ଜୟପୁର: ପରିଶ୍ରମ କରି ଆଇଆଇଟି(ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି)ରେ ପଢ଼ିବାର ସୁଯୋଗ ପାଇଲେ | ସେଠାରୁ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ ଭଲ ଦରମାରେ ବି ଚାକିରି ପାଇଲେ | କିନ୍ତୁ ଆଇପିଏସ ହେବାର ସ୍ବପ୍ନ ଦେଖୁଥିବା ଯୁବକ ଜଣକ କିଭଳି ବା ଅଧିକ ଦିନ କର୍ପୋରେଟ ଚାକିରି କରିପାରିଥାନ୍ତେ | ସେଥିପାଇଁ ଚାକିରି ଛାଡି ୟୁପିଏସସି ପାଇଁ ନିଜକୁ ପ୍ରସ୍ତୁତ କଲେ ଆଉ ଆଇପିଏସ ପାଇଲେ | ଆଜି ଆମେ ଆପଣଙ୍କୁ ରାଜସ୍ଥାନ କ୍ୟାଡରର ୨୦୧୧ ବ୍ୟାଚର ଦବଙ୍ଗ ଆଇପିଏସ୍ ଅଧିକାରୀ ଗୌରବ ଯାଦବଙ୍କ ବାବଦରେ କହିବାକୁ ଯାଉଛୁ | ଗୌରବ ବର୍ତ୍ତମାନ ଯୋଧପୁରର ଡେପୁଟି କମିଶନର ଭାବରେ କାର୍ଯ୍ୟରତ ଥିବାବେଳେ ଅପରାଧ ଏବଂ ଅପରାଧୀଙ୍କୁ ଦମନ କରିବା ପାଇଁ ତାଙ୍କର ଆକ୍ସନ ବାବଦରେ ସବୁବେଳେ ଚର୍ଚ୍ଚା ଲାଗିରହିଥାଏ |
ଗୌରବଙ୍କ କହିବା କଥା ଯେ ୟୁପିଏସସିରେ ସଫଳତା ପାଇବା ପାଇଁ ଦୈନିକ ୧୬ରୁ ୧୮ ଘଣ୍ଟା ଅଧ୍ୟୟନ କରିବା ଆବଶ୍ୟକ ନାହିଁ | ଦିନକୁ ୧୨ ଘଣ୍ଟା ପଢନ୍ତୁ ପଛେ, ପ୍ରତିଦିନ ଏହା କରନ୍ତୁ | କିନ୍ତୁ କିଛି ଦିନ ୧୮ ଘଣ୍ଟା ଅଧ୍ୟୟନ କରି କିଛି ଦିନ ବିରତି ନେବା ଉଚିତ ନୁହେଁ | ଗୌରବ ଯାଦବ ଉତ୍ତରପ୍ରଦେଶର ଆଜମଗଡରେ ଜନ୍ମ ହୋଇଥିଲେ । ସେ ତାଙ୍କ ପିତାମାତା ଏବଂ ସାନ ଭଉଣୀ ସହିତ ଗାଁରେ ରହୁଥିଲେ। ଗାଁର ସରକାରୀ ବିଦ୍ୟାଳୟରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲେ | ପିଲାଦିନରୁ, ତାଙ୍କର ଆଇପିଏସ ଅଧିକାରୀ ହେବାକୁ ଇଚ୍ଛା ଥିଲା | କିନ୍ତୁ ତାଙ୍କ ବାପା ଚାଁହୁଥିଲେ ଯେ ପୁଅ ଆଇଆଇଟିରେ ପାଠ ପଢି ଇଞ୍ଜିନିୟର ହୁଅନ୍ତୁ | ଆଉ ବାପାଙ୍କ ଇଚ୍ଛା ମୁତାବକ ସେ ଆଇଆଇଟିରେ କିଭଳି ପ୍ରବେଶ କରିପାରିବେ ସେଥିପାଇଁ ଦିନରାତି ପରିଶ୍ରମ କରିଥିଲେ |
ଶେଷରେ ଗୌରବ ଆଇଆଇଟିରେ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ | ଆଇଆଇଟିରେ ପାଠପଢା ସମାପ୍ତ ପରେ ଏକ ଘରୋଇ କମ୍ପାନୀରେ ଭଲ ଦରମାରେ ଚାକିରି କରିଥିଲେ। କିନ୍ତୁ, ସେ ତାଙ୍କ ଚାକିରିରେ ସନ୍ତୁଷ୍ଟ ନଥିଲେ, କାରଣ ତାଙ୍କର ସ୍ୱପ୍ନ ଅନ୍ୟ କିଛି ଥିଲା | କିଛି ଦିନ ପରେ, ଚାକିରି ଛାଡି, ପୁଣି ଥରେ ନିଷ୍ପତ୍ତି ନେଲେ ଯେ ୟୁପିଏସସି ପାଇଁ ନିଜକୁ ପ୍ରସ୍ତୁତି କରିବେ | ଏହା ପରେ ୟୁପିଏସସିରେ ବି ସେ ସଫଳତା ପାଇଥିଲେ |
Follow Us