ଆରାଧନାରୁ ଆନନ୍ଦ, ଆଶଙ୍କାରୁ ଆନ୍ଦୋଳନ

ଭାରତରେ ପ୍ରକୃତି ଉପାସନାର ପରମ୍ପରା ବହୁ ପ୍ରାଚୀନ। ଏହି କ୍ରମରେ ଖଣ୍ଡୁଆଳମାଳି ପାହାଡ଼ ପୂଜନ ଅନ୍ତର୍ଭୁକ୍ତ କରାଯାଇପାରେ। ସ୍ଥାନୀୟ ଅଧିବାସୀ କହନ୍ତି, କାହିଁ କେତେ ଯୁଗରୁ ଚାଷବାସ ଓ ପରିବାରର ସୁରକ୍ଷା ସହିତ ବିଭିନ୍ନ ମନସ୍କାମନା...

ery

ଗାର୍ଗୀ ଶତପଥୀ

ଭାରତରେ ପ୍ରକୃତି ଉପାସନାର ପରମ୍ପରା ବହୁ ପ୍ରାଚୀନ। ଏହି କ୍ରମରେ ଖଣ୍ଡୁଆଳମାଳି ପାହାଡ଼ ପୂଜନ ଅନ୍ତର୍ଭୁକ୍ତ କରାଯାଇପାରେ। ସ୍ଥାନୀୟ ଅଧିବାସୀ କହନ୍ତି, କାହିଁ କେତେ ଯୁଗରୁ ଚାଷବାସ ଓ ପରିବାରର ସୁରକ୍ଷା ସହିତ ବିଭିନ୍ନ ମନସ୍କାମନା ପୂରଣ ପାଇଁ ତିନିଦିନଧରି ଖଣ୍ଡୁଆଳମାଳ ପାହାଡ଼କୁ ପୂଜା କରାଯାଇ ଆସୁଛି। ପରମ୍ପରା ଅନୁସାରେ, ପୂଜା ପୂର୍ବରୁ ପ୍ରଥମରେ ଗୁମ୍ଫାରେ ଥିବା ଦେବୀଙ୍କୁ ଚେତନା ଦିଆଯାଏ। ଗାଁ’ର ଜାନିମାନେ (ପୂଜକ)ପାହାଡ଼ ଉପରକୁ ଯାଇ ଦେବୀଙ୍କୁ କହନ୍ତି, ‘‘ଆସନ୍ତାକାଲି ତୋର ନାତି, ନେତ୍ରାମାନେ ତତେ ଭେଟିବାକୁ ଆସୁଛନ୍ତି।’’

ଜାନିଙ୍କ ଶରୀରରେ ଦେବତା! ଭୋଗ ଲାଗେ ମହୁଲି ଓ ଗୁଡ଼ପାଣି
ସେଦିନ ଥିଲା ମାର୍ଚ୍ଚ ୨୮ ତାରିଖ। ସଂଧ୍ୟାରେ ଦେବୀଙ୍କ ନିକଟରେ ଜାନି ଓ ଅନ୍ୟମାନେ ପାହାଡ଼ ଉପରେ ପହଞ୍ଚିଥିଲେ। ଆଦିବାସୀ ବିଧିରେ ରାତି ତମାମ ଚାଲିଲା ପୂଜା। ବେଜୁଣି ଓ ଜାନିମାନେ ନୃତ୍ୟ କରିବା ଆରମ୍ଭକଲେ। ଲୋକବିଶ୍ବାସ ରହିଛି, ଯେଉଁ ବେଜୁଣୀ ଏବଂ ଜାନିମାନଙ୍କ ଶରୀରରେ ଦେବତା ପ୍ରବେଶ କରନ୍ତି, ସେମାନେ ଦେବୀ-ଦେବତା ସ୍ବରୂପ ହୋଇ ନାଚନ୍ତି। ସେମାନଙ୍କ ନିକଟରେ ଲୋକେ ନିଜ ନିଜ ମନୋସ୍କାମନା ଉପସ୍ଥାପନ କଲେ। ୨୯ ତାରିଖ ସକାଳେ ଜଣେ ଜାନି ଦେବତା ନୃତ୍ୟ କରିବା ସହ ଅନ୍ୟ ଦୁଇ ଜଣ ପ୍ରଥା ଅନୁସାରେ ଖଣ୍ଡୁଆଳ ବୁଢ଼ାରଜା ଓ ଦେବୀଙ୍କ ସମ୍ମୁଖରେ ଛେଳି ଓ ମେଣ୍ଢା ବଳି ଦେବା ଦେଖାଯାଇଥିଲା। ଏହାପୂର୍ବରୁ ଦେବୀଙ୍କୁ ମାଳ ପିନ୍ଧାଇ ପୂଜା କରାଯିବା ସହିତ ଉଖୁଡ଼ା, କଦଳୀ, ଚୁଡ଼ା, ମହୁଲିମଦ, ଗୁଡ଼ ପାଣି ଅର୍ପଣ କରାଯାଇ ଥିଲା। ଡୁମା ବା ପୂର୍ବଜମାନଙ୍କ ଉଦ୍ଦେଶ୍ୟରେ ବି ସେଠାରେ ମହୁଲି ଏବଂ ଗୁଡ଼ପାଣି ଅର୍ପଣ କରାଯାଇଥିଲା। ଏହି ଅବସରରେ ଡୁମାମାନଙ୍କୁ କୁହାଯାଇଥିଲା, ଆପଣମାନେ ପୂର୍ବରୁ ଯେଭଳି ପୂଜା କରୁଥିଲେ, ଆମେ ମଧ୍ୟ ସେହି ପରମ୍ପରା ବଜାୟ ରଖିଛୁ।

2hh

ନାଚଗୀତ ସହ ଲଢ଼େଇ ଲାଗି ଆହ୍ବାନ
ସେଦିନ ସଂଜ ନଇଁବା ସହ ପାହାଡ଼ ଉପରେ ଆରମ୍ଭ ହେଲା ଜନସମାଗମ। ପିଲାଠୁ ବୁଢ଼ା ଯାଏଁ, ସବୁ ବୟସର ଦେଖଣାହାରି ଏକତ୍ର ହେଲେ। ଅନ୍ଧାର ରାତିରେ କିଶୋରୀମାନେ ଯେମିତି ନିର୍ଭୀକ ଭାବରେ ପାହାଡ଼ ଚଢ଼ି ଆସୁଥିଲେ, ତାହା ଦେଖିବାର କଥା। ଗୁମ୍ଫାରେ ଦେବୀଙ୍କ ଦର୍ଶନ ଓ ପ୍ରାର୍ଥନା ସାରି ସମସ୍ତେ ମଉଜମଜଲିସରେ ମାତିଗଲେ। କିଏ ଖେଳରେ ତ ଆଉ କିଏ ହାତରେ ହାତ ଛନ୍ଦି, ଅଣ୍ଟାକୁ ଅଣ୍ଟା ଲଗାଇ ନାଚିଲେ। କିଛି ଯୁବକ ଧନୁତୀର କିମ୍ବା ଟାଙ୍ଗିଆ ଭଳି ପାରମ୍ପରିକ ହତିଆର ବି ପ୍ରଦର୍ଶନ କରୁଥିଲେ। ପାହାଡ଼ ଉପରେ ବଜାରଟିଏ ବସିଥିଲା, ଯାହାର ମୁଖ୍ୟ ଆକର୍ଷଣ ଥିଲା ଭଳିକି ଭଳି ସ୍ବାଦିଷ୍ଠ ଜଳଖିଆ। ପୁଣି ସେହିଠାରେ ହିଁ ସମସ୍ତେ ରାତ୍ରଭୋଜନ କରିଥିଲେ। ଉତ୍ସବର ବାତାବରଣ ଭିତରେ ଖଣ୍ଡୁଆଳମାଳି ସ୍ଥାୟୀ ସୁରକ୍ଷା ସମିତି ଓ କର୍ଲାପାଟ ଅଭୟାରଣ୍ୟ ପକ୍ଷରୁ ଖଣ୍ଡୁଆଳମାଳି ପାହାଡ଼ ସୁରକ୍ଷା ପାଇଁ ଲଢ଼େଇ ଆହ୍ବାନ ଦିଆଯାଇଥିଲା। ସୁଉଚ୍ଚ ପର୍ବତ ଉପରେ ପାଣି, ବିଜୁଳି ସହିତ ଅନ୍ୟାନ୍ୟ ସୁଆୟୋଜନ ଲାଗି ସମିତିର ସ୍ବେଚ୍ଛାସେବୀ ଅବଶ୍ୟ ଧନ୍ୟବାଦର ଦାବି ରଖନ୍ତି। ଉଲ୍ଲେଖଯୋଗ୍ୟ, ଖଣ୍ଡୁଆଳମାଳି ସହିତ ନିୟମଗିରି, ମାଳିପର୍ବତରେ ମଧ୍ୟ ସମାନ ଭାବରେ ଉତ୍ସବ ଆୟୋଜିତ ହୋଇଛି।

ରହସ୍ୟମୟ ଗୁମ୍ଫାର ଅନେକ କାହାଣୀ
ଖଣ୍ଡୁଆଳମାଳି ପାହାଡ଼ରେ ଅନେକ ଗୁମ୍ଫା ରହିଛି। ପୁଣି ଏହି ଗୁମ୍ଫାଗୁଡ଼ିକୁ ନେଇ ରହିଛି ଚମତ୍କୃତ କଲାଭଳି କାହାଣୀ ଓ ଜନଶ୍ରୁତି। ବିଶେଷ କରି ପୂଜାସ୍ଥଳୀ ନିକଟରେ ଥିବା ୩ଟି ଗୁମ୍ଫାକୁ ନେଇ ଚର୍ଚ୍ଚା ଅଧିକ। ଖଣ୍ଡୁଆଳମାଳିରେ ବୁଢ଼ାରଜାର ଘର ଥିବା ଗୁମ୍ଫାରୁ କଲ୍ୟାଣପୁରସିଂ ପର୍ଯ୍ୟନ୍ତ ରାସ୍ତା ଥିବା କୁହାଯାଏ। ସେହିପରି ଅନ୍ନଭଣ୍ଡାର ଗୁମ୍ଫାରେ ଏକଦା ଦେବୀ ଲୋକଙ୍କୁ ଧାନ, ମାଣ୍ଡିଆ ସହିତ ଅଳଙ୍କାର ଦେଉଥିଲେ। କିନ୍ତୁ ଲୋକେ ଠକିବା ଆରମ୍ଭ କରିବା ପରଠାରୁ ତାହା ବନ୍ଦ ହୋଇଗଲା। ହାତୀଶାଳ ଓ ଘୋଡ଼ାଶାଳ ଗୁମ୍ଫାରେ ରାଜା ହାତୀ ଏବଂ ଘୋଡ଼ା ରଖୁଥିବା କୁହାଯାଏ। ବର୍ତ୍ତମାନ ବନ୍ୟଜାତ ସଂଗ୍ରହ ପାଇଁ କେହି ଯାଇଥିବା ବେଳେ ବର୍ଷା କିମ୍ବା ଝଡ଼ ହେଲେ ଏହି ହାତୀଶାଳ, ଘୋଡ଼ାଶାଳ ଗୁମ୍ଫାରେ ଆଶ୍ରୟ ନେଇ ଥାଆନ୍ତି। ସେହିପରି ବିଲକାନରେ ଥିବା ଏକ ଗୁମ୍ଫାରେ ଚୋରମାନେ ଲୁଟ୍‌ ସାମଗ୍ରୀ ଲୁଚାଇ ରଖୁଥିଲେ ବୋଲି ଲୋକମୁଖରୁ ଶୁଣାଯାଏ।

ଶସ୍ୟଶ୍ୟାମଳା ରତ୍ନଗର୍ଭା ଖଣ୍ଡୁଆଳମାଳି
କଳାହାଣ୍ଡି ଜିଲ୍ଲାର ରାମପୁର ଓ ଭବାନୀପାଟଣା ସଦର ବ୍ଲକ୍‌, ରାୟଗଡ଼ା ଜିଲ୍ଲାର କାଶୀପୁର ଓ ଲାଞ୍ଜିଗଡ଼ର ମଧ୍ୟସ୍ଥଳରେ ଅବସ୍ଥିତ ଖଣ୍ଡୁଆଳମାଳି ପାହାଡ଼। କର୍ଲାପାଟ ଅଭୟାରଣ୍ୟ ନିକଟରେ ଥିବା ଏହି ପାହାଡ଼ ହେଉଛି ୬୩ ପ୍ରକାର ଔଷଧୀୟ ବୃକ୍ଷ, ୩୨୨ ପ୍ରକାର ଉଦ୍ଭିଦ, ୩୭୫ଟି ଝରଣା, ୩୧ ଜାତିର ସ୍ତନ୍ୟପାୟୀ ପ୍ରାଣୀ, ୪୫ ପ୍ରଜାତିର ପକ୍ଷୀ ଓ ବାଘ, ହାତୀ ଓ ଶମ୍ବର ଭଳି ୯ ପ୍ରକାର ଜୀବଙ୍କ ବାସସ୍ଥଳୀ। ପୁଣି ପାହାଡ଼ର ପ୍ରାକୃତିକ ସମ୍ଭାରକୁ ଆଶ୍ରାକରି ଏହାର ଚତୁଃପାର୍ଶ୍ବରେ ଥିବା ୨୪୭ ଗାଁର ଜୀବନ, ଜୀବିକା ଓ ସଂସ୍କୃତି ବଞ୍ଚି ରହିଛି। ଏହି ଗାଁଗୁଡ଼ିକରେ କେବଳ ଗୋଟିଏ ବା ଦୁଇଟି ଫସଲ ହୁଏ ନାହିଁ, ବରଂ ଧାନ, କୋଶଳା, ମାଣ୍ଡିଆ, ବିରି, ଅଳସୀ, ସୋରିଷ, କାନ୍ଦୁଲ, ମକା, ହଳଦୀ, କଦଳୀ ଭଳି ବିଭିନ୍ନ ପ୍ରକାର ଫସଲ ହୋଇଥାଏ। ପୁଣି ଏହି ପାହାଡ଼ ଗର୍ଭରେ ବିରାଟ ବକ୍ସାସାଇଟ୍‌ ଭଣ୍ଡାର ସହିତ ରହିଛି ମୂଲ୍ୟବାନ୍‌ ଖଣିଜ ପଥର ସମ୍ଭାର। ଖଣ୍ଡୁଆଳମାଳିରେ ବକ୍ସାସାଇଟ୍‌ ଖନନ ପାଇଁ ପରୀକ୍ଷଣ ଏବଂ ରାସ୍ତା ତିଆରି ପାଇଁ ଚେଷ୍ଟା କରାଯାଇଥିବାରୁ ସ୍ଥାନୀୟ ଅଧିବାସୀ ପାହାଡ଼ ଉପରକୁ ବଡ଼ ବିପଦ ମାଡ଼ି ଆସୁଥିବା ଅନୁଭବ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe