ଭୁବନେଶ୍ବର: ସବୁ ବିକାଶର ପ୍ରତିବନ୍ଧକ ଦୁର୍ନୀତି। ଏହାକୁ ପ୍ରତିହତ କରିବା ପାଇଁ ଆମେ ଆଇନ ଓ ଯୋଜନାର ସଂଶୋଧନ କରୁଛୁ। ଏବେ ତହସିଲ ଓ ସବ୍ରେଜିଷ୍ଟର ଅଫିସ୍ରେ ଅନ୍ଲାଇନ୍ ଓ ଅଫ୍ଲାଇନ୍ରେ ରେଜିଷ୍ଟର ରହିବ। ଜିଲ୍ଲାପାଳ ରେଜିଷ୍ଟର ଯାଞ୍ଚ କରି ହିତାଧିକାରୀଙ୍କ ମତକୁ ତର୍ଜମା କରିବେ। ସାଧାରଣ ଜନତାଙ୍କ ମତ ଅନୁସାରେ ଦୁର୍ନୀତି ହୋଇଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଅଧିକାରୀଙ୍କ ପଦୋନ୍ନତିରେ ରୋକ୍ ଲାଗିବ। ଆଜି ସ୍ବସ୍ତି ପ୍ରିମିୟମ୍ରେ ଆୟୋଜିତ ‘ଓଡ଼ିଶା ନିର୍ମାଣ କନକ୍ଲେଭ୍’ରେ ଯୋଗଦେଇ ଜନତାଙ୍କ ପ୍ରଶ୍ନରେ ଏଭଳି କଡ଼ା ଆଭିମୁଖ୍ୟ ରଖିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।
‘ବିକାଶର ବେଗ ବଢ଼ାଇବ ଡବଲ ଇଞ୍ଜିନ୍ ସରକାର’ ପ୍ରସଙ୍ଗରେ ମତ ରଖି ମନ୍ତ୍ରୀ କହିଛନ୍ତି, ନିଜର ଅସହାୟତା ଓ ଅସଫଳତାକୁ ଲୁଚେଇବାକୁ ପୂର୍ବସରକାର କେନ୍ଦ୍ରକୁ ଦୋଷ ଦେଉଥିଲା। ଏବେ କିନ୍ତୁ କ୍ଷମତାର ସମ୍ପୂର୍ଣ୍ଣ ବିକେନ୍ଦ୍ରୀକରଣ କିପରି ହୋଇ ପାରିବ ସେନେଇ ସରକାର ଚିନ୍ତା କରୁଛନ୍ତି। ତଳସ୍ତରରେ ଜଣେ ସରପଞ୍ଚଙ୍କୁ ବଡ଼ ନିଷ୍ପତ୍ତି ନେବାର ଅଧିକାର ଦେବାକୁ ଚିନ୍ତା କରାଯାଉଛି। ସେହିଭଳି ମାସର ପ୍ରଥମ ଶନିବାର ବିଡିଓ ଓ ତହସିଲଦାର ଏକାଠି ବସି ଭୂମିହୀନଙ୍କୁ ଜମି ଦେବାକୁ ବ୍ୟବସ୍ଥା କରିବେ। ଏଥି ସହ ବିପର୍ଯ୍ୟୟର ସାମ୍ନା କରୁଥିବା ଅଞ୍ଚଳରେ ଭୂତଳ କେବଲିଂ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ବିକାଶର ବେଗ ବଢ଼ାଇବ ଡବଲ ଇଞ୍ଜିନ୍ ସରକାର
ସିୱାଇଏସ୍ଡିର ସହ ପ୍ରତିଷ୍ଠାତା ତଥା ସମାଜସେବୀ ଜଗଦାନନ୍ଦ କହିଲେ, ପ୍ରାକୃତିକ ବିପର୍ଯ୍ୟୟ ବିକାଶରେ ବାଧା ଦେଉଛି। ଥରେ ବିପର୍ଯ୍ୟୟ ହେଲେ ବର୍ଷେ ଯାଏ ପ୍ରଶାସନ ସେଥିରେ ବୁଡ଼ି ରହୁଛନ୍ତି। ଏହାର ସମାଧାନ ପାଇଁ ଉଭୟ ସରକାର ମିଶନ ମୋଡ୍ରେ କାମ କରନ୍ତୁ। ଗଞ୍ଜାମରୁ-ବାଲେଶ୍ୱର ଭିତରେ ଦେଢଲକ୍ଷ ଘର ଅଛି, ଯେଉଁ ଘର ଗରିବ ଲୋକଙ୍କ ଘର। ଏଣୁ ଓଡ଼ିଶାରେ କଚ୍ଚାରୁ ପକ୍କାଘର ପାଇଁ ଆନ୍ଦୋଳନ ହେଉ। କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସିବିଆର୍ଆଇ ସୁଲଭ ମୂଲ୍ୟରେ ଲୋକଙ୍କୁ ଘର ତିଆରି କରିବାକୁ ଡିଜାଇନ୍ ଦେଉ। ନ୍ୟାସନାଲ ହାଉସିଂ ବ୍ୟାଙ୍କ ମାଧ୍ୟମରେ ଯେତେ ବ୍ୟାଙ୍କ ଅଛି, ସମସ୍ତେ ସ୍ୱଳ୍ପମୂଲ୍ୟରେ ଲୋକଙ୍କୁ ଋଣ ଘର କରିବାକୁ ଦିଅନ୍ତୁ। ସରକାର ବିପର୍ଯ୍ୟୟ-ନିରୋଧ ଘର କରିବାକୁ ସହାୟତା ସାଢ଼େ ୩ ରୁ ୪ଲକ୍ଷ ଟଙ୍କା ଦିଅନ୍ତୁ ବୋଲି ସେ କହିଥିଲେ।
ଜାଭିୟର ବିଶ୍ବବିଦ୍ୟାଳୟର ଡିନ୍ ପ୍ରଫେସର କାଜରି ମିଶ୍ର କହିଲେ, ଗାଣତାନ୍ତ୍ରିକ ଦେଶରେ ରାଜନୌତିକ ମତ ଭାଗ ଭାଗ ହେବା ସ୍ବାଭାବିକ। କିନ୍ତୁ ତା’ ଭିତରେ ଆଗକୁ ଯାଇ କାମ କରିବାକୁ ପଡ଼ିବ। ତେବେ ଯାଇ ଡବଲ୍ ଇଞ୍ଜିନ ସରକାର ହେବାର ଲାଭ ଲୋକଙ୍କୁ ମିଳିବ। କେନ୍ଦ୍ର ସରକାରଙ୍କ ବହୁତ ଯୋଜନା ଅଛି, କିନ୍ତୁ ଓଡ଼ିଶାରେ ତାହା କାର୍ଯ୍ୟକାରୀ ହେଇପାରିନି। ଗ୍ରାମାଞ୍ଚଳରେ ପଞ୍ଚାୟତ ଓ ସହରାଞ୍ଚଳରେ ପୌରପରିଷଦର ଗୁରୁଦାୟିତ୍ବ ରହିଛି। ଏହାକୁ ଉଭୟ ସରକାର ବ୍ୟବସ୍ଥିତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।
ଏହି ଅଧିବେଶନକୁ ଜ୍ୟୋତି ପ୍ରକାଶ ଦାସ ସଂଯୋଜନା କରିଥିଲେ। ସମ୍ବାଦ ଗ୍ରୁପ୍ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ଅତିଥିଙ୍କୁ ସମ୍ମାନିତ କରିଥିଲେ।
Follow Us