ଲକ୍ଷ୍ମୀପୁରାଣ କଥା-୨୬: ଅନେକ ଶ୍ରୀୟା: ଗୋଟିଏ ଚଣ୍ଡାଳୁଣୀ

Advertisment

ଅସିତ ମହାନ୍ତି

ଅସିତ ମହାନ୍ତି

ଲକ୍ଷ୍ମୀପୁରାଣ କଥା-୨୨: ଷାଠିଏ ସହସ୍ର ଘର ଦ୍ୱାରାବତୀ ପୁର!

ଓଡ଼ିଆ ଓଷାବ୍ରତ କଥାରେ ଅଛନ୍ତି ଅନେକ ଶ୍ରୀୟା। ଏ ନାମଟି ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ର ପ୍ରଭାବରେ ଅଧିକ ପ୍ରଚଳିତ ହୋଇଥିବା ଅନୁମେୟ। ଗୋଟିଏ ‘ସୁଦଶାବ୍ରତ କଥା’ର ଶ୍ରୀୟା ହେଉଛି ମାଲୁଣୀ; ଏବଂ ପରଜନ୍ମରେ ସେ ହୋଇଛି ମନ୍ତ୍ରୀକନ୍ୟା। ‘ନିତ୍ୟାନି ଗୁରୁବାର କଥା’ରେ ବି ଅଛି ଶ୍ରୀୟା ନାମରେ ଜଣେ ସାଧବାଣୀ। ଏ ସମସ୍ତେ ଲକ୍ଷ୍ମୀବ୍ରତର ବ୍ରତିନୀ। କିନ୍ତୁ ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ର ଶ୍ରୀୟା ମାଲୁଣୀ, ମନ୍ତ୍ରୀକନ୍ୟା ବା ସାଧବାଣୀ ନୁହେଁ; ସେ ଚଣ୍ଡାଳୁଣୀ।

ମେଷ ମାସ ଶୁକ୍ଳ ଦଶମୀ ଗୁରୁବାରରେ, ସୁବେଶ ଓ ନାନା ରତ୍ନ ଅଳଙ୍କାରରେ ଭୂଷିତ ହୋଇ ପରମଲକ୍ଷ୍ମୀ ଦ୍ୱାରାବତୀପୁର ନଗ୍ର ବୁଲି ଯାଇଥିଲେ। ଷାଠିଏ ସହସ୍ର ଘର ଭିତରେ କାହାକୁ ଆଚାରବନ୍ତ ଦେଖି ନଥିଲେ। ସେମାନଙ୍କୁ ‘ସାପ୍ୟ’ (ଅଭିଶାପ) ଦେଇ, ଲେଉଟାଣି ବେଳେ ନଗ୍ର ବାହାରେ ଗୋଟିଏ ଚଣ୍ଡାଳ ଘର ଦେଖିଲେ। ବଳରାମ ଦାସ ଲେଖିଛନ୍ତି-
“ନଗ୍ରର ବାହାରେ ଶ୍ରୀୟା ଚଣ୍ଡାଳୁଣୀ ଘର
ନିତିଦିନ ଖରକଇ ଗୁଣ୍ଡିଚା ନବର।”

ନଗ୍ରବୁଲାରୁ ଲେଉଟାଣି ବେଳେ ସେ ଦେଖିଲେ- ସେଦିନ ଲକ୍ଷ୍ମୀ ଗୁରୁବାର ପଡ଼ିଥିବାରୁ, ଶ୍ରୀୟା ଚଣ୍ଡାଳୁଣୀ ‘ଶଉଚ କରିଣ’ (ଶୁଚିତାପୂର୍ଣ୍ଣ ଭାବରେ) ଘରଦ୍ୱାର ଲିପିଛି। ଏକବର୍ଣ୍ଣି ଗାଈର ଗୋବର ଆଣି, ସେଥିରେ ମାଟି ମିଶାଇ ଘରକୁ ଲିପି ‘ସୁସଞ୍ଚ’ କରିଛି। ଅତି ଯତ୍ନ କରି ମୁରୁଜ ପକାଇଛି ଓ ପଦ୍ମ ଲେଖିଛି। ତାହାର ସୁନ୍ଦର ବର୍ଣ୍ଣନା କରି ବଳରାମ ଦାସ ଲେଖିଛନ୍ତି-
“ପଦ୍ମ ଉପରେଣ ଥାପିଲା ମାଧବୀ ଲତାୟେ
ତହିଂ ଉପରେଣ ଥାପିଲା କୁଙ୍କୁମ ଥୋପାଏ।”

ତାହାପରେ, ଶ୍ରୀୟା ‘ଗନ୍ଧ’ (ଘୋରା ଚନ୍ଦନ) ଓ ‘ଅୟେଂଳା’ (ଅଂଳା ବଟା) ଲଗାଇ ନଦୀରେ ସ୍ନାନ କଲା। ସ୍ନାନ ସାରି ଆସି, ଦୁଆରେ କଳସ ସ୍ଥାପନା କରି, ସେଥିରେ ପଞ୍ଚୁବର୍ଣ୍ଣି ପୁଷ୍ପ ଦେଲା। ତା’ପରେ, ଦୁବ ଦଶକେରା ଓ ଦଶଗୋଟି ତଣ୍ଡୁଳ (ଅରୁଆ ଚାଉଳ ବା ଅକ୍ଷତ) ହାତରେ ଧରି ବିନୟ ହୋଇ କହିଲା-
“ମୋହ ଛାର ଚଣ୍ଡାଳୁଣୀ କିଛି ନଜାଣଇଂ
କିଂଚିତ ଭଗତି ମୋର ଘେନ ମହାମାଇଂ।”

ବଜାର ସଂସ୍କରଣ ‘ଲକ୍ଷ୍ମୀପୁରାଣ’ରେ କିନ୍ତୁ ଏହାକୁ ବଦଳାଇ, ବଢ଼ାଇ ଦିଆ ଯାଇଛି। ତାହାର ଭାଷା ବି ପଞ୍ଚଦଶ-ଷୋଡ଼ଶ ଶତାବ୍ଦୀର ଭାଷା ନୁହେଁ; ଊନବିଂଶ-ବିଂଶ ଶତାବ୍ଦୀର ଭାଷା। ସେଥିରେ ଲେଖାଅଛି-
“ଏହି ରୂପେ ମହାଲକ୍ଷ୍ମୀ ଦେଖିକରି ଗଲେ।
ଚଣ୍ଡାଳ ସାହିରେ ଯାଇଁ ପ୍ରବେଶ ହୋଇଲେ।ା
ଶ୍ରୀୟା ଚଣ୍ଡାଳୁଣୀ ନଗ୍ର ବାହାରେ ତା’ ଘର।
ତାହାର ମହିମା ଯେ ଦେବଙ୍କୁ ଅଗୋଚର।”

ଏ ପ୍ରସଙ୍ଗରେ ଲକ୍ଷ୍ୟଣୀୟ, ଯେ ଲକ୍ଷ୍ମୀଙ୍କର ମହିମା ବା ଗୃହରେ ନାରୀର ଗୁରୁତ୍ୱ ପ୍ରଖ୍ୟାପନ ଯେଉଁଠି ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ ରଚନାର ମୁଖ୍ୟ ଉଦ୍ଦେଶ୍ୟ- ସେଠି ଶ୍ରୀୟା ଚଣ୍ଡାଳୁଣୀର ଅପାର ମହିମା ଉକ୍ତିର ପ୍ରୟୋଜନ ବା କେଉଁଠି?

ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ରେ ଶ୍ରୀୟା ଚଣ୍ଡାଳୁଣୀ ଯତ୍ନରେ ମୁରୁଜ ଓ ପଦ୍ମମଣ୍ଡଳ ଲେଖିବା କଥା ବର୍ଣ୍ଣିତ ଅଛି ଏବଂ ଶ୍ରୀୟା ତା’ ଉପରେ ମାଧବୀଲତା ଥାପି କୁଙ୍କୁମ ଟୋପା ଦେଇଛି। ଅଥଚ, ବଜାର ସଂସ୍କରଣରେ, ଶ୍ରୀୟା ଅରୁଆ ଚାଉଳ ବଟା ପିଠଉରେ ଝୋଟି ଦେଇ ଷୋଳକୋଠି ଓ ପଦ୍ମ ଆଙ୍କିବା କଥା ଲେଖା ଅଛି। ସେହି ମଣ୍ଡଳରେ ସେ ଦଶମୁଖ ଦୀପ ଜାଳିଛି ଏବଂ ଦଶବର୍ଣ୍ଣ ଫଳମୂଳ ବି ବାଢ଼ିଛି। ସେ ମଣ୍ଡଳରେ ଶ୍ରୀୟା ଦଶକେରା ଦୁବ ଓ ଅରୁଆ ଚାଉଳ ବି ଥୋଇଛି। ଏହିପରି ଭାବରେ ବଜାର ସଂସ୍କରଣ ‘ଲକ୍ଷ୍ମୀପୁରାଣ’ରେ ବଳରାମ ଦାସଙ୍କ ବର୍ଣ୍ଣିତ ବ୍ରତବିଧି ବଢ଼ି ବଢ଼ି ଚାଲିଛି। ଶ୍ରୀୟା ଚଣ୍ଡାଳୁଣୀ ପୁଣି ପ୍ରାର୍ଥନା କରି କହିଛି-
“ନମସ୍ତେ ନମସ୍ତେ ମାଗୋ ହରିର ଘରଣୀ।
ମୁହିଁ ଛାର ହୀନ ଜାତି ନ ଜାଣଇ ପୁଣି।ା
ଚଣ୍ଡାଳ ସାହିରେ ଘର ପୁଣି ଚଣ୍ଡାଳୁଣୀ।
କିଞ୍ଚିତେ ଭଗତି ମୋର ଘେନ କମଳିନୀ।ା”

ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ରେ ଏହା ପରର କଥା ଏହିପରି ଭାବରେ ବର୍ଣ୍ଣିତ ଅଛି-
“ପଦ୍ମଲୋଚନି ମାଗୋ ପଦ୍ମଫୁଲେ ବାଈ
ପଦ୍ମଦେଖି ଶରଧା ବଳିଲା ମହାମାଇଂ।ା
ବୋଇଲେ ଗୋ ଚଣ୍ଡାଳୁଣୀ ମାଗି ଘେନ ବର
ପ୍ରସନ ହୋଇଲି ଦୁଃଖ ନାଶ ଗଲା ତୋର।”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe