୍ୟାଚ୍‌ରୁ ଅଙ୍ଗାରକାମ୍ଳ ନିର୍ଗମନ, ନିୟମିତ ଭାବେ ଷ୍ଟାଡିୟମ୍ ପାଇଁ ବ୍ୟବହୃତ ହେଉଥିବା ବିପୁଳ ମାଟି, ପାଣି, ବିଦ୍ୟୁତ ବି ଏହି ସମସ୍ୟାର ଗୋଟିଏ ଗୋଟିଏ ପ୍ରମୁଖ କାରଣ।  ଏହା ବାଦ୍‌ ତାପମାତ୍ରା ବୃଦ୍ଧି ଏବଂ ବିଭିନ୍ନ ସଂକ୍ରାମକ ରୋଗ ବଢ଼ାଇବାରେ ବି ଏହାର ଭୂମିକା ରହିଛି। ଭ୍ରମଣ, ବର୍ଜ୍ୟ ପରିଚାଳନା, ଖାଦ୍ୟ ଓ ପାନୀୟ ପାଇଁ ବ୍ୟବହୃତ ଜିନିଷ ଆଦି ବି ପରିବେଶ ପାଇଁ ବଡ଼ ସମସ୍ୟା ହୋଇ ଦେଖାଦେଇଛି। ସମାନ ସମୟରେ ସବୁ ନକରାତ୍ମକ ଦିଗକୁ, ବିଶେଷ କରି ପରିବେଶଜନିତ ସମସ୍ୟାକୁ ପଛରେ ପକାଇବାକୁ ଆଇପିଏଲ୍ ବିଗତ କିଛି ବର୍ଷ ହେବ ନିଆରା ପ୍ରୟାସ କରିଛି।

ବିଶ୍ବବ୍ୟାପୀ ସବୁଜ ବିପ୍ଳବ ଚଳାଉଥିବା ଆମେରିକା ଭିତ୍ତିକ ସଂସ୍ଥା ‘ଗୋ ଗ୍ରିନ୍’ ସହିତ ବିସିସିଆଇ ଏବଂ ଟାଟା ଗ୍ରୁପ୍‌ ହାତ ମିଳାଇଛନ୍ତି। ଆଇପିଏଲ୍‌ ପାଇଁ ହେଉଥିବା ପରିବେଶଜନିତ କ୍ଷତିର ଭରଣା କରିବାକୁ ଗଛ ଲଗାଇବାକୁ ସେମାନେ ପ୍ରାଥମିକତା ଦେଇଛନ୍ତି। କେବଳ ସେତିକି ନୁହେଁ, ଆଇପିଏଲ୍‌ ତଥା କ୍ରିକେଟ୍‌ ପ୍ରଶଂସକଙ୍କୁ ଏକାଠି ପାଉଥିବା ମଞ୍ଚରୁ ବି ସେମାନଙ୍କ ଭିତରେ ପରିବେଶ ସଚେତନତାର ଭାବନା ଜାଗ୍ରତ କରାଉଛନ୍ତି। ପ୍ରତିଟି ଆଇପିଏଲ୍‌ ମ୍ୟାଚ୍‌ ବେଳେ ପ୍ରତି ଡଟ୍ ବଲ୍ (ରନ୍ ହେଉନଥିବା ବଲ୍‌) ପିଛା ୫୦୦ ଗଛ ଲଗାଇବା ପାଇଁ ଚୁକ୍ତି ହୋଇଛି। ଦେଶର ବିଭିନ୍ନ ପ୍ରାନ୍ତରେ ଗଛ ଲଗାଯାଉଛି, ବିଶେଷ କରି ଗୁଜରାଟ, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଆଇପିଏଲ୍‌ ମ୍ୟାଚ୍‌ ଆୟୋଜକ ସହରରେ ଏହା କରାଯାଉଛି। ଏଥର ଆର୍‌ସିବି (ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ) ବିଜେତା ହୋଇଛି। ଏହି ଦଳ କିନ୍ତୁ ବହୁ ପୂର୍ବରୁ ପରିବେଶ ସଚେତନତାରେ ଅଗ୍ରଣୀ ଭୂମିକା ନେଇଛି ଆଇପିଏଲ୍‌ରେ। ୨୦୧୧ ମସିହାଠାରୁ ଆରମ୍ଭ କରି ପ୍ରତି ଋତୁରେ ଗୋଟିଏ ମ୍ୟାଚ୍‌ ନିଜ ପାରମ୍ପରିକ ଜର୍ସି ପରିବର୍ତ୍ତେ ସବୁଜ ଜର୍ସି ପରିଧାନ କରି ଖେଳି ଆସୁଛି। ରିସାଇକ୍ଲିଂ ଫେବ୍ରିକ୍‌ରୁ ବି ଏହି ଜର୍ସି ପ୍ରସ୍ତୁତ ହୋଇଥାଏ। ପାଣି ବୋତଲ, ଖାଦ୍ୟପାତ୍ର ଆଦିକୁ ବି ଜୈବଭିତ୍ତିକ କରାଯାଉଛି। ଷ୍ଟାଡିୟମ୍‌କୁ ସୌରଶକ୍ତି ସଂଯୁକ୍ତ କରିବାକୁ ପ୍ରୟାସ କରାଯାଇଛି। ୨୦୭୦ ମସିହା ସୁଦ୍ଧା ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ରଖାଯାଇଛି। ଆର୍‌ସିବି ଭଳି କୋଲକାତା ନାଇଟ୍ ରାଇଡର୍ସ ବି ଏଥର ‘ରନ୍ସ ଟୁ ରୁଟ୍ସ’ ଅଭିଯାନ ଆରମ୍ଭ କରି ବୃକ୍ଷରୋପଣକୁ ପ୍ରାଧାନ୍ୟ ଦେଇଛି। ଗୁଜରାଟ ଟାଇଟନ୍ସ ଏହାର ଘରୋଇ ଗ୍ରାଉଣ୍ଡ୍ ଅହମଦାବାଦର ମୋଟେରା ଷ୍ଟାଡିୟମ୍‌ରେ ସୋଲାର୍ ପ୍ୟାନେଲ୍ ବ୍ୟବହାର କରି କାର୍ବନ୍ ପ୍ରଭାବକୁ ହ୍ରାସ କରିବାକୁ ଚେଷ୍ଟା କରିଛି। ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରଣାଳୟ ସହ ଯୋଡ଼ି ହୋଇ ଜାତୀୟ ସବୁଜ ନୀତିକୁ ବି କାର୍ଯ୍ୟକାରୀ କରାଯାଉଛି, ଯାହାକି ଆଇପିଏଲ୍‌ର ସାମାଜିକ ଦାୟିତ୍ବକୁ ସୂଚିତ କରୁଛି।

ସଦ୍ୟ ସମାପ୍ତ ଆଇପିଏଲ୍‌ରେ ମୋଟ୍‌ ୨୮୯୦ ଡଟ୍ ବଲ୍ ବୋଲିଂ ହୋଇଛି। ଅର୍ଥାତ୍ ଏହି ବର୍ଷ ମୋଟ୍‌ ୧୪,୪୫,୦୦୦ଟି ବୃକ୍ଷ ରୋପଣ କରାଯିବ। ୫ ଥର ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ସ ଏଥର ପ୍ରଶଂସକଙ୍କୁ ନିରାଶ କରିଛି ସତ କିନ୍ତୁ ୨୮୪ ଡଟ୍ ବଲ୍ ବୋଲିଂ କରିଥିବାରୁ ‘ଗୋ ଗ୍ରିନ୍‌’ ପ୍ରୟାସରେ ସବୁଠାରୁ ବଡ଼ ଯୋଗଦାନ ରଖିଛି। 
- ସୁରେଶ ସ୍ବାଇଁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe