ମାର୍ଗଶିର ମାସ ହେଉଛି ଲକ୍ଷ୍ମୀଙ୍କ ମାସ। କିନ୍ତୁ ‘ଶ୍ରୀମଦ୍ଭଗବଦ୍ଗୀତା’ର ‘ବିଭୂତିଯୋଗ’ ଅଧ୍ୟାୟରେ ଭଗବାନ ବିଷ୍ଣୁ କହିଛନ୍ତି, “ମୁଁ ମାସମାନଙ୍କ ମଧ୍ୟରେ ମାର୍ଗଶିର।” ଏହା ସୂଚାଏ, ମାର୍ଗଶିର ମାସ ବିଷ୍ଣୁଙ୍କ ସ୍ବରୂପ। ପୁଣି ବାରମାସରେ ଭଗବାନ ବିଷ୍ଣୁ ଯେଉଁ ବାରଟି ନାମରେ ପୂଜିତ ହୁଅନ୍ତି, ସେଥିମଧ୍ୟରୁ ତାଙ୍କର ମାର୍ଗଶିର ମାସର ନାଆଁ ‘କେଶବ’। ଏଣୁ ମାର୍ଗଶିର ମାସରେ ସେ ‘କେଶବ’ ନାମରେ ପୂଜିତ ହୋଇଥାଆନ୍ତି। ଏହି ଦୃଷ୍ଟିରୁ ମାର୍ଗଶିର ମାସର ଅନ୍ୟନାମ ମଧ୍ୟ ‘କେଶବ’। ଦେବୀ ଲକ୍ଷ୍ମୀଙ୍କର ଗୋଟିଏ ନାମ ‘କମଳା’। ଏଣୁ କମଳା-କେଶବ ବା ଲକ୍ଷ୍ମୀ-ନାରାୟଣ ଏହି ମାସର ଉପାସ୍ୟ।
ଦେବୀ ଲକ୍ଷ୍ମୀଙ୍କର ଅନ୍ୟନାମ ‘ଶ୍ରୀ’। ଲକ୍ଷ୍ମୀଙ୍କର ପତି ହୋଇଥିବାରୁ ବିଷ୍ଣୁ ‘ଶ୍ରୀ-ଈଶ’ ବା ‘ଶ୍ରୀଶ’। ‘ଋକ୍ବେଦ’ର ପଞ୍ଚମ ମଣ୍ଡଳ ଅନ୍ତର୍ଗତ ‘ଶ୍ରୀସୂକ୍ତ’ ଦେବୀ ଲକ୍ଷ୍ମୀଙ୍କର ବର୍ଣ୍ଣନା ଓ ବନ୍ଦନା। ମାତ୍ର ତାହାର ପ୍ରଥମ ଦୁଇ ମନ୍ତ୍ରରେ କୁହାଯାଇଛି- ଭଗବାନ ବିଷ୍ଣୁଙ୍କୁ ପ୍ରାର୍ଥନା କଲେ, ସେ ଲକ୍ଷ୍ମୀଙ୍କୁ ପ୍ରୀତ କରାଇଥାଆନ୍ତି। ସେଥିପାଇଁ ଲକ୍ଷ୍ମୀଙ୍କୁ ପାଇବା ପାଇଁ ଭଗବାନ ବିଷ୍ଣୁଙ୍କୁ ପ୍ରାର୍ଥନା କରାଯାଏ। ଏହା ଲକ୍ଷ୍ମୀ-ନାରାୟଣଙ୍କର ଘନିଷ୍ଠତା ସୂଚାଏ। କିନ୍ତୁ ଆଉ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ବିଷୟ ମିଳେ ‘ବିଷ୍ଣୁସହସ୍ରନାମ’ରୁ। ଏହା ଭଗବାନ ବିଷ୍ଣୁଙ୍କର ସହସ୍ର ଗୌରବ ଓ ମହିମାର ଗାଥା। ତାହାର ୧୦୧ ଶ୍ଳୋକରେ ତାଙ୍କର ନଅଟି ନାମ ରହିଛି। ସେଥିମଧ୍ୟରୁ ଗୋଟିଏ ନାମ ‘ଲକ୍ଷ୍ମୀଃ’।
ଭଗବାନ ବିଷ୍ଣୁଙ୍କର ନାମ ‘ଲକ୍ଷ୍ମୀ’- କାରଣ ସେ ସମଗ୍ର ବିଶ୍ବର ଧନ, ସମୃଦ୍ଧି ଓ ଗୌରବର କର୍ତ୍ତା। ସେ ଧନ ଓ ସମୃଦ୍ଧିର ଦେବତା। ଏ ସଂପର୍କରେ ବ୍ୟାଖ୍ୟା କରି ସ୍ବାମୀ ଚିନ୍ମୟାନନ୍ଦ କହିଛନ୍ତି- ଯଦି ଆତ୍ମାର ସ୍ଥିତି ନ ଥାନ୍ତା, ତେବେ ସମଗ୍ର ସଂସାର ଅଜାତ, ଜଡ଼ ଓ ମୃତ ହୋଇଥାଆନ୍ତା। ବିଶ୍ବର ସମସ୍ତ ବୈଭବ ଶ୍ରୀପରମେଶ୍ବରଙ୍କଠାରୁ ଉଦ୍ଭବ ହୋଇ ତାଙ୍କରିଠାରେ ଅବସ୍ଥିତ। ତେଣୁ ଶ୍ରୀନାରାୟଣ ହେଉଛନ୍ତି ଲକ୍ଷ୍ମୀ। ତାଙ୍କ ଦ୍ବାରା ଏହି ବିଶ୍ବବ୍ରହ୍ମାଣ୍ଡ ବୈଭବଶାଳୀ ହୋଇଛି ଏବଂ ଏହି ଧରିତ୍ରୀ ଶ୍ରୀମୟୀ ହୋଇପାରିଛି। ଅନ୍ୟ ଅର୍ଥରେ, ସେ ପୃଥିବୀ ଏବଂ ଆକାଶରେ ବ୍ୟାପ୍ତ ବୈଭବ ଅଟନ୍ତି। ଏଣୁ ଲକ୍ଷ୍ମୀ କେବଳ ଭଗବାନ ବିଷ୍ଣୁଙ୍କର ପତ୍ନୀ ନୁହନ୍ତି; ବିଷ୍ଣୁ ନିଜେ ମଧ୍ୟ ଲକ୍ଷ୍ମୀ।
Follow Us