କୁଡ୍ଡାଲୋର୍: ତାମିଲନାଡୁର କୁଡ୍ଡାଲୋର୍ ଜିଲ୍ଲା ଅନ୍ତର୍ଗତ ତିରୁଚୋପାରୁର୍ରେ ଜଣେ ବ୍ୟକ୍ତି ବୋତଲରୁ ପାଣି ପିଆଇ ଶୋଷରେ ଦରମରା ହୋଇଯାଇଥିବା ଗୋଟାଏ ନାଗସାପର ଜୀବନ ରକ୍ଷା କରିଥିବାର ଭିଡିଓ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି।
ପ୍ରାପ୍ତ ସୂଚନା ଅନୁସାରେ, ଘର ପାଖରେ ନାଗସାପଟିଏ ମଲା ଭଳି ପଡ଼ି ରହିଥିବା କଥା ଦେଖି ନଟରାଜନ ନାମରେ ଜଣେ ବ୍ୟକ୍ତି ଯାଇ ତାଙ୍କର ବନ୍ଧୁ ଏଝୁମଲାଇଙ୍କୁ କହିଲେ। ଏକଥା ଶୁଣି ଏଝୁମଲାଇ ପରିବେଶକର୍ମୀ ଚେଲ୍ଲାଙ୍କୁ ଖବର ଦେଲେ।
Image Courtesy of India Todayଚେଲ୍ଲା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦେଖିଲେ ଯେ, ସାପଟି ମରିନାହିଁ, ଶୋଷରେ ନିଝାଲିଆ ହୋଇପଡ଼ିଛି। ତା’ପରେ ଗୋଟାଏ ପ୍ଲାଷ୍ଟିକ୍ ବୋତଲରୁ ଚେଲ୍ଲା ଶୋଷିଲା ନାଗସାପକୁ ପାଣି ପିଆଇଥିଲେ। କିନ୍ତୁ, ନିଜର ସୁରକ୍ଷା ପ୍ରତି ସାବଧାନତା ଅବଲମ୍ବନପୂର୍ବକ ସେ ନାଗସାପର ଲାଞ୍ଜକୁ ଜାବୁଡ଼ି ଧରିଥିଲେ।
ନାଗସାପର ଶୋଷ ମରିବା ପର୍ଯ୍ୟନ୍ତ ଚେଲ୍ଲା ପାଣି ଓଜାଡ଼ି ଚାଲିଥିଲେ। ଧୀରେ ଧୀରେ ନାଗସାପର ବଳ ଫେରିଲା। ନାଗସାପ ସ୍ବାଭାବିକ ଅବସ୍ଥାକୁ ଆସିବା ଲକ୍ଷ୍ୟ କରି ଚେଲ୍ଲା ଗୋଟାଏ ବଡ଼ ପ୍ଲାଷ୍ଟିକ୍ ବୋତଲରେ ଭର୍ତ୍ତି କରି ତାକୁ ବଣରେ ଛାଡ଼ି ଦେଲେ।
ଉଦ୍ଧାର ଅଭିଯାନ ବେଳେ ଚେଲ୍ଲା ନଟରାଜନ ଓ ଏଝୁମଲାଇଙ୍କୁ କହିଥିଲେ ଯେ, ସମ୍ଭବତଃ ବିଷ ଖାଇଥିବା ଗୋଟାଏ ମୂଷାକୁ ଗଳି ପକାଇ ନାଗସାପଟିର ଏଭଳି ଅବସ୍ଥା ହୋଇଛି। ବିଷକ୍ରିୟା ଫଳରେ ନାଗସାପ ଦେହରୁ ଜଳୀୟଅଂଶ ହ୍ରାସ ପାଇଯିବାରୁ ସେ ଚେତା ହରାଇଥିବା ପରି ମନେହେଉଛି।
Follow Us