Trend Hunter
ବିଭିନ୍ନ ରୋଗର ଚିକିତ୍ସା ପାଇଁ ଚେରମୂଳିଠାରୁ ଆରମ୍ଭ କରି ଏଲୋପାଥି, ହୋମିଓପାଥି, ଆକ୍ୟୁପ୍ରେସର, ଆକ୍ୟୁପଙ୍କଚର ଓ ଜଳ ଚିକିତ୍ସା ପରି କେତେ କ’ଣ ଉପାୟ ଆଜିକାଲି ଉପଲବ୍ଧ। ତେବେ ଉତ୍କଣ୍ଠା ବା ବ୍ୟାକୁଳତା ପରି ମାନସିକ ରୋଗର ଉପଶମ ଲାଗି ଏକ ରୁଷୀୟ କମ୍ପାନି ଆଣିଥିବା ଏକ ଭିନ୍ନ ଚିକିତ୍ସା ଚର୍ଚ୍ଚାର ବିଷୟ ହୋଇଛି। ସାଧାରଣତଃ ମନୁଷ୍ୟ ଉତ୍କଣ୍ଠା ବା ଭୟ ଅନୁଭବ କରିବା ଏକ ସ୍ବାଭାବିକ କଥା। ବେଳେ ବେଳେ କୌଣସି ବ୍ୟକ୍ତି, ପଦାର୍ଥ, ଘଟଣା ବା ସ୍ମୃତି ଆମକୁ ଆତଙ୍କିତ କରି ଦେଇଥାଏ। ଏଭଳି ଅବସ୍ଥାକୁ ସାଧାରଣତଃ ଉତ୍କଣ୍ଠା କବଳିତ ବୋଲି କୁହାଯାଇଥାଏ।
ତେବେ ଏଭଳି ଅବଗୁଣକୁ ଦୂର କରିବା ଲାଗି ଏ ଯାବତ୍ କୌଣସି ନିଶ୍ଚିତ ଚିକିତ୍ସା ନାହିଁ। ମାତ୍ର ରୁଷିଆର ‘ପ୍ରିକେଟେଡ୍ ଏକାଡେମୀ’ ନାମକ ଏକ କମ୍ପାନି ତାହା ଦୂର କରିପାରୁଛି ବୋଲି ଦାବି କରିଛି। ତେବେ ତାହା ଉତ୍କଣ୍ଠାଠାରୁ ଆହୁରି ଭୟାନକ ପ୍ରକ୍ରିୟା। ଏହି ରୋଗରେ ପୀଡ଼ିତ ଥିବା ବ୍ୟକ୍ତିଙ୍କୁ ଘଣ୍ଟାକ ପାଇଁ ଜୀବନ୍ତ ସମାଧିସ୍ଥ ହେବାକୁ ପଡ଼ିଥାଏ। ସଂପୃକ୍ତ ପୀଡ଼ିତଙ୍କୁ ଏକ ସ୍ବଚ୍ଛ କଫିନ ଭିତରେ ରଖି ଏକ ପତଳା ଆସ୍ତରଣର ମାଟିରେ କବର ଦିଆଯାଇଥାଏ। ଏହାଦ୍ବାରା ସେ ନିଜର ଭୟ ବା ଆତଙ୍କକୁ ଦୂରେଇ ନିଜର ସ୍ନାୟୁକ୍ରିୟାକୁ ସତେଜ ଓ ସକାରାତ୍ମକ କରିପାରିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଅବଶ୍ୟ ଏଥିପାଇଁ ଭାରତୀୟ ମୁଦ୍ରାରେ ପ୍ରାୟ ୪୭ ଲକ୍ଷ ଟଙ୍କା ଦେବାକୁ ପଡ଼ିବ। ଏଥିରେ ଜଣେ ପୀଡ଼ିତଙ୍କୁ ନିଜର କୃତ୍ରିମ ଶବସତ୍କାର ଉତ୍ସବ ଦେଖିବାକୁ ପଡ଼ିଥାଏ। ତେବେ ବ୍ୟୟବହୁଳ ପ୍ରଥମ ପ୍ରଣାଳୀଟି ନିରାପଦ, ଅଧିକ ଫଳପ୍ରଦ ଓ ନିଶ୍ଚିତ ବୋଲି କମ୍ପାନିର ପ୍ରତିଷ୍ଠାତା ୟାକାତେରିନା ଦାବି କରିଛନ୍ତି। ଜିଅନ୍ତା କବର ନେଉଥିଲେ ମଧ୍ୟ ପୀଡ଼ିତଙ୍କ ଜୀବନ ପ୍ରତି ସାମାନ୍ୟତମ ବିପଦ ନ ପହଞ୍ଚାଇବା ଲାଗି ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନିଆଯାଇଥାଏ ବୋଲି ସେ କହିଛନ୍ତି।
Follow Us