ଲକ୍ଷ୍ମଣ ନାୟକଙ୍କ ତିରୋଧାନ ଦିବସ ଆଜି

ଲକ୍ଷ୍ମଣ ନାୟକଙ୍କ ତିରୋଧାନ ଦିବସ ଆଜି

representetional immage - Wikipedia

ସହିଦ ଲକ୍ଷ୍ମଣ ନାୟକ ଦେଶପ୍ରେମର ବଳିଷ୍ଠ ପ୍ରତୀକ। ମାତୃଭୂମି ପ୍ରତି ନିଷ୍ଠା ପାଇଁ ସେ ନିଜ ଜୀବନର ବଳିଦାନ କରିଥିଲେ। ୧୮୯୯ ମସିହା ନଭେମ୍ବର ୨୨ ତାରିଖରେ ଆଜିର ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ତେନ୍ତୁଳିଗୁମ୍ମା ଗ୍ରାମରେ ଏହି ବୀର ଜନ୍ମ ନେଇଥିଲେ। ତାଙ୍କର ପିଲାଦିନ ଜଙ୍ଗଲରେ କଟିଥିଲା। ପାଖରେ ସ୍କୁଲ୍‍ ନଥିବାରୁ ଲକ୍ଷ୍ମଣ ଆନୁଷ୍ଠାନିକ ଶିକ୍ଷାରୁ ବଞ୍ଚିତ ହୋଇଥିଲେ। ଘରୋଇ ଭାବେ ଲେଖାପଢ଼ା ଶିଖିଥିଲେ। ଆଦିବାସୀଙ୍କ ଉପରେ ଇଂରେଜଙ୍କର ଅତ୍ୟାଚାର ଦେଖି ସେ ବଡ଼ ହୋଇଥିଲେ। ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ହେବା ପରେ ଅବିଭକ୍ତ କୋରାପୁଟର ଲୋକଙ୍କ ଦୁର୍ଦ୍ଦଶା ଆହୁରି ବଢ଼ିଲା। ଲକ୍ଷ୍ମଣ ପ୍ରଥମେ କଂଗ୍ରେସରେ ଯୋଗ ଦେଇ କୋରାପୁଟରେ ଖଦି ଓ ନିଶା ନିବାରଣର ପ୍ରଚାର କରିବାକୁ ଲାଗିଲେ। ଲୋକଙ୍କୁ ଟିକସ ନ ଦେବାକୁ ଆହ୍ବାନ କରିଥିବାରୁ ଲକ୍ଷ୍ମଣଙ୍କୁ ରାଜଦ୍ରୋହୀ ଘୋଷଣା କରି ତାଙ୍କର ପଦ ଓ ଜମି ଛଡ଼ାଇ ନିଆଯାଇଥିଲା।

୧୯୪୨ରେ ଭାରତ ଛାଡ଼ ଆନ୍ଦୋଳନ ବେଳେ ଲକ୍ଷ୍ମଣ ନାୟକ ଗାଁ ଗାଁ ବୁଲି ଲୋକଙ୍କୁ ଅହିଂସା ସଂଗ୍ରାମ କରିବା ପାଇଁ ଆହ୍ବାନ କରିଥିଲେ। ସେହି ବର୍ଷ ଅଗଷ୍ଟ ୨୧ରେ ଲକ୍ଷଣଙ୍କ ନେତୃତ୍ବରେ ମାଥିଲି ଥାନା ଘେରାଉ କରାଯାଇଥିଲା। ଲକ୍ଷ୍ୟ ଥିଲା ଥାନା ଉପରେ ତ୍ରିରଙ୍ଗା ଉଡ଼ାଇବା। କିନ୍ତୁ ପୁଲିସ ମାଡ଼ରେ ଲକ୍ଷ୍ମଣ ନାୟକ ଅଚେତ ହୋଇପଡ଼ିଥିଲେ। ଏହା ଦେଖି ଆନ୍ଦୋଳନକାରୀମାନେ ଉତ୍ତେଜିତ ହୋଇଉଠିଥିଲେ ଏବଂ ସେମାନଙ୍କ ଉପରେ ଗୁଳି ଚଳାଯାଇଥିଲା। ସରକାରୀ ରିପୋର୍ଟ ଅନୁସାରେ ଏଥିରେ ପାଞ୍ଚ ଜଣ ଆନ୍ଦୋଳନକାରୀ ଓ ନିଶାସକ୍ତ ଫରେଷ୍ଟ ଗାର୍ଡ ଜି. ରାମେୟାର ମୃତ୍ୟୁ ଘଟିଥିଲା। ଲକ୍ଷ୍ମଣଙ୍କୁ ମୃତ ଭାବି ନାଳରେ ଫିଙ୍ଗି ଦିଆଯାଇଥିଲା। ତେବେ ସେ ଚେତା ପାଇ କିଛି ଦିନ ପରେ ଗାଁକୁ ଫେରିଥିଲେ। ଲକ୍ଷ୍ମଣ ନାୟକ ଓ ବଳରାମ ପୂଜାରୀଙ୍କ ଲାଠି ମାଡ଼ରେ ରାମେୟାର ମୃତ୍ୟୁ ହୋଇଛି ବୋଲି ପୁଲିସ ମିଛ ରିପୋର୍ଟ ଲେଖି ତାଙ୍କୁ ଗାଁରୁ ଗିରଫ କରିଥିଲା। କୋର୍ଟରେ ଲକ୍ଷ୍ମଣଙ୍କୁ ମୃତ୍ୟୁ ଦଣ୍ଡ ମିଳିଲା। ୧୯୪୩ ମାର୍ଚ୍ଚ ଆଜି ଦିନରେ ତାଙ୍କୁ ବ୍ରହ୍ମପୁର ଜେଲରେ ଫାଶୀ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe