ଶ୍ରୀଜଗନ୍ନାଥଙ୍କ ଗଜାନନ ବେଶ : ଭକ୍ତ ଗଣପତି ଭଟ୍ଟଙ୍କ ମନୋବାଞ୍ଛା ପୂରଣ କରିଥିଲେ ମହାପ୍ରଭୁ

Advertisment

ଡକ୍ଟର ଅମ୍ବରୀଶ ଶତପଥୀ

ଡକ୍ଟର ଅମ୍ବରୀଶ ଶତପଥୀ

ଶ୍ରୀଜଗନ୍ନାଥଙ୍କ ଗଜାନନ ବେଶ : ଭକ୍ତ ଗଣପତି ଭଟ୍ଟଙ୍କ ମନୋବାଞ୍ଛା ପୂରଣ କରିଥିଲେ ମହାପ୍ରଭୁ

NationNews

ଶ୍ରୀଜଗନ୍ନାଥ ମହାପ୍ରଭୁ ସମଗ୍ର ଜଗତର ବିସ୍ମୟ ଏବଂ ରହସ୍ୟମୟ। ତାଙ୍କ ପବିତ୍ର କ୍ଷେତ୍ର ମଧ୍ୟ ରହସ୍ୟମୟ। ଯୁଗ ଯୁଗ ଧରି ଏହି ମହାନ କ୍ଷେତ୍ର ଆକର୍ଷିତ କରିଛି କେତେ ଭକ୍ତ, ସନ୍ଥ, ସନ୍ନ୍ୟାସୀ, ଧର୍ମପ୍ରଚାରକ ଏବଂ ଗବେଷକଙ୍କୁ। କେହି ଆଜୀବନ ରହିଯାଇଛନ୍ତି ଶ୍ରୀକ୍ଷେତ୍ର ଧାମରେ। ଗବେଷକମାନଙ୍କ ମତରେ ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ପ୍ରତ୍ୟେକ ଧର୍ମର ପ୍ରତୀକ ବିଦ୍ୟମାନ ଓ ମଣିଷ ସମାଜର ରୀତିନୀତି, ଚାଲିଚଳଣି, ଆଚାରବିଚାରକୁ କେନ୍ଦ୍ର କରି ଗଢ଼ି ଉଠିଛି ଜଗନ୍ନାଥ ସଂସ୍କୃତି। ପ୍ରତ୍ୟେକ ରୀତିନୀତି ଏବଂ ଆଚରଣରେ ମାନବୀୟ ଦୃଷ୍ଟିକୋଣ ହିଁ ନିହିତ।

ଓଡ଼ିଶାରେ ଅତି ପ୍ରାଚୀନକାଳରୁ ପଞ୍ଚ ଦେବତା ଉପାସନା କରାଯାଇ ଆସୁଛି। ସେଥିପାଇଁ ଓଡ଼ିଶାର ପାଞ୍ଚଟି ସ୍ଥାନକୁ ପଞ୍ଚ ଦେବତାଙ୍କ କ୍ଷେତ୍ର ବୋଲି ମାନ୍ୟତା ମିଳିଛି। ଗଣେଶ, ବିଷ୍ଣୁ, ଶିବ, ଦୁର୍ଗା ଏବଂ ସୂର୍ଯ୍ୟ- ଏହି ପାଞ୍ଚଜ ଣ ଦେବତା ହେଉଛନ୍ତି ପଞ୍ଚ ଦେବତା। ଏମାନଙ୍କୁ ନେଇ ପାଞ୍ଚଟି ସଂପ୍ରଦାୟ (ଉପାସକ) ରହିଛନ୍ତି। ଗଣେଶଙ୍କ ଉପାସକ ଗାଣପତ୍ୟ, ବିଷ୍ଣୁଙ୍କ ଉପାସକ ବୈଷ୍ଣବ, ଶିବଙ୍କ ଉପାସକ ଶୈବ, ଶକ୍ତି (ଦୁର୍ଗା)ଙ୍କ ଉପାସକ ଶାକ୍ତ ଏବଂ ସୂର୍ଯ୍ୟଙ୍କ ଉପାସକ ସୌର। ଓଡ଼ିଶାରେ ଏହିପରି ପାଞ୍ଚଟି ପୀଠ ମଧ୍ୟ ରହିଛି। ଚଣ୍ଡୀଖୋଲର ମହାବିନାୟକ ପୀଠ ଗଣେଶଙ୍କ ପୀଠ, ପୁରୀ ଶ୍ରୀକ୍ଷେତ୍ର ବିଷ୍ଣୁପୀଠ, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଶୈବପୀଠ, ଯାଜପୁରର ବିରଜା କ୍ଷେତ୍ର ଶକ୍ତିପୀଠ ଓ କୋଣାର୍କର ସୂର୍ଯ୍ୟମନ୍ଦିର ସୌର ଉପାସନା କ୍ଷେତ୍ର।

ମହାପ୍ରଭୁ ଶ୍ରୀଜଗନ୍ନାଥ ସର୍ବ ଦେବତାଙ୍କର ସମନ୍ୱୟ ଏବଂ ସବୁ ଅବତାର ମଧ୍ୟ ଶ୍ରୀଜଗନ୍ନାଥଙ୍କ ଠାରୁ ସୃଷ୍ଟି ହୋଇଛନ୍ତି। ଶ୍ରୀଜଗନ୍ନାଥ ମଧ୍ୟ ପଞ୍ଚ ଦେବତା ରୂପରେ ଉପାସିତ ହୋଇଥାନ୍ତି। ସ୍ନାନ ପୂର୍ଣ୍ଣିମା ଦିନ ସେ ଗଜାନନ ବା ଗଣେଶ; ରତ୍ନ ସିଂହାସନରେ ସେ ବିଷ୍ଣୁ; ରଥା ରୂଢ଼ ହେଲା ପରେ ସେ ସୂର୍ଯ୍ୟ; ଶୟନ ଯାତ୍ରା ସମୟରେ ସେ ଦୁର୍ଗା; ନବ କଳେବର ସମୟରେ ସେ ରୁଦ୍ର।

ସ୍ନାନ ଯାତ୍ରା ଦିନ ମହାପ୍ରଭୁ ଗଜାନନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥା’ନ୍ତି। କେତେକ ଏହାକୁ ହାତୀବେଶ ବୋଲି ମଧ୍ୟ କହିଥାନ୍ତି। ଏ ବେଶ ପଶ୍ଚାତରେ ଏକ ପ୍ରସିଦ୍ଧ ଭକ୍ତଙ୍କ କାହାଣୀ ରହିଛି। ଗଣପତି ଭଟ୍ଟ ନାମକ ଜଣେ ଭକ୍ତ ସୁଦୂର ଦାକ୍ଷିଣାତ୍ୟ (କେତେକଙ୍କ ମତରେ ମହାରାଷ୍ଟ୍ରରୁ) ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥିଲେ। ମାତ୍ର ଶ୍ରୀଜଗନ୍ନାଥଙ୍କୁ ରତ୍ନସିଂହାସନରେ ଦର୍ଶନ କରି ତାଙ୍କ ମନ ମାନିଲା ନାହିଁ। ସେ ହତାଶାରେ ମ୍ରିୟମାଣ ହୋଇ ଫେରିଗଲେ। ଗଣପତି ଭଟ୍ଟ ପ୍ରକୃତରେ ମହାପ୍ରଭୁ ଜଗନ୍ନାଥଙ୍କୁ ଶ୍ରୀଗଣେଶଙ୍କ ରୂପରେ ଦେଖିବାକୁ ଚାହୁଁଥିଲେ। ସ୍ୱପ୍ନରେ ମହାପ୍ରଭୁ ତାଙ୍କୁ ଦର୍ଶନ ଦେବା ସହ ଫେରିବାକୁ ନିର୍ଦ୍ଦେଶ ଦେଲେ। ସେ ଫେରି ଆସିଲେ ଓ ରତ୍ନସିଂହାସନରେ ଶ୍ରୀଜଗନ୍ନାଥଙ୍କୁ ଶ୍ରୀଗଜାନନ ଗଣେଶ ରୂପରେ ଦର୍ଶନ କଲେ।

ଗଜ ଶବ୍ଦ ‘ଜଗନ୍ନାଥ’ ଶବ୍ଦର ଏକ ଅଂଶ ମାତ୍ର। କାରଣ ଜଗକୁ ଲେଉଟାଇଦେଲେ ଗଜ’। କେବଳ ଅକ୍ଷରର ଏପାଖସେପାଖ ହେବ ମାତ୍ର ‘ଗଜ’ ‘ଜଗ’ ଶବ୍ଦ ବ୍ରହ୍ମ ପ୍ରତିପାଦକ ଅଟନ୍ତି। ସୁତରାଂ ଶ୍ରୀଜଗନ୍ନାଥ ହେଉଛନ୍ତି ବିଶ୍ୱକାରକ ବ୍ରହ୍ମ ବା ଗଜ। ଗଣେଣ ଯେପରି ଗଣପତି, ଜଗନ୍ନାଥ ସେହିପରି ଗଣଦେବତା ଅଟନ୍ତି।

ଗଜାନନ ବେଶ ପ୍ରସ୍ତୁତିରେ ମୁଖ୍ୟତଃ ଧଳା, କଳା ରଙ୍ଗର ଭେଲ୍‌ଭେଟ୍ ଓ ସିଲ୍‌କ କନା ଜରି, ସୋଲ, କଦଳୀପଟୁକା, ଜମ୍ବୁରା, କଇଥ ଅଠା ପ୍ରଭୃତି ଉପକରଣ ଲାଗିଥାଏ। ବେଶ ବଢ଼ିବା ପରେ କର୍ପୂର ଲାଗି ହୋଇ ସ୍ନାନବେଦି ଭୋଗ ପାଇଁ ଶୋଧ କରାଯାଏ। ଠାକୁରଙ୍କ ହାତୀବେଶ ଓ ଲାଗି ପରେ ସ୍ନାନ ବେଦିରେ ଅନ୍ୟାନ୍ୟ ନୀତି ସମ୍ପାଦିତ ହୁଏ। ଏହି ବେଶରେ ଶ୍ରୀବଳଭଦ୍ରଙ୍କର ଧଳା ଗଜାନନ ବେଶ ଓ ଶ୍ରୀଜଗନ୍ନାଥଙ୍କର କଳା ଗଜାନନ ବେଶ ହୋଇଥାଏ।

କେତେକ ଗବେଷକ ମତ ଦିଅନ୍ତି, ପ୍ରାଚୀନ ପଦ୍ମପୁରାଣ, ବ୍ରହ୍ମପୁରାଣ, ସ୍କନ୍ଦପୁରାଣ, ବାମଦେବ ସଂହିତା ଇତ୍ୟାଦି ଗ୍ରନ୍ଥରେ ଗଜାନନ ବେଶ ବା ହସ୍ତୀ ବେଶ କରାଯିବାର ବର୍ଣ୍ଣନା ନାହିଁ। ତେଣୁ ସପ୍ତଦଶ ଶତାବ୍ଦୀରେ (ମରହଟ୍ଟା ଶାସନ ସମୟରେ) ଏହି ବେଶ ଆରମ୍ଭ ହୋଇଥିଲା। କେତେକ ପଣ୍ଡିତଙ୍କ ମତାନୁଯାୟୀ ତିନି ଠାକୁର ସ୍ନାନ ମଣ୍ଡପରେ ହରିଦ୍ରା ଗଣପତି, ଖଜିର ଗଣପତି ଓ ମାତଙ୍ଗୀ ରୂପ ଧାରଣ କରି ମଣ୍ଡପରେ ବିରାଜମାନ ହୋଇଥା’ନ୍ତି।

ଶ୍ରୀକ୍ଷେତ୍ରକୁ କେବଳ ଭକ୍ତ ଗଣପତି ପଟ୍ଟ ନୁହନ୍ତି, କବୀର, ନାନକ, ତୁଳସୀ ଦାସ, ମନୋହର ଦାସ, ଶ୍ରୀ ଚୈତନ୍ୟ ପ୍ରମୁଖ ବହୁ ଭକ୍ତଗଣ ଆସିଛନ୍ତି ଓ ଲୀଳାମୟ ମହାପ୍ରଭୁ ଶ୍ରୀଜଗନ୍ନାଥ ସେମାନଙ୍କ ସହିତ ବିଭିନ୍ନ ଲୀଳା ରଚିଛନ୍ତି। କେତେକ ଭକ୍ତଙ୍କୁ ନେଇ କେତେକ ବେଶ ମଧ୍ୟ ହୋଇଆସୁଛି। ତେଣୁ ସେହିପରି ଭକ୍ତ ଗଣପତି ଭଟ୍ଟଙ୍କୁ ନେଇ ମହାପ୍ରଭୁଙ୍କର ଗଜାନନ ବେଶ।

ମୋ-୯୬୬୮୭୧୫୫୬୩

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe