ଝିଅର ଛାଡ଼ପତ୍ର ପରେ ବାଜା ଓ ବାଣ ଫୁଟାଇ ଘରକୁ ଫେରାଇ ଆଣିଲେ ବାପା ଓ ମା’

Advertisment
ଝିଅର ଛାଡ଼ପତ୍ର ପରେ ବାଜା ଓ ବାଣ ଫୁଟାଇ ଘରକୁ ଫେରାଇ ଆଣିଲେ ବାପା ଓ ମା’

କାନପୁର: ଝିଅଟିକୁ ବିବାହ ଦେଇ ଶାଶୁଘରକୁ ପଠାଇବା ପାଇଁ ପ୍ରତ୍ୟେକ ବାପା ଓ ମା’ ଅନେକ ଦିନରୁ ପ୍ରସ୍ତୁତି ଆରମ୍ଭ କରି ଦେଇଥାଆନ୍ତି। ସବୁବେଳେ ଭଗବାନଙ୍କ ନିକଟରେ ବାପା ଓ ମା’ ଝିଅ କେମିତି ଶାଶୁଘରେ ଖୁସିରେ ରହୁ ସେଥିପାଇଁ ଶୁଭମନାସୁ ଥାଆନ୍ତି।

ଏହି କ୍ରମରେ ଝିଅର ଯଦି ‌ ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୁଏ ଅଥବ‌ା କୌଣସି କାରଣରୁ ଛାଡ଼ପତ୍ର ହୋଇଯାଏ ବାପା ଓ ମା’ ଦୁଃଖରେ ଭାଙ୍ଗି ପଡ଼ିଥାଆନ୍ତି। ସେମାନେ ନିଜ ଅପେକ୍ଷା ସାହିପଡ଼ିଶା ବିବାହିତା ଝିଅକୁ ଘରେ ରଖିଲେ କ’ଣ କହିବେ ସେ ଚିନ୍ତାରେ ପଡ଼ି ଯାଇଥାଆନ୍ତି। ନିକଟରେ ଏହାର ଏକ ଓଲଟା ଘଟଣା ଉତ୍ତରପ୍ରଦେଶର କାନପୁରରେ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର କାନପୁରରେ ବସବାସ କରୁଥିବା ଅନିଲ କୁମାରଙ୍କ ଝିଅ ଉର୍ବି ଦିଲ୍ଲୀର ପାଲମ ବିମାନବନ୍ଦରରେ ଜଣେ ଇଞ୍ଜିନିୟର ଭାବେ କାମ କରନ୍ତି। ଉର୍ବିଙ୍କ ବିବ‌ାହ ୨୦୧୬ ମସିହାରେ ଜଣେ କମ୍ପ୍ୟୁଟର ଇଞ୍ଜିନିୟରଙ୍କ ସହିତ ହୋଇଥିଲା।

ବିବାହର କିଛିଦିନ ସବୁକିଛି ଠିକଠାକ ଚାଲିଥିବା ବେଳେ ଧୀରେଧୀରେ ଉର୍ବିଙ୍କୁ ‌ଶାଶୁଘରଲୋକ ଯୌତୁକ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲେ। ପ୍ରଥମେ ପ୍ରଥମେ ଉର୍ବି ସବୁକିଛି ସହି ଯାଉଥିଲେ। ଦୀର୍ଘ  ୮ବର୍ଷ ଧରି ନିଜ ସମ୍ପର୍କକୁ ବଞ୍ଚାଇବା ପାଇଁ ସେ ଚେଷ୍ଟା କରିଥିଲେ କିନ୍ତୁ ଦିନକୁ ଦିନ ଶାଶୁଘର ଲୋକଙ୍କ ନିର୍ଯାତନା ଉର୍ବିଙ୍କ ଉପରେ ବଢ଼ି ଚାଲିଥିଲା। ଶେଷରେ ନିର୍ଯାତନା ସହି ନପାରି ଉର୍ବି ଛାଡ଼ପତ୍ର ନେଇ ଏସମ୍ପର୍କରୁ ମୁକ୍ତି ପାଇବା ପାଇଁ ସ୍ଥିର କରି କୋର୍ଟରେ ଏହାର ଆବେଦନ କରିଥିଲେ। ଗତ ଫେବ୍ରୁଆରି ୨୮ ତାରିଖରେ ଉର୍ବିଙ୍କ ଛାଡ଼ପତ୍ର ହୋଇଯାଇଥିଲା। ଉର୍ବିଙ୍କ ଏକ ଝିଅ ମଧ୍ୟ ରହିଛି।

ଝିଅର ଛାଡ଼ପତ୍ର ପରେ ବାପା ଅନିଲ ଓ ମା’ କୁସୁମଲତା କହିଛନ୍ତି, ‘ପ୍ରତିଦିନ ନିର୍ଯାତନା ସହିବା ଅପେକ୍ଷା ଝିଅ ଓ ନାତୁଣୀ ଆମ ପାଖକୁ ଫେରି ଆସିଥିବାରୁ ଆମେ ଭଗବାନଙ୍କୁ ଧନ୍ୟବାଦ ଦେବୁ। ଛାଡ଼ପତ୍ର ପରେ ଲୋକେ ଝିଅକୁ ଗ୍ରହଣ କରନ୍ତି ନାହିଁ।

ତେଣୁ ସେହି ଲୋକମାନଙ୍କୁ ଆମେ କହିବୁ ଝିଅ ଯଦି ତାର ଶାଶୁଘରେ ଖୁସିରେ ନାହିଁ ତାକୁ ସମ୍ମାନର ସହ ଘରକୁ ଫେରାଇ ଆଣନ୍ତୁ। ଜୋରଜବରଦସ୍ତି ତାକୁ ଶାଶୁଘରେ ରଖିଲେ ଦିନେ ନା ଦିନେ ଆପଣ ଆପଣଙ୍କ ଝିଅକୁ ହରାଇ ଦେବେ। ସମାଜକୁ ସକରାତ୍ମକ ବାର୍ତ୍ତା ଦେବା ପାଇଁ ଆମେ ଆମ ଝିଅକୁ ଛାଡ଼ପତ୍ର ପରେ ବାଜା ଓ ବାଣ ଫୁଟାଇ ଘରକୁ ଫେରାଇ ଆଣିଛୁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe