ନୂଆଦିଲ୍ଲୀ: କିଛି ଦିନ ତଳେ ଜଣେ କୁନି ଝିଅ ସୋସିଆଲ ମିଡିଆ ଜରିଆରେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାହାଯ୍ୟ ମାଗିଥିଲେ। ଭିଡିଓ ଜାରି କରି ସେ କହିଥିଲେ, ‘ଖରପ ଓ ନଷ୍ଟ ହୋଇଯାଇଥିବା କୋଠାର ଚଟାଣରେ ବସି ଆମେ ପାଠ ପଢ଼ୁଛୁ। ଏହାକୁ ସୁଧାରନ୍ତୁ। ମୋ କଥା ମୋଦୀଜୀ ଆପଣ ଥରେ ଶୁଣି ନିଅନ୍ତୁ।’ କୁନି ଝିଅଟିର ନାଁ ସିରତ ନାଜ ବୋଲି ଜଣାପଡ଼ିଥିବା ବେଳେ ଏବେ ପ୍ରଧାନମନ୍ତ୍ରୀ କୁନି ଝିଅର ଅନୁରୋଧ ରଖିଥିବା ଜଣାପଡ଼ିଛି।
ଭିଡିଓ ଭାଇରାଲ ହେବା ପରେ ସିରତ ପଢ଼ୁଥିବା ସ୍କୁଲର ମରାମତି କାମ ଆରମ୍ଭ ହୋଇଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀଙ୍କୁ ସିରତ ଅନୁରୋଧ କରୁଥିବାର ଭିଡିଓ ଭାଇରାଲ ହେବା ପରେ ବର୍ତ୍ତମାନ ଜମ୍ମୁ କଶ୍ମୀର ପ୍ରଶାସନ ସିରତଙ୍କ ସ୍କୁଲକୁ ନୂଆ ରୂପ ଦେବା କାମ ଆରମ୍ଭ କରିଛି।
ଜମ୍ମୁର ସ୍କୁଲ ଶିକ୍ଷା ନିର୍ଦ୍ଦେଶକ ରବି ଶଙ୍କର ଶର୍ମା ଲୋହାଇ-ମଲହାର ବ୍ଲକରେ ଅବସ୍ଥିତ ସିରତ ନାଜଙ୍କ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ବିଦ୍ୟାଳୟ ପରିଦର୍ଶନ କରିବା ପରେ ଶର୍ମା କହିଛନ୍ତି ଯେ ଆଧୁନିକ ଢ଼ଙ୍ଗରେ ବିଦ୍ୟାଳୟର ନବୀକରଣ ପାଇଁ ୯୧ଲକ୍ଷ ଟଙ୍କା ମୂଲ୍ୟର ଏକ ପ୍ରକଳ୍ପ ମଞ୍ଜୁର କରାଯାଇଥିଲା। କିନ୍ତୁ ପ୍ରଶାସନିକ ଅନୁମୋଦନ ସହ ଜଡିତ କିଛି ସମସ୍ୟା ହେତୁ ଏହି କାର୍ଯ୍ୟ ହୋଇପାରିନଥିଲା। ବର୍ତ୍ତମାନ ଏହାର ସମାଧାନ ହୋଇଛି ଏବଂ ବିଦ୍ୟାଳୟର ନବୀକରଣ ଆରମ୍ଭ ହୋଇଛି।
ତେବେ କିଛି ଦିନ ତଳେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ସିରତ ନାଜ ନିଜ ସମସ୍ୟାକୁ ମୋଦୀଙ୍କ ସାମ୍ନାରେ ପ୍ରକାଶ କରିବା ପୂର୍ବରୁ ସେ ମୋଦୀଙ୍କୁ ପ୍ରଥମେ ତାଙ୍କ ହାଲଚାଲ କଥା ପଚାରିଥିଲେ। ଏହାପରେ ସିରତ କହିଥିଲେ, ‘ମୋଦୀଜୀ ଆପଣଙ୍କୁ ମୋର ଏକ କଥା କହିବାର ଅଛି। ମୁଁ ଜମ୍ମୁକଶ୍ମୀରର ଏକ ସରକାରୀ ସ୍କୁଲରେ ପାଠ ପଢ଼େ। ସ୍କୁଲର ଅବସ୍ଥା ବହୁତ ଖରାପ ରହିଛି। ଆପଣଙ୍କୁ ଆମ ସ୍କୁଲର ଚିତ୍ର ଦେଖାଉଛି। ସାମ୍ନାରେ ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ରୁମ ରହିଛି। ଦେଖନ୍ତୁ କେତେ ଅପରିସ୍କାର ରହିଛି। ଆମକୁ ଏଠାରେ ହିଁ ବସାଇ ପାଠପଢ଼ାଯାଏ। ଦୟାକରି ଆମ ପାଇଁ ଗୋଟିଏ ସ୍କୁଲ ନିର୍ମାଣ କରି ଦିଅନ୍ତୁ। ଅପରିସ୍କାର ଚଟାଣରେ ବସି ପାଠପଢ଼ିବା ହେତୁ ସ୍କୁଲ ୟୁନିଫର୍ମ ଖରାପ ହୋଇଯାଇଥାଏ। ଘରକୁ ଗଲେ ମା’ କୁହେ ଧୂଳି ମାଟିରେ ଖେଳି ସ୍କୁଲ ପୋଷାକ ଅପରିସ୍କାର କରି ଆସିଛି। ଆଉ ଗାଳି ବି ଦିଏ। ତାକୁ ଯେତେ କୁହେ ସ୍କୁଲର ଅପରିସ୍କାର ଚଟାଣରେ ବସି ଏଭଳି ଅବସ୍ଥା ହୋଇଛି ସେ ବିଶ୍ବାସ କରେ ନାହିଁ।
Follow Us