ଜଣାଅଜଣା ଓଡ଼ିଶା: ନୀଳକଣ୍ଠଙ୍କ ନିଶ

‘‘ଓଁବ୍ରହ୍ମତ୍ବ ବୁଡ଼ିଗଲା ମନ୍ତ୍ରସ୍ୟ, ଜାତିପାଟକ ଋଷିଃ, ଅଟକିଦବା ଛନ୍ଦଃ, ଈର୍ଷା ବୀଜଂ, ଫୁସଲା ଶକ୍ତିଃ, ଭାଙ୍ଗଖର୍ଚ୍ଚେ ଠେଙ୍ଗା ନିୟୋଜନଂ କୀଳକଂ, ବଡ଼ବଡ଼ ଉପାଧିର୍ଦେବତା, ନିଶଧାରୀସଗୋତ୍ରସ୍ୟ, ମମ ଅଯଥାପ୍ରଦୀପନେ ଅଜ୍ଞାତବିଶ୍ରୁତ ନିଶସ୍ତବାରମ୍ଭେ ବିନିଯୋଗଃ।

4RWE

ସ୍ବରାଜ ମିଶ୍ର

‘‘ଓଁବ୍ରହ୍ମତ୍ବ ବୁଡ଼ିଗଲା ମନ୍ତ୍ରସ୍ୟ, ଜାତିପାଟକ ଋଷିଃ, ଅଟକିଦବା ଛନ୍ଦଃ, ଈର୍ଷା ବୀଜଂ, ଫୁସଲା ଶକ୍ତିଃ, ଭାଙ୍ଗଖର୍ଚ୍ଚେ ଠେଙ୍ଗା ନିୟୋଜନଂ କୀଳକଂ, ବଡ଼ବଡ଼ ଉପାଧିର୍ଦେବତା, ନିଶଧାରୀସଗୋତ୍ରସ୍ୟ, ମମ ଅଯଥାପ୍ରଦୀପନେ ଅଜ୍ଞାତବିଶ୍ରୁତ ନିଶସ୍ତବାରମ୍ଭେ ବିନିଯୋଗଃ।’’ ଏହା ଥିଲା ୧୧୩ ବର୍ଷ ତଳେ  ‘ମୁକୁର’ ପତ୍ରିକାରେ ପ୍ରକାଶିତ ଏକ ବିଦ୍ରୂପାତ୍ମକ ପ୍ରବନ୍ଧର ପ୍ରଥମ ଧାଡ଼ି। ପ୍ରବନ୍ଧର ନାମ- ‘ନିଶ’। ତିନିମାସ ପୂର୍ବରୁ ୧୯୧୧ ଅକ୍‌ଟୋବରରେ ସେହି ପତ୍ରିକାରେ ପ୍ରକାଶିତ ‘ମୋ ନିଶ’ ପ୍ରବନ୍ଧର ତାହା ଥିଲା ଦ୍ବିତୀୟ ପ୍ରସ୍ଥ।

ବିଶ୍ବାସ କରିବା କଷ୍ଟ, କିନ୍ତୁ ଏଇ ପ୍ରବନ୍ଧ ଦୁଇଟି ସେତେବେଳେ ଓଡ଼ିଶାରେ ଆରମ୍ଭ ହୋଇଥିବା ଏକ ସାମାଜିକ ଆନ୍ଦୋଳନର ମୁଖ୍ୟ ଉପଜୀବ୍ୟ ସାଜିଥିଲା। ଆନ୍ଦୋଳନର ନାମ ‘ନିଶ ଆନ୍ଦୋଳନ’ ଏବଂ ଏହାର ନାୟକ ଥିଲେ ପଣ୍ଡିତ ନୀଳକଣ୍ଠ ଦାସ। ପଣ୍ଡିତ ନୀଳକଣ୍ଠ ସତ୍ୟବାଦୀର ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ। ତାଙ୍କ ଜନ୍ମ ୧୮୮୪ ମସିହା ଅଗଷ୍ଟ ୫ ତାରିଖରେ ସାକ୍ଷୀଗୋପାଳ ନିକଟବର୍ତ୍ତୀ ଶ୍ରୀରାମଚନ୍ଦ୍ରପୁର ଶାସନର ଏକ କୁଳୀନ ବ୍ରାହ୍ମଣ ପରିବାରରେ ହୋଇଥିଲା। ପୁରୀ ଜିଲ୍ଲା ସ୍କୁଲ୍‌ ଓ ରେଭେନ୍ସାରୁ ପାଠପଢ଼ା ସାରି ସେ କଲିକତା ବିଶ୍ବବିଦ୍ୟାଳୟରେ ଏମ୍‌ଏ ପଢ଼ିଥିଲେ ଏବଂ ସେଠାରୁ ଉତ୍ତୀର୍ଣ୍ଣ ହେବା ପରେ ୧୯୧୧ ଅକ୍‌ଟୋବର ମାସରେ ସେ ଗୋପବନ୍ଧୁଙ୍କ ଦ୍ବାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପଦରେ ଯୋଗ ଦେଇଥିଲେ।

ତାହା ହିଁ ଥିଲା କୌତୂହଳପୂର୍ଣ୍ଣ ‘ନିଶ ଆନ୍ଦୋଳନ’ର ଆରମ୍ଭ ସମୟ। ନିଜ ଆତ୍ମଜୀବନୀରେ ନୀଳକଣ୍ଠ ଲେଖିଛନ୍ତି, ‘‘କଲିକତାରେ ମୁଁ ଏମ୍‌ଏ ପଢ଼ିଲା ବେଳେ ଦାଢ଼ି କାଟି ଖାଲି ନିଶ ରଖିଥିଲି। ସେଇପରି ନିଶ ରଖିବାଟା ଗୋଟିଏ ଫେସନ୍ ବୋଲି ମୁଁ ତାହା କରିଥିଲି।’’ ସେ ସମୟରେ ରକ୍ଷଣଶୀଳ ବ୍ରାହ୍ମଣ ସମାଜରେ ଦାଢ଼ି ସହିତ ନିଶ ରଖା ଯାଇପାରୁଥିଲେ ମଧ୍ୟ ଦାଢ଼ି ବିନା କେବଳ ନିଶ ରଖିବା ଆଦୌ ଗ୍ରହଣୀୟ ନଥିଲା। ଏଣୁ ରକ୍ଷଣଶୀଳ ଲୋକେ ଏହାର ଘୋର ବିରୋଧ କରିଥିଲେ। ପ୍ରକୃତପକ୍ଷେ, ନୀଳକଣ୍ଠ ଥିଲେ ଜଣେ ପ୍ରଗତିଶୀଳ ଚେତନାର ମଣିଷ। ସତ୍ୟବାଦୀ ବନ ବିଦ୍ୟାଳୟରେ ଯୋଗଦେବା ମାତ୍ରେ ସେ ଛାତ୍ରାବାସରେ ପିଲାଏ ଜାତିବର୍ଣ୍ଣ ନିର୍ବିଶେଷରେ ଏକାଠି ବସି ଖାଇବାର ବ୍ୟବସ୍ଥା କରିଥିଲେ, ଯାହା ଅନେକଙ୍କୁ କ୍ଷୁବ୍ଧ କରିଥିଲା। ନୀଳକଣ୍ଠ ଲେଖିଛନ୍ତି,‘‘ରକ୍ଷଣଶୀଳମାନେ ଆସି ମୋତେ ଅନୁରୋଧ କଲେ- ବ୍ରାହ୍ମଣ ଓ ଅବ୍ରାହ୍ମଣଙ୍କ ପାଇଁ ଅଲଗା ଅଲଗା ଭୋଜନ ସ୍ଥାନର ବ୍ୟବସ୍ଥା କର।’’ ତାହା ଅଗ୍ରାହ୍ୟ କରିବାରୁ ସେମାନେ ପ୍ରତିକ୍ରିୟାଶୀଳ ହୋଇ ନାନା ଗଣ୍ଡଗୋଳ ଭିଆଇ ଥିଲେ। ସେତେବେଳେ ବିଦ୍ୟାଳୟଟି ବକୁଳ ବନଭିତରେ ଗୋଟିଏ ଚାଳଘରେ ଚାଲିଥାଏ। ଦୁର୍ବୃତ୍ତମାନେ ଦିନେ ନିଆଁ ଲଗାଇ ବିଦ୍ୟାଳୟକୁ ପୋଡ଼ିଦେଲେ।

ବ୍ରାହ୍ମଣ ଯୁବକଟିଏ ଦାଢ଼ି ବିନା ‘ନିଶ’ ରଖିବା କଥାଟିକୁ ଉତ୍ସୃଙ୍ଖଳତାର ଏକ ପ୍ରତୀକ ରୂପେ ବ୍ୟବହାର କରାଯାଇଥିଲା। ନୀଳକଣ୍ଠଙ୍କ ଭାଷାରେ, ‘‘ପଣ୍ଡିତମାନେ ମୋର ଲୋକବିରୁଦ୍ଧ କ୍ରିୟା ଲୋକଙ୍କୁ ବୁଝାଇବା ପାଇଁ ସଂକେତ ସ୍ବରୂପ ନିଶଟାକୁ ଦେଖାଇଦେଲେ।’’

ନୀଳକଣ୍ଠ ଯେ କେବଳ ସଂସ୍କାରଧର୍ମୀ କାର୍ଯ୍ୟକ୍ରମମାନ ଆରମ୍ଭ କରିଥିଲେ ସେତିକି ନୁହେଁ, ସେ ସାମାଜିକ ସଂକୀର୍ଣ୍ଣତା ବିରୋଧରେ ଯୁକ୍ତିସମ୍ବଳିତ ପ୍ରବନ୍ଧମାନ ପତ୍ରପତ୍ରିକାରେ ପ୍ରକାଶ କରୁଥିଲେ, ଯାହାକି ଜନସାଧାରଣ ଓ ବିଶେଷକରି ଯୁବବର୍ଗଙ୍କୁ ବେଶ୍ ପ୍ରଭାବିତ କରୁଥିଲା। ତେବେ ୧୯୧୧ ଅକ୍‌ଟୋବରରେ ସେ ବନ ବିଦ୍ୟାଳୟରେ ଯୋଗ ଦେବାବେଳକୁ ‘ମୁକୁର’ ପତ୍ରିକାରେ ପ୍ରକାଶ ପାଇଥିବା ‘ମୋ ନିଶ’ ପ୍ରବନ୍ଧଟି ଘୋର ବିବାଦ ଘେରକୁ ଟାଣି ହୋଇଯାଇଥିଲା। ବ୍ରାହ୍ମଣ ଯୁବକଟିଏ ଦାଢ଼ି ବିନା ‘ନିଶ’ ରଖିବା କଥାଟିକୁ ଉତ୍ସୃଙ୍ଖଳତାର ଏକ ପ୍ରତୀକ ରୂପେ ବ୍ୟବହାର କରାଯାଇଥିଲା। ନୀଳକଣ୍ଠଙ୍କ ଭାଷାରେ, ‘‘ପଣ୍ଡିତମାନେ ମୋର ଲୋକବିରୁଦ୍ଧ କ୍ରିୟା ଲୋକଙ୍କୁ ବୁଝାଇବା ପାଇଁ ସଂକେତ ସ୍ବରୂପ ନିଶଟାକୁ ଦେଖାଇଦେଲେ।’’ ଏଣୁ କୁସଂସ୍କାର ଓ ଜାତିବର୍ଣ୍ଣ ଭେଦ ହଟାଇବା ପାଇଁ ସେ ଯେଉଁ ସାମାଜିକ ଆନ୍ଦୋଳନ ଆରମ୍ଭ କରିଥିଲେ, ଲୋକମୁଖରେ ତା’ର ନାମ ହୋଇ ଯାଇଥିଲା ‘ନିଶ ଆନ୍ଦୋଳନ’। ଋଢ଼ିବାଦୀମାନେ ସେତେବେଳେ ଏ‌େତ ଉତ୍‌କ୍ଷିପ୍ତ ହୋଇ ପଡ଼ିଥିଲେ ଯେ ‘ନିଶକୁ ଏଇ ପୁରୀରେ କାଟି ଆମେ ପୋଡ଼ିଦେବୁ’ କହି ଜଣେ ପଣ୍ଡିତ ତାଙ୍କୁ ଧମକ ଦେଇଥିଲେ ବୋଲି ନୀଳକଣ୍ଠ ତାଙ୍କ ଆତ୍ମଜୀବନୀରେ ଉଲ୍ଲେଖ କରିଛନ୍ତି।

ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତସଭାରେ ମଧ୍ୟ ଭୀଷଣ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସେ ବର୍ଷ ଅକ୍ଟୋବର ୨୯ ତାରିଖରେ ପଡୁଥାଏ ଶ୍ରୀମନ୍ଦିରରେ ଷୋଳଶାସନ ଭୋଗ। ବହୁସଂଖ୍ୟକ ଶାସନୀ ବ୍ରାହ୍ମଣ ଏକାଠି ହେବାର ସୁଯୋଗ ଦେଖି ପଣ୍ଡିତ ସଭା ଏକ ବିଜ୍ଞାପନ ଦେଇ ସେଦିନ ଏକ ସଭା ଆହ୍ବାନ କରିଥିଲେ। ବିଜ୍ଞାପନଟି ଥିଲା, ‘‘ବର୍ତ୍ତମାନ ସମୟରେ ବ୍ରାହ୍ମଣମାନଙ୍କ ମଧ୍ୟରୁ କେତେ ଜଣ ନବ୍ୟଶିକ୍ଷିତ ଯୁବକ ସମାଜବିରୁଦ୍ଧ ବ୍ୟବହାର କରିବା ଦ୍ବାରା ଏହି ସମାଜରେ ବିପ୍ଳବ ଘଟୁଛି। ତାହା ନିବାରଣ ସମ୍ବନ୍ଧେ ଏ ସଭା।’’ ମନ୍ଦିର ମ୍ୟାନେଜରଙ୍କ ସମର୍ଥନ ନମିଳିବାରୁ ସଭାଟି ଶ୍ରୀମନ୍ଦିର ବାହାରେ ଭିକାରୀ ମିଶ୍ରଙ୍କ କୋଠାରେ ଅନୁଷ୍ଠିତ ହେଲା ଏବଂ ଶାସ୍ତ୍ରାନୁମୋଦିତ ସାମାଜିକ ରୀତିନୀତି ଉଲ୍ଲଂଘନ କରି ଉତ୍ସୃଙ୍ଖଳତା ପ୍ରଣୋଦିତ କୁକ୍ରିୟାନୁଷ୍ଠାନକାରୀଙ୍କୁ  ଉତ୍କଳୀୟ ବ୍ରାହ୍ମଣ ବର୍ଜନ କରିବେ ବୋଲି ସେଠାରେ ନିଷ୍ପତ୍ତି ହେଲା। ଏକଥା ନଭେମ୍ବର ୪ ତାରିଖ  ‘ଉତ୍କଳ ଦୀପିକା’ରେ ପ୍ରକାଶିତ ହେବାପରେ ସାରା ରାଜ୍ୟରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଲା ଏବଂ ପରବର୍ତ୍ତୀ ସମୟରେ ଏହା ବିରୋଧରେ ସମ୍ପାଦକଙ୍କୁ ପତ୍ରମାନ ‘ଉତ୍କଳ ଦୀପିକା’ରେ ପ୍ରକାଶିତ ହେଲା। ମୋଟାମୋଟି ଏହି ଘଟଣା ପରେ ସମାଜ ସଂସ୍କାର ସପକ୍ଷରେ ହିଁ ଅଧିକ ଜନମତ ସୃଷ୍ଟି ହେଲା। ଓଡ଼ିଶାର ପୁରପଲ୍ଲୀରେ ଯୁବବର୍ଗ  ନୀଳକଣ୍ଠଙ୍କ ସମର୍ଥନରେ ଆଗେଇ ଆସିଲେ ଏବଂ ବିରୋଧ ଧୀରେ ଧୀରେ ମଉଳିଗଲା।

ସେତେବେଳେ ନୀଳକଣ୍ଠଙ୍କୁ ସମର୍ଥନ କରି ଗୋଦାବରୀଶ, ଅନନ୍ତ ମିଶ୍ର ଓ ଆଚାର୍ଯ୍ୟ ହରିହର ପ୍ରମୁଖ ବିନା ଦାଢ଼ିରେ ନିଶ ରଖିଥିଲେ। ଏପରିକି ଛୋଟ ଛୋଟ ପିଲାଏ ମଧ୍ୟ ବଡ଼ ହେଲେ ନିଶ ରଖିବେ ବୋଲି ନିଶ୍ଚୟ କଲେ। ଚିନ୍ତାମଣି ମିଶ୍ର ତାଙ୍କ ଆତ୍ମଜୀବନୀ ‘ଅର୍ଦ୍ଧ ଶତାବ୍ଦୀର ଅନୁଭୂତି’ରେ ନିଶ ଆନ୍ଦୋଳନ କଥା ମନେପକାଇ ଲେଖିଛନ୍ତି ଯେ ଗୋଦାବରୀଶବାବୁଙ୍କୁ ସେ ପ୍ରଥମେ ଦେଖିଲା ବେଳେ ତାଙ୍କର ନିଶ ନଥିଲା। ମାତ୍ର ପରେ ଯେବେ ସେ ତାଙ୍କୁ ନିଶ ରଖିଥିବାର ଦେଖିଲେ ସେ ଚାହିଁ ରହିଥିଲେ ତାଙ୍କ ମୁହଁକୁ। ସେ ଲେଖିଛନ୍ତି, ‘‘ନିଶ ଦି’ପଟା ତାଙ୍କୁ ଭାରି ମାନୁଥାଏ। ସେଇଦିନ ମନରେ ଗାର ହୋଇଗଲା। ମୋର ଉଠିବା ମାତ୍ରେ ମୁଁ ନିଶ ରଖିବି।’’ ତାଙ୍କର ସାଙ୍ଗମାନେ ବି ନିଶ ରଖିବେ ବୋଲି ସ୍ଥିର କରିଥିଲେ। ‘ନିଶ ଆନ୍ଦୋଳନ’ ସେତେବେଳର ଯୁବବର୍ଗଙ୍କୁ ସ୍ବାଧୀନ ଚିନ୍ତା ଓ ସମାଜସଂସ୍କାର ଦିଗରେ ପ୍ରେରିତ କରିଥିଲା। ତେବେ ଏଥିପାଇଁ ନୀଳକଣ୍ଠଙ୍କୁ ବେଶ୍ କିଛି ମୂଲ୍ୟ ଦେବାକୁ ପଡ଼ିଛି। ରକ୍ଷଣଶୀଳ ପଣ୍ଡିତମାନେ ନୀଳକଣ୍ଠଙ୍କ ପରିବାରକୁ ମଧ୍ୟ ଏକଘରିକିଆ କରିବାର ଉଦ୍ୟମ କରିଛନ୍ତି। ତାଙ୍କ ବାପାଙ୍କୁ ପୁରୀର ଏକ ଭୋଜିସଭାରୁ ଉଠାଇ ଦଶମାଇଲ ଦୂର ତାଙ୍କ ଗାଁକୁ ପଠାଇଦିଆ ଯାଇଛି। ନୀଳକଣ୍ଠ ଲେଖିଛନ୍ତି, ‘‘ଏ କଥାରେ ମଫସଲରେ ଖୁବ୍ ଚହଳ ପଡ଼ିଯାଇଥିଲା। କିନ୍ତୁ ବଡ଼ ଆଶ୍ଚର୍ଯ୍ୟର କଥା, ଏଥିରେ ମୋର ବୃଦ୍ଧ ପିତା ବା ତାଙ୍କ ସଙ୍ଗୀସହଚରମାନଙ୍କୁ କୌଣସିପ୍ରକାର ବ୍ୟଥିତ ହୋଇ ଥିବାର କେଇ କେବେ ଦେଖିନାଇ।’’ ‘ନିଶ ଆନ୍ଦୋଳନ’ ଥିଲା ମହାମନିଷୀ ନୀଳକଣ୍ଠଙ୍କର ସମାଜ ସଂସ୍କାର ଆନ୍ଦୋଳନର ପ୍ରଥମ ପର୍ବ। ପରିବାର ଓ ବନ୍ଧୁବର୍ଗ ସମେତ ଓଡ଼ିଶାବାସୀଙ୍କ ଦୃଢ଼ ସମର୍ଥନ ହିଁ ଥିଲା ତାଙ୍କର ପ୍ରେରଣା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe