୨୦୨୨ ଜାନୁଆରି ୧୪ ତାରିଖ ଶୁକ୍ରବାର ଦିନ କେରଳସ୍ଥିତ ଅତିରିକ୍ତ ସେସନ୍ସ୍ କୋର୍ଟରୁ ବାହାରକୁ ଆସୁ ଆସୁ ବିସପ୍ ଫ୍ରାଙ୍କୋ ମୁଲକ୍କଲ୍ଙ୍କ ପାଟିରୁ ବାହାରିଲା- ‘‘ଧନ୍ୟ ତୁମେ ଈଶ୍ବର।’’ ୨୦୧୮ କେରଳ ନନ୍ ଦୁଷ୍କର୍ମ ମାମଲା ଭାବେ କୁଖ୍ୟାତ ଘଟଣାରେ ସେ ଦୋଷୀ ନୁହନ୍ତି ବୋଲି ରାୟ ଦେଇ ସେଦିନ ଅଦାଲତ ତାଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରିଥିଲେ। କିନ୍ତୁ ଅନ୍ୟ ପକ୍ଷରେ ଦୁଷ୍କର୍ମ ଅଭିଯୋଗ ଆଣି ନ୍ୟାୟ ପାଇଁ ଲଢୁଥିବା ନନ୍ଙ୍କ ପ୍ରତି ଈଶ୍ବର ନିଷ୍ଠୁର ହୋଇନାହାନ୍ତି ତ?
୨୦୧୮ ଜୁନ୍ ୨୯ରେ କେରଳର ଜଣେ ନନ୍ ଜଳନ୍ଧର ଡାଇସିସ୍ର ବିସପ୍ ଫ୍ରାଙ୍କୋ ମୁଲକ୍କଲ୍ଙ୍କ ନାଁ’ରେ ଦୁଷ୍କର୍ମ ଅଭିଯୋଗ ଦାଏର କଲେ। ଅଭିେଯାଗରେ ଉଲ୍ଲେଖ ଥିଲା କି ମିସ୍ନାରିଜ୍ ଅଫ୍ ଜେଜସ୍ କନ୍ଭେଣ୍ଟ୍ରେ ବିସପ୍ ମୁଲକ୍କଲ୍ ୨୦୧୪ରୁ ୨୦୧୬ ମଧ୍ୟରେ କନ୍ଭେଣ୍ଟ୍ରେ ଉକ୍ତ ନନ୍ଙ୍କ ସହିତ ୧୩ ଥର ଦୁଷ୍କର୍ମ କରିଛନ୍ତି। ଆଗତ ଅଭିଯୋଗ ସବୁକୁ ବିସପ୍ ଫ୍ରାଙ୍କୋ ଅସ୍ବୀକାର କରି କହିଲେ କି, ଏହା ମିଥ୍ୟା ଅଭିଯୋଗ ଓ ଯୋଜନାବଦ୍ଧ ଷଡ୍ଯନ୍ତ୍ର। ପ୍ରତିଶୋଧ ପରାୟଣା ହୋଇ ନନ୍ ତାଙ୍କ ନାଁରେ ଏଭଳି ଅଭିଯୋଗ କରିଛନ୍ତି। କାରଣ ନନ୍ଜଣକ ଅନୈତିକ ସମ୍ପର୍କରେ ଲିପ୍ତଥିବା କଥା ୨୦୧୬ରେ ଅନ୍ୟ ଜଣେ ମହିଳା ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରାଯାଇ ଦଣ୍ଡବିଧାନପୂର୍ବକ ଉକ୍ତ ନନ୍ଙ୍କୁ ବିସପ୍ ମୁଲକ୍କଲ୍ ମଦର୍ ସୁେପରିୟର୍ ପଦରୁ ହଟାଇ ଦେଇଥିଲେ।
ଏଥିରେ ଉତ୍କ୍ଷିପ୍ତ ହୋଇ ସେ ନନ୍ଙ୍କ ଭାଇ ବିସପ୍ ମୁଲକ୍କଲ୍ଙ୍କ ସହିତ ଝଗଡ଼ା କଲେ ଏବଂ ତାଙ୍କୁ ମାରିଦେବେ ବୋଲି ଧମକ ବି ଦେଲେ। ଅଗତ୍ୟା ବିସପ୍ ମୁଲକ୍କଲ୍ ସେ ନନ୍ଙ୍କ ଭାଇଙ୍କ ନାଁରେ ଥାନାରେ ଅଭିଯୋଗ କଲେ। ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ ହେବାରୁ ନନ୍ ଦୁଷ୍କର୍ମ ଅଭିଯୋଗ ଆରୋପ କରିଛନ୍ତି ବୋଲି ବିସପ୍ ମୁଲକ୍କଲ୍ କହିଲେ।
ପୀଡ଼ିତାଙ୍କ ବୟାନ୍ ଓ ମାମଲାରେ ନୂଆ ମୋଡ଼
୨୦୧୮ ଜୁଲାଇ ୫ରେ ଚଙ୍ଗନ୍ଶେରୀରେ ଫାଷ୍ଟ୍-କ୍ଲାସ୍ ମାଜିଷ୍ଟ୍ରେଟ୍ ପୀଡ଼ିତା ନନ୍ଙ୍କ ବୟାନ୍ ରେକର୍ଡ କଲେ। ଏହି ମାମଲାରେ ତଦନ୍ତ କରୁଥିବା ସ୍ପେସାଲ୍ ଇନ୍ଭେଷ୍ଟିଗେସନ୍ ଟିମ୍ର ଅନୁରୋଧକ୍ରମେ କ୍ୟାମେରା ସମ୍ମୁଖରେ ବୟାନ୍ ରେକର୍ଡ କରାଗଲା। ତଦନ୍ତ ତ୍ବରାନ୍ବିତ କରିବା ଲାଗି ଜାତୀୟ ମହିଳା କମିସନ୍ ଦାବି କଲା। ନନ୍ ଉଲ୍ଲେଖ କରିଥିବା ସମୟରେ ବିସପ୍ କନ୍ଭେଣ୍ଟ୍ ପରିଦର୍ଶନ କରି ଯାଇଥିବାରୁ ତଦନ୍ତକାରୀ ଦଳ କନ୍ନୁର ଜିଲ୍ଲାସ୍ଥିତ ପରିୟାରମ୍ ଓ ପନପ୍ପୁଝାସ୍ଥିତ କନ୍ଭେଣ୍ଟ୍ରୁ ଭିଜିଟର୍ସ ରେଜିଷ୍ଟର୍ ଜବତ କଲା। ପାଲା ବିସପ୍ଙ୍କ ବୟାନ୍ ରେକର୍ଡ କରି ତଦନ୍ତକାରୀ ଟିମ୍ ସୁନିଶ୍ଚିତ ହେଲେ ଯେ, ଦୁଷ୍କର୍ମ କଥା କହିଥିଲେ ବି ନନ୍ ସେମାନଙ୍କ ନିକଟରେ ଲିଖିତ ଅଭିଯୋଗ କରି ନ ଥିଲେ।
୨୦୧୮ ଜୁଲାଇ ୨୫ରେ ନନ୍ଙ୍କର ଜଣେ ଆତ୍ମୀୟ କହିଲେ ଯେ, ମାମଲା ପ୍ରତ୍ୟାହାର କରିନେବା ପାଇଁ ଜଣେ ବନ୍ଧୁଙ୍କ ଜରିଆରେ ସେମାନେ ବିପୁଳ ଅର୍ଥର ପ୍ରଲୋଭନ ପାଇଛନ୍ତି। ଏହାର ଅଳ୍ପ ଦିନ ପରେ ପୀଡ଼ିତା ନନ୍ଙ୍କୁ ସମର୍ଥନ କରୁଥିବା ଆଉ ଜଣେ ନନ୍ଙ୍କ ପାଖକୁ ଫାଦର୍ ଜେମସ୍ ଏର୍ଥାଇଲ୍ ନାମକ ଜଣେ ପାଦ୍ରୀ ଫୋନ୍ କରି ପୀଡ଼ିତାଙ୍କୁ ଅଭିଯୋଗ ପ୍ରତ୍ୟାହାର ନିମନ୍ତେ ପ୍ରବର୍ତ୍ତାଅ ବୋଲି କହିଲେ। ରେକର୍ଡ କରାଯାଇଥିବା ଉକ୍ତ କଲ୍ ଗଣମାଧ୍ୟମରେ ପ୍ରସାରିତ ହେଲା। ଯେଉଁ ନନ୍ ସେ କଲ୍ ପାଇଥିଲେ ପୁଲିସ ତାଙ୍କର ବୟାନ୍ ବି ନେଲା। ଏହାପରେ ଉକ୍ତ ପାଦ୍ରୀଙ୍କ ନାଁରେ ମାମଲା ଦାଏର ହେଲା। ପ୍ରମାଣ ସଂଗ୍ରହ କରିବାକୁ ତଦନ୍ତକାରୀ ଦଳ ଦିଲ୍ଲୀରେ ପହଞ୍ଚିଲେ। ନନ୍ କହିଥିବା ଦୁଷ୍କର୍ମ ବିଷୟରେ ଜାଣିଥିବା ଉଜ୍ଜୈନ୍ ବିସପ୍ ମାର୍ ସେବାସ୍ତିଆନ୍ ବଡ଼କେଲ୍ଙ୍କ ବୟାନ୍ ମଧ୍ୟ ରେକର୍ଡ କରାଗଲା। ଅଭିଯୁକ୍ତଙ୍କ ପକ୍ଷ ନେଉଥିବା ଜଣେ ପାଦ୍ରୀଙ୍କ ସହିତ କଥା ହୋଇଥିବା ଅଭିଯୋଗରେ ସେହିଦିନ ହିଁ କୁରବିଲାଙ୍ଗଡ଼ର ଏସ୍ଆଇଙ୍କୁ ବଦଳି କରାଯାଇଥିଲା।
ପ୍ରବଳ ଚାପ ସତ୍ତ୍ବେ ମୁଲକ୍କଲ୍ ଗିରଫ ହେଲେନି
ବିସପ୍ ମୁଲକ୍କଲ୍ଙ୍କୁ ପଚରା ଉଚରା କରିବା ପାଇଁ ୨୦୧୮ ଅଗଷ୍ଟ ୮ ତାରିଖରେ ତଦନ୍ତକାରୀ ଟିମ୍ ଜଳନ୍ଧରରେ ପହଞ୍ଚିଲେ। ସେଠାରେ ସେମାନେ ମଦର୍ ଜେନେରାଲ୍ ଅଫ୍ ଦି ମିସ୍ନାରିଜ୍ ଅଫ୍ ଜେଜସ୍ର ସିଷ୍ଟର୍ ରେଗିନା ଓ ମିସନ୍ ଅଫିସ୍ରେ କାର୍ଯ୍ୟ କରୁଥିବା ସିଷ୍ଟର୍ ଅମଲା ଓ ମାରିଆଙ୍କ ବୟାନ୍ ନେଲେ।
କିନ୍ତୁ, ପୁଲିସ କ୍ଷମତାଶାଳୀ ବିସପ୍ ମୁଲକ୍କଲ୍ଙ୍କୁ ଗିରଫ କଲାନାହିଁ। ବିସପ୍ ମୁଲକ୍କଲ୍ଙ୍କ ଗିରଫଦାରି ଦାବି କରି ଜଏଣ୍ଟ୍ କ୍ରିଷ୍ଟିଆନ୍ କାଉନ୍ସିଲ୍ କୋଚିରେ ଅନଶନ ଚଳାଇଲା। ପୀଡ଼ିତା ନନ୍ ମଧ୍ୟ ଭାରତରେ ଥିବା ଭାଟିକାନ୍ ରାଷ୍ଟ୍ରଦୂତଙ୍କ ନିକଟକୁ ଲେଖି ଜଣାଇଲେ ଯେ ତାଙ୍କ ପ୍ରତି ନ୍ୟାୟ ବିଚାର ସୁନିଶ୍ଚିତ କରିବା ପାଇଁ ଭାଟିକାନ୍ ହସ୍ତକ୍ଷେପ କରୁ। ସେ ଗୀର୍ଜା ବିରୋଧୀ ଲୋକଙ୍କଦ୍ବାରା ପ୍ରେରିତ ହୋଇଛନ୍ତି ବୋଲି ଅଭିଯୋଗ କରି ବିସପ୍ ମୁଲକ୍କଲ୍ ପୀଡ଼ିତାଙ୍କୁ ସମାଲୋଚନା କଲେ। ବହୁଦିନ ଧରି ସାମାଜିକ ଗଣମାଧ୍ୟମରେ ସେ ନନ୍ଙ୍କୁ ଅପମାନିତ କରାଗଲା। ତାଙ୍କୁ ପତିତା ବୋଲି କହିବାରୁ ଜଣେ ସ୍ଥାନୀୟ ରାଜନେତାଙ୍କୁ ମଧ୍ୟ ଜାତୀୟ ମହିଳା କମିସନ୍ ଭର୍ତ୍ସନା କଲା।
/sambad/media/media_files/2025/02/23/hOdL8B4vIwqMBXvFQsDG.jpg)
ଗିରଫ, ଜାମିନ ଓ ଦୋଷମୁକ୍ତ
ପ୍ରତିବାଦ ପ୍ରବଳ ହେଲା ଏବଂ କେରଳ ହାଇକୋର୍ଟ ସମ୍ମୁଖରେ ଦଳେ ନନ୍ ଅନଶନରେ ବସିଲେ। ଶେଷରେ ୨୦୧୮ ସେପ୍ଟେମ୍ବର ୧୯ ତାରିଖରେ ତଦନ୍ତକାରୀ ଟିମ୍ ତ୍ରିପ୍ପୁନିତୁରାରେ ବିସପ୍ ମୁଲକ୍କଲ୍ଙ୍କୁ ୭ ଘଣ୍ଟା ଧରି ଜେରା କଲା। ୩ ଦିନ ପରେ ପୁଲିସ ତାଙ୍କୁ ଗିରଫ କରି ରିମାଣ୍ଡ୍ରେ ବିଚାର ବିଭାଗୀୟ ହାଜତକୁ ନେଲା। ନନ୍ଙ୍କ ସହିତ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହେବାରେ ସେ ହେଲେ ଭାରତୀୟ କ୍ୟାଥୋଲିକ୍ ଇତିହାସରେ ପ୍ରଥମ ବିସପ୍। ମାସେ ପରେ ସେ ଜାମିନ ପାଇ ମୁକୁଳିଲେ।
୨୦୧୯ ଏପ୍ରିଲ୍ ୯ ତାରିଖରେ ଦତନ୍ତକାରୀ ଅଧିକାରୀ ବୈକୋମ୍ ଡିଏସ୍ପି କେ ସୁଭାଷ ଏହି ମାମଲାରେ ପାଲା ମାଜିଷ୍ଟ୍ରେଟ୍ ଅଦାଲତରେ ଅଭିଯୋଗ ପତ୍ର ଦାଖଲ କଲେ। ୨୦୨୦ ସେପ୍ଟେମ୍ବରରେ କୋଟ୍ଟାୟାମ୍ ଅତିରିକ୍ତ ସେସନ୍ସ୍ କୋର୍ଟ ବିଚାର ଆରମ୍ଭ କଲେ। ଏହି ମାମଲାରେ ସେ ଦୋଷୀ ନୁହନ୍ତି କହି ୨୦୨୨ ଜାନୁଆରି ୧୪ରେ ଅଦାଲତ ଦୁଷ୍କର୍ମ ମାମଲାରୁ ବିସପ୍ଙ୍କୁ ଦୋଷମୁକ୍ତ ଘୋଷଣା କଲେ। ଏହି ମାମଲାରେ ଅଦାଲତଙ୍କ ୨୮୯ ପୃଷ୍ଠାସମ୍ବଳିତ ରାୟ ସର୍ବସାଧାରଣରେ ପ୍ରସାରିତ ହେବା ପରେ ଦେଶବ୍ୟାପୀ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଅନେକେ କହିଥିଲେ ଯେ, ବିଚାରପତି ସେ ନନ୍ଙ୍କ ଆଚରଣ ଓ ନୈତିକ ଚରିତ୍ର ଉପରେ ସନ୍ଦେହ ପ୍ରକଟ କରିବା ପରି ପ୍ରତୀୟମାନ ହେଉଛି।
ହାଇକୋର୍ଟକୁ ଗଲା ମାମଲା
ଅଦାଲତ ବିସପ୍ ମୁଲ୍ଲକଲ୍ଙ୍କୁ ନିର୍ଦ୍ଦୋଷ ଘୋଷଣା କରିବା ପରେ ଏହି ରାୟ ବିରୋଧରେ ପୀଡ଼ିତା ନନ୍ ଓ କେରଳ ରାଜ୍ୟ ସରକାର ପୃଥକ୍ ଭାବେ କେରଳ ହାଇକୋର୍ଟରେ ମାମଲା ପୁନର୍ବିଚାର ଲାଗି ଆବେଦନ କରିଥିଲେ। ସର୍ବଶେଷ ଖବର ଅନୁସାରେ ମାମଲାଟିକୁ ବିଚାର କରିବା ଲାଗି ହାଇକୋର୍ଟ ଗ୍ରହଣ କରିଛନ୍ତି।
ବିସପ୍ ଫ୍ରାଙ୍କୋ ମୁଲକ୍କଲ୍ କିଏ
ବିସପ୍ ଫ୍ରାଙ୍କୋ ମୁଲକ୍କଲ୍ କେରଳ ରାଜ୍ୟର ତ୍ରିସୁର ଜିଲ୍ଲା ଅନ୍ତର୍ଗତ ମତ୍ତମରେ ୧୯୬୪ ମାର୍ଚ ୨୫ରେ ଜନ୍ମଗ୍ରହଣ କରିଥିଲେ। ୧୯୯୦ରେ ୨୬ ବର୍ଷ ବୟସରେ ସେ ପାଦ୍ରୀ ଭାବେ ନିଯୁକ୍ତ ହୋଇଥିଲେ। ୨୦୦୯ରେ ସେ ହେଲେ ଅତିରିକ୍ତ ବିସପ୍। ୨୦୧୩ରେ ସେ ଜଳନ୍ଧର ବିସପ୍ ଭାବେ ନିଯୁକ୍ତ ହୋଇଥିଲେ। ପଞ୍ଜାବର ଅମୃତସରସ୍ଥିତ ଗୁରୁ ନାନକ ଦେବ ବିଶ୍ବବିଦ୍ୟାଳୟରୁ ସେ କଳାରେ ସ୍ନାତକୋତ୍ତର ଶେଷ କରି ଇଟାଲିର ରୋମ୍ସ୍ଥିତ ଏଲ୍ଫୋନ୍ସିଆନ୍ ଏକାଡେମିରୁ ପିଏଚ୍ଡି ହାସଲ କରିଛନ୍ତି।
Follow Us