ତାଙ୍କୁ ଦେଖିଲେ ଅଧିକାଂଶ ଘଡ଼ିଏ ଅଟକିଯାଆନ୍ତି। ଜଣେ ବୃଦ୍ଧା ବସ୍ ଅଥବା କ୍ରେନ୍ଟିଏ ଚଳାଇବା ଦୃଶ୍ୟ କାହାକୁ ବା ଆଚମ୍ବିତ କରିବ ନାହିଁ? ଏସବୁ ଭାରୀଯାନ ଚଳାନ୍ତି କେରଳର ୭୪ ବର୍ଷୀୟା ମଣିଆମ୍ମା ଓରଫ୍ ରାଧାମଣି। ଷ୍ଟିୟରିଙ୍ଗ୍ ଉପରେ ସୁଦୃଢ଼ ଥାଏ ତାଙ୍କ ହାତମୁଠା ଆଉ ଦୃଷ୍ଟିଥାଏ ଆଗକୁ ପଡ଼ିଥିବା ସଡ଼କ ଉପରେ। ପୁରୁଣା ଦିନ କଥା ସ୍ମରଣକରି ମଣିଆମ୍ମା କହନ୍ତି, ‘‘ଜଣେ ମହିଳା ଭାରୀଯାନ ଚଳାଉଥିବା ଦେଖି ସେତେବେଳେ ବି ଲୋକେ ଏମିତି କୌତୂହଳୀ ଆଉ କାବାହୋଇ ଚାହିଁ ରହୁଥିଲେ।’’
ଏକଦା ଗାଡ଼ିର ଷ୍ଟିୟରିଙ୍ଗ୍ ଛୁଇଁବାକୁ ମଧ୍ୟ କୁଣ୍ଠାବୋଧ କରୁଥିବା ମଣିଆମ୍ମା ଏବେ ଅତି ଅନାୟାସରେ ଭାରୀଯାନ ଚଳାଉଛନ୍ତି। ସାମର୍ଥ୍ୟ ମଣିଷକୁ ଶାନ୍ତ ଓ ଏକନିଷ୍ଠ କରିବା ସଙ୍ଗେ ସଙ୍ଗେ ନିର୍ଭୀକ ମଧ୍ୟ କରିପାରେ ବୋଲି ସେ ପୁନର୍ବାର ଦର୍ଶାଇଦେଇଛନ୍ତି। କେରଳର ଗୋଟାଏ କ୍ଷୁଦ୍ର ଗ୍ରାମରେ ଜନ୍ମିତା ମଣିଆମ୍ମା ଥିଲେ ମଧ୍ୟବିତ୍ତ ପରିବାରର ସନ୍ତତି। ବାପା ତାଙ୍କର ନଡ଼ିଆ ଓ ନଡ଼ିଆକତା ବ୍ୟାପାର ସହିତ ସମ୍ପୃକ୍ତଥିଲେ। ଦଶମ ଶ୍ରେଣୀରେ ପଢ଼ିଲା ବେଳେ ତାଙ୍କର ବାହାଘର ହୋଇଗଲା। ସହଳ ପରିବାର ବୋଝ ବହନ କରିବାକୁ ପଡ଼ିଲେ ବି ସେ ମନ ମାଫିକ୍ ଜୀବନ ଜିଇବେ ବୋଲି ଏକନିଶ୍ଚୟ ରହିଲେ। ଗତାନୁଗତିକ ବା ଧରାବନ୍ଧା ଜୀବନଯାପନ ମଧ୍ୟରେ ଆବଦ୍ଧ ହୋଇ ରହିବାକୁ ତାଙ୍କର ଆଦୌ ଇଚ୍ଛା ନ ଥିଲା। ୧୯୭୮ ମସିହାରେ ତାଙ୍କ ସ୍ବାମୀ ଟିଭି ଲାଲ୍ ଗୋଟାଏ ଡ୍ରାଇଭିଙ୍ଗ୍ ସ୍କୁଲ୍ ଖୋଲିଲେ। ସ୍ବାମୀଙ୍କ ପ୍ରେରଣା ପାଇ ମଣିଆମ୍ମା ସେଠାରେ ଗାଡ଼ିଚଳନା ଶିଖିଲେ। ପରେ ଘଟଣାଚକ୍ରରେ ପଡ଼ି ବିଶେଷ ପାରିବାରିକ ପ୍ରୟୋଜନ ଲାଗି ତାଙ୍କୁ ଗାଡ଼ିଚାଳିକା ହେବାକୁ ପଡ଼ିଲା। ସେତେବେଳେ ଗାଡ଼ିଚାଳନା କ୍ଷେତ୍ରକୁ ମହିଳାଙ୍କର ବିଶେଷ ପ୍ରବେଶ ନ ଥିଲା କହିଲେ ଚଳେ। ଯଦିବା ଥିଲା ତାହା ଖୁବ୍ ନଗଣ୍ୟ। କିନ୍ତୁ, ସହସା ଏ ପୁରଷ-ପ୍ରଧାନ କ୍ଷେତ୍ର ତାଙ୍କ ଲାଗି ହୋଇଗଲା ଜୀବନର ମହାବ୍ରତ। ସେ ଅଭିବ୍ୟକ୍ତ କରିବାକୁ ଚାହିଲେ ଯେ ଦୁନିଆରେ ଏଭଳି କିଛି କାର୍ଯ୍ୟ ନାହିଁ ଯାହା ମହିଳାଙ୍କ ଦ୍ବାରା ଅସମ୍ଭବ।
ପହିଲେ କିନ୍ତୁ, ଗାଡ଼ି ଚଳାଇବା ତାଙ୍କ ପକ୍ଷେ ଆଦୌ ସରଳ ବ୍ୟାପାର ନ ଥିଲା। ୧୯୮୧ ମସିହା କଥା ମନେ ପକାଇ ମଣିଆମ୍ମା କହନ୍ତି ଯେ ଗାଡ଼ି ଚଳାଇଲା ବେଳେ ଏମିତି ଆତଙ୍କିତ ହୋଇଯାଉଥିଲେ ସତେ ଅବା ସେ ନିୟନ୍ତ୍ରଣ ହରାଇବେ ଅଥବା କାହାକୁ ଆହତ କରିବେ। ମାତ୍ର, ନିୟମିତ ଅଭ୍ୟାସକରି ଏବଂ ସ୍ବାମୀଙ୍କ ଦ୍ବାରା ପ୍ରେରିତ ହୋଇ କ୍ରମଶଃ ଗାଡ଼ିଚାଳନା ପ୍ରତି ତାଙ୍କର ଆତ୍ମବିଶ୍ବାସ ବଢ଼ିଲା। କାଳକ୍ରମେ ସେ ଗାଡ଼ିଚାଳନା ଚାତୁରୀ ସବୁ ଆୟତ୍ତକରି ଏଗାର ପ୍ରକାର ଭାରୀଯାନ ଚଳାଇବା ଲାଗି ଲାଇସେନ୍ସ୍ ହାସଲ କଲେ। ଏଭଳି କୃତିତ୍ବ କ୍ବଚିତ୍ ବ୍ୟକ୍ତିଙ୍କଠାରେ ଦେଖାଯାଏ। ଗାଡ଼ିଚାଳନା ପ୍ରତି ସମର୍ପଣଭାବ ଯୋଗୁଁ ସେ ‘ଇଣ୍ଡିଆନ୍ ବୁକ୍ ଅଫ୍ ରେକର୍ଡସ୍’ରେ ସ୍ଥାନପାଇଲେ। ୨୦୨୨ରେ ‘ୟେଲୋ ଡଟ୍ ଆୱାର୍ଡସ୍’ ତାଙ୍କୁ ସେ ବର୍ଷର ‘ପ୍ରଭାବୀ ବ୍ୟକ୍ତିତ୍ବ’ ଭାବେ ସମ୍ମାନିତ କଲା। ୭୪ ବର୍ଷରେ ଉପନୀତ ହୋଇଥିଲେ ବି ଆଦ୍ୟାବସ୍ଥାରେ ସେ େଯମିତି ଏକନିଷ୍ଠହୋଇ ଗାଡ଼ି ଚଳାଉଥିଲେ ସମ୍ପ୍ରତି ଠିକ୍ ସେମିତି କାର୍, ବସ୍, କ୍ରେନ୍ ଫର୍କଲିଫ୍ଟ୍, ରୋଡ୍ରୋଲର୍, ଟ୍ରାକ୍ଟର୍, ଟ୍ରେଲର୍ ଓ ଏସ୍କାଭେଟର୍ ଭଳି ଯାନ ଚଳାଉଛନ୍ତି। ଅନ୍ୟମାନଙ୍କୁ, ବିଶେଷକରି ମହିଳାମାନଙ୍କୁ ଗାଡ଼ିଚାଳନା ତାଲିମ ଦେବା ପାଇଁ ସ୍ବାମୀଙ୍କ ସହିତ ମିଶି ସେ ‘ଏ-ଟୁ-ଜେଡ୍ ଡ୍ରାଇଭିଙ୍ଗ୍ ଇନ୍ଷ୍ଟିଚ୍ୟୁଟ୍’ ନାମରେ ଗୋଟାଏ ଡ୍ରାଇଭିଙ୍ଗ୍ ସ୍କୁଲ୍ ଖୋଲିଥିଲେ। ୨୦୦୪ରେ ସ୍ବାମୀ ସ୍ବର୍ଗବାସୀ ହେବାରୁ ପରିବାର ପ୍ରତିପୋଷଣ ଲାଗି ମଣିଆମ୍ମା ସେ ପ୍ରତିଷ୍ଠାନ ଚଳାଉଛନ୍ତି। ଏହାଦ୍ବାରା ମହିଳାମାନେ ସେମାନଙ୍କ ଜୀବନଯାତ୍ରା ଆୟତ୍ତାଧୀନ କରିବାଲାଗି ଆତ୍ମବିଶ୍ବାସ ପାଇବେ ବୋଲି ତାଙ୍କର ଆଶା।
ଲୋକମୁଖରେ ‘ଡ୍ରାଇଭର୍ ଆମ୍ମା’ ଭାବେ ପରିଚିତ ମଣିଆମ୍ମା ନିର୍ଭୀକ ଗାଡ଼ିଚାଳନା ନିମନ୍ତେ ବହୁଥର ସାମାଜିକ ଗଣମାଧ୍ୟମରେ ମଧ୍ୟ ଭାଇରାଲ୍ ହୋଇଛନ୍ତି। ସୌଖୀନ କାର୍ ଠାରୁ ଆରମ୍ଭକରି ହେଭି-ଡିୟୁଟି କନ୍ଷ୍ଟ୍ରକ୍ସନ୍ ମେସିନ୍ ପର୍ଯ୍ୟନ୍ତ ପ୍ରାୟ ସବୁ ପ୍ରକାର ଯାନ ଚଳାଇବାରେ ସେ ସିଦ୍ଧହସ୍ତା। ସେଥିପାଇଁ ତାଙ୍କୁ ‘ଇଣ୍ଟର୍ନ୍ୟାସ୍ନାଲ୍ ଡ୍ରାଇଭିଙ୍ଗ୍ ପର୍ମିଟ୍’ ବି ମିଳିଛି। କେରଳର ସଙ୍କୀର୍ଣ୍ଣ ରାସ୍ତାରୁ ନେଇ ଦୁବାଇର ସୁପ୍ରଶସ୍ତ ତଥା ଜନାକୀର୍ଣ୍ଣ ରାସ୍ତାରେ ସେ ନିର୍ଭୀକ ଭାବେ ଗାଡ଼ି ଚଳାଇପାରନ୍ତି।
Follow Us