ଚଳନ୍ତିକା: ମଶାକୁ ଦମନ କରିବ ମଶା

Advertisment
ଚଳନ୍ତିକା: ମଶାକୁ ଦମନ କରିବ ମଶା

ମ୍ୟାଲେରିଆର ବାହକ ମଶା, ମ୍ୟାଲେରିଆ ନିରାକରଣ ବି କରିବ ମଶା! ପଶ୍ଚିମ ଆଫ୍ରିକା ପରେ ସମ୍ପ୍ରତି ପ୍ରଥମ କରି ଏଭଳି ପ୍ରୟୋଗ ଆରମ୍ଭ ହୋଇଛି ପୂର୍ବ ଆଫ୍ରିକା ଅନ୍ତର୍ଗତ ଜିବୋଟି ଅଞ୍ଚଳରେ। ଅବଶ୍ୟ ମ୍ୟାଲେରିଆ ଦମନ କରିବା ଲାଗି ସେଠାରେ ସାଧାରଣ ମଶା ପରିବର୍ତ୍ତେ ଗୁଣସୂତ୍ର ପରିବର୍ତ୍ତିତ ମଶା ଛଡ଼ାଯାଇଛି। ମ୍ୟାଲେରିଆ ବିସ୍ତାରକାରୀ ‘ଏନୋଫିଲିସ୍‌ ଷ୍ଟିଫେନ୍‌ସି’ ପ୍ରଜାତିର ମଶାଙ୍କୁ ବାଧା ଦେବା ଲାଗି ଦୁଇବର୍ଷ ପୂର୍ବେ ସେଠାରେ ‘ଜିବୋଟି ଫ୍ରେଣ୍ଡ୍‌ଲି ମସ୍‌କ୍ବିଟୋ ପ୍ରୋଗ୍ରାମ୍‌’ ଆରମ୍ଭ କରାଯାଇଥିଲା। ୨୦୧୨ରେ ଆଫ୍ରିକାରେ ‘ଏନୋଫିଲିସ୍‌ ଷ୍ଟିଫେନ୍‌ସି’ ଚିହ୍ନଟ କରାଯିବା ବେଳକୁ ଏହାର କାମୁଡ଼ାରେ ଜିବୋଟିରେ ୨୭ଜଣ ମ୍ୟାଲେରିଆ ଆକ୍ରାନ୍ତ ହୋଇଥିଲେ। ୨୦୨୦ ବେଳକୁ ସେ ଦେଶର ମ୍ୟାଲେରିଆ ପୀଡ଼ିତଙ୍କ ସଂଖ୍ୟା ୭୩,୦୦୦ ହୋଇଯାଇଥିଲା।
ଦ୍ରୁତ ବଂଶ ବିସ୍ତାରକାରୀ ଏହି ମଶା ଦକ୍ଷିଣ ଏସିଆ ଓ ଆରବ ଉପଦ୍ବୀପ ଅଞ୍ଚଳରୁ ଆଫ୍ରିକାକୁ ଯାଇଥିଲା। ଆଫ୍ରିକା ମହାଦେଶର ଅନ୍ୟାନ୍ୟ ରାଷ୍ଟ୍ରକୁ ମଧ୍ୟ ଏହି ମଶା ବ୍ୟାପିଥିଲା। ତେଣୁ, ୨୦୧୬ରେ ଇଥିଓପିଆ ଓ ସୁଦାନ, ୨୦୧୯ରେ ସୋମାଲିଆ ଓ ୨୦୨୦ରେ ନାଇଜେରିଆରେ ବହୁବ୍ୟକ୍ତି ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ।

ଆଫ୍ରିକାର ଅନ୍ୟାନ୍ୟ ମ୍ୟାଲେରିଆବାହୀ ମଶା ମଫସଲ ଅଞ୍ଚଳରେ ବଂଶ ବୃଦ୍ଧି କରୁଥିବା ବେଳେ ‘ଏନୋଫିଲିସ୍‌ ଷ୍ଟିଫେନ୍‌ସି’ ସହରୀ ପରିବେଶରେ ଖାପ ଖୁଆଇ ବଂଶବୃଦ୍ଧି କରିବାକୁ ସମର୍ଥ ହେଲା। ଏହାହିଁ ଜିବୋଟି ପାଇଁ କାଳ ହେଲା। କାରଣ, ସେଠାକାର ୭୦% ଅଧିବାସୀ ରାଜଧାନୀ ନଗରୀରେ ବସବାସ କରୁଥିବାରୁ ଅଧିକାଂଶ ମ୍ୟାଲେରିଆ ଆକ୍ରାନ୍ତ ହେବାର ଆଶଙ୍କା ଉପୁଜିଲା। କଣ୍ଟାକୁ କଣ୍ଟାରେ କାଢ଼ିବା ପରି ଏହି ସହରୀ ମଶାଙ୍କୁ ଦମନ କରିବା ଲାଗି ବାୟୋଟେକ୍ନୋଲୋଜି କମ୍ପାନି ଅକ୍ସଟେକ୍‌ ମଶାଙ୍କୁ ହିଁ ନିୟୋଜିତ କଲା। କମ୍ପାନି ଯେଉଁ ଅଣ୍ଡିରା ମଶାଙ୍କୁ ଛାଡ଼ିଛି, ସେମାନଙ୍କର ଶରୀରରେ ଗୋଟାଏ ବିଶେଷ ଧରଣର ଗୁଣସୂତ୍ର ରଖାଯାଇଛି। ସେଥିପାଇଁ ସେମାନଙ୍କ ଔରସରୁ ଜାତ ମାଈମଶାଗୁଡ଼ିକ ପ୍ରାପ୍ତବୟସ୍କା ହେବେନାହିଁ।

ମାଈମଶା ମ୍ୟାଲେରିଆ ସଙ୍କ୍ରମଣ କରାଉଥିବାରୁ ସେମାନଙ୍କୁ ଲକ୍ଷ୍ୟ କରି ଏଭଳି ପଦ୍ଧତି ଅବଲମ୍ବନ କରାଯାଇଛି। ବୈଜ୍ଞାନିକମାନଙ୍କର ଆଶା, ମାଈମଶା ସଂଖ୍ୟା ହ୍ରାସ କରାଯିବା ଦ୍ବାରା ମ୍ୟାଲେରିଆ ରୋଗର ବିସ୍ତାର ଉଲ୍ଲେଖନୀୟ ଭାବେ ହ୍ରାସ ପାଇବ। ବାକି ରହିଲା, ଅଣ୍ଡିରାମଶାଙ୍କ କଥା, ସେମାନେ ଦଂଶନ କରୁ ନ ଥିବାରୁ ସେମାନଙ୍କଦ୍ବାରା ମ୍ୟାଲେରିଆ ସଂକ୍ରମଣ ହେବନାହିଁ। କୁହାଯାଉଛି, ଜନସ୍ବାସ୍ଥ୍ୟ ପ୍ରତି ଥିବା ମ୍ୟାଲେରିଆ ବିପଦ ଟାଳିବାରେ ଏ ଉପାୟ ନିରାପଦ, ଚିରସ୍ଥାୟୀ ଏବଂ ପ୍ରାକୃତିକ ମଶା ନିବାରକ ଭାବେ କାର୍ଯ୍ୟ କରିବ। କିନ୍ତୁ, ପରିବେଶ ସଙ୍ଗଠନ ସବୁ କହୁଛନ୍ତି ଯେ, ଏଥିଯୋଗୁଁ ଭବିଷ୍ୟତରେ ଜୀବଜଗତ ଓ ଖାଦ୍ୟ ଶୃଙ୍ଖଳ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ।

ଏ କଥାକୁ ଖଣ୍ଡନ କରି ଅକ୍ସିଟେକ୍ ପକ୍ଷରୁ କୁହାଯାଇଛି, ଆମେ କୋଟି କୋଟି ସଂଖ୍ୟାରେ ଗୁଣସୂତ୍ର ପରିବର୍ତ୍ତିତ ମଶା ଛାଡ଼ିଛୁ। ଗତ ୧୦ ବର୍ଷ ମଧ୍ୟରେ ଏହା ପରିବେଶ କି, ମାନବ ଶରୀର ଉପରେ କୌଣସି କୁପ୍ରଭାବ ପକାଇଥିବା ରିପୋର୍ଟ ହୋଇନାହିଁ। ଏହି ମଶାଙ୍କ ଲାଳରେ ପରିବର୍ତ୍ତିତ ଗୁଣସୂତ୍ର ନ ଥାଏ। ତେଣୁ, ଏ ମଶା କାମୁଡ଼ିବା ଯୋଗୁଁ ମାନବ ଶରୀରକୁ ପରିବର୍ତ୍ତିତ ଗୁଣସୂତ୍ର ପ୍ରବେଶ କରେନାହିଁ। ଏହି ଗୁଣସୂତ୍ର ବିଷାକ୍ତ ନୁହେଁ, ଆଲର୍ଜିକ୍‌ ବି ନୁହେଁ। କେବଳ ଉପରୋକ୍ତ ପ୍ରଜାତିର ମଶାଙ୍କ ପାଇଁ ହିଁ ପ୍ରସ୍ତୁତ କରାଯାଇଛି। ‘ୟୁଏସ୍‌ ସେଣ୍ଟର୍ସ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ଏଣ୍ଡ୍‌ ପ୍ରିଭେନ୍‌ସନ୍‌’ କହିଛି, ବ୍ରାଜିଲ୍‌, କେମ୍ୟାନ୍‌ ଦ୍ବୀପ, ପାନାମା ଓ ଭାରତ ଆଦି ଦେଶରେ ଏ ଧରଣର କୌଶଳ ପ୍ରୟୋଗ କରାଯାଇ ସଫଳତା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe