ପ୍ରତିମାସର ଦୁଇଟି ଏକାଦଶୀ ଏବଂ ସାରା ବର୍ଷର ୨୪ଟି ଏକାଦଶୀ ଭଗବାନ ବିଷ୍ଣୁଙ୍କର ଶ୍ରେଷ୍ଠ ବ୍ରତ। ‘ପଦ୍ମପୁରାଣ’ରେ ଯୁଧିଷ୍ଠିରଙ୍କ ପ୍ରଶ୍ନରେ ଶ୍ରୀକୃଷ୍ଣ କହିଛନ୍ତି–ଯେପରି ନାଗମାନଙ୍କ ମଧ୍ୟରେ ଶେଷନାଗ ଶ୍ରେଷ୍ଠ, ଯେପରି ପକ୍ଷୀମାନଙ୍କ ମଧ୍ୟରେ ଗରୁଡ଼ ଶ୍ରେଷ୍ଠ, ଯେପରି ଦେବତାମାନଙ୍କ ମଧ୍ୟରେ ବିଷ୍ଣୁ ଶ୍ରେଷ୍ଠ ଏବଂ ଯେପରି ମନୁଷ୍ୟମାନଙ୍କ ମଧ୍ୟରେ ବ୍ରାହ୍ମଣ ଶ୍ରେଷ୍ଠ, ସେହିପରି ବ୍ରତମାନଙ୍କ ମଧ୍ୟରେ ଏକାଦଶୀ ଶ୍ରେଷ୍ଠ। ପ୍ରତି ମାସ ପରି ପୌଷ ମାସରେ ମଧ୍ୟ ଦୁଇଟି ଏକାଦଶୀ। ପୌଷ କୃଷ୍ଣ ଏକାଦଶୀ ‘ସଫଳା’ ଏକାଦଶୀ ଏବଂ ପୌଷ ଶୁକ୍ଳ ଏକାଦଶୀ ‘ପୁତ୍ରଦା’ ଏକାଦଶୀ।
Horoscope 2025 December 26: ଜାଣନ୍ତୁ ଆଜିର ରାଶିଫଳ
ପୁତ୍ରଦା ଏକାଦଶୀର ମାହାତ୍ମ୍ୟ ବର୍ଣ୍ଣନା କରି ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କହିଛନ୍ତି–ଏହା ପାପର ବିନାଶକାରୀ ଏବଂ ଏହାର ଅଧିପତି ଦେବତା–ଭଗବାନ ନାରାୟଣ। ଏହା କାମନା ପୂରଣ କରେ ଓ ସିଦ୍ଧି ଦିଏ।
ପୌଷଶୁକ୍ଳ ଏକାଦଶୀ ବା ପୁତ୍ରଦା ଏକାଦଶୀର ବ୍ରତକଥା ଏହିପରି। ପ୍ରାଚୀନ କାଳରେ ଭଦ୍ରାବତୀପୁରୀର ରାଜା ଥିଲେ ସୁକେତୁମାନ। ତାଙ୍କର ରାଣୀଙ୍କ ନାମ ଚମ୍ପକା। ଅପୁତ୍ରକ ଥିବାରୁ ସେମାନଙ୍କ ମନରେ ସୁଖ ନ ଥିଲା। ରାଜାଙ୍କ ପରେ କିଏ ସେମାନଙ୍କୁ ତର୍ପଣ କରିବ, ସେହି ଚିନ୍ତା କରି ପିତୃଗଣ ମଧ୍ୟ ଦୁଃଖୀ ହେଉଥିଲେ। ଚିନ୍ତାରେ ପଡ଼ି ରାଜା ଆତ୍ମହତ୍ୟା କରିଦେବାପାଇଁ ଇଚ୍ଛା କଲେ ଏବଂ କାହାକୁ କିଛି ନ ଜଣାଇ ହଠାତ୍ ଦିନେ ଘୋଡ଼ାରେ ଚଢ଼ି ଜଙ୍ଗଲକୁ ଚାଲିଗଲେ। ସେଠାରେ ବୃକ୍ଷଲତାମାନଙ୍କର ଚାରାଗଛ ଓ ଜୀବଜନ୍ତୁମାନଙ୍କର ଶାବକଙ୍କୁ ଦେଖି ରାଜାଙ୍କର ଆହୁରି ମନଦୁଃଖ ହେଲା। ରାଜା ଚିନ୍ତାକଲେ–ମୁଁ ତ ଅନେକ ପୁଣ୍ୟକାମ କରିଛି; କେଉଁ ପାପ ଫଳରୁ ମୋତେ ଏ ଦୁଃଖ ହେଲା?
ଅରଣ୍ୟ ମଧ୍ୟରେ କିଛି ଦୂର ଯିବା ପରେ ଗୋଟିଏ ସୁନ୍ଦର ସେରାବର ସେ ଦେଖିବାକୁ ପାଇଲେ। ନିକଟରେ ଥିବା ମୁନିମାନଙ୍କର ଆଶ୍ରମ ମଧ୍ୟ ତାଙ୍କର ଦୃଷ୍ଟିରେ ପଡ଼ିଲା। ମୁନିମାନେ ସରୋବର ତଟରେ ବେଦପାଠ କରୁଥିଲେ। ରାଜା ଘୋଡ଼ାରୁ ଓହ୍ଲାଇ, ହାତଯୋଡ଼ି ସେମାନଙ୍କୁ ପ୍ରଣାମ କଲେ। ମୁନିମାନେ ତାଙ୍କର ଭକ୍ତି ଦେଖି କହିଲେ- ହେ ରାଜା। ଆମ୍ଭେମାନେ ବିଶ୍ବଦେବ। ଆଗକୁ ମାଘମାସ ଆସିବ। କିନ୍ତୁ ଆଉ ପାଞ୍ଚଦିନ ପରେ ପୌଷ ଶୁକ୍ଳ ଏକାଦଶୀ। ଏହାର ନାମ ପୁତ୍ରଦା ଏକାଦଶୀ। ଏହି ବ୍ରତ କଲେ ପୁତ୍ରଲାଭ ହୁଏ। ତୁମେ ଏ ବ୍ରତ କର। ତୁମର ଅବଶ୍ୟ ପୁତ୍ର ଲାଭ ହେବ। ମୁନିମାନଙ୍କର ଉପଦେଶ ଅନୁସାରେ ରାଜା ବିଧିମତେ ମାଘଶୁକ୍ଳ ଏକାଦଶୀ ବ୍ରତ ପାଳନ କଲେ। ତାହା ଫଳରେ ସେ ଏକ ତେଜସ୍ବୀ ପୁତ୍ର ଲାଭ କଲେ। ସେହି ପୁତ୍ର ରାଜାଙ୍କୁ ସୁଖ ଦେବା ସହିତ ଏକ ପ୍ରଜାବତ୍ସଳ ରାଜା ହେଲେ। ଯୁଧିଷ୍ଠିରଙ୍କୁ ଏହି ବ୍ରତକଥା ଶୁଣାଇ ଶେଷରେ ଶ୍ରୀକୃଷ୍ଣ କହିଛନ୍ତି–ହେ ରାଜା! ପ୍ରାଣୀଙ୍କର କଲ୍ୟାଣ ପାଇଁ ମୁଁ ତୁମକୁ ଏହି ବ୍ରତକଥା କହିଲି। ଯେ ନିଷ୍ଠାର ସହିତ ଏହି ବ୍ରତ ପାଳନ କରିବେ ସେ ଇହଲୋକରେ ପୁତ୍ରସୁଖ ପାଇବା ସହିତ ମୃତ୍ୟୁ ପରେ ସ୍ବର୍ଗଲାଭ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/26/adgdgzvccv-2025-12-26-01-28-29.jpg)