ମଦ ଛାଡ଼ିବାର ଯାଦୁକରୀ ଉପକାରିତା

Advertisment
ମଦ ଛାଡ଼ିବାର ଯାଦୁକରୀ ଉପକାରିତା

କହିବା ବାହୁଲ୍ୟ, ନିୟମିତ ମଦ୍ୟପାନ ଜଣକୁ ଶାରୀରିକ ଓ ମାନସିକ ସ୍ତରରେ ଦୁର୍ବଳ କରିଦେଇଥାଏ। ବିଶେଷ କରି ଏହା ମସ୍ତିଷ୍କର ପ୍ରଭୂତ କ୍ଷତି ପହଞ୍ଚାଇଥାଏ। ତେବେ ଜଣେ ମଦ୍ୟପ ଯଦି ସାତ ମାସ ଯାଏ ମଦ୍ୟପାନ ଛାଡ଼ିଦିଏ, ତା’ହେଲେ ପୂର୍ବରୁ ତାହାର ମସ୍ତିଷ୍କରେ ହୋଇଥିବା ମଦ୍ୟପାନଜନିତ କ୍ଷତି ଭରଣା ହୋଇପାରିବ ବୋଲି ଆମେରିକାର ଗବେଷକମାନେ ଏକ ନୂଆ ଅଧ୍ୟୟନରୁ ଜାଣିପାରିଛନ୍ତି। ମଦ୍ୟପାନ ଯୋଗୁଁ ମସ୍ତିଷ୍କର ‘କୋର୍ଟେକ୍ସ’ ଅଞ୍ଚଳରେ ଘୋର ବିଶୃଙ୍ଖଳା ଦେଖାଦେଇ ତାହା ପତଳା ହୋଇଯାଇଥାଏ। ମସ୍ତିଷ୍କର ଏହି କୁଞ୍ଚୁକୁଞ୍ଚିଆ ବାହ୍ୟ ଆସ୍ତରଣ ଅନେକ ଉଚ୍ଚ ଦକ୍ଷତା ବିଶିଷ୍ଟ କାର୍ଯ୍ୟ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ।

publive-image

ତେବେ ମଦ୍ୟପାନ ଛାଡ଼ିଦେଲେ ‘କୋର୍ଟେକ୍ସ’ର ବିଶୃଙ୍ଖଳା କିଛି ମାତ୍ରାରେ ସୁଧୁରିଯାଏ ବୋଲି ପୂର୍ବରୁ ଜଣାଯାଇଥିଲା। ମାତ୍ର ତାହାର ବାସ୍ତବ ପରିମାଣ ଅସ୍ପଷ୍ଟ ରହିଥିଲା। ତେବେ ଷ୍ଟାନ୍‌ଫୋର୍ଡ ବିଶ୍ବବିଦ୍ୟାଳୟର ଗବେଷକମାନଙ୍କ ନିର୍ଯାସ ଅନୁସାରେ, ମଦ୍ୟପାନ ଛାଡ଼ିବା ପରେ ପରେ ବିଶୃଙ୍ଖଳିତ ‘କୋର୍ଟେକ୍ସ’ର ପୁନଃସଂରଚନା ଆରମ୍ଭ ହୋଇଥାଏ ଏବଂ ତାହା ଧୀରେ ଧୀରେ ପତଳାରୁ ପୁଣି ମୋଟା ହୋଇ ସ୍ବାଭାବିକତା ଆଡ଼କୁ ଆଗେଇଥାଏ। ଜଣେ ନିୟମିତ ମଦ୍ୟପ ଯଦି ଏକାଦିକ୍ରମେ ୭ ମାସରୁ ଅଧିକ ସମୟ ମଦ୍ୟପାନ ଛାଡ଼ିଦିଏ, ତେବେ ସାଧାରଣ ଲୋକର ମସ୍ତିଷ୍କ ପରି ପ୍ରାୟ ସ୍ବାଭାବିକତା ଫେରି ଆସିପାରିବ। ଅପରପକ୍ଷେ, ଯେଉଁ ମଦ୍ୟପାନକାରୀଙ୍କର ଉଚ୍ଚ ରକ୍ତଚାପ ଓ କୋଲେଷ୍ଟ୍ରଲ ସମସ୍ୟା ରହିଥିବ ଏବଂ ଯେଉଁମାନେ ଧୂମ୍ରପାନ କରୁଥିବେ, ସେମାନଙ୍କ କ୍ଷେତ୍ରରେ ମସ୍ତିଷ୍କର ଏହି ପୁନଃସଂରଚନା ପ୍ରକ୍ରିୟା ଧିମେଇ ଯାଇଥାଏ ବୋଲି ଗବେଷକମାନେ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe