ସ୍ଥିତି ଖୋଜୁଛି ମଧୁକୋଠି, କନକଦୁର୍ଗା ପୁଷ୍କରିଣୀ

Advertisment
ସ୍ଥିତି ଖୋଜୁଛି ମଧୁକୋଠି, କନକଦୁର୍ଗା ପୁଷ୍କରିଣୀ

କରୋନା ମହାମାରୀରେ ଅଟକିଯାଇଛି ସତ୍ୟଭାମାପୁରସ୍ଥିତ ମଧୁବାବୁଙ୍କ ଜନ୍ମପୀଠର ବିକାଶ। ମଧୁବାବୁଙ୍କ ଜନ୍ମପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯିବା ପରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ୧ କୋଟି ୬୨ ଲକ୍ଷ ଟଙ୍କା ବ୍ୟୟରେ ପୀଠ ପରିସରରେ ମ୍ୟୁଜିୟମ୍‌ ନିର୍ମାଣ ସହ ରସକୁଣ୍ତର ପୁନରୁଦ୍ଧାର ଆରମ୍ଭ ହୋଇଥିଲା। କିନ୍ତୁ ୩ ବର୍ଷ ହେବ ଏ କାର୍ଯ୍ୟ ଏକପ୍ରକାର ମନ୍ଥର ଗତିରେ ଚାଲିଛି। ମଧୁବାବୁଙ୍କ ପୀଠ ପରିସରରେ ଥିବା ଏନ୍ତୁଡିଶାଳ, ଢିଙ୍କିଶାଳ, ଅତ୍ୟାଧୁନିକ ପାଠାଗାର ସ୍ଥାପନ, ତାଙ୍କ ବ୍ୟବହୃତ ସାମଗ୍ରୀ, ରଚନା, ହସ୍ତଲିପି, ବିରଳ କୀର୍ତ୍ତିରାଜିର ସଂରକ୍ଷଣ ଓ ବିକାଶ ଏକପ୍ରକାର ଅଟକିଯାଇଛି। ମଧୁବାବୁଙ୍କ ଜନ୍ମପୀଠରେ ତାଙ୍କ ଦ୍ବାରା ୧୯୦୫ରେ ତିଆରି ହୋଇଥିବା ଗୃହକୁ ମଧୁକୋଠି କୁହାଯାଏ। ସରକାରଙ୍କ ପକ୍ଷରୁ ଏହି ମଧୁକୋଠିର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ତାହା ବି ଅବ୍ୟବସ୍ଥିତ ହୋଇ ପଡିଛି। ମଧୁବାବୁ ସ୍ନାନ କରୁଥିବା ପୁଷ୍କରିଣୀକୁ ଲୋକେ କନକଦୁର୍ଗା ପୁଷ୍କରିଣୀ ବୋଲି କହିଥାନ୍ତି। ସେହି ପୁଷ୍କରିଣୀର ଚାରିପଟ ଘଞ୍ଚ ଜଙ୍ଗଲରେ ଭର୍ତ୍ତି ହେବା ସହ ପୋଖରୀଟି ପଙ୍କରେ ପୋତି ହେଇଗଲାଣି।

publive-image

୧୪ ବର୍ଷ ତଳେ ସଂଗ୍ରହାଳୟ ଯାହା ଥିଲା ସେଇଆ
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ କଟକସ୍ଥିତ ବାସଭବନ ୨୦୦୭ ମସିହା ଏପ୍ରିଲ ୨୮ରେ ସଂଗ୍ରହାଳୟରେ ପରିଣତ ହୋଇଥିଲା। ଆରମ୍ଭ ସମୟରେ ଯାହା ଥିଲା ଏବେ ସେମିତି ରହି ଯାଇଛି। ଶୈଳବାଳା କଲେଜ ପକ୍ଷରୁ ଗୋଟିଏ ମାତ୍ର ହଲ୍ ଦିଆଯାଇଥିବାରୁ ମଧୁବାବୁ ବ୍ୟବହାର କରୁଥିବା ଅନେକ ଆସବାବପତ୍ର, ସାମଗ୍ରୀ ସାଧାରଣ ଲୋକଙ୍କ ପାଇଁ ପ୍ରଦର୍ଶିତ ହୋଇପାରୁନି। ପୁଣି ବର୍ଷା ହେଲେ ‌ସଂଗ୍ରହାଳୟରେ ପଶୁଛି ପାଣି। ସଂଗ୍ରହାଳୟର ମୁଖ୍ୟ ତୋରଣ ସମେତ ଭିତରେ ବି ଅନେକ ଲାଇଟ୍ ଜଳୁନାହିଁ। ମଧୁସୂଦନ ସଂଗ୍ରହାଳୟ ଦାୟିତ୍ବରେ ଥିବା ଜ୍ୟୋତି ପ୍ରକାଶ ଦାସଙ୍କ କହିବା ଅନୁସାରେ, ସ୍ଥାନ ଅଭାବ ପାଇଁ ମଧୁବାବୁଙ୍କ ଜୀବନୀ ଉପରେ ଆଧାରିତ ଏକ ବୃତ୍ତଚିତ୍ର ଲୋକଙ୍କ ପାଇଁ ପ୍ରଦର୍ଶିତ ହୋଇପାରୁନି। ଏପରିକି ଅନେକ ଉପକରଣକୁ ଆମେ ଜନସାଧାରଣଙ୍କ ପାଇଁ ପ୍ରଦର୍ଶନ କରିପାରୁନୁ ବୋଲି ଶ୍ରୀ ଦାସ ସୂଚନା ‌ଦେଇଛନ୍ତି। ବୁଧବାର ତାଙ୍କ ଜୟନ୍ତୀ ପାଇଁ ସଂଗ୍ରହାଳୟ ଖୋଲା ରହିବ। କୋଭିଡ୍ କଟକଣା ମଧ୍ୟରେ ଯେଉଁମାନେ ଚାହିଁବେ ଉତ୍କଳ ଗୌରବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିପାରିବେ ବୋଲି ଶ୍ରୀ ଦାସ ସୂଚନା ‌ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe