ମହର୍ଷି ଅଗସ୍ତ୍ୟ ଓ ସୁବର୍ଣ୍ଣମୁଖରୀ ନଦୀ

ମହର୍ଷି ଅଗସ୍ତ୍ୟ ଓ ସୁବର୍ଣ୍ଣମୁଖରୀ ନଦୀ

ଭାରତୀୟ ମୁନିଋଷିମାନଙ୍କ ମଧ୍ୟରେ ମହାମୁନି ଅଗସ୍ତ୍ୟ ଏକ ସଶ୍ରଦ୍ଧ ଉଚ୍ଚାରଣ। ଯେତେବେଳେ ଦେବତାମାନେ କୌଣସି ବିପତ୍ତିର ସମ୍ମୁଖୀନ ହୁଅନ୍ତି, ସେମାନେ ଅଗସ୍ତ୍ୟଙ୍କର ଶରଣାପନ୍ନ ହୁଅନ୍ତି। ନିଜର ତପସ୍ୟାଲବ୍‌ଧ ଜ୍ଞାନ ଓ ସାଧନା ବଳରେ ଅଗସ୍ତ୍ୟ ତାର ସମାଧାନ କରନ୍ତି। ଏହିପରି, ଏକଦା ବିନ୍ଧ୍ୟପର୍ବତର ଅହଂକାର ବିମୋଚନ କରିବା ନିମିତ୍ତ ବିନ୍ଧ୍ୟପର୍ବତକୁ ନମସ୍କାର ମୁଦ୍ରାରେ ରଖି ଅଗସ୍ତ୍ୟ ଦାକ୍ଷିଣାତ୍ୟ ଗମନ କଲେ ଏବଂ ସେହିଠାରେ ଏକ ଆଶ୍ରମ ପ୍ରତିଷ୍ଠା କରି ଯୋଗ ସାଧନା କଲେ।

ସେଠାରେ କିଛିଦିନ ଅବସ୍ଥାନ କଲାବେଳେ ଅଗସ୍ତ୍ୟ ଦେଖିଲେ, ସେହି ସ୍ଥାନ ଏକ ସଂପନ୍ନ ପ୍ରଦେଶ ହେଲେ ମଧ୍ୟ, ସେହି ଭୂମିକୁ ପବିତ୍ର କରିବା ପାଇଁ କୌଣସି ନଦୀ ସେଠାରେ ପ୍ରବାହିତ ହେଉନାହିଁ। ଫଳରେ ସେଠାରେ ରହୁଥିବା ମୁନିଋଷି ତଥା ସାଧାରଣ ଜନତା ପବିତ୍ର ନଦୀସ୍ନାନରୁ ବଞ୍ଚିତ ହେଉଛନ୍ତି। ଏହା ଦେଖି ଅଗସ୍ତ୍ୟ କଠୋର ତପସ୍ୟା ଦ୍ୱାରା ବ୍ରହ୍ମଦେବଙ୍କୁ ସନ୍ତୁଷ୍ଟ କରି ନିଜର କାମନା ଜଣାଇଲେ। ବ୍ରହ୍ମାଙ୍କ ଆଦେଶରେ ଆକାଶଗଙ୍ଗା ନିଜର ଏକ ଅଂଶକୁ ପୃଥିବୀରେ ଅବତରଣ କରାଇ ଅଗସ୍ତ୍ୟଙ୍କର କାମନାକୁ ଚରିତାର୍ଥ କରିବାକୁ ଆସି ପଚାରିଲେ “ମୁଁ କେଉଁ ମାର୍ଗରେ ବହିବି?” ଅଗସ୍ତ୍ୟ ବିନମ୍ର ହୋଇ ଆକାଶଗଙ୍ଗାଙ୍କୁ କହିଲେ, “ମୁଁ ଆଗେ ଆଗେ ଚାଲି ଯେଉଁ ପଥ ନିର୍ଦ୍ଦେଶ କରିବି ମୋର ପଛେ ପଛେ ଯାଇ ତୁମେ ସେହି ମାର୍ଗକୁ ଧୌତ କରିବ।” ଅଗସ୍ତ୍ୟ ଆଗେ ଆଗେ ଚାଲିଲେ। ସ୍ୱଚ୍ଛସଲିଳା ଆକାଶଗଙ୍ଗା ମଧୁର ଧ୍ୱନି କରି ତାଙ୍କର ଅନୁସରଣ କଲେ। ମୁନିମାନେ ଆନନ୍ଦିତ ହେଲେ। ଦେବତାମାନଙ୍କ ସହିତ ବାୟୁଦେବ ସେଠାରେ ଆସି ପହଞ୍ଚି ସ୍ୱଚ୍ଛସଲିଳା ନଦୀର କଳଧ୍ୱନି ତଥା ପ୍ରଜାମାନଙ୍କର ଆନନ୍ଦ ଦେଖି କହିଲେ, ଏହି ନଦୀ ପ୍ରଜାମାନଙ୍କୁ ସୁବର୍ଣ୍ଣ ପ୍ରାପ୍ତି ସ୍ୱରୂପ ଆନନ୍ଦ ପ୍ରଦାନ କରୁଛି ଏବଂ ଏହାର କଳଧ୍ୱନି ସମସ୍ତ ଦିଶାକୁ ମୁଖରିତ କରୁଛି। ଏଣୁ ଏହାର ନାମ ହେଉ ସୁବର୍ଣ୍ଣମୁଖରୀ ଏବଂ ଏହା ଗଙ୍ଗା ସଦୃଶ ପତିତପାବନୀ ହୋଇ ପ୍ରାଣୀମାନଙ୍କୁ ମୋକ୍ଷ ପ୍ରଦାନ କରୁ।

ଏଣୁ ଦକ୍ଷିଣଭାରତର ଗଙ୍ଗା ଭାବରେ ସୁବର୍ଣ୍ଣମୁଖରୀ ନଦୀ ପ୍ରସିଦ୍ଧ। ଏଠାରେ ଅଗସ୍ତେଶ୍ୱର ଭାବରେ ଦେବଦେବ ମହାଦେବ ବିରାଜମାନ। କଥିତ ଅଛି, ଯେପରି ଦେବତାମାନଙ୍କ ମଧ୍ୟରେ ବିଷ୍ଣୁ, ନକ୍ଷତ୍ରମାନଙ୍କ ମଧ୍ୟରେ ଚନ୍ଦ୍ରମା, ବୃକ୍ଷମାନଙ୍କ ମଧ୍ୟରେ କଳ୍ପବୃକ୍ଷ, ନାଗମାନଙ୍କ ମଧ୍ୟରେ ଶେଷନାଗ ଇତ୍ୟାଦି ଶ୍ରେଷ୍ଠ, ସେହିପରି ନଦୀମାନଙ୍କ ମଧ୍ୟରେ ସୁବର୍ଣ୍ଣମୁଖରୀ ନଦୀ ଶ୍ରେଷ୍ଠ। ଏହି ନଦୀତୀରରେ ଅନେକ ଶୈବକ୍ଷେତ୍ର ପ୍ରତିଷ୍ଠିତ। ଏହି ନଦୀ ତୀରରେ ପ୍ରସିଦ୍ଧ ତିରୁମଲ୍ଲା ଓ କଳାହସ୍ତୀ ମନ୍ଦିର ବିଦ୍ୟମାନ। ସଂପ୍ରତି ସୁବର୍ଣ୍ଣମୁଖରୀ ନଦୀ ସ୍ୱର୍ଣ୍ଣମୁଖୀ ନଦୀ ନାମରେ ଆନ୍ଧ୍ରପ୍ରଦେଶରେ ପ୍ରବାହିତ। ଅସଂଖ୍ୟ ପାର୍ବତ୍ୟ ଝରଣା ଏହି ନଦୀରେ ମିଳିତ ହୋଇ ଏହାକୁ ସୁନାବ୍ୟା କରିଛନ୍ତି।
-ଡକ୍ଟର ତୁଳସୀ ଓଝା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe