‘ମାନବ ମଶାଲ’ଙ୍କ ଦୌଡ଼ ରେକର୍ଡ!

Advertisment
‘ମାନବ ମଶାଲ’ଙ୍କ ଦୌଡ଼ ରେକର୍ଡ!

ରେକର୍ଡ କରିବା ନିଶା ଯୋଗୁଁ, ଜଣେ ନିଜକୁ ନିଆଁରେ ଜାଳି ଦୌଡ଼ିବା ଭଳି ସାଂଘାତିକ ବିପଜ୍ଜନକ ଅବସ୍ଥାକୁ ବି ଆଦରି ନେଇପାରେ, ଏ ଦୃଶ୍ୟ କଳ୍ପନା କରିବା ମଧ୍ୟ ଆମ ପକ୍ଷେ ଅସମ୍ଭବ। ତେବେ ଫ୍ରାନ୍‌ସର ହୌବୌର୍ଦିନ ସହର ବାସିନ୍ଦା ୩୯ ବର୍ଷୀୟ ଆଗ୍ନିକ ଜୋନାଥନ ଭିରୋ, ଅମ୍ଳଜାନ ଥଳି ବିନା ସାହାଯ୍ୟରେ ସଂପୂର୍ଣ୍ଣ ଜଳନ୍ତା ଅବସ୍ଥାରେ ସର୍ବାଧିକ ଦୂରତ୍ବ ଅତିକ୍ରମ କରିଛନ୍ତି। ସେ କେବଳ ଏକ ଅଗ୍ନି ପ୍ରତିରୋଧ ପୋଷାକ ପିନ୍ଧି ୨୭୨.୨୫ ମିଟର ବା ୮୯୩ ଫୁଟ ଯାଏ ଦୌଡ଼ି ପୂର୍ବର ଥିବା ୬୭୦ ଫୁଟର ରେକର୍ଡ ଭଙ୍ଗ କରିଛନ୍ତି। ଏଥି ସହିତ ସେ ବିନା ଅମ୍ଳଜାନ ଥଳିରେ ମାତ୍ର ୧୭ ସେକେଣ୍ଡ୍‌ରେ ୧୦୦ ମିଟରର ଦ୍ରୁତତମ ଜଳନ୍ତା ଦୌଡ଼ିବାର ରେକର୍ଡ ସୃଷ୍ଟି କରିଛନ୍ତି ଯାହା ପୂର୍ବ ରେକର୍ଡ ଠାରୁ ୭.୬୮ ସେକେଣ୍ଡ୍‌ କମ୍‌।

ପୂର୍ବରୁ ଉପରୋକ୍ତ ଦୁଇଟି ଯାକ ବିଭାଗର ରେକର୍ଡ ୟୁକେର ଆନ୍ଥୋନି ବ୍ରିଟନ୍‌ଙ୍କ ନାମରେ ରହିଥିଲା। ତେବେ ୨୦୧୪ ମସିହାରେ ଏଭଳି ଏକ ଦୁଃସାହସିକ ପ୍ରତିଯୋଗିତା ଆରମ୍ଭ ପରଠାରୁ ପେସାରେ ଜଣେ ଷ୍ଟଣ୍ଟମ୍ୟାନ୍‌ ଥିବା ଜୋନାଥନ୍‌ ତିନି ଥର ଏହି ରେକର୍ଡ କରିଛନ୍ତି। ପରେ ତାଙ୍କ ରେକର୍ଡକୁ ଅନ୍ୟ କେହି ଭାଙ୍ଗିଥିବା ବେଳେ ସେ ଏ ବର୍ଷ ସମସ୍ତଙ୍କ ରେକର୍ଡକୁ ପଛକୁ ପକାଇ ଦେଇଛନ୍ତି। ପିଲା ବେଳୁ ନିଆଁ ସହ ଖେଳିବାକୁ ସେ ପସନ୍ଦ କରୁଥିଲେ ଏବଂ ଶେଷରେ ତାହା ତାଙ୍କର ପେସାରେ ପରିଣତ ହୋଇଥିଲା ବୋଲି ସେ କହିଛନ୍ତି। ଏହି ନୂତନ ରେକର୍ଡ ସୃଷ୍ଟି ପାଇଁ ତାଙ୍କୁ ତିନି ମାସ ଧରି ସ୍ବତନ୍ତ୍ର ପ୍ରସ୍ତୁତି କରିବାକୁ ପଡ଼ିଥିଲା। ଏହି ରେକର୍ଡ ଦୁଃସାହସିକ କାର୍ଯ୍ୟ ଅବସରରେ ନିଜ ଜନ୍ମ ସହରରେ ସହରବାସୀ ତାଙ୍କୁ ଜଳୁଥିବାର ଦୃଶ୍ୟ ଉପଭୋଗ କରୁଥିବା ଘଟଣା ହିଁ ତାଙ୍କୁ ସବୁଠୁ ଆମୋଦିତ କରିଛି ବୋଲି ଜୋନାଥନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe