ନିକଟରେ ଏନ୍.ଆଇ.ଟି. ରାଉରକେଲାର ଗବେଷକମାନେ ସେମିକଣ୍ଡକ୍ଟର୍ ଚିପ୍ ପ୍ରସ୍ତୁତକରି ଓଡ଼ିଶାକୁ ଗୌରବାନ୍ବିତ କରିଛନ୍ତି। ଏଥି ସହିତ ପ୍ରଯୁକ୍ତି କ୍ଷେତ୍ରରେ ଏକ ନୂଆ ଇତିହାସ ମଧ୍ୟ ରଚିଛନ୍ତି। ଏହି ଇତିହାସରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ଓଡ଼ିଆ ଯୁବ ଇଂଜିନିୟର୍ ତଥା ଗବେଷକ ବିଶ୍ୱଜିତ ସ୍ବାଇଁ ଓ ଦେବେନ୍ଦ୍ର ପ୍ରଧାନ। ସେମାନେ ନିଜସ୍ବ ଗବେଷଣା ବଳରେ ଗଭୀର ଜଳରେ ବୁଡ଼ି ବିଭିନ୍ନ କାର୍ଯ୍ୟ କରିବାକୁ ସମର୍ଥ ଏକ ଅତ୍ୟାଧୁନିକ ରୋବଟ୍ ବିକଶିତ କରିଛନ୍ତି। ଏନ୍.ଆଇ.ଟି. ରାଉରକେଲାର ଦୁଇ ପ୍ରାକ୍ତନ ଛାତ୍ରଙ୍କ ଦ୍ବାରା ପ୍ରସ୍ତୁତ ଏହି ରୋବଟ୍ ଭାରତୀୟ ନୌସେନାରେ ସାମିଲ ହେବାକୁ ଯାଉଛି। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ନୌସେନା ମୁଖ୍ୟ ଆଡ୍ମିରାଲ୍ ଆର୍. ହରି କୁମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ମହାରାଷ୍ଟ୍ର ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ଓ ମୋହନଚରଣ ମାଝୀ ଦୁହିଁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦୁଇ ଓଡ଼ିଆପୁଅଙ୍କ ପ୍ରତିଷ୍ଠିତ ଷ୍ଟାର୍ଟଅପ୍ କୋରେସିଆ ଟେକ୍ନୋଲଜି ଦ୍ବାରା ବିକଶିତ ଏହି ରୋବଟ୍ ଆଜି ବିଶ୍ୱରେ ଗଭୀର ଜଳର ଯାଦୁଗର ରୂପେ ପରିଚିତି ହାସଲ କରିଛି। ଏହି ରୋବଟ୍ର ସ୍ବାତନ୍ତ୍ର୍ୟ ଓ କାର୍ଯ୍ୟଦକ୍ଷତା ସଂପର୍କରେ ବିଶ୍ୱଜିତ ସ୍ବାଇଁଙ୍କ ସହିତ ନୂଆଦିଲ୍ଲୀରେ ଆଲୋଚନା କରିଛନ୍ତି ଆମ ବରିଷ୍ଠ ପ୍ରତିନିଧି ବିଭୂତି ପତି
ସଂକ୍ଷେପରେ ବିଶ୍ବଜିତ
ଖୋର୍ଦ୍ଧା ଜିଲ୍ଲାର ବାରଙ୍ଗ ନିକଟସ୍ଥ କଲ୍ୟାଣପୁର ଗ୍ରାମରେ ବିଶ୍ୱଜିତ ସ୍ବାଇଁଙ୍କ ଜନ୍ମ ଏବଂ ହାଇସ୍କୁଲ ଶିକ୍ଷା ଶେଷକରି ସେ ଭୁବନେଶ୍ବରର ମହର୍ଷି ମହାବିଦ୍ୟାଳୟରେ ଯୁକ୍ତଦୁଇ ବିଜ୍ଞାନ ଅଧ୍ୟୟନ କରିଥିଲେ। ୨୦୧୨ ମସିହାରେ ସେ ରାଉଲକେଲାସ୍ଥିତ ଏନ୍.ଆଇ.ଟି.ରେ ବି.ଟେକ୍ ଓ ଏମ୍.ଟେକ୍ ଅଧ୍ୟୟନ କରିଥିଲେ। ସେ ମେଟାଟୋନିକ୍ସ ଆଣ୍ଡ୍ ଅଟୋମେସନ୍ ବିଷୟରେ ଅଧ୍ୟୟନ କରିବା ସହିତ ଉଚ୍ଚ ଶିକ୍ଷା ପାଇଁ ଦକ୍ଷିଣ ଆଫ୍ରିକା ଯାଇଥିଲେ। ଏନ୍.ଆଇ.ଟି.ରେ ପଢ଼ିବା ବେଳେ ୨୦୧୪ରେ ସେ ଓ ତାଙ୍କ ସାଙ୍ଗ ଦେବେନ୍ଦ୍ର ଚେନ୍ନାଇରେ ଆୟୋଜିତ ଗଭୀର ଜଳ ରୋବଟ୍ ସମ୍ପର୍କିତ ଏକ ପ୍ରତିଯୋଗିତା ଓ ପ୍ରଦର୍ଶନୀ ଦେଖିବାକୁ ଯାଇଥିଲେ। ସେଠାରୁ ଫେରି ସେମାନେ ଏଭଳି ରୋବଟ୍ ପ୍ରସ୍ତୁତି ଲାଗି ଉଦ୍ୟମ ଆରମ୍ଭକଲେ ଏବଂ ଗବେଷଣାରେ ଲାଗିପଡ଼ିଲେ। ସଂଯୋଗକ୍ରମେ ସେମାନେ ପ୍ରସ୍ତୁତ କରିଥିବା ରୋବଟ୍ ୨୦୧୫ରେ ଚେନ୍ନାଇରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପ୍ରଦର୍ଶନୀରେ ବିଶେଷ ଆଦୃତ ହେଲା। ଏହାପରଠାରୁ ସେମାନେ ଉନ୍ନତମାନର ଅତ୍ୟାଧୁନିକ ରୋବଟ୍ ପ୍ରସ୍ତୁତ କରିବାକୁ ଗବେଷଣା ଜାରି ରଖିଲେ। ୨୦୨୧ରେ ବିଶ୍ୱଜିତ ଦକ୍ଷିଣ ଆଫ୍ରିକାରୁ ଫେରିବା ପରେ ଏହି ରୋବଟ୍ ପ୍ରସ୍ତୁତି ଓ ଗବେଷଣାରେ ସମ୍ପୂର୍ଣ୍ଣ ମନୋନିବେଶ କରି ସଫଳତା ଲାଭ କରିଥିଲେ।
ଡ଼ିଶାେର ପ୍ରସ୍ତୁତ, ବିଶ୍ୱରେ ଆଦୃତ- ଗଭୀର ଜଳର ଯାଦୁକର ଆଖ୍ୟା ଅର୍ଜନ କରିଥିବା କୋରାସିଆ ରୋବଟ୍ ବିଷୟରେ ଏହା ହିଁ କୁହାଯାଇପାରେ। ଏହା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ସର୍ବପ୍ରଥମ ରୋବଟ୍, ଯାହା ଗଭୀର ଜଳରେ ବୁଡ଼ି ଉଭୟ ସାମରିକ ଓ ବେସାମରିକ କାର୍ଯ୍ୟରେ ନିୟୋଜିତ ହେବ। ଏହି ରୋବଟ୍ ଜଳସିଂହ, ଜଳଦୂତ ଓ ନାଭ୍ୟା ଆଦି ତିନି ଭାଗରେ ବିଭକ୍ତ। ଜଳସିଂହ ଓ ଜଳଦୂତ ଗଭୀର ଜଳରେ ବୁଡ଼ି କାର୍ଯ୍ୟ କରୁଥିବା ବେଳେ ଉପରେ ଭାସି ନାଭ୍ୟା ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇଥାଏ। ୨୦୨୫ ସେପ୍ଟେମ୍ବର ମାସରେ ଏନ୍.ଆଇ.ଟି. ରାଉରକେଲାସ୍ଥିତ ‘ଫାଉଣ୍ଡେସନ୍ ଫର୍ ଟେକ୍ନୋଲଜି ଆଣ୍ଡ୍ ବିଜ୍ନେସ୍ ଇନ୍କ୍ୟୁବେସନ୍’ରେ ଏହା ପ୍ରଥମେ ପ୍ରସ୍ତୁତ ହୋଇଥିଲା। ଏହା ବିଦେଶୀ କମ୍ପାନି ଦ୍ବାରା ପ୍ରସ୍ତୁତ ରୋବଟ୍ ସମକକ୍ଷ ଏବଂ ବହୁଗୁଣରେ ଉନ୍ନତ। ଏହାର ନିର୍ମାଣ ଲାଗି ‘କୋରାସିଆ ଟେକ୍ନୋଲଜିଜ୍’ ପ୍ରାୟ ୧୭ କୋଟି ଟଙ୍କା ପୁଞ୍ଜି ନିବେଶ କରିଛି।
ଭାରତୀୟ ନୌସେନାରେ ସାମିଲ
ସଫଳ ପରୀକ୍ଷଣ ପରେ ଭାରତୀୟ ନୌସେନା ଏହି ରୋବଟ୍ ସାମିଲ କରିବାକୁ ୬୬ କୋଟି ଟଙ୍କାର ଚୁକ୍ତି ସ୍ବାକ୍ଷର କରିଛି। ଗଭୀର ଜଳରେ ପଶି ଏହି ରୋବଟ୍ ନୌସେନାକୁ ବିଭିନ୍ନ ପ୍ରକାର ସହାୟତା ଯୋଗାଇବ। କୋରାସିଆର ପ୍ରମୁଖ ରୋବଟ୍ ଜଳସିଂହ ଜାହାଜର ଢାଞ୍ଚା (ହୁଲ୍), ବନ୍ଦରର ଢାଞ୍ଚାଗତ ସୁରକ୍ଷା ଏବଂ ସମୁଦ୍ର ତଳେ ଯାଇଥିବା କେବୁଲ୍ ସବୁ ନିରୀକ୍ଷଣ ଓ ଯାଞ୍ଚ ଭଳି କାର୍ଯ୍ୟ ବି କରିବ। ପ୍ରତିରକ୍ଷା ବ୍ୟବହାର ପାଇଁ ଅନୁମୋଦନ ସକାଶେ ଜଳସିଂହ ରୋବଟ୍ କଠୋର ଯାଞ୍ଚ ପ୍ରକ୍ରିୟାର ସମ୍ମୁଖୀନ ହୋଇ ସଫଳତାର ସହ ୧୪୮୫ ଫୁଟ୍ରୁ ଅଧିକ ଗଭୀର ଜଳରେ ବୁଡ଼ି କାର୍ଯ୍ୟ କରିଛି। ୧୨ ଘଣ୍ଟାରୁ ଅଧିକ ସମୟ ଗଭୀର ଜଳରେ ବୁଡ଼ି ଏହା ଦକ୍ଷତାର ସହ କାର୍ଯ୍ୟ ସମ୍ପାଦନା କରିପାରିବ ବୋଲି ଏକାଧିକ ପରୀକ୍ଷାରୁ ପ୍ରମାଣିତ ହୋଇଛି। ଦେଶ ପାଇଁ ଏହି ରୋବଟ୍ ଅତ୍ୟନ୍ତ ଆବଶ୍ୟକ ଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଲା ବେଳେ ଓଡ଼ିଆ ଭାେବ ଆମ ଛାତି ଗର୍ବରେ ଫାଟି ପଡୁଥିଲା ବୋଲି ବିଶ୍ୱଜିତ ସ୍ବାଇଁ କହନ୍ତି।
ବିଦେଶୀ ରୋବଟ୍ ତୁଳନାରେ ଅଧିକ ଦକ୍ଷ
ପ୍ରାରମ୍ଭିକ ପର୍ଯ୍ୟାୟରେ ଆମେ ପାଣିରେ ବୁଡ଼ି ରହିଥିବା ବିଭିନ୍ନ ଭିତ୍ତିଭୂମିର ସାଂରଚନିକ ଅଖଣ୍ଡତା ନିରୀକ୍ଷଣ ଏବଂ ଆକଳନରେ ସହାୟତା କରିବା ପାଇଁ ଏହି ରୋବଟ୍ର ପରିକଳ୍ପନା କରିଥିଲୁ। ଭାରତରେ ୬,୧୩୮ରୁ ଅଧିକସଂଖ୍ୟକ ନଦୀବନ୍ଧ ରହିଛି। ଏଗୁଡ଼ିକ ମଧ୍ୟରୁ ପ୍ରାୟ ୧୦୬୫ଟି ନଦୀବନ୍ଧ ୫୦-୧୦୦ ବର୍ଷ ପୁରୁଣା। କୌଣସି ବଡ଼ଧରଣର ବିପର୍ଯ୍ୟୟ ଏଡ଼ାଇବା ସକାଶେ ଗଭୀର ଜଳରେ ବୁଡ଼ି ଏହି ବନ୍ଧଗୁଡ଼ିକର ଅବସ୍ଥା ଯାଞ୍ଚ କରିବା ଜରୁରି। ଏହି କାମ ଆମ ରୋବଟ୍ ଦକ୍ଷତାର ସହ ସଂପାଦନ କରିଛି। ବନ୍ୟା ଓ ବାତ୍ୟା ସମୟରେ ପାଣିରେ ବୁଡ଼ି ଏହି ରୋବଟ୍ ବିଭିନ୍ନ ସମସ୍ୟା ଚିହ୍ନଟ କରିବାରେ ସକ୍ଷମ ହୋଇଛି। ଅନ୍ୟପକ୍ଷରେ ବିଦେଶୀ ଜଳଗାମୀ ରୋବଟ୍ ସବୁ ବ୍ୟୟବହୁଳ ଏବଂ ସେଗୁଡ଼ିକର ରକ୍ଷଣାବେକ୍ଷଣ ମଧ୍ୟ ଖୁବ୍ ମହଙ୍ଗା। ତା’ଛଡ଼ା ସେସବୁ ଓଡ଼ିଶା ଓ ଭାରତର ଆହ୍ବାନମୂଳକ ପରିସ୍ଥିତି ସକାଶେ ଉପଯୁକ୍ତ ନୁହେଁ। କାରଣ, ଏଠାରେ ଦୃଶ୍ୟମାନତା କମ୍ ଏବଂ ଅବକ୍ଷେପଣ ଅଧିକ। ତେଣୁ ଏ ପରିସ୍ଥିତି ମୁକାବିଲା ସକାଶେ ଆମେ ଏକ ରୋବଟ୍ ନିର୍ମାଣ ଲାଗି ଉଦ୍ୟମ କଲୁ ଏବଂ ସଫଳ ହେଲୁ। ସମଗ୍ର ବିଶ୍ବରେ ମଧ୍ୟ ଏହି ରୋବଟ୍ଗୁଡ଼ିକ କାର୍ଯ୍ୟ କରିପାରିବ।
ହୀରାକୁଦରୁ ପାରାଦୀପ
ହୀରାକୁଦ ହେଉଛି ବିଶ୍ବର ଦୀର୍ଘତମ ମାଟିବନ୍ଧ। ଏହା ୧୯୫୭ ମସିହାରେ କାର୍ଯ୍ୟକ୍ଷମ ହୋଇଥିଲା। ଏପରି ପୁରୁଣା ନଦୀବନ୍ଧ ସକାଶେ ନିର୍ଦ୍ଦିଷ୍ଟ ବ୍ୟବଧାନରେ ପାଣି ତଳେ ଥିବା ଗେଟ୍ ଓ ପାଣି ତଳ ନିର୍ମାଣଗୁଡ଼ିକର ସାମ୍ପ୍ରତିକ ସ୍ଥିତି ଯାଞ୍ଚ କରାଯିବା ଆବଶ୍ୟକ। ଆମ ଜଳଗାମୀ ରୋବଟ୍ ସବୁ ବନ୍ଧରେ ଥିବା ଫାଟ କିମ୍ବା ଅବକ୍ଷୟ ଚିହ୍ନଟ କରିବା ପାଇଁ ପାଣି ଭିତରେ ହିଁ ଥ୍ରି-ଡି ମ୍ୟାପିଙ୍ଗ୍ କରିପାରିବ। ଏହାଛଡ଼ା, ଏହି ରୋବଟ୍ ବନ୍ଧରେ ଥିବା ସ୍ତମ୍ଭ ଏବଂ ମୂଳଦୁଆ ମଧ୍ୟ ସହଜରେ ଯାଞ୍ଚ କରିପାରେ। କୋରାସିଆ ରୋବଟ୍ ପୂର୍ବରୁ ଭାରତୀୟ ରେଳବାଇ, ଆଇ.ଓ.ସି.ଏଲ୍- ପାରଦୀପ ପରି ଅନେକ ଅଗ୍ରଣୀ ସଂସ୍ଥାରେ କାର୍ଯ୍ୟ କରିଛି। ପାଣିଭିତରେ ବୁଡ଼ି ରହିଥିବା ରେଳପୋଲ ସବୁ ଯାଞ୍ଚ କରିବାରେ ବି ଏ ରୋବଟ୍ ପାରଙ୍ଗମ। ଏଥିପାଇଁ ବଙ୍ଗୋପସାଗରରେ ଏକ କଠୋର ପରୀକ୍ଷାରେ ଆମେ ସଫଳ ହୋଇଥିଲୁ। ଜଳଗାମୀ ରୋବଟ୍ର ଏପରି କ୍ଷମତା ନୀଳ ଅର୍ଥନୀତି ମିସନ୍ରେ ସହଯୋଗ ନିମନ୍ତେ ମଧ୍ୟ ବ୍ୟବହାର କରାଯାଇ ପାରିବ, ଯାହାଦ୍ବାରା ବନ୍ଦର, ପାଇପ୍ ଲାଇନ୍ ଓ ସାମୁଦ୍ରିକ ପରିସଂସ୍ଥାନ ସର୍ଭେ କରିହେବ।
ସ୍ବଳ୍ପ ଖର୍ଚ୍ଚରେ ସ୍ବଦେଶୀ ରୋବଟ୍
ବୈଶ୍ବିକସ୍ତରରେ ପାଣି ତଳେ କାର୍ଯ୍ୟ କରୁଥିବା କେତେକ ରୋବଟ୍ ପ୍ରମୁଖ ନିର୍ମାଣକାରୀ ହେଲେ ସାବ୍ ଏ.ବି. (ସ୍ବିଡେନ୍), କଙ୍ଗ୍ସ୍ବର୍ଗ ଗ୍ରୁପ୍ପେନ୍ (ନର୍ୱେ), ଇ.ସି.ଏ. ଗ୍ରୁପ୍ (ଫ୍ରାନ୍ସ) ଓ ଜେନେରାଲ୍ ଡାଇନାମିକ୍ସ (ଯୁକ୍ତରାଷ୍ଟ୍ର ଆମେରିକା)। କୋରାସିଆ ଟେକ୍ନୋଲଜିଜ୍ ନିର୍ମାଣ କରୁଥିବା ରୋବଟ୍ର ୭୦%ରୁ ଅଧିକ ଯନ୍ତ୍ରାଂଶ ଭାରତରୁ ହିଁ ମିଳିଥାଏ। ଫଳରେ ଆମର ଯନ୍ତ୍ରାଂଶ ଆମଦାନି ବାବଦ ଖର୍ଚ୍ଚ ୪୦% କମ୍। କୌଣସି ନୂତନ ଉପକରଣ ବିକଶିତ କରିବା ଲାଗି ବଡ଼ ପୁଞ୍ଜି ଆବଶ୍ୟକ ହେଉଥିବା ବେଳେ ନିଜସ୍ବ ଡିଜାଇନ୍ ଓ ଦେଶୀ ଯନ୍ତ୍ରାଂଶ ବ୍ୟବହାର ଯୋଗୁଁ ଆମର ଖର୍ଚ୍ଚ କମ୍ ପଡୁଛି।
ପ୍ରଶଂସା ଓ ସ୍ବୀକୃତି
ସଙ୍ଗମ କନ୍କ୍ଲେଭ୍ ଅବସରରେ ତଥା ଆଇଡେକ୍ସ କାର୍ଯ୍ୟକ୍ରମରେ ଆମ ପ୍ରଦର୍ଶନ ସମୟରେ ପ୍ରତିରକ୍ଷା ଓ ପର୍ଯ୍ୟଟନ ବିଭାଗ ଆମକୁ ପ୍ରଶଂସା ଓ ସମ୍ମାନିତ କରିଥିଲେ। ଏଠାରେ କୋରାସିଆ ଟେକ୍ନୋଲଜିଜ୍ ରାଇଜିଙ୍ଗ୍ ଷ୍ଟାର୍ ପୁରସ୍କାର ପାଇଥିଲା। ଆମେ ଉତ୍କର୍ଷ ଓଡ଼ିଶା-୨୦୨୫ ଅବସରରେ ମଧ୍ୟ ଉଚ୍ଚ ପ୍ରଶଂସିତ ହୋଇଥିଲୁ। ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ସହ ସାକ୍ଷାତ କରି ରାଜ୍ୟର ଗୁରୁତ୍ବପୂର୍ଣ୍ଣ ଜଳ ଭିତ୍ତିଭୂମିଗୁଡ଼ିକର ସ୍ଥାୟୀତ୍ବ ଓ ସୁରକ୍ଷା ସୁନିଶ୍ଚିତ କରିବା ସକାଶେ ପାଣି ତଳ ରୋବଟ୍ ପ୍ରଯୁକ୍ତିବିଦ୍ୟା ଉପଯୋଗ ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲୁ। ଆମେ ରାଜ୍ୟ ମଧ୍ୟରେ ଆମର ଉତ୍ପାଦନ ଓ ତାଲିମ କ୍ଷମତା ବିସ୍ତାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ଷ୍ଟାର୍ଟଅପ୍ ଓଡ଼ିଶା ମିସନ୍ ସହିତ ଘନିଷ୍ଠ ଭାବେ କାର୍ଯ୍ୟ କରୁଛୁ।
ଭବିଷ୍ୟତର ଲକ୍ଷ୍ୟ
କୋରାସିଆ ଟେକ୍ନୋଲଜିଜ୍ ପାଣି ତଳ ରୋବୋଟିକ୍ସ କ୍ଷେତ୍ରରେ ଭାରତକୁ ବୈଶ୍ବିକ କେନ୍ଦ୍ର ଭାବେ ପରିଚିତ କରାଇଛି। ମାର୍କେଟ୍ ରିସର୍ଚ ଫ୍ୟୁଚର୍ ଆନାଲିସିସ୍ର ଏକ ରିପୋର୍ଟରେ ଏକଥା ଉଲ୍ଲେଖ କରାଯାଇଛି ଯେ ପାଣି ତଳ ରୋବଟିକ୍ସର ବୈଶ୍ବିକ ବଜାର ମୂଲ୍ୟ ୨୦୨୪ରେ ୩.୬ ବିଲିୟନ୍ ଡଲାର୍ ଥିବା ବେଳେ ୨୦୩୫ ମସିହା ବେଳକୁ ଏହା ୨୦.୩୬ ବିଲିୟନ୍ ଡଲାର୍ ହେବ। ୨୦୩୦ ସୁଦ୍ଧା ଆମେ ବୈଶ୍ବିକ ବଜାରରେ ଉନ୍ନତମାନର ତଥା ଅତ୍ୟାଧୁନିକ ରୋବଟିକ୍ସ ଯୋଗାଣକାରୀ ଶକ୍ତି ଭାବରେ ଉଭାହେବୁ। ଭାରତ ମହାସାଗର ଅଞ୍ଚଳରେ ଏହି ରୋବଟ୍ ପାଇଁ ବ୍ୟାପକ ରପ୍ତାନି ବଜାର ରହିଛି।
Follow Us