ଜୀବନ ଧାରା: ଅଧା ଆକାଶରେ ଆମ ଘର!

ଦେଶର ବଡ଼ ବଡ଼ ସହରରେ ଜନସଂଖ୍ୟା ବଢୁଛି। ‌ଥରେ କୌଣସି ବଡ଼ ସହରକୁ ଆସି ଜଣେ ସପରିବାର ବସବାସ କଲେ ଆଉ ନିଜ ପୁରୁଣା ସ୍ଥାନକୁ ଫେରିବାକୁ ଚାହୁନାହିଁ। ଏବେ ଲୋକସଂଖ୍ୟା ଅସୀମିତ, କିନ୍ତୁ ଭୂମି ସୀମିତ।

New Project (9)

ଦେଶର ବଡ଼ ବଡ଼ ସହରରେ ଜନସଂଖ୍ୟା ବଢୁଛି। ‌ଥରେ କୌଣସି ବଡ଼ ସହରକୁ ଆସି ଜଣେ ସପରିବାର ବସବାସ କଲେ ଆଉ ନିଜ ପୁରୁଣା ସ୍ଥାନକୁ ଫେରିବାକୁ ଚାହୁନାହିଁ। ଏବେ ଲୋକସଂଖ୍ୟା ଅସୀମିତ, କିନ୍ତୁ ଭୂମି ସୀମିତ। ତେଣୁ ମହାନଗରୀଗୁଡ଼ିକରେ ଡେଭ୍‌ଲପର୍‌ମାନେ ନଭଶ୍ଚୁମ୍ବୀ ଆପାର୍ଟମେଣ୍ଟ୍‌ମାନ ନିର୍ମାଣକରି ଗୃହ ଚାହିଦା ପରିପୂରଣ କରାଉଛନ୍ତି। ଦିଲ୍ଲୀ, ମୁମ୍ବାଇ, କୋଲ୍‌କାତା ଓ ଚେନ୍ନାଇ ଭଳି ପୁରୁଣା ସହରରେ ଏହି ହାଏ ‌ରାଇଜର୍‌ ବା ସ୍କାଏ ସ୍କ୍ରାପର୍‌ ଆପାର୍ଟମେଣ୍ଟ୍‌ସଂଖ୍ୟା ଅଧିକ। କୋଲ୍‌କାତାରେ ୬୫ ତାଲାବିଶିଷ୍ଟ ଆପାର୍ଟମେଣ୍ଟ୍‌ ଥିବା ବେଳେ ମୁମ୍ବାଇରେ ୮୮ ମହଲାର ଆପାର୍ଟମେଣ୍ଟ୍‌ ରହିଛି। ଏବେ ଭୁବନେଶ୍ବରରେ ମଧ୍ୟ ୪୦-୫୦ ମହଲାର ଆପାର୍ଟମେଣ୍ଟ୍‌ ନିର୍ମାଣ ହେଲାଣି। ଯେଉଁମାନେ ୪୦ କିମ୍ବା ତା’ଠାରୁ ଅଧିକ ମହଲାରେ ବାସ କରୁଛନ୍ତି, ସେମାନେ ଅଧା ଆକାଶରେ ରହୁଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ।  

ମୁମ୍ବାଇର କାଣ୍ଡିଭାଲିସ୍ଥିତ ଆଲ୍‌ପାଇନ୍‌ ସରୋଭା ଟାୱାର୍‌ର ୪୫ ତାଲାରେ ବାସ କରୁଥିବା ଶାହୀନ୍‌ ଦେଶାଇ କହନ୍ତି, ‘‘ଆମେ ଚୋରି ଓ କବାଟଝରକା ଭାଙ୍ଗି ଦୁର୍ବୃତ୍ତ ଘରେ ପ୍ରବେଶ କରିବା ଘଟଣା ବିଷୟରେ ଶୁଣୁଛୁ। କିନ୍ତୁ, ଅନାମନ୍ତ୍ରିତ ବ୍ୟକ୍ତିଙ୍କ ପ୍ରତି କଟକଣା ଲାଗୁ କରିଥିବା ଆମ ସୋସାଇଟି ମଧ୍ୟକୁ କୌଣସି ଫେରିବାଲା ବି ପ୍ରବେଶ କରିପାରେ ନାହିଁ। ଏତଦ୍‌ଭିନ୍ନ, ଅତିଥି, ଗୃହ-ସହାୟକ, ଡେଲିଭରି ଏଜେଣ୍ଟ୍‌ ଆଦି ସମସ୍ତଙ୍କୁ ଯାଞ୍ଚ କରି ଛଡ଼ାଯାଏ ଏବଂ ସମସ୍ତ ପ୍ରବେଶକାରୀ ମୁଖ୍ୟ ଫାଟକରେ ପଞ୍ଜିକୃତ ହୁଅନ୍ତି। ସେହିପରି, ଏଠାରେ ଉନ୍ନତ ସିସିଟିଭି ସର୍ଭିଲେନ୍‌ସ୍‌ ବି ଲାଗିଛି। ଆମେ ପୂର୍ବରୁ ରହୁଥିବା ଅନୁଚ୍ଚ ଆପାର୍ଟମେଣ୍ଟ୍‌ ଅପେକ୍ଷା ଏହି ସୁଉଚ୍ଚ ଅଟ୍ଟାଳିକାରେ ଥିବା ଏସବୁ ସୁବିଧା ଆମ ରହଣିକୁ ଅଧିକ ସୁରକ୍ଷିତ କରିଛି।’’ ଦେଶାଇଙ୍କ ଭଳି ଅନେ‌େକ ମୁଖ୍ୟତଃ ସୁରକ୍ଷା ଦୃଷ୍ଟିରୁ ସୁଉଚ୍ଚ ଆପାର୍ଟମେଣ୍ଟ୍‌ରେ ରହିବାକୁ ପସନ୍ଦ କରିଥାଆନ୍ତି।

ପୁଣି ଉଚ୍ଚ ମହଲାରେ ପରିବେଶର ସୌନ୍ଦର୍ଯ୍ୟ ଅନୁଭବ କରିହୁଏ ବୋଲି କେତେକ ମତ ଦିଅନ୍ତି। ଜର୍ଜଗାଓଁସ୍ଥିତ ‘ଓବେରଇ ଏକ୍ସକ୍ୟୁସାଇଟ୍‌’ର ୪୦ ତାଲାରେ ରହୁଥିବା ବେଦିକା ଚୌବେ କହନ୍ତି, ‘‘ଆମେ ପୂର୍ବରୁ ଗୋଟାଏ ବଙ୍ଗଳାରେ ରହୁଥିଲୁ। ଦେଢ଼ବର୍ଷ ହେବ ଏ ଘରକୁ ଆସିଛୁ। ସେବେଠୁ ମୋ ପାଇଁ ସକାଳ ଓ ସନ୍ଧ୍ୟା ମନୋମୁଗ୍ଧକର ହୋଇଯାଇଛି। ଏଠି ଆକାଶର ଦୃଶ୍ୟ ବିସ୍ମୟ ଉଦ୍ରେକକାରୀ। କେତେ‌େବଳେ ନାରଙ୍ଗୀ ତ କେତେବେଳେ ନୀଳ ପୁଣି କେବେ ହଳଦିଆ।’’ ଜୀବନ ଧାରଣର ସବୁ ସୁବିଧାସୁଯୋଗ  ହାତପାଆନ୍ତାରେ ମିଳୁଥିବାରୁ ଲୋକେ ନଭଶ୍ଚମ୍ବୀ ଅଟ୍ଟାଳିକାରେ ଆପାର୍ଟମେଣ୍ଟ୍‌ ଖରିଦ କରିବାକୁ ଚାହୁଛନ୍ତି। ବେଦିକାଙ୍କ ସ୍ବାମୀ ଆଡ୍‌ଭୋକେଟ୍‌ ଅଖିଳେଶ ଚୌବେ କହନ୍ତି, ‘‘ଆଜିକାଲି ଏଭଳି ଟାୱାର୍‌ ଛଡ଼ା ଅଳ୍ପ କେତେକ ରେସିଡେନ୍‌ସିଆଲ୍‌ କମ୍ପ୍ଲେକ୍ସ୍‌ରେ ଜିମ୍‌, ସୁଇମିଙ୍ଗ୍‌ ପୁଲ୍‌ ଓ କ୍ରୀଡ଼ାକସରତ ସୁବିଧା ମିଳିଥାଏ। ପୁଣି ଉପଯୁକ୍ତ, ନିରାପଦ, ନିବଦ୍ଧ ଆଉ ଯଥେଷ୍ଟ ପାର୍କିଙ୍ଗ୍‌ ସୁୁବିଧା ବି ଥାଏ।’’

ତେବେ ସୁଉଚ୍ଚ ଆପାର୍ଟମେଣ୍ଟ୍‌ରେ ଅଘଟଣ ଘଟିଲେ ବାସିନ୍ଦା ଅଡୁଆରେ ପଡ଼ନ୍ତି ବୋଲି ମଧ୍ୟ କେତେକ ଅଭିଯୋଗ କରନ୍ତି। ମୁମ୍ବାଇ‌ର ‘ଔରିସ୍‌ ସିରିନିଟି’ ବାସିନ୍ଦା ହୀରାଲ୍‌ ଶାହା କହନ୍ତି, ‘‘ଅଳ୍ପ କିଛି ମାସ ତଳେ ମୋ ଝିଅ ଷ୍ଟୋଭ୍‌ରେ ତେଲ ଗରମ କରୁଥିଲା ବେଳେ ସେଥିରେ ନିଆଁ ଲାଗିଗଲା। ଛାନିଆରେ ଆମେ ସେଥିରେ ପାଣି ଢାଳି ଦେବାରୁ ନିଆଁ ଆହୁରି ଅଧିକ ଜଳିଲା। ଆମେ ଦମକଳ ଡକାଇଲୁ, କିନ୍ତୁ ୫୪ ତାଲାରେ ପହଞ୍ଚିବା ଲାଗି ସେମାନଙ୍କର ନିଶୁଣୀ ନ ଥିଲା। ସେମାନେ ‘ଫାୟାର୍‌ ଏ‌ଲିଭେଟର୍‌’ ଆଣିବାକୁ ଗଲେ। ମାତ୍ର ସେମାନେ ଆମ ଘରେ ପହଞ୍ଚିଲା ବେଳକୁ ଆମେ ନିଆଁ ଲିଭାଇ ସାରିଥିଲୁ।’’
ଭୁବନେଶ୍ବରରେ ଆପାର୍ଟମେଣ୍ଟ୍‌ ନିର୍ମାଣ ସହ ଜଡ଼ିତ ଥିବା ଇଂଜିନିୟର୍‌ ପୀତାମ୍ବର ନାଥଶର୍ମା କହନ୍ତି, ‘‘ଆଜିକାଲି ଅବସରପ୍ରାପ୍ତ କର୍ମଚାରୀ, ଏକାକୀ ରହୁଥିବା ବୟସ୍କ ମହିଳା ଓ ବାହାରେ ପିଲାମାନେ ରହୁଥିବା ବାପା-ମା’ ଉଚ୍ଚ ମହଲାରେ ରହିବାକୁ ପସନ୍ଦ କରୁଛନ୍ତି। ଏହାବାଦ୍‌ ଯେଉଁମାନଙ୍କର ବାହାରକୁ କମ୍‌ ଯିବାଆସିବା ଥାଏ ସେମାନଙ୍କ ଲାଗି ନଭଶ୍ଚୁମ୍ବୀ ଅଟ୍ଟାଳିକା ସୁବିଧାଜନକ। ଏଭଳି ଗ୍ରାହକଙ୍କ ସଂଖ୍ୟା ବଢୁଥିବାରୁ ଭୁବନେଶ୍ବରରେ ବଡ଼ ବଡ଼ ଆପାର୍ଟମେଣ୍ଟ୍‌ରେ ଭଲ ବୁକିଂ ‌େହଉଛି।’’

ସବୁ ଜିନିଷର ଉଭୟ ଭଲ ଓ ମନ୍ଦ ପାର୍ଶ୍ବ ରହିଛି। ‘ଆଇଡୋବେନ୍‌ ୟୁନିଭର୍ସିଟି ଅଫ୍‌ ଟେକ୍‌ନୋଲୋଜି’ କରିଥିବା ଅଧ୍ୟୟନରୁ ଜଣାପଡ଼ିଛି ଯେ ନଭଶ୍ଚୁମ୍ବୀ ଆପାର୍ଟମେଣ୍ଟ୍‌ଗୁଡ଼ିକର ଉଚ୍ଚତମ ମହଲାରେ ରହୁଥିବା ଲୋକେ ନିର୍ଦ୍ଦିଷ୍ଟ ଓ ସୀମିତ ଜୀବନଶୈଳୀ ଅବଲମ୍ବନ କରି ସମାଜିକ ଧାରାରୁ ବିଚ୍ଛିନ୍ନ ହୋଇଯିବାର ଆଶଙ୍କା ଥାଏ। ତେଣୁ ସେମାନଙ୍କଠାରେ ମାନସିକ ସମସ୍ୟା ଦେଖାଯିବାର ଆଶଙ୍କା ବି ସୃଷ୍ଟିହୁଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe