ବିଷ ପିଇଥିବା ସ୍ତ୍ରୀକୁ କାନ୍ଧରେ ବୋହି ଡାକ୍ତରଖାନାକୁ ନେଲେ ସ୍ୱାମୀ; କିନ୍ତୁ ବଞ୍ଚାଇ ପାରିଲେନି

Advertisment
ବିଷ ପିଇଥିବା ସ୍ତ୍ରୀକୁ କାନ୍ଧରେ ବୋହି ଡାକ୍ତରଖାନାକୁ ନେଲେ ସ୍ୱାମୀ; କିନ୍ତୁ ବଞ୍ଚାଇ ପାରିଲେନି

ହାଇଦ୍ରାବାଦ: ବିଷ ପିଇଥିବା ପତ୍ନୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇବାକୁ କାନ୍ଧରେ ବୋହି ଜଣେ ଆଦିବାସୀ ଲୋକ ସୋମବାର ଦିନ ତିନି କିଲୋମିଟର୍‌ରୁ ଅଧିକ ବାଟ ଧାଇଁ ଥିଲେ। ଘଟନାଟି ତେଲେଙ୍ଗାନାର କୁମାରମ୍‌ ଭୀମ ଆସଫାବାଦ ଜିଲ୍ଲାରେ ଘଟିଛି। ୩୦ ବର୍ଷୀୟ ପତ୍ନୀ ପୁଷ୍ପଲତାଙ୍କୁ ୩୫ ବର୍ଷିୟ ସ୍ୱାମୀ ରାଥୋଡ୍‌ ରାମ୍‌ ବଞ୍ଚାଇବାରେ ସଫଳ ହୋଇ ନ ଥିଲେ।

ନାର୍‌ନୂର ସରକାରୀ ଡାକ୍ତରଖାନାର ଡାକ୍ତରମାନେ ଉକ୍ତ ମହିଳାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା ଘୋଷଣା କରିଥିଲେ।
ନାର୍‌ନୂର ସହକାରୀ ସବ୍‌-ଇନ୍‌ସ୍‌ପେକ୍ଟର୍‌ ରାଥୋଡ଼ ତାନାଜି କହନ୍ତି: ଆମେ ଏକ ଆତ୍ମହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛୁ।
ରାମ ପତ୍ନୀଙ୍କୁ କାନ୍ଧରେ ବୋହି ଆପ୍ରୋଚ୍‌ ରୋଡ୍‌ରେ ପହଞ୍ଚିବାକୁ ଝରଣା ପାରି ହେଉଥିବାର ଦୃଶ୍ୟାବଳୀ ସମ୍ପନ୍ନ ଚିତ୍ର ସବୁ ମଙ୍ଗଳବାର ଦିନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏବର୍ଷ କପାଚାଷ କରିବାକୁ ନାର୍‌ନୂର ବ୍ଲକ୍‌ ଅନ୍ତର୍ଗତ ଉମ୍‌ରି ଜନଜାତି ହାମ୍‌ଲେଟ୍‌ର ରାମ ଏବଂ ପୁଷ୍ପଲତା ଜମିଦାର ରାମ ଯାଦବଙ୍କ ଠାରୁ ପାଞ୍ଚ ଏକର ଜମି ଲିଜ୍‌ ନେଇଥିଲେ। ଚାଷ ପାଇଁ ଦମ୍ପତି ଗୁଡ଼ାଏ କରଜ କରି ପକାଇଥିଲେ ଏବଂ ଅଳ୍ପ କିଛି ଦିନ ମଧ୍ୟରେ ଭଲ କପା ଅମଳ କରିବେ ବୋଲି ଆଶା ମଧ୍ୟ କରିଥିଲେ।

କିନ୍ତୁ, ନିକଟରେ ବର୍ଷା ହେବାରୁ ସମଗ୍ର ଫସଲ ଉଜୁଡ଼ି ଗଲା। ପତିପତ୍ନୀ ଜାଣିଲେ ଯେତେ ଖର୍ଚ୍ଚ କରିଛନ୍ତି ତାହା କପା ଅମଳରୁ ଭରଣା ହୋଇ ପାରିବ ନାହିଁ। ସୋମବାର ଦିନ ସେମାନେ ପୁଣି ବିଲକୁ ଯାଇ ବର୍ଷା ଦାଉରୁ କେତେ କପା ସୁରକ୍ଷିତ ଅଛି ଦେଖିଥିଲେ। ରାମ କପା ଦେଖୁଥିବା ବେଳେ ପୁଷ୍ପଲତା ସାଙ୍ଗରେ ଆଣିଥିବା କୀଟନାଶକ ଔଷଧ ପିଇଦେଇ ବିଲରେ ପଡ଼ି ଯାଇଥିଲେ।

ତୁରନ୍ତ ରାମ ପୁଷ୍ପଲତାଙ୍କୁ କାନ୍ଧରେ ପକାଇ ଦୌଡ଼ିଥିଲେ।

ହାମ୍‌ଲେଟ୍‌କୁ ଆପ୍ରୋଚ୍‌ ରୋଡ୍‌ ନ ଥିବାରୁ ତିନି କିଲୋମିଟର୍‌ ଦୂରରେ ଥିବା ରାସ୍ତାରେ ପହଞ୍ଚିବାକୁ ସେ ଝରଣା ପାରି ହେବାକୁ ପଡ଼େ। ତେଣୁ ରାମ ପତ୍ନୀଙ୍କୁ କାନ୍ଧରେ ବୋହି ରାସ୍ତାକୁ ଉଠିବା ପରେ ଅଟୋ ଯୋଗେ ନାର୍‌ନୂର ବ୍ଲକ୍‌ ହେଡ୍‌ କ୍ୱାର୍ଟର୍‌ସ୍‌ରେ ଥିବା ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ। ଦୁଃଖର ବିଷୟ, ପୁଷ୍ପଲତା ବାଟରେ ମରି ଯାଇଥିଲେ।

ତାଙ୍କର ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି। ବ୍ୟବଚ୍ଛେଦ ପରେ ସୋମବାର ସନ୍ଧ୍ୟାରେ ରାମଙ୍କୁ ପୁଷ୍ପଲତାଙ୍କ ଶବ ହସ୍ତାନ୍ତର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe