Digital Art Gallery: ଲଳିତ କଳା ଏକାଡେମି ଆଣୁଛି: ‘ଡିଜିଟାଲ୍‌ ଆର୍ଟ ଗ୍ୟାଲେରି’

Advertisment

ଏବେ ଆଉ ଚିତ୍ରଶିଳ୍ପୀମାନେ କେବଳ ନିଜ କଳା ପ୍ରଦର୍ଶନ କରିବେ ନାହିଁ ବା କେବଳ ଚିତ୍ରକଳା ଶିବିରରେ ଅଂଶଗ୍ରହଣ କରିବେ ନାହିଁ। ସେମାନଙ୍କୁ ନିଜ ଚିତ୍ରକଳା ମାଧ୍ୟମରେ ରୋଜଗାରର ସୁଯୋଗ ମିଳିବ।

ଏବେ ଆଉ ଚିତ୍ରଶିଳ୍ପୀମାନେ କେବଳ ନିଜ କଳା ପ୍ରଦର୍ଶନ କରିବେ ନାହିଁ ବା କେବଳ ଚିତ୍ରକଳା ଶିବିରରେ ଅଂଶଗ୍ରହଣ କରିବେ ନାହିଁ। ସେମାନଙ୍କୁ ନିଜ ଚିତ୍ରକଳା ମାଧ୍ୟମରେ ରୋଜଗାରର ସୁଯୋଗ ମିଳିବ।

art gallary

Photograph: (Tripadvisor)

ଭୁବନେଶ୍ବର: ଏବେ ଆଉ ଚିତ୍ରଶିଳ୍ପୀମାନେ କେବଳ ନିଜ କଳା ପ୍ରଦର୍ଶନ କରିବେ ନାହିଁ ବା କେବଳ ଚିତ୍ରକଳା ଶିବିରରେ ଅଂଶଗ୍ରହଣ କରିବେ ନାହିଁ। ସେମାନଙ୍କୁ ନିଜ ଚିତ୍ରକଳା ମାଧ୍ୟମରେ ରୋଜଗାରର ସୁଯୋଗ ମିଳିବ। ସେମାନେ ନିଜ ସୃଜନତାକୁ କାନ୍‌ଭାସ୍, ପୋଷାକ, ବ୍ୟାଗ୍‌, ଡାଏରି, କଲମ, ଘରସଜ୍ଜା ସାମଗ୍ରୀରେ ଚିତ୍ର ମାଧ୍ୟମରେ ଉତାରି ପ୍ରଦର୍ଶିତ କରି ପାରିବେ। ନିଜ ପାରିଶ୍ରମିକର ମୋହର ଲଗାଇ, ଦେଶ ବିଦେଶରେ ବିକ୍ରି ବି କରିପାରିବେ। ଏଥିସହ ଓଡ଼ିଶା ତଥା ଓଡ଼ିଶା ବାହାରର ଲୋକମାନେ ଖାଣ୍ଟି ଓଡ଼ିଆ ପାରମ୍ପରିକ ଚିତ୍ରକଳା, ପଟ୍ଟଚିତ୍ର ଆଦି ଘରେ ବସି ଗୋଟିଏ କ୍ଲିକ୍‌ରେ ପାଇପାରିବେ। ଏଥିପାଇଁ ଓଡ଼ିଶା ଲଳିତ କଳା ଏକାଡେମି ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି। 

ଚିତ୍ରକଳା ସହ ବିଭିନ୍ନ ସାମଗ୍ରୀର ପ୍ରଦର୍ଶନ ଓ ବିକ୍ରି ସୁଯୋଗ

ଚିତ୍ରଶିଳ୍ପୀଙ୍କ ପାଇଁ ଡିଜିଟାଲ୍‌ ବଜାର

ଓଡ଼ିଶା ଲଳିତ କଳା ଏକାଡେମିର ସଚିବ ଦେବଯାନୀ ଭୂୟାଁ କହିଛନ୍ତି, ଅନେକ ଭାବନ୍ତି କଳାକୁ ଜୀବିକା କରି ବଞ୍ଚିବା ସମ୍ଭବ ନୁହେଁ। କିନ୍ତୁ ଆମେ ଏ ଅତ୍ୟାଧୁନିକ ଯୁଗରେ ଏହାକୁ ମିଛ ପ୍ରମାଣ କରିବାକୁ ଚାହୁଁଛୁ। ସାଧାରଣତଃ ଚିତ୍ରଶିଳ୍ପୀମାନେ କୌଣସି ଚିତ୍ରକଳା ଶିବିରରେ ନିଜ ଚିତ୍ର ପ୍ରଦର୍ଶିତ କରିଥା’ନ୍ତି। କାଁ ଭାଁ କେଉଁଠି କେମିତି ନିଲାମୀ ଡକାଗଲେ, ସେମାନଙ୍କୁ ନିଜ ଚିତ୍ରକଳାର ଉଚିତ ମୂଲ୍ୟ ମିଳିପାରେ। ନଚେତ୍‌ ନିଜ ଚିତ୍ରକଳାକୁ ସେମାନେ ଅତି କମ୍‌ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହୋଇଥା’ନ୍ତି। କିନ୍ତୁ ଏବେ ଆମେ ଚିତ୍ରଶିଳ୍ପୀମାନଙ୍କୁ ଅତ୍ୟାଧୁନିକ ଜ୍ଞାନ କୌଶଳର ବ୍ୟବହାରରେ ବିଶ୍ବ ବିଜାର ଉପହାର ଦେବାକୁ ଯୋଜନା କରୁଛୁ। ଫଳରେ ସେମାନେ ନିଜ ଚିତ୍ରକଳାର ଉଚିତ ମୂଲ୍ୟ ପାଇବା ସହ ବ୍ୟାପକ ଗ୍ରାହକ ବି ପାଇପାରିବେ। ଏଥିପାଇଁ ଲଳିତ କଳା ଏକାଡେମି ପକ୍ଷରୁ ଖୁବ୍‌ଶୀଘ୍ର ‘ଡିଜିଟାଲ୍‌ ଆର୍ଟ ଗ୍ୟାଲେରି’ ପ୍ରସ୍ତୁତ ହେବାକୁ ଯାଉଛି। ଏଥିରେ ଚିତ୍ରଶିଳ୍ପୀ ଗୁରୁ, ନୂଆ ପିଢ଼ିର ଚିତ୍ରଶିଳ୍ପୀମାନେ ନିଜ ନାମ ପଞ୍ଜୀକରଣ କରିପାରିବେ। ଏହି ଗ୍ୟାଲେରୀରେ ନାମ ପଞ୍ଜୀକରଣ ଓ ଚିତ୍ରଶିଳ୍ପୀଙ୍କ ଯୋଗ୍ୟତା ନିରୂପଣ ପାଇଁ ଆମେ ଏକ ମାର୍ଗଦର୍ଶିକା ଜାରି କରିବୁ। ଏହି ଗ୍ୟାଲେରୀରେ ଚିତ୍ରଶିଳ୍ପୀମାନେ ନିଜର କାନ୍‌ଭାସ୍‌ ଚିତ୍ରକଳା, ପଟ୍ଟଚିତ୍ର ପୋଷାକ, ଶାଢ଼ି, ଓଢ଼ଣି, ବ୍ୟାଗ୍‌ ଆଦିରେ ଚିତ୍ରକଳା ସାମଗ୍ରୀ ସହ ୱାଲ୍‌ ପେଣ୍ଟିଂ, ପେନ୍‌, ପେନ୍‌ ଷ୍ଟାଣ୍ଟ୍‌ ଆଦିରେ ଚିତ୍ରକଳା ଭଳି ବିଭିନ୍ନ ସାମଗ୍ରୀ ଏହି ଗ୍ୟାଲେରୀରେ ଅପ୍‌ଲୋଡ୍‌ କରି ବିକ୍ରି କରିପାରିବେ। ତେବେ ଏହା ପୂର୍ବରୁ ଏକାଡେମି ପକ୍ଷରୁ କର୍ମଶାଳା ଓ ତାଲିମ କାର୍ଯ୍ୟକ୍ରମ ଜରିଆରେ ଚିତ୍ରଶିଳ୍ପୀମାନଙ୍କ ପ୍ରଡକ୍ଟ ଡିଜାଇନିଂ, ପ୍ରଡକ୍ଟ ସୋ’ କେସିଂ ଓ ପ୍ରାଇସ୍‌ ମ୍ୟାନେଜ୍‌ମେଣ୍ଟ୍‌ ସମ୍ପର୍କିତ ତାଲିମ ବି ଦିଆଯିବ। 

ପାରମ୍ପରିକ ଚିତ୍ରକଳାର ଚାହିଦା ନିଜ ରାଜ୍ୟ ଅପେକ୍ଷା ‌ବାହାର ରାଜ୍ୟ ଓ ଦେଶରେ ଅଧିକ ରହିଥିବାରୁ ଏକାଡେମି ପକ୍ଷରୁ ଏହାକୁ ବି ନଜରରେ ରଖାଯାଇଛି। ଏଣୁ ଏହି ଡିଜିଟାଲ୍‌ ଗ୍ୟାଲେରି ରାଜ୍ୟର ବିଭିନ୍ନ ତାରକା ହୋଟେଲ, ରିସୋର୍ଟ, ପ୍ରମୁଖ ଛକ, ବିଭିନ୍ନ ବିଭାଗୀୟ କାର୍ଯ୍ୟକ୍ରମରେ ଡିସ୍‌ପ୍ଲେରେ ପ୍ରଦର୍ଶିତ ହେବ। ଫଳରେ ଆଗନ୍ତୁକମାନେ ଏ ସମ୍ପର୍କରେ ଜାଣିବାର ସୁଯୋଗ ପାଇବା ସହ ଡିଜିଟାଲ୍‌ ଗ୍ୟାଲେରି ମାଧ୍ୟମରେ ଚିତ୍ରଶିଳ୍ପୀଙ୍କ ପର୍ଯ୍ୟନ୍ତ ପହଞ୍ଚିପାରିବେ ଓ ସେମାନଙ୍କୁ ଯୋଗାଯୋଗ କରି ନିଜ ପସନ୍ଦ ମୁତାବକ ସାମଗ୍ରୀ ବା ଚିତ୍ରକଳା କିଣିପାରିବେ। ତେବେ ଡିଜିଟାଲ୍‌ ଆର୍ଟ ଗ୍ୟାଲେରିରେ ସ୍ଥାନିତ ହେଉଥିବା ସାମଗ୍ରୀଗୁଡ଼ିକର ମୂଲ୍ୟ ନିର୍ଦ୍ଧାରଣ ଚିତ୍ରଶିଳ୍ପୀଙ୍କ ଇଚ୍ଛାଧୀନ ବ୍ୟାପାର ରହିବ। ତେବେ ସାମଗ୍ରୀ ବା ଚିତ୍ରକଳାର ମୂଲ୍ୟ ଯେଉଁଭଳି ନ୍ୟାୟଯୁକ୍ତ ବା ସଠିକ୍‌ ରହିବ ସେ ନେଇ ଏକାଡେମି ମଧ୍ୟ ତଦାରଖ କରିବ। ଏହା ଫଳରେ ବରିଷ୍ଠଙ୍କ ସହ ନବୀନ କଳାକାରମାନେ ବି ଡିଜିଟାଲ୍‌ ବଜାର ମାଧ୍ୟମରେ ରୋଜଗାରର ସୁଯୋଗ ପାଇବେ। ଫଳରେ ଓଡ଼ିଶାର ପାରମ୍ପରିକ ଚିତ୍ରକଳାର ଆହୁରି ବିକାଶ ହୋଇପାରିବ। ଏଥିସହ ନୂତନ ପିଢ଼ି ଓଡ଼ିଶା ଚିତ୍ରକଳାକୁ ନେଇ ଜୀବିକା ନିର୍ବାହ ଦିଗରେ ଆଗଭର ହୋଇପାରିବେ ବୋଲି ଶ୍ରୀମତୀ ଭୂଆଁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe