ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ: ବାପାମାଆଙ୍କୁ ଘାରୁଛି ପିଲାଙ୍କ ଆସନ୍ନ ମୃତ୍ୟୁ ଭୟ, ଶବ ଚିହ୍ନଟ ପାଇଁ ଦେହରେ କରାଉଛନ୍ତି ଟାଟୁ

Advertisment

ରୁଦ୍ରରଞ୍ଜନ ଶେଜପଡ଼ା

ରୁଦ୍ରରଞ୍ଜନ ଶେଜପଡ଼ା

ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ: ବାପାମାଆଙ୍କୁ ଘାରୁଛି ପିଲାଙ୍କ ଆସନ୍ନ ମୃତ୍ୟୁ ଭୟ, ଶବ ଚିହ୍ନଟ ପାଇଁ ଦେହରେ କରାଉଛନ୍ତି ଟାଟୁ

ଭୁବନେଶ୍ୱର: ସାରା ବିଶ୍ବକୁ ସ୍ତବ୍ଧ କରିଦେଇଛି ଇସ୍ରାଏଲ୍‌ ଓ ହମାସ୍‌ ଯୁଦ୍ଧ। ଆକ୍ରମଣ ଓ ପ୍ରତିଆକ୍ରମଣରେ ହଜାର ହଜାର ନିରୀହଙ୍କ ଜୀବନ ଯାଉଛି। ତେବେ ସବୁଠାରୁ ମର୍ମସ୍ପର୍ଶୀ କଥା ହେଲା; ପାଲେଷ୍ଟାଇନ୍‌ର ଜନବହୁଳ ଗାଜାରେ ଏଯାଏ ଯେତିକି ଲୋକଙ୍କର ମୃତ୍ୟୁ ଘଟିଛି, ସେମାନଙ୍କ ମଧ୍ୟରେ ପାଖାପାଖି ୩୦ ପ୍ରତିଶତ ଛୋଟ ପିଲା ଅଛନ୍ତି। ଏମିତି ସମୟରେ ସେଠାରୁ ଛାତି ଥରାଇ ଦେବା ଭଳି ଲୋମହର୍ଷକ ଘଟଣା ସାମ୍‌ନାକୁ ଆସିଛି। ଆକ୍ରମଣ ସମୟରେ ଦୈବାତ କାହାର ମୃତ୍ୟୁ ହୋଇଗଲେ ଶବ ଚିହ୍ନଟ କରିବା ମୁସ୍କିଲ ହୋଇଯାଉଛି। ତେଣୁ ଅସହାୟ ବାପାମାଆମାନେ ନିଜ ଛାତିର କୋହକୁ ଚାପି ଧରି ସେମାନଙ୍କ ପୁଅଝିଅଙ୍କ ଦେହର ବିଭିନ୍ନ ଅଂଶରେ ଟାଟୁ କରି ନାଁ ଲେଖୁଛନ୍ତି। କାରଣ ଯୁଦ୍ଧରେ ବା ଆକ୍ରମଣରେ ହଠାତ କାହାର ମୃତ୍ୟୁ ହୋଇଗଲେ ପୁଅଝିଅ ଓ ପ୍ରିୟ ପରିଜନଙ୍କ ମୃତଦେହ ଚିହ୍ନଟ କରିବାକୁ ଯେମିତି ଅସୁବିଧା ହେବନି। ଭଗ୍ନାବଶେଷ, ଧ୍ବଂସ୍ତସ୍ତୂପରୁ ସହଜରେ ବାରି ହୋଇଯିବ ମରଶରୀର।

ଇସ୍ରାଏଲ୍‌ ସେନା ଓ ପାଲେଷ୍ଟାଇନ୍‌ ଅଧୀନ ଗାଜାର ହମାସ୍‌ ସଂଗଠନ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ବିଶେଷ କରି ଗାଜାର ସ୍ଥିତି ଜଟିଳ ହେଉଥିବା ଦେଖିବାକୁ ମିଳିଛି। ଗତ ୨୧ ଦିନ ମଧ୍ୟରେ ଏଠାରେ ପ୍ରାୟ ୭୦୦୦ ପାଲେଷ୍ଟାଇନ୍‌ ଲୋକଙ୍କ ଜୀବନ ଯାଇଛି। ଯେଉଁମାନଙ୍କ ମଧ୍ୟରେ ପ୍ରାୟ ୩୦୦୦ ଛୋଟ ପିଲା ଅଛନ୍ତି। ୟୁନିସେଫ୍‌ ରିପୋର୍ଟ ଅନୁଯାୟୀ; ଗାଜାରେ ପ୍ରତିଦିନ ୧୨୫ରୁ ଅଧିକ ପିଲା ଆଖି ବୁଜୁଛନ୍ତି। ବିଡ଼ମ୍ବନା ହେଲା, ବାପାମାଆମାନେ ପିଲାଙ୍କ ମୃତଦେହ ଖୋଜି ଖୋଜି ପାଉନାହାନ୍ତି। ଇସ୍ରାଏଲ୍‌ର ଘନଘନ ବୋମାମାଡ଼ ସହ ବୁକୁଫଟା କାନ୍ଦରେ ସାରା ଅଞ୍ଚଳ ଥରିଉଠୁଛି। ଏପରି ସମୟରେ ଅନେକ ଅଭିଭାବକ ନିଜ ପୁଅଝିଅଙ୍କ ଆସନ୍ନ ମୃତ୍ୟୁ ଆଶଙ୍କାରେ ସନ୍ତୁଳି ହେଉଛନ୍ତି। ଭଗ୍ନାବଶେଷ ଓ ଧ୍ବଂସ୍ତସ୍ତୂପ ଏବଂ ଶବାଗାରରୁ ସୁବିଧାରେ ମୃତଦେହ ଚିହ୍ନଟ ପାଇଁ ଛାତିକୁ ପଥର କରି ସେମାନଙ୍କ ଦେହରେ; ବିଶେଷ କରି ହାତ ଓ ଗୋଡ଼ରେ ନାମ ଟାଟୁ କରାଉଥିବା ଦେଖିବାକୁ ମିଳିଛି। ଟାଟୁ କରିବା ସମୟରେ ପିଲାମାନଙ୍କ ସ୍ବପ୍ନଭରା ଆଖି ଓ ଉର୍ଜ୍ଜାଭରା ମୁହଁକୁ ଦେଖିଲେ କେହି ଅଶ୍ରୁ ସମ୍ବରଣ କରି ପାରୁନାହାନ୍ତି।

ଗାଜାର ଏହି ସମ୍ବେଦନଶୀଳ ଘଟଣାକୁ ନେଇ ବର୍ତ୍ତମାନ ସାରା ବିଶ୍ବରେ ଚର୍ଚ୍ଚା। ଦେଶ​-ଦେଶ ମଧ୍ୟରେ ଯୁଦ୍ଧର ଭୟଙ୍କର ପରିଣତି ଯେ କ’ଣ ହୋଇପାରେ, ଏହା ତା’ର ସଦ୍ୟତମ ଉଦାହରଣ ବୋଲି ଅନେକ କୁଟନୀତିଜ୍ଞ ମତପ୍ରକାଶ କରିଛନ୍ତି। ଟାଟୁ ପରମ୍ପରା ପ୍ରାୟ ୧୬୦୦ ବର୍ଷ ପୁରୁଣା। ବିଭିନ୍ନ ଜନଜାତି ସେମାନଙ୍କ ଅସ୍ତିତ୍ବ ରକ୍ଷା ଓ ପରିଚୟ ପାଇଁ ନିଜ ନିଜ ଦେହରେ ସ୍ବତନ୍ତ୍ର ଟାଟୁ କରିବା ସହ ନାଁ ଲେଖୁଥିଲେ। ତେବେ ପରେ ଏହି ପରମ୍ପରା କଳାର ରୂପ ନେବା ସହ ଯୁବପିଢିଙ୍କ ପାଇଁ ଫେସନ୍ ପରିପ୍ରକାଶର ମାଧ୍ୟମ ହୋଇଛି। ତଥ୍ୟ ଅନୁସାରେ; ଆମେରିକାର ପ୍ରାୟ ୨୫ ପ୍ରତିଶତ ଲୋକ ଟାଟୁ କରୁଥିବା ବେଳେ ଫ୍ରାନ୍‌ସରେ ୧୫ ପ୍ରତିଶତ, ଜର୍ମା​ନୀରେ ୨୭ ପ୍ରତିଶତ, ବ୍ରାଜିଲ୍‌ରେ ୧୯ ପ୍ରତିଶତ, ଚାଇନାରେ ୧୦ ପ୍ରତିଶତ, ଭାରତରେ ୫.୩୩ ପ୍ରତିଶତ ଏବଂ ପାଲେଷ୍ଟାଇନ୍‌ରେ ୨୫.୫୫ ପ୍ରତିଶତ ଲୋକ ଟାଟୁ କରିବାକୁ ଆଗ୍ରହ ଦେଖାଉଛନ୍ତି। ତେବେ ଅସ୍ତିତ୍ବ ରକ୍ଷା, ପରିଚୟ, କଳାର ପରିପ୍ରକାଶ ଓ ଫେସନ୍‌କୁ ଛାଡ଼ିଦେଲେ ଏବେ ଟାଟୁ ଶବ ଚିହ୍ନଟର ମାଧ୍ୟମ ସାଜିଥିବା ଦେଖିବାକୁ ମିଳିଛି। ଏହା ହିଁ ଆଜି ଦିନରେ ବିଡ଼ମ୍ବନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe