ଲକ୍ଷ୍ମୀପୁରାଣ କଥା-୧୭: ଗୁରୁପଞ୍ଚମୀ ବ୍ରତକଥା

Advertisment
ଲକ୍ଷ୍ମୀପୁରାଣ କଥା-୪୯: ‘ଦିବ୍ୟ କରି ଘର ମୋତେ ଦେବାକ ତୋଳାଇ’

ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ର ମୁଖ୍ୟ କଥାବସ୍ତୁ ବଡ଼ଦେଉଳ ନାମକ ବଡ଼ଘରର କାହାଣୀ। ଏ କାହାଣୀ ବଳରାମ ଦାସ କହିଛନ୍ତି ନାରଦଙ୍କ ମୁଖରେ। କିନ୍ତୁ ତାହାର ପୃଷ୍ଠଭୂମିରେ ଅଛି ‘ଗୁରୁପଞ୍ଚମୀ ବ୍ରତ’। ସଂକଳ୍ପ କରି ମଧ୍ୟ ଲକ୍ଷ୍ମୀଙ୍କର ସେହି ବ୍ରତ ନ କରିବାରୁ, ସ୍ୱର୍ଗଚ୍ୟୁତ ହୋଇଛନ୍ତି ଇନ୍ଦ୍ର। ପୁଣି ସେହି ବ୍ରତ କରିବାରୁ ସେ ସ୍ୱର୍ଗରାଜ୍ୟ ଫେରି ପାଇଛନ୍ତି।
ଓଡ଼ିଆ ଓଷା-ବ୍ରତ ମଧ୍ୟରେ ଅଛି ‘ଗୁରୁପଞ୍ଚମୀ ବ୍ରତକଥା’। ଏହା ଏକ ଯୋଗଜବ୍ରତ। ଅର୍ଥାତ୍‌, ଯୋଗକୁ ଯେଉଁ ଶୁକ୍ଳପଞ୍ଚମୀ ତିଥି ଗୁରୁବାରରେ ପଡ଼େ, ସେ ବାରରେ ସେହି ବ୍ରତ ହୁଏ। ବ୍ରତକଥା ସଂପର୍କିତ ସୂଚନା ଅନୁସାରେ, ‘ପଦ୍ମପୁରାଣ’ ତାହାର ଉତ୍ସ। କିନ୍ତୁ ବ୍ରତକଥା ମଧ୍ୟରେ ତାହା ‘ବିଷ୍ଣୁପୁରାଣୋକ୍ତ’ ବୋଲି କୁହାଯାଇଛି।
ବ୍ରତକଥା ଅନୁସାରେ- ଦେବତା ଓ ଅସୁରଙ୍କ ଦ୍ୱାରା କ୍ଷୀରସାଗର ମନ୍ଥନରୁ ଲକ୍ଷ୍ମୀ ଆବିର୍ଭୂତା ହେଲେ। ସେ ପରମେଶ୍ୱରୀ, ଭୂତଭବିଷ୍ୟକାରିଣୀ, ଜଗତଉଦ୍ଧାରିଣୀ ଓ ଚଞ୍ଚଳା ରୂପେ ତିନିଭୁବନ ମୋହିଲେ। ବ୍ରହ୍ମା ତାଙ୍କୁ ରତ୍ନମାଳାଟିଏ ଦେଲେ। ତାହା ତାଙ୍କର ଗଳା ମଣ୍ଡନ କଲା। ବ୍ରହ୍ମା କହିଲେ, ଏ ମାଳା ଯାହା ଗଳାରେ ଦେବ, ସେ ତୁମ୍ଭର ଭର୍ତ୍ତା ହେବ। ପରମଲକ୍ଷ୍ମୀ ପରମେଶ୍ୱରୀ ସେ ମାଳା ବିଷ୍ଣୁଙ୍କ ଗଳାରେ ଦେଲେ। ଦେବତାମାନେ ଆନନ୍ଦରେ ଲକ୍ଷ୍ମୀ-ନାରାୟଣଙ୍କ ଉପରେ ପୁଷ୍ପବୃଷ୍ଟି କଲେ।
ତାହା ପରେ ପରମେଶ୍ୱର ପରମଲକ୍ଷ୍ମୀଙ୍କୁ କୋଳରେ ବସାଇଲେ। ଅନ୍ୟ ଅଷ୍ଟନାୟିକା- ଯଥା ରୁକ୍ମିଣୀ, ସତ୍ୟଭାମା, ଭଦ୍ରା, କାଳିନ୍ଦୀ, ତୁଳସୀ, ଲକ୍ଷଣା, ଜାମ୍ବବତୀ ଓ ମିତ୍ରବିନ୍ଦା ଆଦି ପାର୍ଶ୍ବରେ ରହିଲେ। ସବୁ ଦେବତା ସେଠୁ ମେଲାଣି ନେବା ପରେ, ପରମେଶ୍ୱର ଓ ପରମଲକ୍ଷ୍ମୀ କ୍ଷୀରସମୁଦ୍ର ମଧ୍ୟରୁ ବାହାରି ଗରୁଡ଼ ପୃଷ୍ଠରେ ଯିବାବେଳେ, କ୍ଷୀରସାଗର ତଟରେ ଏକ ଦିବ୍ୟ ମଣ୍ଡପ ଦେଖିଲେ। ସେହି ମଣ୍ଡପ ମଧ୍ୟରେ ସ୍ଫଟିକର ଏକ ଜଗତି ଅଛି। ଅବସନ୍ତେ ବସନ୍ତ ବହୁଛି। ତାହା ଅମରାବତୀ ପରି ଶୋଭାପାଉଛି। ଲକ୍ଷ୍ମୀଙ୍କ ଅନୁରୋଧରେ ନାରାୟଣ ସେଠାରେ କିଛି ସମୟ ଅବସ୍ଥାନ କଲେ। ପରମେଶ୍ୱର ଓ ପରମଲକ୍ଷ୍ମୀ ସେହି ସ୍ଫଟିକ ମଣ୍ଡପରେ ବିଜେ ହେଲେ।
ସେହି ସମୟରେ ପରମଲକ୍ଷ୍ମୀ କହିଲେ- ହେ ସ୍ୱାମୀ, ଆଜି ଶୁକ୍ଳ ପଞ୍ଚମୀ ଗୁରୁବାର। ଆଜି ମଧ୍ୟ ମୋହର ଜନ୍ମ ତିଥି। ତାହା ଶୁଣି ବିଷ୍ଣୁ କହିଲେ- ଅଷ୍ଟନାୟିକାଙ୍କୁ ଏ ତିଥିର ବ୍ରତ ପାଳନ ନିମନ୍ତେ ଆଜ୍ଞା ଦିଅ। ପରମଲକ୍ଷ୍ମୀ ସେମାନଙ୍କୁ ଗୁରୁବାର ପଞ୍ଚମୀ ବ୍ରତ ପାଳନ ନିମନ୍ତେ ଆଜ୍ଞା ଦେଲେ।
ସେହି ସମୟରେ ଦେବରାଜ ଇନ୍ଦ୍ର ଶଚୀଦେବୀଙ୍କ ସହିତ ଐରାବତରେ ବସି ସେହି ବନକୁ ବେଣ୍ଟ ବିନୋଦ ନିମନ୍ତେ ଆସିଲେ। ଅଷ୍ଟନାୟିକା ବ୍ରତ କରୁଥିବା ଦେଖି ସେମାନଙ୍କୁ ସେ ସେହି ବ୍ରତ ସଂପର୍କରେ ପଚାରିଲେ। ସେମାନେ କହିଲେ- ଆମେ ମହାଲକ୍ଷ୍ମୀଙ୍କ ପରିବାରୀ। ବିଷ୍ଣୁ ଓ ଲକ୍ଷ୍ମୀଙ୍କ ଆଜ୍ଞା ଅନୁସାରେ ଏ ବ୍ରତ କରୁଛୁ।
ତହୁଁ ଇନ୍ଦ୍ର କହିଲେ- ମୁଁ ଏ ବ୍ରତ କରିବି। ଅଷ୍ଟନାୟିକା ତାଙ୍କୁ ବ୍ରତର ବିଧି ବତାଇଦେଲେ। ଶଚୀଦେବୀଙ୍କ ସହିତ ସେହି ବ୍ରତ କରିବାକୁ ଇନ୍ଦ୍ର ସଂକଳ୍ପ କଲେ।
କିନ୍ତୁ ସେଠାରୁ ଫେରିବା ପରେ, ସଂପତ୍ତି ଭୋଳ ହୋଇ ଇନ୍ଦ୍ର ବ୍ରତ ପାଳନ କଲେ ନାହିଁ। ଫଳରେ ଶୁକ୍ଳ ଷଷ୍ଠୀ ଶୁକ୍ରବାର ଦିନ, ଲକ୍ଷ୍ମୀଙ୍କ କୋପରୁ ଶତ୍ରୁମାନେ ସ୍ୱର୍ଗରାଜ୍ୟ ଆକ୍ରମଣ କଲେ। ଇନ୍ଦ୍ର ସ୍ୱର୍ଗଚ୍ୟୁତ ହୋଇ ପଳାଇଗଲେ। ସ୍ୱର୍ଗରାଜ୍ୟ ଅରାଜକ ହେଲା।
ତାହା ଦେଖି ଶିବ, ବ୍ରହ୍ମା ଆଦି ଦେବତାମାନେ ଯାଇ ବିଷ୍ଣୁଙ୍କୁ ତାହା ଜଣାଇଲେ। ସବୁ ଶୁଣି ନାରାୟଣ କହିଲେ- ମହାଲକ୍ଷ୍ମୀ! ଇନ୍ଦ୍ରଙ୍କୁ କିମ୍ପା ହତରାଜ୍ୟ କଲ? ଲକ୍ଷ୍ମୀ ଦରହସିତ ହୋଇ କହିଲେ- ହେ ଦେବ! ଗୁରୁପଞ୍ଚମୀ ବୋଲି ମୋହର ଯେ ବ୍ରତ ଅଛି, ସଂକଳ୍ପ କରି ମଧ୍ୟ ଇନ୍ଦ୍ର ତାହା ନକଲା। ତେଣୁ ହତରାଜ୍ୟ ହୋଇଲା। ଯେ ଏହା କରଇ ତାକୁ ମୁଁ ସ୍ୱର୍ଗରାଜ୍ୟ ଦିଅଇ।
ତାହା ଶୁଣି ପରମେଶ୍ୱର କହିଲେ- ହେ ପରମଲକ୍ଷ୍ମୀ! ଇନ୍ଦ୍ରଙ୍କୁ ଆମେ ସ୍ୱର୍ଗଭୋଗ ଦେବା। ଏହା କହି ସେ ନାରଦଙ୍କୁ କହିଲେ- ତୁମ୍ଭେ ଏବେ ଯାଇ ଇନ୍ଦ୍ରଙ୍କୁ ଗୁରୁପଞ୍ଚମୀ ବ୍ରତ ପାଇଁ ସଂକଳ୍ପ କରାଅ। ନାରଦ ଯାଇ ଇନ୍ଦ୍ରଙ୍କୁ ଗୁରୁପଞ୍ଚମୀ ବ୍ରତର ସଂକଳ୍ପ କରାଇଲେ। ଶଚୀଦେବୀଙ୍କ ସହ ଇନ୍ଦ୍ର ସେହି ବ୍ରତ କରିବାରୁ, ସକଳ ଶତ୍ରୁ ପଳାଇଗଲେ। ଦେବତାମାନେ ଆସି ତାଙ୍କୁ ଐରାବତରେ ବସାଇ ପାରିଜାତ ବୃଷ୍ଟି କଲେ। ଗନ୍ଧର୍ବ ଓ ଅପ୍‌ସରାମାନେ ତାଙ୍କ ଛାମୁରେ ଗୀତ ନୃତ୍ୟ କରି ତାଙ୍କୁ ଅମରାବତୀପୁରକୁ ପାଛୋଟି ନେଲେ। ଲକ୍ଷ୍ମୀଙ୍କ ପ୍ରସାଦରୁ ପୁଣି ଇନ୍ଦ୍ରଙ୍କର ସ୍ୱର୍ଗରାଜ୍ୟ ଫେରିଆସିଲା।
-ଅସିତ ମହାନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe