ନୂଆଦିଲ୍ଲୀ: ସାଧାରଣତଃ ଆମ ଆଖପାଖରେ ଯେତେବେଳେ ଚୋରି-ଡକାୟତି, ହତ୍ୟା କିମ୍ବା ଅନ୍ୟ କୌଣସି ଦୁର୍ଘଟଣା ଘଟେ, ସେତେବେଳେ ଘଟଣାର ଅନୁସନ୍ଧାନ କରିବାକୁ ପୁଲିସ କର୍ମଚାରୀ ଆସିଥାନ୍ତି | ସମାଜରେ ଶାନ୍ତି ବଜାୟ ରଖିବାରେ ପୁଲିସମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ଆପଣ ନିଶ୍ଚୟ ପୁଲିସଙ୍କ ୟୁନିଫର୍ମ ଦେଖିଥିବେ | ଏହି ୟୁନିଫର୍ମରେ ସେମାନଙ୍କ କାନ୍ଧରେ ଏକ ଦଉଡି ବନ୍ଧା ହୋଇଥିବାର ଦେଖିଥିବେ | ଏହି ଦଉଡି ଦେଖି ଆପଣଙ୍କ ଭଳି ଅନେକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥାଏ ଯେ ଏହି ଦଉଡିଟିର କାମ କଣ ଓ କାନ୍ଧ ପାଖରେ କାହିଁକି ଏହା ଲାଗିଛି ? ଆଜି ଆମେ ଆପଣଙ୍କୁ କହିବୁ ଯେ ଏହି ଦଉଡିଟି କାହିଁକି ଥାଏ । ବାସ୍ତବରେ, ପୁଲିସ୍ ୟୁନିଫର୍ମରେ ଲାଗିଥିବା ଏହି ଦଉଡିକୁ ଲାନୟାର୍ଡ କୁହାଯାଏ | ଯଦି ଆପଣ ଏହି ଦଉଡିଟିକୁ ପାଖରୁ ଦେଖିବେ ତେବେ ଜାଣିପାରିବେ ଯେ ଏହି ଦଉଡିଟିରେ ଏକ ହ୍ୱିସିଲ ବନ୍ଧା ହୋଇ ରହିଥାଏ |
ଏହି ହ୍ୱିସିଲଟି ପୁଲିସଙ୍କ ସାର୍ଟ ପକେଟରେ ଥାଏ | ଆଉ ହ୍ୱିସିଲ ଓ ପକେଟକୁ ଯୋଡି ରଖିବା ପାଇଁ ଏହି ଦଉଡ଼ିଟି ଥାଏ | ଏବେ ଆପଣ କହିବେ ଯେ ଏହି ହ୍ୱିସିଲର କାର୍ଯ୍ୟ କ’ଣ? ପ୍ରକୃତରେ ଜରୁରୀକାଳୀନ ପରିସ୍ଥିତିରେ ପୁଲିସ୍ ଏହି ହ୍ୱିସିଲ ବ୍ୟବହାର କରନ୍ତି | ଉଦାହରଣ ସ୍ୱରୂପ, ଯଦି ଜରୁରୀକାଳୀନ ପରିସ୍ଥିତିରେ ଗାଡି ଅଟକାଇବାକୁ ପଡେ, ତେବେ ପୁଲିସ୍ କର୍ମଚାରୀ ଏହି ହ୍ୱିସିଲ ବ୍ୟବହାର କରିଥାନ୍ତି | ଏହି ହ୍ୱିସିଲ ୟୁନିଫର୍ମ ସହିତ ଲାଗିରହିଥାଏ, ଯାହାଫଳରେ ଆବଶ୍ୟକ ସମୟରେ ଏହାକୁ ସହଜରେ ବ୍ୟବହାର କରିପାରିବେ |
Follow Us