ନୂଆଦିଲ୍ଲୀ: କର୍ମଣ୍ୟେ ବାଧିକାରସ୍ତେ ମା ଫଳେସୁ କଦାଚନ... ମା କର୍ମଫଳ ହେତୁର୍ଭୂର୍ମା ତେ ସଙ୍ଗୋସ୍ତବ କର୍ମଣି...ଅର୍ଥାତ ଭଗବାନଙ୍କ ସରଣରେ ରହି ଭଗବାନଙ୍କୁ ଧର୍ମକ୍ଷେତ୍ର ଭାବି ମନକୁ ସ୍ଥିର କରି ତାଙ୍କର ସେବକ ହୋଇ କର୍ମ କରିଚାଲ, ଦେଖିବ ନିଜର କର୍ମ ଅନୁସାରେ ଫଳ ନିଶ୍ଚିତ ଆପେଆପେ ପ୍ରାପ୍ତ ହୋଇଯିବ... ଏକଥା ଆମେ ଗୀତାରୁ ଶୁଣି ଆସିଛୁ । ଯେମିତି କର୍ମ ସେମିତି ଫଳ । ଯିଏ ନିଷ୍ଠାର ସହ କର୍ମ କରେ ତାକୁ ତାର ଫଳ ନୁହେଁ ବରଂ ସୁଫଳ ମିଳେ । ଅର୍ଥାତ ଜୀବନରେ ପରିଶ୍ରମର ଫଳ କେବେ ବୃଥା ଯାଏନି । ସମୟ ଲାଗେ, ସଂଘର୍ଷ କରିବାକୁ ପଡେ, କଠିନ ସମୟ ଆସେ... ହେଲେ ଯଦି ମଣିଷ ଭାଙ୍ଗି ନପଡି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସ୍ଥିର କରି ସେମିତି ପରିଶ୍ରମ କରୁଥାଏ ତେବେ ତାହା ଆଜି ନହେଲେ କି କାଲି, ମାସ ନହେଲେ ବି ବର୍ଷ ପରେ ବର୍ଷ ବିତିବା ପରେ ବି ପ୍ରାପ୍ତ ହୋଇଥାଏ । ଯାହାର ବଡ଼ ଉଦାହରଣ ହେଉଛନ୍ତି ବିରାଟ୍ କୋହଲି । ଗୀତାର ଏହି ମହତ ବାଣୀ ବିରାଟଙ୍କ କ୍ଷେତ୍ରରେ ପ୍ରତିଫଳିତ ହୋଇଛି । ଯେଉଁଠି ସେ ଆରସିବିକୁ ଚାମ୍ପିୟନ କରିବା ପାଇଁ ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ୧୮ ବର୍ଷର ଦୀର୍ଘ ପ୍ରତୀକ୍ଷା କରିଛନ୍ତି ।
ଅଧିକ ପଢନ୍ତୁ-
କୋହଲିଙ୍କୁ କି ବାଣୀ ଶୁଣାଇଥିଲେ ପ୍ରେମାନନ୍ଦ ମହାରାଜ ? ଆରସିବିର ବଡ଼ ବିଜୟ ପରେ ଟ୍ରେଣ୍ଡ କରୁଛି ଏସବୁ ଫଟୋ...
୨୦୦୮ରୁ ୨୦୨୫- ଆଇପିଏଲର ଏ ଯାତ୍ରା ସତରେ ସହଜ ନୁହେଁ । ଏହି ୧୮ ବର୍ଷରେ କେତେ କଣ ବଦଳିଛି, କିଏ ଦଳ ବଦଳାଇ ଦେଇଛି ତ କିଏ ଟ୍ରଫି ନିଜ ନିଜ ନାଁରେ କରି ଇତିହାସ ରଚିଛି । ହେଲେ ବିରାଟ ଆରମ୍ଭରୁ ହିଁ ସେହି ଆରସିବିରେ ରହିଛନ୍ତି । ଏହି ଦୀର୍ଘ ଯାତ୍ରାରେ ବିରାଟ କେତେ କଣ ଘାତ ପ୍ରତିଘାତର ସାମ୍ନା କରିଛନ୍ତି । ଦଳକୁ ଚାମ୍ପିୟନ କରିବା ପାଇଁ କେତେ ପ୍ରୟାସ କରିଛନ୍ତି, ପରିଶ୍ରମ କରିଛନ୍ତି । ସଫଳତାର ସ୍ବାଦ ଚାଖିବାକୁ କେଇ ହାତ ଦୂରରୁ ବି ହାରିଯାଇଛନ୍ତି । କେବେକେବେ ସ୍ବପ୍ନ ସତ ହେଉ ହେଉ ସ୍ବପ୍ନଭଙ୍ଗ ହୋଇଛି । ୨୦୦୯, ୨୦୧୧, ୨୦୧୬ ମସିହାରେ ଯଦିଓ ଆରସିବି ୩ ଥର ଫାଇନାଲକୁ ଯାଇଥିଲା ତଥାପି ଚାମ୍ପିୟନ ହୋଇପାରିନଥିଲା । ବିଜୟ-ପରାଜୟର ସେ ଘଡିସନ୍ଧି ମୁହୂର୍ତ୍ତରେ ବି ଭାଙ୍ଗି ନପଡି ଗୋଟିଏ ଦଳ ପ୍ରତି ସମର୍ପଣଭାବ ଦେଖାଇ ନିଷ୍ଠାର ସହ ଗୋଟେ ପରେ ଗୋଟେ ସଂସ୍କରଣରେ ଲଢେଇ ଜାରି ରଖୁଥିଲେ ବିରାଟ । ଆଉ ଶେଷରେ ୨୦୨୫ରେ ଆରସିବିର ସ୍ବପ୍ନ ସତ ହୋଇଛି । ଏଥିସହ ବିରାଟଙ୍କ ପରିଶ୍ରମର ଫଳ ତାଙ୍କୁ ମିଳିଛି ।
ବିଜୟ ପରେ ଭାବପ୍ରବଣ ହୋଇଥିଲେ କୋହଲି । ଆରସିବି ଆଇପିଏଲ ଫାଇନାଲ ଜିତିବା ପରେ କାନ୍ଦି ପକାଇଲେ କୋହଲି । ଦୀର୍ଘ ୧୮ ବର୍ଷର ସ୍ବପ୍ନ-ସଂଘର୍ଷ ଯେତେବେଳେ ସତ ହୋଇଛି ସେତେବେଳେ ନିଜକୁ ଆଉ ସମ୍ଭାଳି ପାରିନଥିଲେ । ପଡିଆରେ ନିଜ ଖୁସି ଜାହିର କଲା ବେଳେ କାନ୍ଦି ପକାଇଥିଲେ । ତାଙ୍କ ଆଖିରେ ଲୁହ ଜକେଇ ଆସିଥିଲା ଆଉ ସେ ମାଟିରେ ମୁଣ୍ଡ ରଖି କାନ୍ଦିଥିଲେ । ଯାହା ବିରାଟଙ୍କ ପ୍ରଶଂସକଙ୍କୁ ଭାବପ୍ରବଣ କରିବା ସହ ଏ ଦୃଶ୍ୟ ସମସ୍ତଙ୍କୁ ଚକିତ କରିଥିଲା ।
ଅଧିକ ପଢନ୍ତୁ-
୧୮-୧୮-୧୮... ଆଇପିଏଲ ଓ ଆରସିବି ଭିତରେ ୧୮ ସଂଖ୍ୟାକୁ ନେଇ ଅଜବ ସଂଯୋଗ
ବିରାଟଙ୍କ ଲୁହ ଏମିତି ସେମିତି ଲୁହ ନୁହେଁ... ଏ ଲୁହ ଦୁଃଖ-ଦରଜର ଲୁହ, ପ୍ରତୀକ୍ଷାର ଲୁହ, ସଂଘର୍ଷର ଲୁହ ଆଉ ଖୁସିର ଲୁହ... ଏଇ ଆଖି ୧୭ ବର୍ଷ ଧରି ପରାଜୟରୁ ପାଖରୁ ଦେଖିଛି, ଲୁହ ଢଳି ଆସୁଥିଲେ ବି ତାକୁ ଅଟକେଇ ଦେଇଛି... ଆଖିରେ ଆଖିଏ ସ୍ବପ୍ନ ନେଇ ସେମିତି ଅପେକ୍ଷା କରିଛି । ହେଲେ ଏବେ ଯେତେବେଳେ ସେହି ମୁହୂର୍ତ୍ତ ଆସିଛି, ୧୮ ବର୍ଷ ଅପେକ୍ଷାର ଅନ୍ତ ଘଟିଛି ସେତେବେଳେ ଆଉ ଆଖି ଲୁହକୁ ଅଟକାଇପାରିନି । ଖୁସିର ଲୁହ ଆଖିର ଏରୁଣ୍ଡି ଡେଇଁ ବହିଯାଇଛି । ଆଖିର ଦରଜା ଖୋଲି ସେ ଲୁହ ସାରା ଦୁନିଆକୁ କହିଛି ଦେଖ- ଜୀବନରେ ପରିଶ୍ରମର ଫଳ ବୃଥା ଯାଏନି । ବାସ୍ ଖାଲି ଅପେକ୍ଷା ଲୋଡା...
ଖାଲି ବିରାଟ ନୁହଁନ୍ତି ଆମକୁ ଆମ ବାପାମାଆ ପଢିବା ବେଳେ ଜୀବନରେ ବଡ଼ ହେବାକୁ କିମ୍ବା ବିଦ୍ୟାଳୟରେ ଗୁରୁଜୀ ଗୁରୁମାମାନେ ଉଚିତ୍ କର୍ମ କରିବାକୁ ପରାମର୍ଶ ଦିଅନ୍ତି । ଗୀତାର ଦିବ୍ୟବାଣୀକୁ କହି ଆମ ମନରେ କର୍ମ ପ୍ରତି ସମର୍ପଣ ଭାବ ଜାଗ୍ରତ କରାନ୍ତି । ଆଉ କୁହନ୍ତି- ସଂସାରରେ କର୍ମ କରିଚାଲ, ଫଳକୁ ଆଶା ରଖନ୍ତି, ଉପରବାଲା ଫଳ ଦେଲା ବାଲା, ସମୟ ଆସିଲେ ସେ ଯେମିତି ହେଲେ ଦେବ... ଏହି କଥାର ଜ୍ବଳନ୍ତ ପ୍ରତିଫଳନ ଆଜି ବିରାଟଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/06/04/rHEPfuWikeL5m8aU6DIO.jpg)