ମାରୁତି କାରଖାନା ଭିତରେ ପଶିଥିବା ବାଘକୁ ୩୬ ଘଣ୍ଟା ପରେ ଉଦ୍ଧାର କଲା ବନବିଭାଗ

Advertisment
ମାରୁତି କାରଖାନା ଭିତରେ ପଶିଥିବା ବାଘକୁ ୩୬ ଘଣ୍ଟା ପରେ ଉଦ୍ଧାର କଲା ବନବିଭାଗ

ଗୁରୁଗ୍ରାମ: ୩୬ ଘଣ୍ଟାରୁ ଊର୍ଧ୍ୱ ସମୟ ଧରି ଗୁରୁଗ୍ରାମ ମାନେସାରସ୍ଥିତ ମାରୁତି ସୁଜୁକି କାର କାରଖାନା ପରିସର ଭିତରେ ପଶି ରହିଥିବା ଏକ କଲରାପତରିଆ ବାଘକୁ ବନ ବିଭାଗ ଉଦ୍ଧାର କରିଛି। ଏଥିପାଇଁ ଗୁରବାର ଠାରୁ ମାରୁତି ସୁଜୁକି କାରଖାନାରେ ଉତ୍ପାଦନ କାର୍ଯ୍ୟ ବନ୍ଦ କରି କର୍ମଚାରୀମାନଙ୍କୁ କାରଖାନା ଛାଡ଼ିବା ପାଇଁ ବ୍ୟବସ୍ଥା କରାଯାଇଥିଲା।ଏହି ଅଣ୍ଡିରା କଲରାପତରିଆ ବାଘଟି ସାଢ଼େ ୬ ବର୍ଷ ବୟସର ଓ ଲମ୍ବା ପ୍ରାୟ ୬ ଫୁଟ୍‌ ହେବ। ଗତ ଗୁରୁବାର ସକାଳେ ଏହି କଲରାପତରିଆ ବାଘଟି କାରଖାନାର ମେକାନିକାଲ ପ୍ଲାଟଫର୍ମ ତଳେ ମେସିନ ତୈଳରେ ଲଟପଟ ଅବସ୍ଥାରେ ଦେଖିବାକୁ ମିଳିଥିଲା। ତା ପରଠାରୁ ବାଘଟି ମାରୁତି ପାଓ୍ଵାରଟ୍ରେନ୍‌ କମ୍ପାଉଣ୍ଡ ପରିସରରେ ଯାଇ ଛପିଯାଇଥିଲା। ୬ଶହ ଏକର ପରିମିତ ଏହି କାର କାରଖାନା ପରିସରରୁ କଲରାପତରିଆ ବାଘଟିକୁ ଠାବ କରିବା ମୁସ୍କିଲ ହୋଇ ପଡ଼ିଥିଲା। ଏ ନେଇ କମ୍ପାନି ପକ୍ଷରୁ ବନ ବିଭାଗକୁ ଖବର ଦିଆଯାଇଥିଲା। ଖବର ପାଇ ବନବିଭାଗର ୧୦ ଜଣିଆ ଟିମ୍‌ ଓ ୫୦ ଜଣ ପୁଲିସ କର୍ମଚାରୀ କାରଖାନା ଭିତରକୁ ପଶି ବାଘଟିକୁ ଖୋଜିବା ଆରମ୍ଭ କରିଥିଲେ। ଶୁକ୍ରବାର ମଧ୍ୟାହ୍ନରୁ ପୁଲିସ ଓ ବନବିଭାଗ ଖୋଜାଖୋଜି କରିଥିଲେ ମଧ୍ୟ ସେମାନେ ବାଘଟିର ଉପସ୍ଥିତି ଜାଣି ପାରି ନ ଥିଲେ। ଶେଷରେ ଶୁକ୍ରବାର ରାତି ପ୍ରାୟ ସାଢ଼େ ୧ଟା ବେଳେ ଏହି କଲରାପତରିଆ ବାଘଟି କାରଖାନାର ମେକାନିକାଲ ପ୍ଲାଟଫର୍ମ ତଳେ ଛପିଥିବା ଦେଖିବାକୁ ମିଳିଥିଲା। ସେହିଠାରେ ବନବିଭାଗ ପକ୍ଷରୁ ଟ୍ରାଙ୍କୁଲାଇଜ ଦ୍ୱାରା ବାଘଟିକୁ ଅଚେତ କରାଯାଇଥିଲା। ମାତ୍ର ବାଘଟି ଯେଉଁଠାରେ ଥିଲା, ସେଠାରୁ ତାକୁ ଉଦ୍ଧାର କରିବା ସହଜ ନ ଥିଲା। ଶେଷରେ ଗ୍ୟାସ କଟର ସାହାଯ୍ୟରେ ପ୍ଲାଟଫର୍ମର କିଛି ଅଂଶ କଟାଯିବା ପରେ ବାଘଟିକୁ ବାହାର କରାଯାଇଥିଲା।
ବାଘଟିକୁ ଟ୍ରାଙ୍କୁଲାଇଜର ଦେବା ପରେ ବନ ବିଭାଗ ପ୍ରାୟ ଅଧ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିଥଲା। ପରେ ଏହି ଏକ କୁଇଣ୍ଟାଲ ଓଜନର ବାଘଟିକୁ ସେଠାରୁ ବାହାର କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା ବୋଲି ମାନେସାର ଏସିପି ଧରମବୀର ସିଂହ କହିଛନ୍ତି।

୩୬ ଘଣ୍ଟାରୁ ଊର୍ଧ୍ୱ ସମୟ ଧରି ଗୁରୁଗ୍ରାମ ମାନେସାରସ୍ଥିତ ମାରୁତି ସୁଜୁକି କାର କାରଖାନା ପରିସର ଭିତରେ ପଶି ରହିଥିବା ଏକ କଲରାପତରିଆ ବାଘକୁ ବନ ବିଭାଗ ଉଦ୍ଧାର କରିଛି।
ସୂଚନାଯୋଗ୍ୟ ଯେ ଏହି କଲରାପତରିଆ ବାଘଟିକୁ ଉଦ୍ଧାର କରିବା ପାଇଁ ବନବିଭାଗ ପକ୍ଷରୁ ଶୁକ୍ରବାର ସକାଳେ ମଧ୍ୟ ଉଦ୍ୟମ ଦେଇଥିଲା। ଏଥିପାଇଁ ଦୁଇଟି ଛେଳିକୁ ଏକ ପଞ୍ଜୁରି ଭିତରେ ରଖି ବାଘଟିକୁ ପ୍ରଲୋଭିିତ କରିବା ପାଇଁ ଉଦ୍ୟମ କରାଯାଇଥିଲା। ମାତ୍ର ଏହା ସଫଳ ହୋଇ ନ ଥିଲା। ତା ପରେ ଏହି ଛେଳିଙ୍କୁ ହଟାଇ ସେଠାରେ ତାଜା ମାଂସ ରଖାଯାଇଥିଲା। କିନ୍ତୁ କଲରାପତରିଆ ବାଘଟି ବନବିଭାଗର ଏହି ପ୍ରଲୋଭନରେ ପଡ଼ି ନ ଥିଲା କିମ୍ବା ଜିଅଳ ଖାଇ ନ ଥିଲା।୨ ଘଣ୍ଟାରୁ ଅଧିକ ସମୟ କାରଖାନାକୁ ଅନ୍ଧାର କରି ରଖାଯାଇଥିଲା, ହୁଏତ ଅନ୍ଧାରରେ ଭୋକିଲା ବାଘଟି ଖାଦ୍ୟ ଖାଇବା ପାଇଁ ବାହାରକୁ ଆସିବ। ମାତ୍ର ବାଘଟି ସେହିପରି ଛପି ରହିଥିଲା। ବାଘଟି ଅତ୍ୟଧିକ ଭୟଭିତ ହୋଇ ପଡ଼ିିଥିବାରୁ ତାକୁ ସେହି କୋଠା ଭିତରେ କିଛି ସମୟ ଏକୁଠିଆ ଛାଡ଼ି ଦିଆଯାଇଥିଲା। କେବଳ ବାଘଟି ସେଠାରେ ଲାଗିଥିବା ସିସିଟିଭି ଫୁଟେଜରେ କେତେଥର ଯାହା ଦେଖିବାକୁ ମିଳିବା ବ୍ୟତୀତ ବାଘଟିକୁ ଠାବ କରାଯାଇ ପାରି ନ ଥିଲା। ଶେଷର ଇଞ୍ଜନ ପ୍ଲାଣ୍ଟରେ ମେସିନ ତଳେ ଛପିଥିବା ଏହି ବାଘଟିକୁ ଠାବ କରାଯାଇଥିଲା ବୋଲି ବନସଂରକ୍ଷକ ବିନୋଦ କୁମାର କହିଛନ୍ତି। ଏହି କଲରପତରିଆ ବାଘଟି ଆରାଭଳି ପର୍ବତଶ୍ରେଣୀ ଅଞ୍ଚଳରୁ ଖାଦ୍ୟ ସଂଗ୍ରହ ଆଶାରେ ଆସି ଏଠାରେ ପହଞ୍ଚିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe