ମହାନଦୀ ଟ୍ରାଜେଡି! ଚିରାଚରିତ ଦେବୀଦ୍ୱାର ବାଟ ବଦଳାଉଛନ୍ତି ହାତୀପଲ...

ମହାନଦୀ ଟ୍ରାଜେଡି!  ଚିରାଚରିତ ଦେବୀଦ୍ୱାର ବାଟ ବଦଳାଉଛନ୍ତି ହାତୀପଲ...

ଦୁଇ ବର୍ଷ ତଳେ ଏଭଳି ୫ଟି ହାତୀ ଭାସି ଆସି ମୁଣ୍ଡଳୀ ଆନିକଟ ତଳେ ଗଳି ପାର ହୋଇ ଯାଇଥିଲେ। ଆଜି ପୁଣି ସେଭଳି ଘଟଣା ଘଟିବାରୁ ହାତୀମାନେ ସେମାନଙ୍କର ଚିରାଚରିତ ପଥ ବଦଳାଇ ଥିବାରୁ ଏପରି ଘଟଣା ଘଟୁଥିବା ଅନୁମାନ କରୁଛନ୍ତି ବି‌ଶେଷଜ୍ଞମାନେ। ଏବେ ରେଡିଓ କଲାର ଲଗାଇବା ପାଇଁ ବନ ବିଭାଗ ତରଫରୁ ପ୍ରୟାସ ଚାଲିଥିବାରୁ ହାତୀମାନେ ଇତଃସ୍ତତଃ ହୋଇ ଏପରି ଘଟୁଥିବା ମଧ୍ୟ ବି‌ଶେଷଜ୍ଞ ଏକେ ଲାଲା ସିଂ କହିଛନ୍ତି। ହାତୀମାନେ ଏଭଳି ବାରମ୍ବାର ମୁଣ୍ଡଳୀ ଆନିକଟକୁ ଆସିବାଫଳରେ ଆନିକଟ ଓ ନିକଟ ବାସିନ୍ଦାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ବନ ବିଭାଗ ଓ ଜଳସମ୍ପଦ ବିଭାଗ ହାତୀମାନେ କିଭଳି ମୁଣ୍ଡଳୀ ଆଡକୁ ନଆସି ସେମାନଙ୍କର ପୁରାତନ ଚଲାପଥ ମୁଣ୍ଡଳି ଆନିକଟ ଉପର ମୁଣ୍ଡ ମହାନଦୀର ଦେବୀଦ୍ବାର ପଟେ ଯାତାୟାତ କରିବେ, ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ମତ ପ୍ରକାଶ ପାଇଛି। ମୁଣ୍ଡଳୀ ବ୍ୟାରେଜ ଉପର ମୁଣ୍ଡରେ ନିୟମିତ ରାତ୍ରି ପ୍ରହରା ସହିତ ନଦୀ ବନ୍ଧର ଉପର ପାର୍ଶ୍ବରେ ପ୍ରାୟ ୩ କିଲୋମିଟର ପର୍ଯ୍ୟନ୍ତି ଶକ୍ତ ଉଚ୍ଚ ପାଚେରି ନିର୍ମାଣ କରାଯିବାକୁ ଏବେ ମତ ପ୍ରକାଶ ପାଇଛି।

ନରାଜ ଶ୍ରଦ୍ଧାଶ୍ରମ ନିକଟରେ ୬ ହାତୀ
ସାନ ମୁଣ୍ଡଳୀରୁ ଡମପଡ଼ା ଆଡକୁ ଚାଲି ଯାଇଥିବା ୬ ହାତୀ ପୁଣି ଫେରିଛନ୍ତି ନରାଜକୁ। ନରାଜର ଶ୍ରଦ୍ଧାଶ୍ରମ ନିକଟରେ ଏମାନଙ୍କୁ ଦେଖିବାକୁ ମିଳିଛି। ଏହି ହାତୀପଲରେ ଅଛନ୍ତି ଗୋଟିଏ ଦନ୍ତା, ୨ଟି ମାଇ ଓ ୩ଟି ଛୁଆ ହାତୀ। ଶ୍ରଦ୍ଧାଶ୍ରମରେ ବୃଦ୍ଧବୃଦ୍ଧାମାନେ ରହୁଥିବାବେଳେ ହାତୀପଲଙ୍କ ବିଚରଣ ସେଠାରେ ଆତଙ୍କଜନକ ସ୍ଥିତି ସୃଷ୍ଟି କରିଛି।

publive-image

ଲାଇଫ୍‌ ଜ୍ୟାକେଟ୍‌ ପିନ୍ଧି ବୁଡ଼ିଗଲେ ‌କେମିତି?
ଲାଇଫ୍‌ ଜ୍ୟାକେଟ୍‌ ପିନ୍ଧିଲେ କେହି ବି ପାଣିରେ ବୁଡିବେନି। ପାଣିରେ ଭାସିବେ। କିନ୍ତୁ ଯଦି ଭଅଁରି ଅଛି ତା ହେଲେ ସେଠି ହୁଏତ ବୁଲାଇ ଦେଇପାରେ, କିନ୍ତୁ ବୁଡ଼ିବନି। ଯେ‌େକୗଣସି ସ୍ଥାନରେ ପୁଣି ଭାସିବ। ଯଦି ଜ୍ୟାକେଟ୍‌ ଖୋଲି ଯାଇଥିବ ବା ଖସି ଯାଇଥିବ ତା’ହେଲେ ହୁଏତ ଅଘଟଣ ହୋଇପାରେ। ଏଭଳି ମତ ରଖିଛନ୍ତି ମୁଣ୍ଡଳୀରେ ଥିବା ଜଣେ ବରିଷ୍ଠ ଫାୟାର ଅଫିସର। ଏପଟେ ଯଦି ଓଡ୍ରାଫ୍‌ର ସମସ୍ତେ ଲାଇଫ୍‌ ଜ୍ୟାକେଟ୍‌ ପିନ୍ଧିଥିବା କଥା କୁହାଯାଉଛି ଓ ଭିଡିଓରେ ମଧ୍ୟ ବୁଡିବା ସମୟର ଦୃଶ୍ୟରେ ଜ୍ୟାକେଟ୍‌ ପିନ୍ଧିଥିବା ଦେଖିବାକୁ ମିଳୁଛି ତା’ହେଲେ ଏଠାରେ ପ୍ରଶ୍ନ ଉଠୁଛି ସୀତାରାମ ନିଖୋଜ ହେଲେ କେମିତି? ସେ ତ ଲାଇଫ୍‌ ଜ୍ୟାକେଟ୍‌ ପିନ୍ଧିଥିଲେ, ସେ ବି ପାଣିରେ ଭାସିବା କଥା।

publive-image

ମୁଣ୍ଡଳୀ କାହାର?
ମୁଣ୍ଡଳୀ ବ୍ରିଜ୍ କାହାର? ଏହା କମିଶନରରେଟ୍‌ ପୁଲିସର ନା କଟକ ଗ୍ରାମାଞ୍ଚଳ ପୁଲିସର। ଏହାର ଉତ୍ତର କେହି ସରକାରୀଭାବେ ଦେବାକୁ ପ୍ରସ୍ତୁତ ନୁହନ୍ତି। କାରଣ କଟକ ଗ୍ରାମାଞ୍ଚଳ ପୁଲିସର କହିବା କଥା ହେଲା ଆଠଗଡ଼ ପଟୁ ଆସୁଥିବାବେଳେ ବ୍ରିଜ୍‌ର ୭ଟି ପିଲାର ପର୍ଯ୍ୟନ୍ତ ଗ୍ରାମାଞ୍ଚଳ ପୁଲିସର। ଅନ୍ୟପଟେ କଟକ ପଟୁ ଗଲେ ମୁଣ୍ଡଳୀ ବ୍ରିଜ୍‌ ଅତିକ୍ରମ କରିବା ମାତ୍ରେ ଆଠଗଡ଼ ଥାନା ଅଞ୍ଚଳ ଆରମ୍ଭ ହେଉଛି। ଏଭଳି ବାଦବିବାଦ ଭିତ‌ରେ ରହୁଛି ମୁଣ୍ଡଳୀ ବ୍ରିଜ୍‌। ଯାହାଫଳରେ ଆଜି ଏତେ ବଡ଼ ଅଘଟଣ ସମୟରେ ପୁଲିସ ମଧ୍ୟରେ ଯେଉଁଭଳି ସମନ୍ବୟ ଓ ବିଭାଗ ମଧ୍ୟରେ ଯେଉଁଭଳି ତତ୍ପରତା ଦେଖାଯିବା କଥା ତାହା ଦେଖିବାକୁ ମିଳି ନଥିଲା। ଅନିୟନ୍ତ୍ରିତ ଭିଡ଼ ଦୁର୍ଘଟଣାକୁ ଡାକି ଆଣିଥିଲା।

publive-image

ମୋତେ ଆଉ କିଛି ପଚାରନ୍ତୁନି...
କିଛି ବି କହିବାକୁ ମୋ ପାଖରେ ଶକ୍ତି ନାହିଁ କି ଧୈର୍ଯ୍ୟ ବି ନାହିଁ। ମୋ ସାଙ୍ଗ କେତେବେଳେ ମୋ ପାଖକୁ ଫେରିବ? ଏମିତି ବାରମ୍ବାର କହି ଚାଲିଥା’ନ୍ତି ବୋଟ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଓଡ୍ରାଫ୍‌ ଟିମ୍‌ର ସଦସ୍ୟ ରୁଦ୍ର ପ୍ରଧାନ। ସେ କହୁଥା’ନ୍ତି ,‘ବୋଟ୍‌ରେ ୭ଜଣ ବସିବାର କ୍ଷମତା ଥିଲା। ସମସ୍ତେ ଲାଇଫ୍‌ ଜ୍ୟାକେଟ୍‌ ମଧ୍ୟ ପିନ୍ଧିଥିଲୁ। ଆମେ ୫ଜଣ ବାହାରିଥିଲୁ। ଆମେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଯିବାକୁ ବାରଣ କରିଥିଲୁ। କିନ୍ତୁ ସେମାନେ ଜୋର୍‌ କରି ଆମ ସହିତ ଯାଇଥିଲେ। ଫଳରେ ବାଧ୍ୟହୋଇ ଆମେ ବି ତାଙ୍କୁ ଜ୍ୟାକେଟ୍‌ ଦେଇଥିଲୁ। ହଠାତ୍‌ ପାଣିର ସ୍ରୋତ ଅଧିକ ଥିବା ସ୍ଥାନରେ ବୋଟର ମଟର ବନ୍ଦ ହୋଇ ସ୍ରୋତରେ ଭାସିଯାଇ ଓଲଟି ପଡ଼ିଥିଲା। ଜଣେ ପ୍ରଥମେ ତଳକୁ ଖସି ପଡ଼ିଥିଲେ। ତା’ପରେ ପୂରା ‌ବୋଟ ଓଲଟି ପଡିଥିଲା। ମୁଁ ଭାସି ଯାଉଥିବା ବେଳେ ଦେଶୀ ଡଙ୍ଗା ସାହାଯ୍ୟରେ ମୋତେ ଉଦ୍ଧାର କରାଗଲା। ମୋର କିଛି ହୋଇନି। ପାଣି ମାଡ଼ ଖାଇ ଟିକେ ଜଖମ ହୋଇଛି। ମୋ ସାଙ୍ଗ କେମିତି ମିଳିବ ତାକୁ ଅପେକ୍ଷା କରିଛି।’ କିନ୍ତୁ ହାତୀ ପାଖକୁ ଆସିଯିବାରୁ ସେମାନେ ଭୟଭୀତ ହୋଇଯିବା ଫଳରେ ଏଭଳି ଅଘଟଣ ଘଟିବା କଥାକୁ ଅସ୍ବୀକାର କରିଛନ୍ତି ରୁଦ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe