ପର୍ଯ୍ୟଟନ ଓ ପରିଭ୍ରମଣ ଦିବସ: ଓଡ଼ିଶାରେ ‘କାରାଭାନ୍ ପର୍ଯ୍ୟଟନ’

ଲକ୍‌ଜୁରି ବସ୍‌ରେ ମିଳିବ ଭ୍ରମଣର ମଜା, ପର୍ଯ୍ୟଟନରେ ନୂଆ ଅଧ୍ୟାୟ ସୃଷ୍ଟି ହେବ : ମନ୍ତ୍ରୀ

ପର୍ଯ୍ୟଟନ ଓ ପରିଭ୍ରମଣ ଦିବସ: ଓଡ଼ିଶାରେ ‘କାରାଭାନ୍ ପର୍ଯ୍ୟଟନ’

ଭୁବନେଶ୍ବର : ଓଡ଼ିଶାର ଯେକୌଣସି ପର୍ଯ୍ୟଟନ ସ୍ଥଳକୁ କିମ୍ବା ପ୍ରକୃତି, ପାହାଡ଼ ଘେରା ଅଞ୍ଚଳକୁ ଯିବାକୁ ଆଉ କୌଣସି ଅସୁବିଧା ହେବ ନାହିଁ। ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳ ପୁରୀ ହେଉ ବା କୋଣାର୍କ, କିମ୍ବା କୋରାପୁଟ ବା ଦାରିଙ୍ଗବାଡ଼ି; ଏବେ ନିର୍ଦ୍ବନ୍ଦ୍ବରେ ରହିବା, ଖାଇବା ପିଇବା ସୁବିଧା ସହ ଜଣେ ପର୍ଯ୍ୟଟକ ସେଠାରେ ପହଞ୍ଚିପାରିବ। ବୁଲିଯାଉଥିବା ପର୍ଯ୍ୟଟନ ସ୍ଥଳରେ ରହିବା ପାଇଁ ହୋଟେଲ ସୁବିଧା ଥାଉ କି ନଥାଉ, ଖାଇବା ପାଇଁ ରେସ୍ତୋରାଁ ନଥିଲେ କି ଶୌଚ ହେବା ପାଇଁ‌ ଶୌଚାଳୟ ନଥିଲେ ବି କିଛି ଅସୁବିଧା ହେବ ନାହିଁ। କାରଣ ଜଣେ ପର୍ଯ୍ୟଟକ ଏସବୁ ନିଜ ସା‌ଙ୍ଗରେ ନେଇ ଯିବାର ବ୍ୟବସ୍ଥା କରିବ ପର୍ଯ୍ୟଟନ ବିଭାଗ। ଖୁବ୍‌ ଶୀଘ୍ର ଓଡ଼ିଶା ପର୍ଯ୍ୟଟନରେ ସାମିଲ ହେବ ‘ହୋଟେଲ-ଅନ୍‌-ହ୍ବିଲ୍‌’ ବା କାରାଭାନ୍‌ ପର୍ଯ୍ୟଟନ। ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ କରାଯାଇଛି।

ପ୍ରାଥମିକ ପର୍ଯ୍ୟାୟରେ ହୋଇଥିବା ଯୋଜନା ଅନୁଯାୟୀ ‘କାରାଭାନ୍ ଟୁରିଜିମ୍‌’ ପାଇଁ ଓଡ଼ିଶାକୁ ୫ଟି ଲକ୍‌ଜୁରି ବସ୍‌ ଅଣାଯିବ। ଏଥିରେ ରହିବା ପାଇଁ ହୋଟେଲ ଭଳି ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ ହେବ। ଶୀତତା‌ପ ନିୟନ୍ତ୍ରିତ ଏହି ବସ୍‌ ମଧ୍ୟରେ ରହିବ ଗାଧୁଆ ଘର, ଶୌଚାଳୟ, ମାଇକ୍ରୋୱେଭ୍‌ ଓ ଫ୍ରିଜ୍‌ ସୁବିଧା ଥିବା ରୋଷେଇ ଘରଠାରୁ ଆରମ୍ଭ କରି ଶୋଇବା ଘର ସୁବିଧା‌। ତାରକା ହୋଟେଲ ଭଳି ରହିବ ଏହି ବସ୍‌ର ଭିତରର ଚିତ୍ର। ସୋଫା ସେଟ୍‌ ସହ ଟିଭି ଦେଖିବାର ସୁବିଧା ବି ଏଠାରେ ଉପଲବ୍ଧ ହେବ। ବଲିଉଡ୍‌ ତାରକାମାନଙ୍କ ଭ୍ୟାନିଟି ଭ୍ୟାନ୍‌ ଭଳି ଏହି ବସ୍‌ଗୁଡ଼ିକରେ ସମସ୍ତ ଅତ୍ୟାବଶ୍ୟକୀୟ ସୁବିଧା ଉପଲବ୍ଧ ହେବ। ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ଓଡ଼ିଶାକୁ ଏହିଭଳି ୫ଟି ଲକ୍‌ଜୁରି ବସ୍‌ ଆସିବ। ସେଥିରୁ ୩ଟି ବସ୍‌ ଓଟିଡିସି ଓ ୨ଟି ବସ୍‌ ଘରୋଇ ସଂସ୍ଥା ମାଧ୍ୟମରେ ପରିଚାଳିତ ହେବ। ଯଦି ଏହି ପର୍ଯ୍ୟଟନ ସଫଳ ହୁଏ, ତେବେ ରାଜ୍ୟକୁ ଏହିଭଳି ଅଧିକ ବସ୍‌ ଆଣିବାକୁ ଯୋଜନା କରାଯିବ। କର୍ଣ୍ଣାଟକରେ ଗତବର୍ଷ ଜୁଲାଇରେ ‘କାରାଭାନ୍‌ ପର୍ଯ୍ୟଟନ’ ଆରମ୍ଭ ହୋଇଥିବା ବେଳେ ସେଠାରେ ଏହା ସଫଳ ହୋଇଥିବା ଜଣାପଡ଼ିଛି।

publive-image

କରୋନା ପର୍ଯ୍ୟଟନ ଶିଳ୍ପକୁ ସମ୍ପୂର୍ଣ୍ଣ ଉଜାଡ଼ି ଦେଇଥିବା ବେଳେ ପର୍ଯ୍ୟଟନ ଶିଳ୍ପରେ ନୂତନ ଧାରା ସୃଷ୍ଟି ହେବାର ସମୟ ଆସିଛି। ଟ୍ରେନ୍‌, ବସ୍‌ କିମ୍ବା ଉଡ଼ାଜାହଜରେ ଯାତ୍ରା କରିବା କରୋନା କାଳରେ ନିରାପଦ ହୋଇନଥିବାରୁ ‘କାରାଭାନ୍‌ ପର୍ଯ୍ୟଟନ’ ଉପରେ ଗୁରୁତ୍ବାରୋପ କରିବାକୁ ଯାଉଛି ରାଜ୍ୟ ପର୍ଯ୍ୟଟନ। ନିଜ ପରିବାର ବା ବନ୍ଧୁମାନଙ୍କ ସହ ଏଭଳି ଲକ୍‌ଜୁରି ବସ୍‌ ବୁକ୍‌ କରି ପର୍ଯ୍ୟଟକମାନେ ସାରା ଓଡ଼ିଶା ବୁଲିପାରିବେ। ଦିନ ହିସାବରେ ଏହାର ଭଡ଼ା ରହିବ ଓ ଜଣେ ପର୍ଯ୍ୟଟକ ଚାହିଁଲେ ଯେତେ ଦିନ ପାରିବେ ସେତେଦିନ ଏହି ବସ୍‌ ବୁକିଂ କରି ବୁଲିପାରିବେ। ଏଥିସହ କାରାଭାନ୍‌ ପର୍ଯ୍ୟଟନ ଅଧୀନରେ ବସ୍‌ ଭଡ଼ା କରି ଯାଉଥିବା ପର୍ଯ୍ୟଟକମାନଙ୍କ ସୁରକ୍ଷାର ଦାୟିତ୍ବ ବି ରାଜ୍ୟ ସରକାର ନେବେ। ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ଲକ୍‌ଜୁରି ବସ୍‌ ଆସୁଥିବା ବେଳେ ଏହା ବାହାର ପର୍ଯ୍ୟଟକଙ୍କୁ ଓଡ଼ିଶା ଟାଣିବାରେ ଅଧିକ ସହାୟକ ହେବ ବୋଲି ଆଶା କରାଯାଉଛି।

ଏ ସମ୍ପର୍କରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି, କରୋନାକୁ ହରାଇ ପର୍ଯ୍ୟଟନକୁ ଠିଆ କରିବାକୁ ହେଲେ କିଛି ଭିନ୍ନ ଚିନ୍ତା କରିବାକୁ ହେବ। ‘କାରାଭାନ୍‌ ପର୍ଯ୍ୟଟନ’ ପ୍ରତି ବିଭିନ୍ନ ସ୍ଥାନରେ ଆଗ୍ରହ ବଢ଼ୁଥିବାରୁ ଓଡ଼ିଶାରେ ଏହାକୁ ଆରମ୍ଭ କରିବା ପାଇଁ ଯୋଜନା କରାଯାଉଛି। ଏନେଇ ପ୍ରାଥମିକ ପର୍ଯ୍ୟାୟରେ ଆଲୋଚନା ସରିଛି। ଖୁବ୍ ଶୀଘ୍ର ଆନୁଷଙ୍ଗିକ ପ୍ରକ୍ରିୟା ଆରମ୍ଭ ହେବ। ଯଦି ଯୋଜନା ମୁତାବକ ସବୁ ଠିକ୍‌ ଚାଲେ ତେବେ ଓଡ଼ିଶା ପର୍ଯ୍ୟଟନରେ ଏହା ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ।

ସୂଚନାଯୋଗ୍ୟ, କରୋନା ମହାମାରୀ ପର୍ଯ୍ୟଟନ ଶିଳ୍ପର ଅଣ୍ଟା ଭାଙ୍ଗି ଦେଇଥିବା ବେଳେ ଏହାର ପୁନରୁତ୍ଥାନ ପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ପରୀକ୍ଷାନିରୀକ୍ଷା ଜାରି ରହିଛି। ଯେହେତୁ ବିଦେଶ ଯାତ୍ରା ଉପରେ କଟକଣା ଲାଗିଛି, ‌ତେଣୁ ପର୍ଯ୍ୟଟକମାନେ ଦେଶ ଭିତରେ ବୁଲାବୁଲି କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଦେଶୀୟ ପର୍ଯ୍ୟଟକମାନଙ୍କୁ ନଜରରେ ରଖି ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଗତ ବର୍ଷ ୫ଟି ସ୍ଥାନରେ ‘ଇକୋ ରିଟ୍ରିଟ୍‌’ର ଆୟୋଜନକୁ ବେଶ୍‌ ସଫଳତା ମିଳିଥିଲା। ସେହିଭଳି ଇକୋ-ଟୁର୍‌ ଓ ରୋଡ୍‌ ଟ୍ରିପ୍‌ ଉପରେ ବି ଅଧିକ କାମ କରାଯାଉଛି। ବିଳାସପୂର୍ଣ୍ଣ ନଦୀ କ୍ରୁଜ୍‌ ପାଇଁ ବି କାମ ଚାଲିଛି। ହୀରାକୁଦ, ମହାନଦୀ ଭଳି କିଛି ନଦୀରେ ଜାନୁଆରି ଓ ଫେବୃଆରି ସୁଦ୍ଧା ଏହି କାମ ଶେଷ ହେବ ଓ ପର୍ଯ୍ୟଟକମାନେ କ୍ରୁଜ୍‌ ଟୁର୍‌ର ମଜା ନେଇପାରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe