ବନ୍ୟଜନ୍ତୁଙ୍କ ଭିତରେ ସବୁଠୁ ହିଂସ୍ର ଜୀବ ସିଂହକୁ ସାଧାରଣତଃ ଜଙ୍ଗଲର ରାଜା ଭାବେ ବିବେଚନା କରାଯାଏ। ଏପରିକି ହାତୀ ପରି ବୃହତ୍ତମ ସ୍ଥଳଚର ପ୍ରାଣୀକୁ ମଧ୍ୟ ସିଂହ ଅନାୟାସରେ ଶିକାର କରି ପକାଇଥାଏ। ଅପରପକ୍ଷେ, ସମ୍ଭବତଃ ଜଙ୍ଗଲରେ ଅନ୍ୟତମ ଶକ୍ତିଶାଳୀ ଜନ୍ତୁ ଗଣ୍ଡା ସହ ସିଂହର କେବେ ବଳ କଷାକଷି ନଜରକୁ ଆସିନଥାଏ। ତେବେ ନିକଟରେ ସାମାଜିକ ଗଣମାଧ୍ୟମରେ ଖୁବ୍ ପ୍ରସାରିତ ହୋଇଥିବା ଏହି ଦୁଇ ପ୍ରାଣୀ ସମ୍ବଳିତ ଏକ ଭିଡିଓ ଭିନ୍ନ ବାର୍ତ୍ତା ଆଣିଛି। ଉକ୍ତ ଭିଡିଓରେ ଦୁଇଟି ଗଣ୍ଡାଙ୍କ ଉପସ୍ଥିତି ତତ୍କାଳ ଦୁଇଟି ସିଂହଙ୍କୁ ଦୂରକୁ ଘଉଡ଼ାଇଦେଇଛି, ସତେ ଯେମିତି ଗଣ୍ଡାଙ୍କ ଠାରୁ ଭୟଭୀତ ହୋଇ ସିଂହ ଦୁଇଟି ସ୍ଥାନ ଛାଡ଼ି ପଳାଉଛନ୍ତି। ପ୍ରାରମ୍ଭରେ ଜଙ୍ଗଲର ଏକ ଚଲାବାଟରେ ଦୁଇଟି ସିଂହ ବିଶ୍ରାମ ନେଇଥିବା ଦେଖାଯାଇଛି। ଏତିକି ବେଳେ ଦୁଇଟି ଗଣ୍ଡା ସେମାନଙ୍କ ଆଡ଼କୁ ମାଡ଼ି ଆସୁଛନ୍ତି। ଏହା ଦେଖି ସିଂହ ଦୁଇଟି ତୁରନ୍ତ ସେଠାରୁ ଉଠି ଦ୍ରୁତ ବେଗରେ ଅନ୍ୟତ୍ର ପଳାଉଛନ୍ତି। ତିରିଶ ସେକେଣ୍ଡର ଏହି ଭିଡିଓଟିକୁ ଖୁବ୍ କମ୍ ସମୟ ଭିତରେ ୫ ଲକ୍ଷ ଦର୍ଶକ ଉପଭୋଗ କରିବା ସହ ଅନେକ ମଧ୍ୟ ମଜାଦାର ଟିପ୍ପଣୀ କରିଛନ୍ତି। କେହି କେହି ଜଙ୍ଗଲର ରାଜା କିଏ ବୋଲି ପ୍ରଶ୍ନ କରିଥିବା ବେଳେ କେହି କେହି ମଧ୍ୟ ସିଂହର ସାଧୁତାକୁ ତାରିଫ କରିଛନ୍ତି। ବନ୍ୟଜନ୍ତୁମାନେ ଖୁସିରେ କେବେ ପରସ୍ପର ମଧ୍ୟରେ ଲଢ଼େଇ କରନ୍ତିନି ଏବଂ ସେ ଦୃଷ୍ଟିରୁ ମଣିଷଠୁ ସେମାନେ ଉନ୍ନତତର ବୋଲି କେହି କେହି କହିଛନ୍ତି। ସେହିପରି ବିପଦ କିମ୍ବା କ୍ଷୁଧା ନ ଆସିଲା ଯାଏ ହିଂସ୍ର ବନ୍ୟଜନ୍ତୁ ଅନ୍ୟ ଉପରେ ଆକ୍ରମଣ କରନ୍ତିନି ଏବଂ ନିଜକୁ ସମ୍ଭାବ୍ୟ ସଂଘର୍ଷରୁ ଦୂରେଇ ରଖି ନିରାପତ୍ତା ଉପଭୋଗ କରିଥା’ନ୍ତି ବୋଲି ମଧ୍ୟ ଅନେକ ଟିପ୍ପଣୀ କରିଛନ୍ତି। ବାସ୍ତବରେ ଗଣ୍ଡାର ହିଂସ୍ରତାକୁ ସମସ୍ତଙ୍କର ଡର ଥାଏ। ବେଳେ ବେଳେ ବନ୍ୟଜନ୍ତୁ ସଫାରି ପରିଭ୍ରମଣ ବେଳେ ପର୍ଯ୍ୟଟକମାନେ ସିଂହ, ବାଘ, ହାତୀ ପରି ଜୀବଙ୍କର ଅତି ନିକଟତର ହୋଇଥିବା ଦେଖାଯାଇଥିବା ବେଳେ ଗଣ୍ଡା କ୍ଷେତ୍ରରେ ସେଭଳି ଦୁଃସାହସ କେହି କରିନଥା’ନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us