ନବବର୍ଷ ଅବସରରେ ବିଶ୍ୱର ବିଭିନ୍ନ ଦେଶରେ ରଙ୍ଗିନ ଆତସବାଜି (ବାଣ) ପ୍ରଦର୍ଶନ ଥିଲା ଅତିଶୟ ଚିତାକର୍ଷକ। କିନ୍ତୁ, ଏହି ଆତସବାଜି ସବୁ ପ୍ରଦର୍ଶନ କରିଥିବା ଦେଶ ତା’ର ନିର୍ମାତା ନୁହନ୍ତି। ଏ ସବୁ ତିଆରି ହୁଏ ଚୀନ୍ର ହୁନାନ୍ ପ୍ରଦେଶ ଅନ୍ତର୍ଗତ ଲିଉୟାଙ୍ଗ୍ ସହରରେ।
ଚୀନ୍ର ଏହି ସହର ହେଉଛି ବିଶ୍ୱର ସବୁଠୁ ଅଧିକ ଆତସବାଜି ନିମାର୍ଣ କରୁଥିବା ଏକମାତ୍ର ସ୍ଥାନ। ଏଠାରେ ନିର୍ମିତ ଆତସବାଜି ରପ୍ତାନି କରି ଚୀନ୍ ବର୍ଷକୁ ୬୦୦ ନିୟୁତ ଡଲାର୍ ଉପାର୍ଜନ କରେ।
/sambad/media/post_attachments/wp-content/uploads/2020/01/fw-1.jpg)
ଜନ୍ମଦିନ, ବାହାଘର, ସ୍ୱାଧୀନତା ଦିବସ ଏବଂ ନବବର୍ଷ ଉତ୍ସବ ପାଳନ ନିମନ୍ତେ ବିଶ୍ୱର ଶତାଧିକ ଦେଶକୁ ଲିଉୟାଙ୍ଗ୍ ହିଁ ଆତସବାଜି ରପ୍ତାନି କରେ। ଏଠାରେ ରହିଛି ହଜାରରୁ ଊର୍ଦ୍ଧ୍ୱ ଆତସବାଜି କାରଖାନା ଓ ଦୋକାନ। ଏଠାରେ ଥିବା ନଦୀକୂଳରେ ଅଧିକଂଶ ସମୟରେ ନୂଆ ପୁରୁଣା ଆତସବାଜି ପରୀକ୍ଷଣ ମଧ୍ୟ ହେଉଥାଏ।
Image Source: CNNଏହି ସହରରେ ଥିବା ପ୍ରାୟ ସବୁ ଅଟ୍ଟାଳିକାରେ ଲୋକେ ଆତସବାଜି ଲାଗି ଖୋଳ, କାଦୁଆ ପିଣ୍ଡୁଳା ଏବଂ ରାସାୟନିକ ପଦାର୍ଥ ଆଦି ମିଶ୍ରଣ କରିବାରେ ବ୍ୟସ୍ତ ଥାଆନ୍ତି।
ଏବେ ମଧ୍ୟ ସେଠାରେ ଆତସବାଜି ନିର୍ମାଣ ପାଇଁ ସବୁ ପ୍ରକାର କାମ ହାତରେ ହେଉଛି। ବିଶେଷତଃ ମହିଳାମାନେ ମାସିକ ୮୦ରୁ ୨୮୫ ଡଲାର୍ ପାରିଶ୍ରମିକରେ ଆତସବାଜି ତିଆରି କରନ୍ତି। ସେମାନଙ୍କ କାର୍ଯ୍ୟ ଦକ୍ଷତାକୁ ଆଧାର କରି ସମୟ କ୍ରମେ ପାରିଶ୍ରମିକ ବଢ଼ାଯାଏ।
ଆତସବାଜି ନିର୍ମାଣ କାରଖାନାଗୁଡ଼ିକ ସହର ଠାରୁ ଦୂର ପର୍ବତଶ୍ରେଣୀ ମଧ୍ୟରେ ବସାଯାଇଛି। ସହର ଭିତରେ ମୁଖ୍ୟତଃ ନିଆଁ ଧରୁ ନ ଥିବା ଆତସବାଜି ସାମଗ୍ରୀ ନିର୍ମାଣ ହୁଏ।
Image Source: CNNଏ ଅଞ୍ଚଳର ଜନସଂଖ୍ୟାର ପ୍ରାୟ ୬୦% ଆତସବାଜି ତିଆରିରେ ସମ୍ପୃକ୍ତ। ଆତସବାଜି ହିଁ ଲିଉୟାଙ୍ଗ୍ ସହରରେ ଜଣକୁ ଅନାୟାସରେ ବଡ଼ଲୋକ କରାଇପାରେ ବୋଲି ସଭିଏଁ ଜାଣନ୍ତି।
ଲିଉୟାଙ୍ଗ୍କୁ ଚୀନ୍ ଆତସବାଜିର ଐତିହାସିକ ଜନ୍ମସ୍ଥଳୀର ମାନ୍ୟତା ଦିଏ। ଦୁରାତ୍ମାଙ୍କୁ ଘଉଡ଼ାଇବାକୁ ସାଙ୍ଗ୍ ବଂଶର ସନ୍ଥ ଲି ସିଆନ୍ କୁଆଡ଼େ ବାଉଁଶ ନଳୀରେ ବାରୁଦ ପୂରାଇ ବିସ୍ଫୋରଣ କରିଥିଲେ। ଏହାକୁ ହିଁ ଦୁନିଆର ପ୍ରଥମ ଆତସବାଜି କୁହାଯାଇଥାଏ। ଏହି ଐତିହ୍ୟ ଲାଗି ଲିଉୟାଙ୍ଗ୍ବାସୀ ଗୌରବାନ୍ଵିତ ମନେକରନ୍ତି। ସହରର ମଧ୍ୟସ୍ଥଳରେ ସେମାନେ ଆତସବାଜିର ଯାଦୁଘରଟିଏ ବି ସ୍ଥାପନ କରିଛନ୍ତି।
Image Source: Internetଆତସବାଜି ପ୍ରଦର୍ଶନ ଯେତେ ମନୋରମ ଓ ତିଆରି କୌଶଳ ଯେତେ ସହଜ ମନେହୁଏ, ବାସ୍ତବ କଥା ତାହା ନୁହେଁ। ଯଥେଷ୍ଟ ସାବଧାନ ସହକାରେ ଆତସବାଜି ନିର୍ମାଣ କାର୍ଯ୍ୟ କରାଯାଉଥିଲେ ବି ଅଘଟଣ ଏଡ଼ାଇବା ସବୁବେଳେ ସମ୍ଭବପର ହୁଏନାହିଁ। ଥରକୁ ଥର ଅଘଟଣ ଘଟି ଅନେକ ଶ୍ରମିକ ଆହତ ଓ ନିହତ ହୁଅନ୍ତି। (ଏସ୍.ପି.)
Follow Us