ପିତ୍ତକୋଷ ପଥର କ’ଣ?
ପିତ୍ତକୋଷ ପଥର (ଗଲ୍ବ୍ଲାଡର୍ ଷ୍ଟୋନ୍) ହେଉଛି ଯକୃତ୍ରୁ କ୍ଷରିତ ପାଚକ ରସର ଏକ କଠିନ ଜମାଟ, ଯାହା ଗଲ୍ବ୍ଲାଡର୍ ବା ପିତ୍ତକୋଷରେ ଦେଖାଯାଇଥାଏ। ପିତ୍ତ ପଥରର ଆକାର ବାଲି ଦାନା ଭଳି ଛୋଟ ହୋଇପାରେ ବା ବେଳେବେଳେ ଗଲ୍ଫ ବଲ୍ ଭଳି ବଡ଼ ବି ହୋଇପାରେ। କିଛି ଲୋକଙ୍କଠାରେ କେବଳ ଗୋଟିଏ ପିତ୍ତପଥର ହେଉଥିବା ବେଳେ ଅନ୍ୟ କେତେକଙ୍କ କ୍ଷେତ୍ରରେ ଏକା ସମୟରେ ଅନେକ ପିତ୍ତପଥର ବିକଶିତ ହୋଇଥାଏ। ମୋଟାପଣ, ଉଚ୍ଚ କୋଲେଷ୍ଟୋରଲ୍, ଚର୍ବି ଓ ତେଲଜାତୀୟ ଖାଦ୍ୟ ଖାଇବା, ପାଣି ଅଧିକ ନ ପିଇବା ହେଉଛି ଏହାର ପ୍ରମୁଖ କାରଣ।
ଏହାର ଲକ୍ଷଣ କ’ଣ?
ଭୋକ କମିଯିବା, ଡାହାଣ ପାଖ ପିଞ୍ଜରା ତଳେ ପେଟ, ପିଠି ବା କାନ୍ଧ ପର୍ଯ୍ୟନ୍ତ କଷ୍ଟ ହେବା, ବେଳେବେଳେ ଜ୍ବର ଆସିବା, ଜଣ୍ଡିସ୍ ହେବା ଭଳି ଲକ୍ଷଣ ଦେଖାଯାଇଥାଏ। କିଛି ଲୋକଙ୍କର ଷ୍ଟୋନ୍ ଥାଏ, କିନ୍ତୁ ଲକ୍ଷଣ ଦେଖାଯାଇ ନଥାଏ।
ଏହାକୁ କିଭଳି ଚିହ୍ନଟ କରାଯାଏ?
ପ୍ରଥମେ ରୋଗୀଙ୍କୁ ଅଲ୍ଟ୍ରାସାଉଣ୍ଡ୍ ପାଇଁ କୁହାଯାଏ। ଅଲ୍ଟ୍ରାସାଉଣ୍ଡ୍ ରିପୋର୍ଟ ଦେଖି ସନ୍ଦେହ ହେଲେ ସ୍କାନିଂ (ସିଇସିଟି ଆବ୍ଡୋମେନ୍) କରାଯାଇଥାଏ। ଏହାପରେ ଏମ୍ଆର୍ଆଇ ବି କରାଯାଏ। ଏଥିରେ ହୃଦ୍ଘାତର ଆଶଙ୍କା ଥିବାରୁ ହୃତ୍ପିଣ୍ଡ ଯାଞ୍ଚ ବି କରାଯାଇଥାଏ। ଏସବୁ ପରୀକ୍ଷା ସହ ବିଭିନ୍ନ ରକ୍ତ ପରୀକ୍ଷା, ଯକୃତ୍ ଓ ବୃକ୍କ ଠିକ୍ ଭାବେ କାମ କରୁଛି କି ନାହିଁ, ସେଥିପାଇଁ ବି ପରୀକ୍ଷା କରାଯାଇଥାଏ। ଏହିସବୁ ପରୀକ୍ଷାରୁ ପିତ୍ତପଥର ଚିହ୍ନଟ କରାଯାଏ।
ପିତ୍ତପଥର କାଢ଼ିବା ପାଇଁ ଅସ୍ତ୍ରୋପଚାରର କ’ଣ କ’ଣ ବିକଳ୍ପ ରହିଛି?
ପିତ୍ତପଥର ଅସ୍ତ୍ରୋପଚାର ଦୁଇଟି ଉପାୟରେ ହୋଇଥାଏ। ଗୋଟିଏ ହେଉଛି ‘ଓପନ୍ ମେଥଡ୍’। ଏଥିରେ ଡାହାଣ ପାଖ ପିଞ୍ଜରା ହାଡ଼ ତଳେ ପେଟ କାଟି ଅସ୍ତ୍ରୋପଚାର କରାଯାଏ। ଏଥିରେ ରୋଗୀ ୮ରୁ ୧୦ ଦିନ ହସ୍ପିଟାଲ୍ରେ ରହିବାକୁ ପଡ଼ିଥାଏ। ଏହା ରୋଗୀ ପାଇଁ ସାମାନ୍ୟ ଯନ୍ତ୍ରଣାଦାୟକ ହୋଇଥାଏ। ଅନ୍ୟଟି ହେଉଛି, ‘ଲାପରୋସ୍କୋପି ମେଥଡ୍’। ଏଥିରେ ମାତ୍ର ୪ଟି ଛୋଟ ଛୋଟ ଛିଦ୍ର କରି ଅସ୍ତ୍ରୋପଚାର କରାଯାଏ। ଫଳରେ ଏହା ରୋଗୀ ପାଇଁ ଯନ୍ତ୍ରଣାମୁକ୍ତ ଚିକିତ୍ସା ହେବା ସହ ୩/୪ ଦିନରେ ସେ ଘରକୁ ଫେରିପାରେ।
କେଉଁ କ୍ଷେତ୍ରରେ ଲାପରୋସ୍କୋପି ଅସ୍ତ୍ରୋପଚାର କରାଯାଇଥାଏ?
ଲାପରୋସ୍କୋପି ଅସ୍ତ୍ରୋପଚାରକୁ ‘ଗୋଲ୍ଡ ଷ୍ଟାଣ୍ଡାର୍ଡ ମେଥଡ୍’ ବୋଲି ଆମେ କହିଥାଉ। ଏହା ଆଧୁନିକ ଚିକିତ୍ସା ସେବା ପାଇଁ ବରଦାନ ଅଟେ। ପିତ୍ତାଶୟରେ ଅତି ଜଟିଳ ସ୍ଥିତି ଥିଲେ ‘ଓପନ୍ ସର୍ଜରି’ କରାଯାଇଥାଏ। ନଚେତ ଲାପରୋସ୍କୋପି ଅସ୍ତ୍ରୋପଚାର ହିଁ ଭଲ ବିକଳ୍ପ ହୋଇଥାଏ। ଏହା ଦ୍ବାରା ଉଭୟ ଡାକ୍ତର ଓ ରୋଗୀଙ୍କ ସମୟ ବଞ୍ଚିଯାଇଥାଏ। ରୋଗୀ ତୁରନ୍ତ ନିଜ ସାଧାରଣ ଜୀବନକୁ ଫେରିପାରେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us