ଆଜିକାଲି ଅଧିକାଂଶ ଲୋକଙ୍କର ସ୍ମାର୍ଟଫୋନ୍ ଏକ ଅବିଚ୍ଛେଦ୍ୟ ସାଥୀ ପାଲଟିଛି। ନିରନ୍ତର ବ୍ୟବହାର ଲାଗି ଶକ୍ତିଶାଳୀ ବ୍ୟାଟେରିଯୁକ୍ତ ସ୍ମାର୍ଟଫୋନ୍ ମଧ୍ୟ ଦିନକୁ ଦିନ ବଜାରକୁ ଆସିବାରେ ଲାଗିଛି। ମାତ୍ର ଯେତେ ଉଚ୍ଚ କ୍ଷମତା ସଂପନ୍ନ ବ୍ୟାଟେରି ହେଲେ ମଧ୍ୟ ତାହାକୁ ଥରେ ଚାର୍ଜ କଲେ ବିଭିନ୍ନ ବ୍ୟବହାର ଉପରେ ନିର୍ଭର କରି ତାହା ସୀମିତ ସମୟ ପାଇଁ କାର୍ଯ୍ୟକ୍ଷମ ରହିଥାଏ। ଫୋନ୍ରେ ଏମିତି କିଛି ଆପ୍ ରହିଛି ଯାହା ବ୍ୟବହାରକାରୀର ଅଜାଣତରେ ବ୍ୟାଟେରିକୁ ତ୍ବରିତ ବେଗରେ ସାରିଦେଇଥାଏ। ତେଣୁ ସେଭଳି ସ୍ଥିତିରେ ବ୍ୟାଟେରିକୁ ଦୋଷ ନଦେଇ ତାହାର କ୍ଷମତାକୁ ସଅଳ ଖାଇଦେଉଥିବା କିଛି ଆପ୍ସ ବାବଦରେ ଜାଣିବା। ବିଶେଷ କରି ସ୍ବାସ୍ଥ୍ୟ ସଚେତନତା ନିରୀକ୍ଷଣ, ସାମାଜିକ ଗଣମାଧ୍ୟମ ଏବଂ ଡେଟିଂ ପାଇଁ ଉଦ୍ଦିଷ୍ଟ ସଂଖ୍ୟାଧିକ ଆପ୍ ହିଁ ଫୋନ୍ ବ୍ୟାଟେରିକୁ ଶୀଘ୍ର ଦୁର୍ବଳ କରିଦେଇଥାଏ।
ଅନ୍ଲାଇନ୍ ଖବରକାଗଜ ‘ନାଇହେଡର୍୨୪’ର ଏକ ଅନୁଧ୍ୟାନ ସେଭଳି ୧୦ଟି ଆପ୍କୁ ତାଲିକାଭୁକ୍ତ କରିଛି। ଶୀର୍ଷରୁ କ୍ରମାନ୍ବୟରେ ସେଗୁଡ଼ିକ ହେଲା, ଫିଟ୍ବିଟ୍, ଉବେର୍, ସ୍କାଇପ୍, ଫେସ୍ବୁକ୍, ଏୟାର୍ବିଏନ୍ବି, ଇନ୍ଷ୍ଟାଗ୍ରାମ୍, ଟିଣ୍ଡର୍, ବମ୍ବଲ୍, ସ୍ନାପ୍ଚାଟ ଓ ହ୍ବାଟ୍ସଆପ୍। ତେଣୁ ସ୍ମାର୍ଟଫୋନ୍ ବ୍ୟାଟେରିର ସକ୍ରିୟତା ବଢ଼ାଇବା ପାଇଁ ଉପରୋକ୍ତ ଆପ୍ଗୁଡ଼ିକୁ ବନ୍ଦ କରିଦେବାକୁ ହେବ ଅଥବା ସେଗୁଡ଼ିକର ଶକ୍ତି ଉପଯୋଗିତାକୁ ବଢ଼ାଇବାକୁ ହେବ। ସେଥିପାଇଁ ଆଣ୍ଡ୍ରଏଡ୍ ଫୋନ୍ରେ ଏକ ସହଜ ପ୍ରକ୍ରିୟା ରହିଛି। ପ୍ରଥମେ ଫୋନ୍ର ‘ସେଟିଂ’ ଖୋଲନ୍ତୁ। ତାହାର ‘ମେନ୍ୟୁ’ରୁ ‘ବ୍ୟାଟେରି’ ଚୟନ କରି ‘ଆଡ୍ଭାନ୍ସଡ୍ ସେଟିଂ’କୁ ଯାଆନ୍ତୁ। ତା’ପରେ ‘ଡୋଣ୍ଟ୍ ଅପ୍ଟିମାଇଜ୍’ରେ ‘ବ୍ୟାକ୍ଗ୍ରାଉଣ୍ଡ୍ ଆକ୍ଟିଭିଟି’କୁ ନିଷ୍କ୍ରିୟ କରିବାକୁ ଚାହୁଥିବା ଆପ୍କୁ ଚୟନ କରନ୍ତୁ। ଏହି ସେଟିଂ ବ୍ୟାଟେରି କାର୍ଯ୍ୟକାଳ ବଢ଼ାଇବ, ମାତ୍ର ବ୍ୟାକ୍ଗ୍ରାଉଣ୍ଡ୍ ଆକ୍ଟିଭିଟି ନିଷ୍କ୍ରିୟ କରିବା ଦ୍ବାରା ସଂପୃକ୍ତ ଆପ୍ରୁ ରିଅଲ୍-ଟାଇମ୍ ନୋଟିଫିକେସନ୍ଗୁଡ଼ିକ ଆସିବ ନାହିଁ।
Follow Us