କଖାରୁ ମଞ୍ଜି ଓ ଚନ୍ଦନ ପୋଖରୀ

Advertisment
କଖାରୁ ମଞ୍ଜି ଓ ଚନ୍ଦନ ପୋଖରୀ

ବୈଶାଖ ଶୁକ୍ଳ ତୃତୀୟାଠାରୁ ୨୧ ଦିନ ବ୍ୟାପୀ ଶ୍ରୀକ୍ଷେତ୍ରର ନରେନ୍ଦ୍ର ପୁଷ୍କରିଣୀରେ ହୁଏ ଶ୍ରୀଜଗନ୍ନାଥଙ୍କର ବାହାର ଚନ୍ଦନଯାତ୍ରା। ଏଥିରେ ଶ୍ରୀଜଗନ୍ନାଥଙ୍କର ବିଜେ ପ୍ରତିମା ଶ୍ରୀମଦନମୋହନଙ୍କ ସହିତ ଶ୍ରୀଦେବୀ ଓ ଭୂଦେବୀ, ରାମ ଓ କୃଷ୍ଣ ଏବଂ ପଞ୍ଚ ମହାଦେବ (ପଞ୍ଚୁପାଣ୍ଡବ) ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିଥାଆନ୍ତି।
ଏହି ପୁଷ୍କରିଣୀର ନାମ କାହିଁକି ନରେନ୍ଦ୍ର ହୋଇଛି, ସେ ନେଇ ଅନେକ ଇତିହାସ ଓ କିଂବଦନ୍ତି ଅଛି। ଜଗବନ୍ଧୁ ସିଂହଙ୍କ ‘ପ୍ରାଚୀନ ଉତ୍କଳ’ର ତଥ୍ୟ ଅନୁସାରେ- ଗଙ୍ଗବଂଶୀ ରାଜା ଭାନୁ ନରସିଂହ ଦେବ (୧୨୦୪-୧୨୦୯)ଙ୍କ ସମୟରେ ଏହି ପୁଷ୍କରିଣୀ ଖନନ ହୋଇଥିଲା। ଏହାଙ୍କର ପାତ୍ର ଥିଲେ ନଖପୋଷୀ ନରେନ୍ଦ୍ର ମହାପାତ୍ର। ତାଙ୍କ ନାମରେ ଏହି ପୁଷ୍କରିଣୀଟି ନାମିତ। ଅନ୍ୟ ମତରେ- ଗଜପତି କପିଳେନ୍ଦ୍ର ଦେବଙ୍କ ଭାଇ ନରେନ୍ଦ୍ର ଦେବଙ୍କ ନାମାନୁସାରେ ଏହି ପୁଷ୍କରିଣୀ ନାମିତ ହୋଇଛି। ସେ ଓ ତାଙ୍କର ୧୪ ପୁଅ ଯୁଦ୍ଧକ୍ଷେତ୍ରରେ ପ୍ରାଣ ହରାଇଥିଲେ। ସେଥିପାଇଁ ତାଙ୍କ ସ୍ତ୍ରୀ କାଳିନ୍ଦୀ ଦେବୀ ପାଟ ମହାଦେଈଙ୍କ ନାମରେ ଗୋଟିଏ ଘାଟ ଏବଂ ୧୪ ପୁଅଙ୍କ ପାଇଁ ଚଉଦଟି ଘାଟ ଏ ପୋଖରୀରେ ଥିଲା।

କିନ୍ତୁ ଅନ୍ୟ ଏକ କିଂବଦନ୍ତି ଅତ୍ୟନ୍ତ ରୋଚକ। ତାହା ଅନୁସାରେ- ରଣପୁର ରାଜ୍ୟର ରାଜା ଥିଲେ ନରେନ୍ଦ୍ରଦେବ। ସେ ଥିଲେ ଗଜପତି ମହାରାଜାଙ୍କର ଅତ୍ୟନ୍ତ ପ୍ରିୟ ଓ ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ। ଥରେ ରାଜବାଟୀରେ ବୁଲୁବୁଲୁ ସେ ଗୋଟିଏ କଖାରୁ ମଞ୍ଜି ପାଇଲେ ଏବଂ ତାଙ୍କର ଦର୍ଶନ ପାଇଁ ଆସିଥିବା ଜଣେ ଧନୀ ସର୍ବରାକାରଙ୍କୁ ତାହା ଦେଲେ। କହିଲେ- ଶ୍ରୀଜଗନ୍ନାଥଙ୍କ ନାମରେ ଏ ମଞ୍ଜିଟିକୁ ପୋତିବ ଏବଂ ଯାହା ଫଳ ଫଳିବ ତାହା ଠାକୁରଙ୍କୁ ଦେବ। ବିଶ୍ୱାସ ରଖିଲେ ନିଶ୍ଚୟ ସୁଫଳ ମିଳିବ।
କିଂବଦନ୍ତି ଅନୁସାରେ- ସେହି କଖାରୁ ମଞ୍ଜିର ଲତା ପାଞ୍ଚବର୍ଷ ବଞ୍ଚିଲା ଏବଂ ପ୍ରଚୁର ଫଳ ଫଳିଲା। ତାହାର ବିକ୍ରିରୁ ଲକ୍ଷାଧିକ ଟଙ୍କା ମିଳିଲା। ଯେତିକି ଆୟତନରେ ସେହି କଖାରୁ ଲଟା ମାଡ଼ିଥିଲା, ସେହି ଆୟତନରେ ଏବଂ ସେହି ଅର୍ଥରେ ନରେନ୍ଦ୍ର ପୁଷ୍କରିଣୀ ଖୋଳାହେଲା। ତେଣୁ ରଣପୁରର ରାଜା ନରେନ୍ଦ୍ର ଦେବଙ୍କ ନାମରେ ତାହାର ନାମ ନରେନ୍ଦ୍ର ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe