‘ଏକାନ୍ତବାସରେ ରହି ବି ଓଡ଼ିଆଙ୍କ କଥା ବୁଝୁଛି’

‘ଏକାନ୍ତବାସରେ ରହି ବି ଓଡ଼ିଆଙ୍କ କଥା ବୁଝୁଛି’

୨୦୨୦ ଜାନୁଆରି ୧୮ ତାରିଖରେ ଏକ ବିଜିନେସ୍‌ ଟ୍ରିପ୍‌ରେ ମତେ ଅଷ୍ଟ୍ରେଲିଆ ଯିବାକୁ ପଡ଼ିଲା ହଂକଂ ଦେଇ। ସେଦିନ ସ୍ଥାନୀୟ ସମୟ ସକାଳ ୮ଟାରେ ମୁଁ ହଂକଂରେ ପହଞ୍ଚିଲି। କୋଳାହଳପୂର୍ଣ ହଂକଂ ବିମାନବନ୍ଦରକୁ ଖାଁଖାଁ ଦେଖିଲି। ସେଠାକାର ଲୋକଙ୍କ ମୁହଁରେ ମାସ୍କ ଦେଖି ଏବଂ ସାନିଟାଇଜରର ବ୍ୟବସ୍ଥା ଦେଖି ବିସ୍ମିତ ହେଲି। ସେଇଠୁ ଠଉରାଇ ନେଇଥିଲି କରୋନା ବିପତ୍ତିକୁ। ଦୁଇ ମାସରୁ ଅଧିକ ସମୟ ଅଷ୍ଟ୍ରେଲିଆରେ ରହିବା ଭିତରେ ସମ୍ବାଦପତ୍ର ଓ ଇଣ୍ଟରନେଟ୍‌ରୁ କରୋନାର ପ୍ରକୋପ ବିଷୟରେ ସୂଚନା ପାଉଥିଲି। ସେଠାର ସରକାର ମଧ୍ୟ ଏ ବିପତ୍ତିରୁ ସାଧାରଣ ଲୋକଙ୍କୁ ରକ୍ଷା କରିବାକୁ ବିଭିନ୍ନ ପଦକ୍ଷେପ ନେଇଥାଆନ୍ତି। ଆମ କମ୍ପାନି ମଧ୍ୟ ଏହାର କର୍ମକର୍ତ୍ତାମାନଙ୍କ ସୁରକ୍ଷା ତଥା ନିରନ୍ତର ସେବା ଅବ୍ୟାହତି ରଖିବା ପାଇଁ ଯଥାସମ୍ଭବ ଯୋଜନାମାନ କରୁଥାଆନ୍ତି।

ସେଦିନ ୨୧ ମାର୍ଚ ୨୦୨୦ ତାରିଖ। ହଠାତ୍‌ ସକାଳୁ ମୋ କମ୍ପାନିର ଚେନ୍ନାଇ ଦପ୍ତରରୁ ମୋ ପାଖକୁ କଲ୍‌ ଆସିଲା, ଆଜି ହିଁ ଭାରତ ଫେରିଯିବାକୁ। ସିଙ୍ଗାପୁର ଦେଇ ତାହା ପରଦିନ ମଧ୍ୟରାତ୍ରରେ ଚେନ୍ନାଇରେ ପହଞ୍ଚିଲି। ଏଠାରେ ମୁଁ କହିରଖେ କି ମୋର ବ୍ୟକ୍ତିଗତ ଅନୁରୋଧରେ କଂପାନି ସହଯୋଗରେ ଏକ ତାରକା ହୋଟେଲରେ ମୋର ସଙ୍ଗରୋଧର ବ୍ୟବସ୍ଥା କରିଥିଲି। ସମସ୍ତ ସ୍ୱାସ୍ଥ୍ୟପରୀକ୍ଷା ଓ କୋଭିଡ୍‌-୧୯ ଯାଞ୍ଚ ହେବା ବେଳକୁ ୩ ଘଣ୍ଟା ବିତିଗଲା। ପରେ ମୁଁ ବାହାରକୁ ବାହାରିଲି। ସେତେବେଳେ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ମୋ ହାତରେ ହୋମ୍‌ କ୍ୱାରାଣ୍ଟିନ୍‌ର ଷ୍ଟାମ୍ପ ଲଗାଇଦେଲେ। ପୁଣି ହୋଟେଲକୁ ବାହୁଡନ୍ତେ ହୋଟେଲ ମ୍ୟାନେଜର ମୋତେ ପଶିବାକୁ ଅନୁମତି ଦେଲେନାହିଁ। ପୁନଶ୍ଚ ଆମ କମ୍ପାନିର ଟ୍ରାଭେଲ ଟିମ୍‌ ସହ କଥା ହୋଇ ଅନ୍ୟ ଏକ ଗେଷ୍ଟହାଉସ୍‌ରେ ମୋର ସଙ୍ଗରୋଧର ବ୍ୟବସ୍ଥା କରାଇଲି। ମୁଁ ଯେଉଁଦିନ ପହଞ୍ଚିଲି ସେହିଦିନ ସରକାର ଜନତା କର୍ଫ୍ୟୁ ଲଗାଇଥିଲେ। ତେଣୁ ପରିବାର ସହ ଯୋଗାଯୋଗ ସମ୍ଭବ ନଥିଲା। ୨୫ ତାରିଖରୁ ସରକାର ଲକ୍‌ଡାଉନ୍‌ ଲାଗୁକରୁଥିବା ଶୁଣି ତା' ପୂର୍ବଦିନ ସଂଧ୍ୟାରେ ମୋର ଚେନ୍ନାଇ ଘରେ ଆସି ରହିବାର ବ୍ୟବସ୍ଥା କଲି। ଘରେ ମୋର ମାଆ, ସ୍ତ୍ରୀ ଓ ୪ ବର୍ଷର ପୁଅ। ହେଲେ ସମସ୍ତ ସ୍ନେହ ମମତାର ଆବେଗକୁ ପଛରେ ଥୋଇ ସରକାରଙ୍କ ଉପଦେଶାବଳୀକୁ ସମ୍ମାନ ଜଣାଇ ୧୪ ଦିନ ପାଇଁ ଗୃହ ଏକାନ୍ତବାସରେ ଥାଇ ଏହି ଅନୁଭୂତି ଲେଖୁଛି।

ଚେନ୍ନାଇରେ ପ୍ରାୟ ୧ ଲକ୍ଷ ଓଡ଼ିଆ ରହନ୍ତି। ମୁଁ ବ୍ୟକ୍ତିଗତ ଭାବେ ଚେନ୍ନାଇର ସମସ୍ତ ଓଡ଼ିଆ ସଂଗଠନ ସହିତ ସଂପୃକ୍ତ। ଲକ୍‌ଡାଉନ୍‌ ଏବଂ ମୋର ଗୃହ ଏକାନ୍ତବାସ ସମୟରେ ମୁଁ କମ୍ପାନି ତରଫରୁ ପ୍ରବାସୀ ଓଡ଼ିଆ ଏବଂ ଦାଦନ ଶ୍ରମିକମାନଙ୍କ ପାଇଁ ସ୍ଥାନୀୟ ସରକାର ତଥା ଓଡ଼ିଶା ସରକାରଙ୍କ ସହଯୋଗରେ ବହୁ ପଦକ୍ଷେପ ନେଇଅଛୁ। ପ୍ରାୟ ୭୦ ଭାଗ ଦାଦନ ଶ୍ରମିକଙ୍କ ରହିବା, ଖାଇବାର ବ୍ୟବସ୍ଥା କରିଅଛୁ। ବାହାରକୁ ନଯିବା ପାଇଁ ଏବଂ ମାସ୍କ ଓ ସାନିଟାଇଜର ବ୍ୟବହାର କରିବା ପାଇଁ ଶିଖାଇଅଛୁ। ଏ ମହାବିପତ୍ତି ଠାରୁ ରକ୍ଷା ପାଇବା ପାଇଁ ବ୍ୟକ୍ତିଗତ ଭାବରେ ସଚେତନ କରିଚାଲିଛି। ମୁଁ ଅନୁରୋଧ କରିବି ଯେ, ଲୋକମାନେ ନିଜର ଭ୍ରମଣ ଇତିହାସ ନଲୁଚାଇକି ପ୍ରକାଶ କରନ୍ତୁ ଏବଂ ଲକ୍‌ଡାଉନ୍‌କୁ କଡ଼ାକଡ଼ି ପାଳନ କରନ୍ତୁ। ଏହା ଉତ୍କୃଷ୍ଟ ସମୟ ନିଜ ସହ ତଥା ନିଜ ପରିବାର ସହ କଟାଇବାର। ଏହି ପରିସ୍ଥିତିରେ ଆମେ ଚୋର ହେବାନି ଚାଣକ୍ୟ ହେବା, ପ୍ରତ୍ୟେକ ଦେଶବାସୀଙ୍କ ଜୀବନ ବଞ୍ଚାଇବା।

ଯଯାତି ନାୟକ
ଏମ୍‌ଫାସିସ୍‌, ଡିଏଲ୍‌ଏଫ୍‌ ଆଇଟି ପାର୍କ, ରାମାପୁରମ୍‌, ଚେନ୍ନାଇ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe