‘ହଣାଗୋଡ଼ ୧୫ ଦିନରେ ଭଲ ‌ହୋଇଗଲା’: କୃଷ୍ଣଚନ୍ଦ୍ର ମହାରଣା, ମୁଖ୍ୟ ବିଶ୍ବକର୍ମା, ଦେବଦଳନ ରଥ

Advertisment
‘ହଣାଗୋଡ଼ ୧୫ ଦିନରେ ଭଲ ‌ହୋଇଗଲା’: କୃଷ୍ଣଚନ୍ଦ୍ର ମହାରଣା, ମୁଖ୍ୟ ବିଶ୍ବକର୍ମା, ଦେବଦଳନ ରଥ

ନବକଳେବରରେ ଦାରୁ ଚିହ୍ନଟ, ଦାରୁ ଆଣିବା, ବିଗ୍ରହ ନିର୍ମାଣ, ରତ୍ନ ସିଂହାସନରେ ବିଗ୍ରହ ସ୍ଥାପନ ପର୍ଯ୍ୟନ୍ତ ଆମର ସେବା ରହିଛି। ରଥ ତିଆରି ସେବା ରହିଛି। ଚନ୍ଦନ ଯାତ୍ରାରେ ଚାପ ତିଆରି ସେବା ରହିଛି। ଶ୍ରୀମନ୍ଦିରରେ ଯେତେବେଳେ ଯାହା ବି ସେବା ପଡ଼େ, କରେ।

ମହାପ୍ରଭୁଙ୍କ ସବୁ ଅନୁଭୂତି ଅଭୁଲା। ପ୍ରତି ମୁହୂର୍ତ୍ତରେ ମହାପ୍ରଭୁଙ୍କୁ ମୁଁ ଅନୁଭବ କରିଛି। ୧୫ ବର୍ଷ ତଳର କଥା। ରଥଖଳାରେ କାଠ ହାଣିବା ସମୟରେ ବାରିସି ଖସି ଆସି ଡାହାଣ ଗୋଡ଼ରେ ବାଜିଥିଲା। ନଳି ଗୋଡ଼ର ମାଂସ ପାଖରୁ ସିଂହଭାଗ ହାଣି ହୋଇଗଲା। ରକ୍ତର ଧାର ବୋହିଥିଲା। ଅନ୍ୟ ରଥ ନିର୍ମାଣ ସେବକମାନେ ବି ଏହା ଦେଖି ତାଜୁବ ହୋଇଯାଇଥିଲେ। ରକ୍ତସ୍ରାବ ‌ଏତେ ହୋଇଥିଲା ଯେ ଲୋକେ ମୁଣ୍ଡରେ ହାତ ଦେଲେ, ବଞ୍ଚିବିନି ବୋଲି ଭାବୁଥିଲେ। କିନ୍ତୁ ମୁଁ ସେହିଭଳି ହସହସ ମୁହଁରେ ଥିଲି। କାରଣ ମହାପ୍ରଭୁଙ୍କ ରଥ କାମ କରିବାର ନିଶା ମୁଣ୍ଡରେ ଚଢ଼ିଥିଲା। କିଛି ଲୋକ ଗାମୁଛା ଗୁଡ଼ାଇ ଡାକ୍ତରଖାନାରେ ଭର୍ତ୍ତି କଲେ। ଡାକ୍ତର ଦେଖି ଆଶ୍ଚର୍ଯ୍ୟ ‌ହୋଇଥିଲେ। ଯେହେତୁ ରଥ କାଠ ଅନୁକୂଳ ସମୟରେ ଏଭଳି ଅବସ୍ଥା ହୋଇଥିଲା, ଡାକ୍ତରଙ୍କୁ ଅନୁରୋଧ କରିଥିଲି, ମୋତେ ଠିକ୍‌ କରିଦିଅ, ମୁଁ କାମ କରିବି। କିନ୍ତୁ କ୍ଷତର ଆକାର ଦେଖି ଡାକ୍ତର ମନା କରି ଦେଲେ। ବହୁ ଅନୁରୋଧ ପରେ ପାଦରୁ ଜଙ୍ଘ ଯାଏ ବ୍ୟାଣ୍ଡେଜ ଗୁଡ଼ାଇ ଦେଇଥିଲେ। ପରେ ଗାଡ଼ି କରି ମୋତେ ରଥଖଳାକୁ ପଠାଇଥିଲେ। ମହାପ୍ରଭୁଙ୍କ କୃପାରୁ ସେମିତି ପାଦରୁ ଜଙ୍ଘ ପର୍ଯ୍ୟନ୍ତ ‌ବ୍ୟାଣ୍ଡେଜ ଗୁଡ଼ା ଅବସ୍ଥାରେ ମୁଁ ରଥ ଅନୁକୂଳ କାମ କଲି। ମନରେ ବି ମହାପ୍ରଭୁଙ୍କୁ ବହୁତ ଡାକୁଥିଲି; ପ୍ରଭୁ ପାଦ ଜଲ୍‌ଦି ଠିକ୍‌ ହୋଇଯାଉ। ପୁଣିଥରେ ପୂର୍ବଭଳି ତୁମ ସେବାରେ ଲାଗିବି, ସେ ନେଇ ନେହୁରା ହେଉଥିଲି। ମହାପ୍ରଭୁଙ୍କୁ ଡାକିବାର ମାତ୍ର ୧୫ ଦିନ ଭିତରେ ଗୋଡ଼ ସଂପୂର୍ଣ୍ଣ ଭଲ ହୋଇଗଲା। ପୁଣି ରଥଖଳାରେ ଆସି କାମ କଲି। ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଗଲେ। ଏତେ ଶୀଘ୍ର ଗୋଡ଼ ଶୁଖିବା ଏବଂ ପୁଣି କାମ କରିବା ଦେଖି ରଥଖଳାରେ ଅନ୍ୟ ମହାରଣାମାନେ ବି ଆଶ୍ଚର୍ଯ୍ୟ ହୋଇଗଲେ।

ଏଭଳି ଅନେକ ଅନୁଭୂତି ଜୀବନରେ ଘଟିଛି। ମହାପ୍ରଭୁ ସତରେ ଦିବ୍ୟ। ତାଙ୍କ ଆଶୀର୍ବାଦ ନ ହେଲେ କିଛି ବି ହେବନି। ମହାପ୍ରଭୁଙ୍କ ଆଗରେ ଯିଏ ‘ମୁଁ’ କହିଲା, ଅହଂକାର ଦେଖାଇଲା, ତା’ର ଅସ୍ତିତ୍ବ କିଛି ବି ରହିବନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe