ସ୍ୱାଭିମାନ ଦିବସ: ଓଡ଼ିଶା ହାଇକୋର୍ଟର ପ୍ରାଣସଂଚାରକ ମଧୁସୂଦନ

ସ୍ୱାଭିମାନ ଦିବସ:  ଓଡ଼ିଶା ହାଇକୋର୍ଟର ପ୍ରାଣସଂଚାରକ ମଧୁସୂଦନ

Sambad English

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଓକିଲାତି ଜୀବନ ଏକ ସୁଦୀର୍ଘ ଇତିହାସ। ଓକିଲାତି ବୃତ୍ତି ଦ୍ବାରା ଓଡ଼ିଆ ଜାତିର ସର୍ବାଙ୍ଗିନ ବିକାଶ ପାଇଁ ବଜ୍ରଶପଥ ସେ ଗ୍ରହଣ କରିଥିଲେ। ଓକିଲ ଭାବେ ସେ ଥିଲେ ସୁବକ୍ତା। ଆଇନଶାସ୍ତ୍ରରେ ତାଙ୍କର ଗଭୀର ପାଣ୍ଡିତ୍ୟ ଥିଲା। ଆଇନର ବିଭିନ୍ନ ଧାରାକୁ ଶାଣିତ ଭାବେ ତର୍ଜମା କରିବାରେ ସେ ଥିଲେ ସିଦ୍ଧହସ୍ତ। ୧୮୮୭, ଜାନୁଆରି ୨୫ରେ ସେ କଲିକତା ହାଇକୋର୍ଟ‌ର ଓକିଲ, ୧୯୧୬ରେ ପାଟନା ହାଇକୋର୍ଟର ଓକିଲ ଭାବେ ସ୍ବୀକୃତି ପାଇଥିଲେ। କଲିକତାରେ ପ୍ରାୟ ୧୬ ବର୍ଷ କାଳ ରହି ୧୮୮୧ ମସିହାରେ କଟକ ଫେରି ଆସିଥିଲେ। ମଧୁବାବୁଙ୍କ କଟକ ଆଗମନ ସଂପର୍କରେ ୧୮୮୧, ସେପ୍ଟେମ୍ବର ୨୪ ତାରିଖ ଉତ୍କଳ ଦୀପିକା ସମ୍ବାଦପତ୍ର ପୃଷ୍ଠାରେ ପ୍ରକାଶ ପାଇଥିଲା। “ବିଧିବଦ୍ଧ ଭାବରେ ଓକିଲାତି ପାସ କରିଥିବା ଜଣେ ଓଡ଼ିଆ ଓକିଲ କଟକ ଫେରି ଆସିଛନ୍ତି। ଏଠା ଅଦାଲତମାନଙ୍କରେ ସେ ଓକିଲାତି କରିବେ। ଇତି ପୂର୍ବରୁ ୨୪ପ୍ରଗଣାର ଅଲୀପୁର କୋର୍ଟରେ ସେ ଓକିଲାତି କରୁଥିଲେ ଓ କଲିକତା ହାଇକୋର୍ଟରେ ଟ୍ରାନ୍ସଲେଟର ମଧ୍ୟ ଥିଲେ। ସେ ହେଲେ ବାବୁ ମଧୁସୂଦନ ଦାସ, ଚୌଧୁରୀ ରଘୁନାଥ ଦାସଙ୍କ ପୁତ୍ର”।

ଏହି ସମ୍ବାଦଟି ପ୍ରକାଶ ପାଇବା ପରେ ସମଗ୍ର ଓଡ଼ିଶାରେ ଓଡ଼ିଆ ଓକିଲ ମଧୁବାବୁଙ୍କ ନାମ ବିଜୁଳି ବେଗରେ ପ୍ରଚାର ହୋଇଥିଲା। ଓଡ଼ିଶା ଆସିବା ପରେ ମଧୁବାବୁ ଚାନ୍ଦିନୀଚୌକସ୍ଥିତ ବିହାରୀଲାଲ ପଣ୍ଡିତଙ୍କ କୋଠା ଭଡା ନେଇ ସେଠାରେ ରହିବା ସହିତ ନିଜ ଚାମ୍ବର କାର୍ଯ୍ୟ ଆରମ୍ଭ କରିଥିଲେ। ମଧୁବାବୁ ନିଜ ଓକିଲାତି ବୃତ୍ତିରେ ବହୁ ଗୁରୁତ୍ବପୂର୍ଣ୍ଣ ମୋକଦ୍ଦମା ପରିଚାଳନା କରି ସଫଳତା ଅର୍ଜନ କରିଥିଲେ। ମଧୁବାବୁଙ୍କ ଓକିଲାତି ଜୀବନ ସଂପର୍କରେ ବ୍ୟାସକବି ଫକୀରମୋହନ ସେନାପତି ତାଙ୍କ ଆତ୍ମଜୀବନୀରେ ଉତ୍କଳ ଗୌରବ ମଧୁସୂଦନଙ୍କୁ ଓଡ଼ିଶାର ସର୍ବ ପ୍ରଧାନ ଓକିଲ ଭାବେ ବର୍ଣ୍ଣନା କରିଛନ୍ତି। ମଧୁବାବୁ ତାଙ୍କ ଜୀବଦଶାରେ ଓଡ଼ିଶା ହାଇକୋର୍ଟର ପ୍ରତିଷ୍ଠାର ସ୍ବପ୍ନ ସଂପର୍କରେ ସର୍ବପ୍ରଥମେ ୧୯୧୬, ମେ ୧୮ରେ ପ୍ରକାଶ କରିଥିଲେ।

କଟକଠାରେ ହାଇକୋର୍ଟର ସର୍କିଟ କୋର୍ଟ ବସିବା ବେଳେ କଟକ ବାର୍ ଆସୋସିଏସନର ସଭାପତି ଥିବା ମଧୁବାବୁ ଏ ନେଇ କହିଥିଲେ। ଏହି ସର୍କିଟ କୋର୍ଟ ନିକଟ ଭବିଷ୍ୟତରେ ସ୍ଥାୟୀ ବେଞ୍ଚରେ ପରିଣତ ହେବ ବୋଲି ସେ କହିଥିଲେ। ଏହାର ଉତ୍ତରରେ ଭାରତର ତତ୍କାଳୀନ ପ୍ରଧାନ ବିଚାରପତି କହିଥିଲେ ଯେ ସମୟକ୍ରମେ ଏହି ସର୍କିଟ କୋର୍ଟ ସ୍ଥାୟୀ ବେଞ୍ଚରେ ରୂପାନ୍ତରିତ ହେବ। ଏହି କାରଣରୁ ଓଡ଼ିଶା ହାଇକୋର୍ଟ ପ୍ରତିଷ୍ଠା କ୍ଷେତ୍ରରେ ଉତ୍କଳ ଗୌରବ ମଧୁସୂଦନଙ୍କ ଅବଦାନ ଅବିସ୍ମରଣୀୟ। ଓଡ଼ିଶା ହାଇକୋର୍ଟ ଗଠନ ହେବା ପରେ ତାଙ୍କ ସହଯୋଗୀ ଓକିଲ ସ୍ବାମୀ ବିଚିତ୍ରାନନ୍ଦ ଦାସ ପ୍ରଥମ ଆଡଭୋକେଟ ଜେନେରାଲ ଭାବେ ଅବସ୍ଥାପିତ ହୋଇଥିଲେ। ଅନ୍ୟତମ ସହଯୋଗୀ ଚିନ୍ତାମଣି ଆଚାର୍ଯ୍ୟ କେବଳ ଜଣେ ପ୍ରସିଦ୍ଧ ଓକିଲ ଥିଲେ ତା ନୁହେଁ ସେ ଥିଲେ ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି। ମଧୁବାବୁ ଓଡ଼ିଶାରେ ଆଇନ ଶିକ୍ଷାର ବିକାଶ କରିବା ଉଦ୍ଦେଶ୍ୟରେ ତତ୍କାଳୀନ ରେଭେନ୍ସା କଲେଜରେ ଆଇନ ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ। ଆଇନଜୀବୀମାନଙ୍କ ପଥ ପ୍ରଦର୍ଶକ ଥିଲେ ମଧୁବାବୁ। ଆଜି ଓଡ଼ିଶା ହାଇକୋର୍ଟ ୭୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଥିବା ବେଳେ ଏହାର ଯଥାର୍ଥ ପ୍ରାଣସଂଚାରକ ଥିଲେ ମଧୁବାବୁ।

ଦେବସ୍ନାନ ଦାସ,
ଆଇନଜୀବୀ, ଓଡ଼ିଶା ହାଇକୋର୍ଟ,
ମୋ:୯୪୩୭୩୫୨୯୭୮

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe